ପୁଷ୍ପମିତ୍ର ମହାପାତ୍ର : କୋଟି ବ୍ରହ୍ମାଣ୍ଡ ପ୍ରଭୁ ଶ୍ରୀଜଗନ୍ନାଥ । ସେ ଆଦି, ଅନାଦି, ସାକାର, ନିରାକାର, ସୁଗୁଣ, ନିର୍ଗୁଣ, ସ୍ୱୟଂ ପରଂବ୍ରହ୍ମ, ପରମାତ୍ମା । ବିଜେ କରିଛନ୍ତି ଶ୍ରୀଜଗନ୍ନାଥ ନୀଳାଚଳ ଧାମରେ । ଓଡ଼ିଆ ମାନଙ୍କର ଜାତୀୟ ଜୀବନ, ସାମାଜିକ ଜୀବନ, ଧର୍ମ, ସଂସ୍କୃତି, ସାହିତ୍ୟ - ପ୍ରତିଟିରେ ଜଗନ୍ନାଥ ଚେତନାର ପ୍ରାଣ ପ୍ରକାଶ । ଆଦରେ ସେ ଶବର ପୂଜିତ ଠାକୁର ଭାବେ ତାଙ୍କର ଆବିର୍ଭାବ, କାଳକ୍ରମେ ଜୈନ, ବୌଦ୍ଧ, ତାନ୍ତ୍ରିକ, ଶୈବ, ବୈଷ୍ଣବ, ଶାକ୍ତ, ଗାଣପତ୍ୟ, ସୌର ଆଦି ସକଳ ଆର୍ଯ୍ୟ ଧର୍ମର ଶାଖା ଦ୍ୱାରା ଗୃହୀତ । ଜଗନ୍ନାଥ ଧର୍ମ ବହୁମତ, ସମନ୍ୱିତ ଧର୍ମ । ମହାପ୍ରଭୁଙ୍କ ଆବିର୍ଭାବ, ଦେଉଳ ତୋଳା, ଉପାସନା ବିଧି, ସାର୍ବଜନୀନ ଧର୍ମ ଭାବନା ଏ ସମସ୍ତ ଏବେ ବି ରହସ୍ୟାଚ୍ଛନ୍ନ ।
ଶ୍ରୀଜଗନ୍ନାଥଙ୍କ ସହିତ ବିଭିନ୍ନ ଧର୍ମ ସଂଶ୍ଲିଷ୍ଟ । ଅନୁରୂପ ଭାବରେ ଜଗନ୍ନାଥ ଶବ୍ଦ ସହିତ ବିଭିନ୍ନ ଧର୍ମ ଜଡ଼ିତ । ଯୁଗ ଯୁଗ ଧରି ଶ୍ରୀଜଗନ୍ନାଥ - ଏକ ପରମ ରହସ୍ୟ । ଏହା ଅନସ୍ୱୀକାର୍ଯ୍ୟ । ସାରା ତ୍ରିଭୁବନରେ ପରମାତ୍ମା ଶ୍ରୀଜଗନ୍ନାଥ ପ୍ରତିଟି ଜୀବନର ଆତ୍ମା ଭାବରେ ଶ୍ରୀକ୍ଷେତ୍ର, ପୁରୀ ଠାରେ ଅବସ୍ଥାନ କରୁଛନ୍ତି । ମହୋଦଧି ପଦ ଧୌତ କରୁଛି । ଧରିତ୍ରୀ ଜୟ ଗାନ କରୁଛି । ଆକାଶ ଛତ୍ରଛାୟାରେ ଦଣ୍ଡାୟମାନ । ପ୍ରଭୁଙ୍କର ବ୍ରହ୍ମଲୀଳାର ଏହି ଅବସ୍ଥାନ ସାମାଜିକ ସହାବସ୍ଥାନରେ ପାରିବାରିକ ସୁସ୍ଥ ସଦଭାବର ଜୀବନ ଦର୍ଶନ ପ୍ରଦାନ କରୁଅଛି । ସିଏ ଗଣଦେବତା ଓ ସକଳ ଐଶ୍ୱର୍ଯ୍ୟର ଠାକୁର । ଏହି ଐଶ୍ୱର୍ଯ୍ୟର ଉପଚାର ସବୁ ମାନବ ଧର୍ମକୁ ସମର୍ପିତ । ସେଥିରେ ମଣିଷ ଓ ଦେବତା ମଧ୍ୟରେ କୌଣସି ପ୍ରଭେଦ ପରିଲକ୍ଷିତ ହୁଏନାହିଁ । ମାନବିକ ଚଳଣିର ସମତାଳରେ ତାଙ୍କର ପର୍ବପର୍ବାଣି ଓ ଉତ୍ସବ ସବୁ ଲାଗି ରହିଥାଏ । ନିଖିଳଜନବନ୍ଦ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଅକଳନ ଆଶ୍ଚର୍ଯ୍ୟର ଗନ୍ତାଘର । ତାଙ୍କର ଉତ୍ପତ୍ତି ଓ ଆକୃତିର ଦୃଶ୍ୟାବଳୀ ପାଖରେ ବିଶ୍ୱର ସମସ୍ତ ଆକଳନ, ସଙ୍କଳନ ଓ ସମୀକରଣ ହୁଏ ସମର୍ପିତ ଆଉ ପରାହତ । ବେଦର ମନ୍ତ୍ରଯୋଗ ଠାରୁ ବେଦାନ୍ତର ଦର୍ଶନ ଯୋଗ ଯାଏଁ, ଗୀତାର ବିଷାଦଯୋଗରୁ ଉପନିଷଦର ଜ୍ଞାନଯୋଗ ଯାଏଁ ସକଳ ମାର୍ମିକ ତତ୍ତ୍ୱ ଓ ମହତ୍ତ୍ୱ ସତେଯେମିତି ମିଳେଇ ଯାନ୍ତି ସେ ମହିମା ମଣ୍ଡିତ ମହାପ୍ରଭୁଙ୍କ ପାଖରେ । ସେ ଅପାଣି ଆପଦ ପୁଣି ମହାବାହେ ବହୁବାହୁରୁପାଦମ, ସେ ଶୂନ୍ୟ ଶୂନ୍ୟ ମହାଶୂନ୍ୟ ପୁଣି ଅନ୍ତର୍ବହି ଅବସ୍ଥିତମ୍ ।
ଅର୍ଥାତ୍ ଦାରୁବ୍ରହ୍ମ, ନିର୍ଗୁଣ, ନିରାକାର, ନିର୍ବିକଳ୍ପ, ନିର୍ବିଶେଷ, ନିରୀହ ହେଲେ ମଧ୍ୟ ସ୍ଥଳ ବିଶେଷରେ ସଗୁଣ, ସାକାର, ସବିକଳ୍ପ ରୂପେ ପ୍ରଯୁଜ୍ୟ ଅଟନ୍ତି । ଏ ସବୁ ଆଶ୍ଚର୍ଯ୍ୟ ମଧ୍ୟରେ ରହସ୍ୟମୟ ହେଉଛି ଜଗନ୍ନାଥଙ୍କର ଶ୍ୱେତପଦ୍ମ ପରି ବିଲକ୍ଷଣ ଆୟତ ଡେ଼ାଳାର ମଧୁର ଆକର୍ଷଣ । ସତେଯେପରି ମହାପ୍ରଭୁ ଅପଲକ ନେତ୍ରସୁଧା ଢ଼ାଳି ବିଶାଳ ଚକାଡେ଼ାଳାକୁ ବିସ୍ତାର ପୂର୍ବକ ଅପେକ୍ଷା କରିଛନ୍ତି । ସେଥିପାଇଁ ତ ଭକ୍ତ ଠାରୁ ଆରମ୍ଭ କରି କବି, କଥାକାର, ଗବେଷକ ପର୍ଯ୍ୟନ୍ତ କେତେ ନାମରେ ନାମିତ କରିଛନ୍ତି ଜଗନ୍ନାଥ ମହାପ୍ରଭୁଙ୍କୁ । ଆମ ହୃଦୟର ଜଗନ୍ନାଥ । ଆମ ଜୀବନ ଚେତନାର ଜଗନ୍ନାଥ । ନୀଳ ସରଗର ମୁଣ୍ଡ ଉପରେ ନୀଳ ଲହରି ନିକାଞ୍ଚଳ ବେଳା ଭୂମିରେ ସାଗର କୂଳରେ ବିରାଜିତ ଶ୍ରୀମନ୍ଦିରର ସେହି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କେହି କେହି ଶବର ଦେବତା ବୋଲି କହିଥାନ୍ତି । ସେ ହେଉଛନ୍ତି କୋଟି ଓଡ଼ିଆଙ୍କ ହୃଦୟେଶ୍ୱର । କୋଟି ଓଡ଼ିଆଙ୍କ ମଉଡମଣି । ତାଙ୍କରି ଜୀବନ ଚେତନା ହେଉଛି ଆମ ଜୀବନ, ପ୍ରାଣ ଓ ସଂସ୍କୃତି । ଶ୍ରୀଜଗନ୍ନାଥ ସଂସ୍କୃତିରେ ସର୍ବ ସଂସ୍କୃତିର ସମନ୍ୱୟ ହୋଇଥିବାରୁ ଓଡ଼ିଶାର ସବୁ ଧର୍ମର ଜନତା ଶ୍ରୀଜଗନ୍ନାଥଙ୍କୁ ଅତ୍ୟନ୍ତ ଭାବପୂର୍ଣ୍ଣ ଦୃଷ୍ଟିରେ ଦେଖିଥାନ୍ତି । ଓଡିଶାର ମାଟି, ପାଣି, ପବନରେ ମିଶି ରହିଛି ଶ୍ରୀଜଗନ୍ନାଥ ଚେତନା । ଶ୍ରୀଜଗନ୍ନାଥ ସଂସ୍କୃତିରେ ଅନ୍ତର୍ନିହିତ ମୂଲ୍ୟବୋଧଭିତ୍ତିକ ଆଦେଶକୁ ତଥା ରୀତିନୀତିଗୁଡ଼ିକୁ ପ୍ରତ୍ୟେକ ମାନବ ନିଜ କର୍ମରେ ପାଳନ କଲେ ତାହା ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ପାଲଟି ଯିବ । ବର୍ତ୍ତମାନ ସମୟରେ ପଥଭ୍ରଷ୍ଟ ମାନବ ସମାଜକୁ ଏହା ଶିକ୍ଷାର ଆଲୋକବର୍ତ୍ତିକା ।
ମୋ : ୯୪୩୭୨୨୫୬୮୯