ଶକ୍ତିପୀଠରେ ଷୋଳପୂଜା


ଆଶ୍ୱିନ ମାସ ପ୍ରବେଶରେ ଆରମ୍ଭ ହୋଇଯାଏ ପାର୍ବଣ ଋତୁ  । ଜଗଜ୍ଜନନୀ ମା' ଆସିବେ ଧରାକୁ  । ଶକ୍ତିପୀଠ ବା ଦେବପୀଠରେ ଆଶ୍ୱିନ କୃଷ୍ଣ ଅଷ୍ଟମୀ ଅର୍ଥାତ୍ ମୂଳାଷ୍ଟମୀ ବା ଦ୍ୱିତିବାହାନ ଓଷା ଠାରୁ ମା'ଙ୍କର ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୁଏ  । ପୁରୀର ବିମଳା, କୋଣାର୍କର ରାମଚଣ୍ଡୀ, କଟକ ଚଣ୍ଡୀ, ଗଡ଼ଚଣ୍ଡୀ, ମା'ଶାରଳା, ବାଣପୁରର ଭଗବତୀ, କାକଟପୁରର ମଙ୍ଗଳା, ବାଙ୍କୀର ଚର୍ଚ୍ଚିକା, ବଡ଼ମ୍ବାର ଭଟ୍ଟାରିକା, ଯାଜପୁରର ବିରଜା, ଗଞ୍ଜାମର ତାରାତାରିଣୀ, ନାରାୟଣୀ ଆଦି ସମସ୍ତ ଦେବୀପୀଠରେ ଶାରଦୀୟ ପୂଜା ଉତ୍ସବର ସଂକଳ୍ପ କରାଯାଏ ଏହି ଦିନ  । ଦେବୀଙ୍କର ଆଦ୍ୟଘଟ ନିମ୍ମଜନ ଏବଂ ପରେ କଳସ ସ୍ଥାପନ କରାଯାଏ  । ସବୁ ଦେବୀପୀଠରେ ଷୋଡ଼ଶ ଉପଚାର ପୂଜା ସହ ଦେବୀଙ୍କର ଭିନ୍ନ ଭିନ୍ନ ବେଶ ମଧ୍ୟ କରାଯାଏ  । ମାତ୍ର ମହିଷାମର୍ଦ୍ଦିନୀ ମା'ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ଉତ୍ସବ ଅନୁଷ୍ଠିତ ହୁଏ ଆଶ୍ୱିନ ଶୁକ୍କ ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ  ।
ଦେବୀ ଦୁର୍ଗା କେବଳ ଦୁଷ୍ଟ ଶକ୍ତିର ସଂହାରିଣୀ ଶକ୍ତି ନୁହନ୍ତି, ସୃଷ୍ଟିର ପାଳନକର୍ତ୍ତ୍ରୀ ମଧ୍ୟ  । ତେଣୁ ତାଙ୍କୁ ଯଥାର୍ଥରେ କୁହାଯାଇଛି ଶାକମ୍ଭରୀ  । ଅର୍ଥାତ୍ ସେ ହେଉଛନ୍ତି ଶସ୍ୟ ପାଳିକା  । ଯେଉଁ ଦୁର୍ଗା ଅସୁରଙ୍କ ନିଧିନ ଲାଗି ବିବସନା, ନରମୁଣ୍ଡମାଳିନୀ, ଖଡ଼୍ଗ ଧାରିଣୀ କାଳୀ ମୂର୍ତ୍ତି ସାଜିଲେ, ସେ ପୁଣି ସୃଷ୍ଟି ପାଳନ ପାଇଁ ମାତୃମୂର୍ତ୍ତି ଶାକମ୍ଭରୀ ରୂପ ଧାରଣା କରନ୍ତି  । "ଦେବୀ ମହାତ୍ମ୍ୟ'ରେ ମା' କହିଛନ୍ତି "ଅନାବୃଷ୍ଟି ସମୟରେ ମୋ ଶରୀରରୁ ନିର୍ଗତ ପ୍ରାଣ ସଞ୍ଜୀବନୀ ଶସ୍ୟସମୂହ ଦ୍ୱାରା ମୁଁ ଜଗତବାସୀଙ୍କ ପୋଷଣ ଦାୟିତ୍ୱ ନେବି ଏବଂ ଶାକମ୍ଭରୀ ନାମରେ ବିଖ୍ୟାତ ହେବି  । ବର୍ଷାଋତୁ ପରେ ଚତୁର୍ଦିଗରେ ଶସ୍ୟର ସମ୍ଭାର ଦେଖି ଶସ୍ୟର ସମୃଦ୍ଧି ପାଇଁ ମା'ଦୁର୍ଗାଙ୍କ କୃତଜ୍ଞତା ଜଣାଇବା ସକାଶେ ଦୁର୍ଗାପୂଜାର ପ୍ରବର୍ତ୍ତନ ହୋଇଥିବା ଅନୁମାନ କରାଯାଏ  । ଦେବୀ ମହିଷାମର୍ଦ୍ଦିନୀ ରୂପେ ପୂଜା ପାଇବା ପୂର୍ବରୁ ଶସ୍ୟର ଅଧିଷ୍ଠାତ୍ରୀ ଧରିତ୍ରୀ ଦେବୀ ରୂପେ ପୂଜା ପାଉଥିବାର ମଧ୍ୟ ବିଶ୍ୱାସ କରାଯାଏ  । ଶାରଦୀୟ ଦୁର୍ଗା ପୂଜାରେ କଦଳୀ ପତ୍ର, ବେଲପତ୍ର ଆଦି ନବପତ୍ରିକାରେ ଦେବୀଙ୍କର ପୂଜା ହେବାର ବିଧି ରହିଛି  । 
ଡା. ଉମେଶ ଚନ୍ଦ୍ର ପାତ୍ର
ମୋ: ୯୪୩୭୦୫୧୯୫୭