ବିସ୍ଥାପନ: ଏକ ମାନବିକ ରାୟ (୨)

ମାୟାଧର ନାୟକ :
ଏବେ କିନ୍ତୁ ସବୁ ସ୍ଥାନରେ ଜମି ଏକର କିଏ ୨୫ ଲକ୍ଷ, ୫୦ ଲକ୍ଷ ଏପରିକି ଏକ କୋଟିଟଙ୍କା ୪ରୁ ୫କୋଟି ଦାବି କରି ଆନେ୍ଦାଳନ କରୁଛନ୍ତି । ପରବର୍ତ୍ତୀ ପରିସ୍ଥିତିରେ ପରିବର୍ତ୍ତିତ ମୂଲ୍ୟ ଦାବି କରିବା ଅଯୌକ୍ତିକ ନୁହେଁ । ଗୋଟିଏ ଭାଇ କାରଖାନାକୁଯେଉଁ ଜମି ଏକର ଦେଢ଼ କୋଟି ଟଙ୍କାରେ ବିକିଛି - ମାତ୍ର ସାତ ଆଠ ବର୍ଷରେ ଅନ୍ୟଭାଇଟି ଏକର ପଚାଶ କୋଟି ଟଙ୍କା ବିକି୍ର କଲାଣି । ଟଙ୍କା ମିଳିବ, ହେଲେ ଜମି ଇଂଚେ ଆଉ ଭବିଷ୍ୟତରେ ମିଳିବ ନାହିଁ । ଶିଳ୍ପ ସହର ଓ ଅନ୍ୟସହରରେ ଜମି ଏକର ୫ କୋଟିରୁ ୫୦ କୋଟି ୧୦୦ ରୁ ୩୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବିକି୍ରହେବାର ଖବର ପ୍ରକାଶିତ ହୋଇଛି ।
ଶିଳ୍ପ କିଂବା ପ୍ରୋଜେକ୍ଟକୁ ଯେଉଁମାନେ କମ୍ ଦାମରେ ଜମି ବିକ୍ରି କରିଥିଲେ ସେମାନେ କୋର୍ଟ କଚେରିକୁ ଯାଇ ବହୁ ଗୁଣ ଦାମ ପାଇବାର ନଜିର ରହିଛି । ଦିଲ୍ଲୀରେ ୧୯୮୧ରେ ପ୍ରତିବିଘା ୨୬୦୦ ଟଙ୍କାରେ ବିକି୍ରହୋଇଥିଲା । ସୁପି୍ରମକୋର୍ଟ ୨୮ ବର୍ଷ ପରେ ଦର ବଢ଼ାଇ ୨୮ ହଜାର ଟଙ୍କାଦେବାପାଇଁ ରାୟ ଦେଲେ । ସେଇଭଳି ଗୋଆରେ କୋଂକଳ ରେଲୱେ ପ୍ରତିବର୍ଗମିଟର ଜମି ମାତ୍ର ୪ ଟଙ୍କାରେ କିଣିଥିଲେ, ୧୩ ବର୍ଷ ପରେ ସୁପି୍ରମକୋର୍ଟ ୨୫୦ ଟଙ୍କା ବର୍ଗମିଟର ଦେବାକୁ କହିଲେ । ଗୁଜୁରାଟରେ ମଧ୍ୟ ୧୪ ବର୍ଷ ପରେ ଅଧିକ ଟଙ୍କା ପାଇଛନ୍ତି । ଏବେ ଉତ୍ତରପ୍ରଦେଶ ଯମୁନା ଏକ୍ସପ୍ରେସ ପାଇଁ ଗୋଆରେ ନିଷ୍ପତ୍ତି ପ୍ରତି ବର୍ଗମିଟର ୨୫୦ ଟଙ୍କା ଦେଲାବେଳେ ଲୋକେ ହଜାରେ ଟଙ୍କା ଦାବି କରୁଛନ୍ତି । ମୂଳରୁ ଜମି ଅଧିଗ୍ରହଣ ବେଳେ ମାନବିକ ଓ ସାମାଜିକ - ଅର୍ଥନୈତିକ ଅବସ୍ଥା ପ୍ରତି ଦୃଷ୍ଟି ନଦେଇ କେବଳ ରାଜନୈତିକ ଶକ୍ତିର ମଦତ୍ରେ ଜବରଦସ୍ତ ଜମି ଅଧିଗ୍ରହଣର ଅଡୁଆ ସୂତା ଫିଟୁନି ।
ବର୍ତ୍ତମାନ ଚାଷଜମି କମିକମି ଆସୁଛି । ଚାଷର ସୁବିଧା ସୁଯୋଗ ନଥିବାରୁ ଚାଷ ଅମଳରେ ଚାଷୀ ଲାଭବାନ ହୋଇପାରୁନି । ପୁନଶ୍ଚ ଚାଷକାମରେ ବ୍ୟାପକ କର୍ମନିଯୁକ୍ତି ନପାଇ ବେକାରମାନେ ସହରାଭିମୁଖୀହୋଇ କର୍ମ ନ ପାଇ ହତାଶାରେ ଦିନ କାଟୁଛନ୍ତି । ଏଣେ ସରକାର ଯେଉଁ ନିୟମ ଘୋଷଣା କରୁଛନ୍ତି ନିଜେ ଭଂଗ କରୁଛନ୍ତି । ପ୍ରଥମେ ଚୁକ୍ତିଭଂଗ, ତା’ପରେ ବିଧାନଭଂଗ; ଶେଷରେ ବିଶ୍ୱାସଭଂଗ ଦ୍ୱାରା ଜନସାଧାରଣ ଭୟଙ୍କର ବିପଦ ଆଡ଼କୁ ମୁହାଁଇଛନ୍ତି । ଦେଶ ବର୍ତ୍ତମାନ ଭସ୍ମଶଯ୍ୟାରେ । ଅଶାନ୍ତି ଅସନ୍ତୋଷର ଘୂର୍ଣ୍ଣିଝଡ଼ ଏଠି, ସେଠି, ସବୁଠି । ସୂର୍ଯ୍ୟରେ ସୁନାମୀ - ଆଗ୍ନେୟଗିରିରେ ଉଦ୍ଗୀରଣ । ଦେଶବ୍ୟାପୀ ମନ୍ଥନ । ଏଣେ ଦୁର୍ଗତ ଭୂମିରେ ଶୁଭୁଛି ଭଂଗା ଭାତହାଣ୍ଡିର ହାହାକାର । 
ସ୍ୱାଧୀନତାର ୭୭ ବର୍ଷ ପର୍ଯ୍ୟନ୍ତ ସବୁ ସରକାର ଶିଳ୍ପମାଲିକମାନେ ଯେତେ ଜମି ଅଧିଗ୍ରହଣ କରିଛନ୍ତି - ତା’ ବିରୋଧରେ ଯେତେ ଆନେ୍ଦାଳନ ହୋଇଛି - ତାହାକୁ ଅତ୍ୟନ୍ତ ବେଆଇନ୍ ଭାବେ ଦମନ କରି ଆସିଛନ୍ତି । ଏଇ ୪୫ ବର୍ଷ ଭିତରେ ଦମନର ମାତ୍ରା ଭୀଷଣଭାବେ ବଢ଼ିଥିଲେ ବି ଆନେ୍ଦାଳନ ବ୍ୟାପକତା ଲାଭ କରିଛି । ଯାହା ଫଳରେ କେନ୍ଦ୍ର ସରକାର ପ୍ରଥମଥର ପାଇଁ କିଛିଟା ଲୋଭନୀୟ ପ୍ରସ୍ତାବ ରଖିଛନ୍ତି - ତାହା ଯଦି ସତ ବି ହୁଏ, ଆମ ଦେଶର ଆଇନରେ ଯେଉଁ ଛିଦ୍ର ଅଛି, କ୍ଷତିଗ୍ରସ୍ତମାନେ ଯତ୍କିଂଚିତ୍ ରିଲିଫ ପାଇବାକୁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡିବ । ସେ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତମାନେ ବଂଚିରହିଲେ ଭଲ ।
ଏହି ଜମି ଅଧିଗ୍ରହଣ ବିଲରେ ଜମିମାଲିକ ଓ ନିର୍ଭରଶୀଳ ଜନସାଧାରଣଙ୍କ ବାସ୍ତବସ୍ୱାର୍ଥକୁ ଉପରଠାଉରିଆଭାବେ ଦେଖାଯାଇଛି । ଅସଲରେ ଶିଳ୍ପପତିମାନଙ୍କ ସ୍ୱାର୍ଥ ପ୍ରତି ପ୍ରାଧାନ୍ୟ ଦିଆଯାଇଛି । ଏଠାରେ ଅପ୍ରିୟ ସତ୍ୟ ଯେ - ଏ ପର୍ଯ୍ୟନ୍ତ ଆମ ଦେଶରେ ସମାଜବ୍ୟବସ୍ଥା ଶାସନବ୍ୟବସ୍ଥା ପୁଂଜିପତିଶ୍ରେଣୀଙ୍କ ସ୍ୱାର୍ଥରକ୍ଷା କରିଆସିଛି । ଯେତେ ବଂକେଇ, ବୁଲେଇ, ଭୁଲେଇ, ଫୁସୁଲେଇ ଲୋଭ ଦେଖାଇ ଆଇନ କରିଦେଲେ ବି ତାହା ସାଧାରଣ କୃଷକ ଶ୍ରମିକ ଶ୍ରେଣୀ ପାଇଁ ବାସ୍ତବ ସହାୟକ ହେବନାହିଁ । ଆମ ସଂବିଧାନ ହଜାର ବାର ସଂଶୋଧନ ହେଲାଣି । ସଂବିଧାନ ଯେତେ ମୋଟାହେଉଛି ଗଣତନ୍ତ୍ର ସେତେ ଛୋଟାହେବାରେ ଲାଗିଛି । ଅକ୍ଳାନ୍ତ ପରିଶ୍ରମ ଓ ସତର୍କତା ଅବଲମ୍ବନ କରି ଏବଂ ବିବିଧ ଜନମଙ୍ଗଳକାରୀ ସର୍ତ୍ତର ପ୍ରତିଶ୍ରୁତି ଦେଇ ଜମି ଅଧିଗ୍ରହଣ, ଥଇଥାନ ଓ ପୁନର୍ବାସ ବିଲ୍ ୨୦୧୧ ଲୋକସଭାରେ ଦାଖଲ କରାଯାଇଥିଲା । ଏହା କିନ୍ତୁ ଆଡ଼ମ୍ବରମୟ ଶବ୍ଦ ସଂଯୋଜନାର ଏକ ସୁନ୍ଦର ସଂସ୍କରଣ ବ୍ୟତୀତ ଅନ୍ୟ କିଛି ନୁହେଁ । ଏହି ବିଲ୍ ଜମିମାଲିକ ଓ ଚାଷୀଙ୍କ ଆଶା, ଆକାଂକ୍ଷାକୁ ଧୂଳିସାତ୍ କରି ଶିଳ୍ପପତି ଓ ବଣିକ ଗୋଷ୍ଠୀର ସ୍ୱାର୍ଥ ପ୍ରତି ଶତ ପ୍ରତିଶତ ସଂବେଦନଶୀଳ ।
ସେଦିନର ଔପନିବେଶିକ ରାଜନୀତିର ଇତିହାସରେ ଭାରତୀୟ ଜନଗଣଙ୍କୁ ନିଜ ସର୍ବଗ୍ରାସୀ ଶୋଷଣତନ୍ତ୍ରର ସଦାସକ୍ରିୟ ଯନ୍ତ୍ରକରି ରଖିବାର ଅଭିସନ୍ଧିରେ ବି୍ରଟିଶ୍ ସାମ୍ରାଜ୍ୟବାଦୀଙ୍କଦ୍ୱାରା ୧୮୯୪ ମସିହାରେ ଭାରତବାସୀଙ୍କ ଜମି ହଡ଼ପ କରିବା ପାଇଁ ଜମି ଅଧିଗ୍ରହଣ ଆଇନ୍ ପ୍ରସ୍ତୁତ ହୋଇଥିଲା । ଦୀର୍ଘ ୧୨୯ ବର୍ଷ ପରେ ଆମ ଦେଶୀ ସରକାର ସେଇ ୧୮୯୪ ଜମି ଅଧିଗ୍ରହଣ ଆଇନ୍ର ଏକ ପରିବର୍ତିିତ ସଂସ୍କରଣ ଆଣିଛନ୍ତି, ଯାହା ଶିଳ୍ପପତି ଓ ବଣିକଗୋଷ୍ଠୀଙ୍କୁ ଭଲ ସୁହାଇବ ଏବଂ ଭାରତ କୃଷକ ସମାଜର ଆଶା ଓ ଆକାଂକ୍ଷା ପ୍ରତି ଶକ୍ତ କୁଠାରଘାତ କରିବ ।
ଲୋକସଭାରେ ଦାଖଲ ହୋଇଥିବା ଏହି ବିଲ୍ରେ ବିସ୍ଥାପିତ ଓ ବାସ୍ତୁହରାଙ୍କ ପାଇଁ ଯେଉଁ ସବୁ ବିଧିବ୍ୟବସ୍ଥା ସଂଲଗ୍ନ କରାଯାଇଛି, ତାହା ସେମାନଙ୍କ ଦୁଃଖକୁ ସବୁଦିନ ପାଇଁ ଲାଘବ କରିବାକୁ କେବେ ବି ସମର୍ଥ ହେବ ନାହିଁ । ବରଂ ଜମି ବିବାଦ ଲାଗି ରହିବ । ସ୍ୱାଧୀନତାର ୭୮ ବର୍ଷ ପରେ ବି ସରକାରୀ-ବେସରକାରୀ ଯୋଜନାରେ ବିସ୍ଥାପିତ ହୋଇଥିବା, କ୍ଷତିଗ୍ରସ୍ତ ଲୋକମାନେ ସେମାନଙ୍କ ନ୍ୟାଯ୍ୟ ଦାବି-ଅଧିକାର ହାସଲ କରି ପାରିନାହାନ୍ତି; ବରଂ ପ୍ରତିଶ୍ରୁତି ପୂରଣର ଦିନକୁ ଚାହିଁଚାହିଁ ଯାତନା ବଳି ପଡ଼ିଛି - କେତେକ ଦାଣ୍ଡର ଭିକାରି - ସର୍ବହରାରେ ପରିଣତ ହୋଇଛନ୍ତି । ଏକ ମୁକ୍ତ ସାମାଜିକ ଶୃଙ୍ଖଳା ସମ୍ପର୍କରେ ବିଲ୍ଟିରେ ଯେଉଁ ଭବିଷ୍ୟତବାଣୀର ଅବତାରଣା କରାଯାଇଛି, ତାହା ଫମ୍ପା ପ୍ରତିଶ୍ରୁତି ବ୍ୟତୀତ ଅନ୍ୟ କିଛି ନୁହେଁ । ଆମର ସମ୍ବିଧାନ ନାଗରିକମାନଙ୍କୁ ସାର୍ବଭୌମ୍ୟ ଓ ଶକ୍ତିମାନ କରିଛି, କିନ୍ତୁ ଏହି ବିଲ୍ଟି ସମ୍ବିଧାନକୁ ତ୍ରୁଟିପୂର୍ଣ୍ଣ ଭାବେ ତର୍ଜମା କରିଛି । ଏହି ବିଲ୍ଟି ଶିଳ୍ପସାମ୍ରାଜ୍ୟ, ବହୁଦେଶୀୟ କମ୍ପାନୀ ଓ ଅବିମୃଶ୍ୟକାରୀ ଶାସକଶ୍ରେଣୀ ନିକଟରେ ଭାରତୀୟମାନଙ୍କୁ ଗୋଲାମ କରିଦେବ । ଏହାଦ୍ୱାରା ଜନଗଣଙ୍କ ଜମି, ଜୀବନ, ଜୀବିକା ଏବଂ ତା’ର ମୌଳିକ ଅଧିକାର ସମେତ ସର୍ବବିଧ ସ୍ୱାଧୀନତା ପୁଞ୍ଜିପତିଶ୍ରେଣୀଦ୍ୱାରା ଅନାୟାସରେ ଲୁଣ୍ଠନ ହେବାର ବାଟ ଫିଟିଯିବ ।
ଆଲୋଚନାରେ କିଛିଟା ବିରୋଧ, କକ୍ଷତ୍ୟାଗ ହେବ, ଲୋକସଭା-ରାଜ୍ୟସଭାରେ ଉପସ୍ଥିତ ଥିବା ସଂଖ୍ୟାଗରିଷ୍ଠ ସଭ୍ୟସଭ୍ୟା ହାତ ଟେକିଲେ ବିଲ ପାଶହୋଇ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ । ରାଷ୍ଟ୍ରପତିଙ୍କ ଦସ୍ତଖତ ମୋହର ମାରିଦେଲେ, ଗେଜେଟରେ ପ୍ରକାଶିତ ହୋଇ ଆଇନରେ ପରିଣତ ହେବ । ସେଇ ଆଇନର ଦ୍ୱାହିଦେଇ ଶିଳ୍ପପତି-ସରକାର ଜୋରଜବରଦସ୍ତ ବଂଧୁକମୁନରେ ଚାଷୀ-ଜମିମାଲିକଙ୍କ ଜମି ଛଡ଼ାଇ ନେବେ । ଏହାଦ୍ୱାରା ଦେଶରେ ଗୃହଯୁଦ୍ଧର ଭୟାବହ ପରିସ୍ଥିତି ଉପୁଜିବ ।
ଏହି ବିଲ୍ଟିରେ ବିସ୍ଥାପିତର ମର୍ତ୍ତ୍ୟକୁ ସ୍ୱର୍ଗ ଓହ୍ଲାଇ ଆଣିବ ବୋଲି ପ୍ରତିଶ୍ରୁତି ଦେବାରେ ଅନେକ ଉଦାର ହୋଇଥିବା ବେଳେ ଜମି ଅଧିଗ୍ରହଣ ପରେ ସେଇ ଜମିରେ ବର୍ଷ ବର୍ଷ ଧରି ଝାଳନାଳ ଲହୁଲୁହ ନିଗାଡ଼ି ଶ୍ରମ କରି ଜୀବିକା ନିର୍ବାହ କରୁଥିବା ସାମୟିକ କ୍ଷେତମଜୁରିଆ ଓ ଶ୍ରମିକର ବିପର୍ଯ୍ୟସ୍ତ ଜୀବନକୁ ସୁରକ୍ଷା ଦେବା ସମ୍ପର୍କରେ ପୂରା ନୀରବ । ଶିଳ୍ପପତିମାନେ ଜମି ଅଧିଗ୍ରହଣ ଓ ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ସରକାରଙ୍କ ସହିତ ପ୍ରାଥମିକ ଅବସ୍ଥାରେ ସଲାସୁତୁରା କରୁଥିଲେ ବି ପରବର୍ତ୍ତୀ ସମୟରେ ନିଜେ ଏକ ସମାନ୍ତରାଳ ସରକାର ପ୍ରତିଷ୍ଠା କରନ୍ତି । ଧୀରେ ଧୀରେ ପ୍ରକୃତ ସରକାରଙ୍କୁକୋଣଠେସା କରି ଦିଅନ୍ତି ।
ଭାରତୀୟ ପୁଞ୍ଜିପତି ଶ୍ରେଣୀ ଆକାଶକୁ ଅକ୍ତିଆର କଲେ, ପାତାଳ ଲୁଟ୍ କଲେ, ବାକି ଥିଲା ମର୍ତ୍ତ୍ୟ- ଗରିବର ଜମି, ଫକୀରମୋହନଙ୍କ ଛ’ମାଣ ଆଠଗୁଣ୍ଠ ଭଗିଆ ସାରିଆର ଜମି - ତା’ ଉପରେ ମଂଗରାଜମାନଙ୍କ ଆଖି । ଏବେ କେବଳ ଶିଳ୍ପପତିମାନେ ଜମି ହଡ଼ପ କରୁନାହାଁନ୍ତି, ନେତା, ମନ୍ତ୍ରୀ, ଅଫିସର, ଖଣି ମାଫିଆ, ଗୁଣ୍ଡାଶ୍ରେଣୀର ଲୋକେ ସରକାରୀ, ବେସରକାରୀ ଜମିକୁ ହଡ଼ପ କରିଛନ୍ତି । ସମ୍ପ୍ରତି ପ୍ରଶାସନିକ ସନ୍ତ୍ରାସବାଦ ଚାଲିଛି । ଜାଲିଆତିର ଜାଲରେ ଜନଗଣ ଛନ୍ଦିହୋଇଗଲେଣି । ସରକାର ଭୁଲ କରି ଭୟ ଦେଖାଇ ଭୂ-ବଳାକ୍ରାର ଭୟଙ୍କର ଭାବେ କରିଚାଲିଛନ୍ତି ।
ଦୂର ଦିଗ୍ବଳୟରେ କଳାକଳା ବାଦଲକୁ ଦେଖି ଦେଶର ଜମି ମାଲିକ ଓ ଚାଷୀକୁଳ ଆତଙ୍କିତ ଥିଲାବେଳେ ଏହି  ଲେଖକର “ଜମି ବିକନା - ଭଡ଼ା ଦିଅ” ତତ୍ତ୍ୱଗ୍ରନ୍ଥ ସପ୍ତରଙ୍ଗୀ ଇନ୍ଦ୍ରଧନୁ ଭଳି ତାଙ୍କ ମନରେ ଆଶାର ଆଲୋକ ଖେଳାଇ ଦେଇଛି । ଜଟିଳ, ଅବୋଧ୍ୟ ଓ ଅସଙ୍ଗତ ଜମି ଅଧିଗ୍ରହଣ, ଥଇଥାନ ଓ ପୁନର୍ବାସ ବିଲ୍ ୨୦୧୧କୁ ଆହ୍ୱାନ କରୁଥିବା ଏହି କ୍ରାନ୍ତିକାରୀ ତତ୍ତ୍ୱଟି ଜମି ଅଧିଗ୍ରହଣ ସମସ୍ୟାର ସରଳ ମାନବବାଦୀ ସମାଧାନର ଏକ ସୁନ୍ଦର ଉପସ୍ଥାପନ ।
ଭାଗଚାଷ ରୂପକଳ୍ପ ଉପରେ ଆଧାରିତ ଦୀର୍ଘ ଅଭିଜ୍ଞତାରୁ ଲବ୍ଧ ଏହି ତତ୍ତ୍ୱଟି ଜମି ଅଧିଗ୍ରହଣ ସମସ୍ୟାର ଏକ ସର୍ବକାଳୀନ ସମାଧାନ ସୂତ୍ର । ଏହି ଅଦ୍ୱିତୀୟ ତତ୍ତ୍ୱଟିର ମହତ୍ୱ ହେଉଛି - ଜମି ମାଲିକ ନିଜ ଜମିକୁ ଔଦ୍ୟୋଗପତିଙ୍କୁ ବା ସରକାରଙ୍କୁ ବୃହତ୍ତର ଜାତୀୟ ସ୍ୱାର୍ଥ ପାଇଁ ଭଡ଼ାରେ ଦେବ । ମାସକୁ ମାସ ଭଡ଼ା ଆଦାୟ କରିବା ସହିତ ଜମି ହସ୍ତାନ୍ତର ବେଳେ ସବୁପ୍ରକାର ଥଇଥାନ ଓ ପୁନଃବସତି ସୁବିଧା ସୁଯୋଗ ପାଇବ । ଜମିର ମାଲିକାନା ସତ୍ୱ ସବୁବେଳେ ପୂର୍ବଭଳି ତା’ ପାଖରେ ରହିବ । ଏହି ପ୍ରକ୍ରିୟାରେ ବଂଶାନୁକ୍ରମିକ ଭଡ଼ା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ହାସଲ କରି ଚାଲୁଥିବ । ଏକ ଚୁକ୍ତି ସ୍ୱାକ୍ଷରିତ ହେବ, ଯେଉଁଥିରେ ବ୍ୟବସ୍ଥା ରହିବ ଯେ - ଜମି ଭଡ଼ାରେ ଦେଇଥିବା ମାଲିକ ପ୍ରତି ପାଂଚବର୍ଷ ଅବଧୀରେ ଭଡ଼ା ବୃଦ୍ଧି କରିପାରିବ । ଏହା ବ୍ୟତୀତ ଘର ବଦଳରେ ଘର, ଚାକିରି ଏବଂ ଅନ୍ତର୍ଜାତୀୟ ଥଇଥାନ ଓ ପୁନର୍ବସତି ନୀତିର ଉପଯୋଗ କରିବ । ଯଦି ଏହି ବିକଳ୍ପ ଜମି ନୀତି ସାରାଦେଶରେ ଓ ସାରା ପୃଥିବୀରେ ଅନୁସୃତ ହୁଏ, ତା’ହେଲେ ଜମିମାଲିକ ଓ ଶିଳ୍ପପତିଙ୍କ ମଧ୍ୟରେ ଅନବରତ ଚାଲୁ ରହିଥିବା ସଂଘର୍ଷର ଅଚିରେ ଅବସାନ ଘଟିବା ସହିତ ପ୍ରଗତିପଥର ସବୁ ବାଧାବନ୍ଧନ ହଟିଯିବ ।
ଜମି ଭଡା ଦେବା ନିଆରା ତତ୍ୱ ଅସମ୍ଭବ ବୋଲି ପ୍ରତୀୟମାନ ହେଉଥିବା ପ୍ରଶ୍ନର ଗୋଟିଏ ସରଳ ଓ ସହଜ ସୂତ୍ର - ଭାଗଚାଷ ଭଳି ଭାଗଶିଳ୍ପ । ଏହି ବିଚାରଧାରା ଦ୍ୱାରା ଜମିମାଲିକ କୃଷକଙ୍କ ସ୍ୱାର୍ଥରକ୍ଷା ହେବା ସହ ଔଦ୍ୟୋଗୀକରଣ ସମସ୍ୟାର ସମାଧାନ ପାଇଁ ନୂଆରାସ୍ତା ଦେଖାଇ ଦିଆଯାଇଛି । ଏଇ ତତ୍ତ୍ୱକୁକେନ୍ଦ୍ର ସରକାର ଗ୍ରହଣ କଲେ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଏହାଦ୍ୱାରା କୋଟିକୋଟି ଲୋକଙ୍କର ସ୍ୱାର୍ଥପୂରଣ ହେବ ।
ଏହି ତତ୍ତ୍ୱକୁ ସଂପୂର୍ଣ୍ଣ ବ୍ୟାଖ୍ୟା କରାଯାଇ ଐତିହାସିକ ଘଟଣାବଳୀଠୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ଓ ଘଟଣାର ଅବତାରଣା କରି ଇଂରାଜୀରେ ‘ଲାଣ୍ଡ ଟୁ ଲେଟ’, ହିନ୍ଦୀରେ ‘ଜମିନ୍ ନେହିଁ ବେଚନା, କିରାୟେ ପର ଦେନା’, ଓଡ଼ିଆରେ ‘ଜମି ବିକନା, ଭଡା ଦିଅ’ ପୁସ୍ତକ ରାଜ୍ୟର ସମସ୍ତ ବିଧାୟକ, ବୁଦ୍ଧିଜୀବୀ, ଶିଳ୍ପପତି, ସାମ୍ବାଦିକମାନଙ୍କୁ ଦିଆଯାଇଛି । ଲୋକସଭା, ରାଜ୍ୟସଭାର ସମସ୍ତ ସଭ୍ୟମାନଙ୍କୁ ଏବଂ ଦେଶର ବୁଦ୍ଧିଜୀବୀ, ଶିଳ୍ପପତି, ଅର୍ଥନୀତିଜ୍ଞ, ସମାଜତତ୍ତ୍ୱବିତମାନଙ୍କୁ ମଧ୍ୟ ପଠାଯାଇଛି - ଏପରିକି ୧୩୫ ଦେଶର ରାଷ୍ଟ୍ରମୁଖ୍ୟମାନଙ୍କ ପାଖକୁ ପଠାଯାଇଛି । ମୋର ୫୦ ବର୍ଷର ରାଜନୈତିକ ଜୀବନର ନିଚ୍ଛକ ଅନୁଭୂତିକୁନେଇ ପ୍ରାୟ ଏକବର୍ଷରୁ ଊଦ୍ଧ୍ୱର୍ହେଲା - ଏହି ଜମି ବିକନା, ଭଡା ଦିଅ ତତ୍ତ୍ୱକୁ ପ୍ରଚାର ପ୍ରସାର କରିଆସୁଛି । ସତ୍ୟର ଗୋଟିଏ ଶବ୍ଦ ମଧ୍ୟ ପୃଥିବୀକୁ ଓଲଟପାଳଟ କରିଦେଇପାରେ । ଗୋଟିଏ ନୂଆ ଚିନ୍ତାଧାରା ପ୍ରସାର ଲାଭ କରିବାପାଇଁ ଦଶନ୍ଧି ଦଶନ୍ଧି ଏପରିକି ଶତାବ୍ଦୀ ଶତାବ୍ଦୀ ଲାଗିଯାଇପାରେ ।ମୋର ଏହି ବିଚାରଧାରା ଆଠଶହ କୋଟି ପ୍ରଶ୍ନର ଗୋଟିଏ ଉତର ।
ଏ ଜମି ତତ୍ତ୍ୱ ଥୋରୁଙ୍କ “ୱାଲଡେନ ପଣ୍ଡ” ପରି ପ୍ରକୃତିର ଉପଚାର କରୁଥିଲାବେଳେ ମହାତ୍ମା ଗାନ୍ଧୀଙ୍କ ଅହିଂସା ଅସ୍ତ୍ରଭଳି ଶକ୍ତିଶାଳୀ ଏବଂ ବିନୋବା ଭାବେଙ୍କ ଶାନ୍ତ ଭୂ-ଦାନ ଆନେ୍ଦାଳନ ଭଳି ଏକ ନୀରବ ବିପ୍ଳବର ଇସ୍ତାହାର । ଅନିଶ୍ଚିତ ଭବିଷ୍ୟତ ପରିପ୍ରେକ୍ଷୀରେ ଏ ଅମୂଲ୍ୟ ତତ୍ତ୍ୱଟିର ଜରୁରୀ ଉପଯୋଗ ଆମ ଦେଶ ଭିତରେ ଏବଂ ସାରା ପୃଥିବୀରେ କରାଗଲେ ଅସମାହିତ ଭଳି ପ୍ରତୀୟମାନ ହେଉଥିବା ସମସ୍ୟାର ଆଶୁ ସମାଧାନ ଅବଶ୍ୟମ୍ଭାବୀ । ପାଖାପାଖି ଆଠଶହ କୋଟି ମଣିଷର ପୃଥିବୀ । ଲକ୍ଷେ ଧନିକ ବଣିକ ପାଇଁ ଏଇ ଆଠଶହ କୋଟି ମଣିଷର ଭବିଷ୍ୟତ ଭୟାବହ । ଥରେ ଟଙ୍କାଦେଇ କିଣିନିଅ ଜମି, ଗରିବର ଗାଁ, ଗିରିଜନର ଗଡ଼ରାଜ୍ୟ- ତା’ପରେ ରାଜ୍ କର ମାମୁଲି ମଣିଷର ମଡ଼ା ଉପରେ । ଆଠଶହ କୋଟି ମଣିଷଙ୍କ ଭବିଷ୍ୟତର ଭାଗ୍ୟ ସପକ୍ଷରେ ପୃଥିବୀର ପ୍ରଥମ ସ୍ୱର ଏକ ଏକାନ୍ତ ମାନବୀୟ ରାୟ, ଜମି ବିକନା-ଭଡ଼ା ଦିଅ ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩