ଲୋକ ମହୋତ୍ସବ ‘ଚଇତି’ ଉଦ୍ଘାଟିତ
ରାୟଗଡା: ରାୟଗଡା ଜିଲ୍ଲା ଗଣପର୍ବ ଭାବେ ପ୍ରସିଦ୍ଧ ଚଇତି ଲୋକ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣି ପ୍ରାଙ୍ଗଣରୁ ଚଇତି ମଶାଲ ସହ କଳସ ଯାତ୍ରା ଆରମ୍ଭ ହୋଇ ସ୍ଥାନୀୟ ଜିସିଡି ପଡ଼ିଆ ମଞ୍ଚ ଠାରେ ପହଞ୍ଚôଥିଲା । ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ଜିଲ୍ଲାପାଳ ପାରୁଲ ପଟାୱାରୀ, ରାୟଗଡା ବିଧାୟକ ଆପଲସ୍ୱାମୀ କାଡ୍ରାକା, ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ପ୍ରମୁଖ ଶୋଭାଯାତ୍ରା ଯୋଗଦାନ କରି ସହର ପରିକ୍ରମା କରିଥିଲେ । ନିଜର ବକ୍ତବ୍ୟରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ନାଏକ ପ୍ରଥମ ଦିନର ଉଦ୍ଘାଟନୀ ଦିବସରେ ବିକାଶ ସହ ଐତିହ୍ୟକୁ ତ୍ୱରାନ୍ୱିତ ପାଇଁ ସଂକଳ୍ପ କରିବାକୁ ଆହ୍ୱାନ ଦେଇଥିଲେ । ମାଟିର ଗୌରବ ବଞ୍ଚାଇବା ଆମର କର୍ତ୍ତବ୍ୟ । ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ବିକାଶ ପଥକୁ ଆଗେଇବା ପାଇଁ ଅତିଥି ଭାବେ ଉପସ୍ଥିତ ତିନି ବିଧାୟକଙ୍କୁ ନିବେଦନ କରିଥିଲେ । ଆଦିବାସୀ ପିଲାଙ୍କ ଶିକ୍ଷା ସହ ଜନଜାତି ଅଞ୍ଚଳକୁ ସଡକ ଯୋଗାଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିଭଳି ପାନୀୟଜଳ ଯୋଗାଣ, ସମସ୍ତ ଭୂମିହୀନଙ୍କୁ ମାଗଣା ଜମି ସରକାରୀ ଜମି ମାଗଣାରେ ଯୋଗାଣ ହେବ ବୋଲି ଘୋଷଣା କରିଥିଲେ । ଜିଲ୍ଲାପାଳ ପାରୁଲ ପଟାୱରିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାୟଗଡ଼ା ବିଧାୟକ ଆପଲାସ୍ୱାମୀ କାଡ୍ରାକା, ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ବିଷମକଟକ ବିଧାୟକ ନୀଳମାଧବ ହିକକା, କୋରାପୁଟ ବିଧାୟକ ରଘୁରାମ ମାଛ ଯୋଗଦାନ କରିଥିଲେ । ଲୋକ କଳା ସହ ମାଟି, ପବନ, ଆକାଶକୁ ପୂଜା କରୁଥିବା ଜିଲ୍ଲା ହେଉଛି ଆମ ରାୟଗଡା ଜିଲ୍ଲା । ଏହି ପର୍ବ ସମସ୍ତଙ୍କୁ ବାନ୍ଧି ରଖିବା ସୂତ୍ର ପାଲଟିଛି । ଏହି ଉତ୍ସବ ସଂସ୍କୃତି ଗୀତ, ନୃତ୍ୟକୁ ବଂଚାଇବାରେ ସହାୟକ ହେଉଛି ବୋଲି ଅତିଥିମାନେ ନିଜ ମତ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ, ଏସପି ସ୍ୱାତୀ ଏସ. କୁମାର, ଜିଲ୍ଲା ମୁଖ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ ଖେମୁଣ୍ଡୁ ମଞ୍ଚାସୀନ ଥିଲେ । ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଅତିଥିଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ । ଏହାପରେ ଜିଲ୍ଲାର ଉଲ୍ଲେଖନୀୟ କୃତିତ୍ୱ ହାସଲ କରଥିବା ବ୍ୟକ୍ତିମାନଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ ଚଇତିର ମୁଖଶାଖୀ ସ୍ମରଣିକା ଚଇତାଳି ଉନ୍ମୋଚନ କରିଥିଲେ । ଏହାପରେ ଲାଞ୍ଜିଆ ସଉରା ସମ୍ପ୍ରଦାୟର ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ନବେଶ ଶବର, ଆଶା ଅନୁସୂୟା ବିଡ଼ିକା, ୟୁଜିସ ନେଟରେ କୃତକାର୍ଯ୍ୟ ହୋଇଥିବା ଡ଼ଙ୍ଗରିଆ ଯୁବକ ଅଜୟ କାଡ୍ରାକା, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଦ୍ୱତୀଚନ୍ଦ୍ର ସାହୁଙ୍କ ମୁଖ୍ୟଅତିଥି ଚଇତି ମଞ୍ଚରେ ସମ୍ମାନିତ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।