ସନାତନ ଧର୍ମ ଓ ମାନବ ଜାତିର ଏକତା

ସନାତନ ଧର୍ମ ଓ ମାନବ ଜାତିର ଏକତା

ପଙ୍କଜ କୁମାର ପାଣିଗ୍ରାହୀ : ସନାତନ ଧର୍ମ ସପକ୍ଷରେ ମନ୍ତବ୍ୟ ଦେଉଥିବା କୌଣସି ମଣିଷ ତାହାର ବ୍ୟାପକତାକୁ ଅନୁଭବ କରିନାହାନ୍ତି ଏବଂ ତାହା ବିପକ୍ଷରେ ମନ୍ତବ୍ୟ ଦେଉଥିବା ମଣିଷ ଗୁଡିକ ଆଦୌ ସନାତନ ଧର୍ମର ମୂଳଦୁଆ ଦେଖିନଥିବା ଦୃଢତାର ସହିତ କହି ହେବ । ସନାତନ ଧର୍ମ ବିଷୟରେ କୌଣସି ବାସ୍ତବ ଜ୍ଞାନ ରହିତ ହିନ୍ଦୁ ସମ୍ପ୍ରଦାୟର ମଣିଷ ଗୁଡିକ ସେହି ସମ୍ପ୍ରଦାୟରେ ରହିଥବା ଅନ୍ୟାନ୍ୟ ଗ୍ରଂଥ ଗୁଡିକୁ ଯୋଡିଦେଇ ଯେଉଁ ମନ୍ତବ୍ୟ ଦେଇଥା’ନ୍ତି ତାହା ସମ୍ପୂର୍ଣ୍ଣ ଭାବେ କପୋଳ କଳ୍ପିତ ମାତ୍ର । କାରଣ ସନାତନ ଧର୍ମ ରଚିତ ଚରିତ୍ର ଗୁଡିକ ଆଜି ସମୟରେ କୌଣସି ହିନ୍ଦୁ ଧର୍ମାବଲମ୍ବୀଙ୍କ ପାଖରେ ଆଦୌ ଦେଖିବାକୁ ମିଳୁନାହିଁ । ବରଂ ତାହାର ବିପରୀତମୁଖୀ କାର୍ଯ୍ୟ ଗୁଡିଏ କରି ଅଯୌକ୍ତିକ ବିଚାରଯୁକ୍ତ ପୌରାଣିକ ତଥ୍ୟ ଗୁଡିକ ଉପରେ ଆଧାରିତ ଚରିତ୍ର ଗୁଡିଏ ଅନୁକରଣ କରି ସେମାନେ ନିଜକୁ ସନାତନ ଧର୍ମୀ ବୋଲି କହୁଥିବା ଏକ ହାସ୍ୟାସ୍ପଦ ବିଷୟ କେବଳ । ସନାତନ ଧର୍ମ ଏକ ବିଜ୍ଞାନ ସମ୍ମତ ବିଷୟ ଯେଉଁଥିରେ କୌଣସି ଅଯୌକ୍ତିକ, ଅଲୌକିକ ବିଷୟ ବର୍ଣ୍ଣିତ ନୁହେଁ । ଆଜି ସମୟରେ ହିନ୍ଦୁ ଧର୍ମାବଲମ୍ବୀ ଯେତେ ସବୁ ଭିନ୍ନ ଭିନ୍ନ ଧର୍ମ ଶାସ୍ତ୍ର ଅନୁକରଣ କରୁଛନ୍ତି ସେଗୁଡିକ ସନାତନ ଧର୍ମ ଠାରୁ ଯଥେଷ୍ଟ ନିମ୍ନରେ । ସନାତନ ଧର୍ମର ବିକଳ୍ପ ନାହିଁ ଅର୍ଥାତ ତାହା ସର୍ବକ୍ଷେତ୍ର ଗ୍ରହଣୀୟ । ଯେଉଁ ମାନେ ଏହି ବିପରୀତମୁଖୀ ପ୍ରରୋଚକଙ୍କ ମତାମତ ଗୁଡିକୁ ସନାତନ ଧର୍ମ ବୋଲି ବୁଝୁଛନ୍ତି ଏବଂ ସନାତନ ଧର୍ମ ବିଷୟରେ ଆଦୌ ଜ୍ଞାନ ପାଇନାହାନ୍ତି ସେମାନଙ୍କ ମଧ୍ୟରେ କେତେକ ମଣିଷ ତାକୁ ବିରୋଧ କରିବା ସ୍ୱାଭାବିକ । ସେମାନଙ୍କୁ ସନାତନ ଧର୍ମର ବ୍ୟାପକତା ବିଷୟରେ ପ୍ରକୃତ ତଥ୍ୟ ପ୍ରଦାନ କରାଗଲେ ହୁଏତ ସେମାନଙ୍କ ମତ ପରିବର୍ତ୍ତନ କରିବା ପାଇଁ ବାଧ୍ୟହେବେ ଯଦି ସେମାନେ ପ୍ରକୃତ ମଣିଷର ଜ୍ଞାନ ପାଇଥିବେ ବୋଲି ଆମର ଅନୁମାନ ।

      ସନାତନ ଧର୍ମ ଏତେ ସାଧାରଣରେ ଗ୍ରହଣୀୟ ହେବନାହିଁ ଆଜି ସମୟରେ, କାରଣ ମିଥ୍ୟାବାଦୀଙ୍କ ପ୍ରକୋପ ସମଗ୍ର ସମାଜକୁ ବ୍ୟତିବ୍ୟସ୍ତ କରି ସାଧାରଣ ନିର୍ବୋଧଙ୍କୁ କେବଳ ଜ୍ୱାଳାମୁଖୀ କରି ଗଢି ତୋଳିବାରେ ସହଯୋଗ କରି ଆସୁଅଛି ଦଶନ୍ଧି ଦଶନ୍ଧି ଧରି । ସମାଜରେ ପ୍ରଚାରିତ ସମସ୍ତ ମିଥ୍ୟା ତଥା ଅଯୌକ୍ତିକ, ଅଲୌକିକ ବିଷୟ ଗୁଡିକୁ ସମ୍ପୂର୍ଣ୍ଣ ବନ୍ଦ କରି ସନାତନ ଧର୍ମର ପରିଭାଷା ପ୍ରଚାର କରିବା ଆରମ୍ଭ କରାଗଲେ ହୁଏତ କେତେଯେ ବର୍ଷ ଲାଗିବ ମଣିଷ ସମାଜକୁ ପ୍ରକୃତ ମାର୍ଗ ଦର୍ଶନ କରବା ପାଇଁ ଅନୁମାନ କରିହେଉ ନାହିଁ ଆଜି ସମୟରେ । ମିଥ୍ୟାବାଦୀ, ମିଥ୍ୟାଚାରୀ, ମିଥ୍ୟାଗ୍ରାହୀ ସଂଖ୍ୟା ୧୦୦ କହିଲେ ଅତ୍ୟୁକ୍ତି ହେବନାହିଁ ଯାହା ଆଜି ସମୟର ପରିସ୍ଥିତି ପରିବେଶ ବିଶ୍ୱବ୍ୟାପୀ । ସେମାନଙ୍କ ସେହି କଳୁଷିତ ଚିନ୍ତନ ଗୁଡିକୁ ମୂଳୋତ୍ପାଟନ କରି ବାସ୍ତବବାଦୀ ମାନବିକ ଚେତନା ଜ୍ଞାନ ବିତରଣ କରାଯିବା ଏକ ଅସାଧାରଣ ବ୍ୟାପାର ଆଜିର ଏହି ବ୍ୟବସାୟ କୈନ୍ଦ୍ରିକ ମଣିଷ ସମାଜରେ । ସନାତନ ଧର୍ମ କେବଳ ବ୍ୟକ୍ତିଗତ ସ୍ତରରୁ ଆରମ୍ଭ ହେଲେ, ସମସ୍ତ ବର୍ଗର ମଣିଷ ତାହାର ପ୍ରକୃତ ମୂଲ୍ୟାୟନ କରିବା ଶିକ୍ଷା କରିପାରିଲେ ହୁଏତ ପାରିବାରିକ ସ୍ତରରୁ କିଛି ପରିବର୍ତ୍ତନ ହୋଇପାରିବ ଯାହା ପ୍ରତି କାହାର ନିଘା ନାହିଁ । କାରଣ ସନାତନ ଧର୍ମ ହିଁ ନାହିଁ ଆଜି ଆମ ସମାଜରେ !  ହିନ୍ଦୁ ଧର୍ମରେ ବିଭିନ୍ନ ସଂଯୋଜିତ ବିଷୟ ଗୁଡିକ ସନାତନ ଧର୍ମ ବହିର୍ଭୁତ ତଥା କେତେକ ତାହା ସହିତ ସାମଞ୍ଜସ୍ୟ ରଖିଥିଲେ ମଧ୍ୟ ସେହି ସବୁ ରୀତି ନୀତି ଗୁଡ଼କୁ ସନାତନ ଧର୍ମ ସହିତ ତୁଳନା କରି ବ୍ୟବସାୟ ଚଳାଇଛନ୍ତି କେତେକ ନିର୍ଦ୍ଧିଷ୍ଟ ଗୋଷ୍ଠୀର ମଣିଷ । ସନାତନ ଧର୍ମର ପ୍ରକୃତ ସତ୍ୟ, ତଥ୍ୟ ଗୁଡିକ ସାର୍ବଜନୀନ ହୋଇପାରୁ ନାହିଁ କେବଳ ଉଚ୍ଚ ସ୍ତରୀୟ ଚକ୍ରାନ୍ତକାରୀ କେତେକ କ୍ରୁର ମଣିଷଙ୍କ କାରଣରୁ । ସାଧାରଣ ନିର୍ବୋଧ ମଣିଷ ମାନଙ୍କୁ ସନାତନ ଧର୍ମର ସତ୍ୟ ତଥ୍ୟ ଗୁଡିକ ବହିର୍ଭୁତ ରଖି ଯେଉଁ ସବୁ ମିଥ୍ୟା ଶିକ୍ଷା ଦେଇ ପ୍ରମାଣ ପତ୍ର ପ୍ରଦାନ କରି ଜଣେ ଶିକ୍ଷିତର ମାନ୍ୟତା ଦିଆଯାଉ ଅଛି ଆମ ସମାଜରେ ତାହାର ସମୀକ୍ଷା କରିବା ମଣିଷ ଶୂନ୍ୟ । ପ୍ରୟୋଗାତ୍ମକ ବିଜ୍ଞାନ ତଥା ଅର୍ଥଶାସ୍ତ୍ର ବ୍ୟତୀତ ଅନେକ ମିଥ୍ୟା ଶିକ୍ଷା ଉପରେ ଆଧାରିତ ଆମ ଶିକ୍ଷା ବ୍ୟବସ୍ଥା କାରଣରୁ ବ୍ୟାପକ ମଣିଷ ସମୂହ ଏକ ପ୍ରକାର ଅନ୍ଧ କୂପ ମଧ୍ୟରେ ରହି ନିଜକୁ ଯେଉଁ ଜ୍ଞାନୀର ପରିଚୟ ଦେଇଥା’ନ୍ତି ତାହାର ବିଶ୍ଳେଷଣ କଲେ ହାସ୍ୟାସ୍ପଦ ଲାଗିବ ସେମାନଙ୍କ ବିଚାରଧାରା । ସର୍ବସାଧାରଣ ନିର୍ବୋଧ ତଥା ଆଜି ସମୟର ପ୍ରମାଣପତ୍ରଧାରୀ ଅଜ୍ଞାନ ଶିକ୍ଷିତଙ୍କୁ ସନାତନ ଧର୍ମ କହିଲେ ଏକ ସାଧାରଣ ବିଷୟ ଭଳି ମାନେ ହେଉଛି କେବଳ ସେମାନଙ୍କ ମିଥ୍ୟା ପ୍ରମାଣପତ୍ର ଜନିତ ଶିକ୍ଷିତର ପରିଚୟ କାରଣରୁ । ନହେଲେ ବାସ୍ତବରେ ସନାତନ ଧର୍ମକୁ ଶିକ୍ଷା କରି ମଣିଷର ନିଜସ୍ୱ ଜୀବନ ଶୈଳୀରେ ସମାନ୍ତରାଳ କରିବା ଏତେ ସହଜ ନୁହେଁ ଯାହା ଆଜି କାହାର ଚେତନାରେ ନାହିଁ । 

      ନିଜ ଜୀବନ ରହସ୍ୟ ତଥା ପୃଥିବୀ ପୃଷ୍ଠରେ ମଣିଷ ଜୀବନର ଉତ୍ପତ୍ତି ସମ୍ବନ୍ଧିତ ଜ୍ଞାନ ପାଇବା ହୁଏତ ମଣିଷର ଅନ୍ତିମ ଜ୍ଞାନ ଯାହା ପ୍ରାପ୍ତି ହେବା ଦ୍ୱାରା ଉପସ୍ଥିତ ସମୟର ପାର୍ଥିବ ପ୍ରଲୋଭନ ମନୋଭାବ ମଣିଷ ମନରୁ ଧୀରେ ଧୀରେ ଉଭେଇଯିବ ଏବଂ ମଣିଷ ନିର୍ବାଣ ପ୍ରାପ୍ତି ହେବ । ଅର୍ଥାତ ଜୀବନର ସମ୍ପୂର୍ଣ୍ଣତା ଲାଭ କରିପାରିବ । କେତେକ ନିରୋଳା ସକ୍ରିୟ ମଣିଷଙ୍କ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବିଷୟ ଆଧାରିତ ପ୍ରୟୋଗାତ୍ମକ ଅନୁସନ୍ଧାନରୁ ନିର୍ଗତ ଦିବ୍ୟଜ୍ଞାନ ଯୁକ୍ତ ଚେତନା ଗୁଡିକ ଏକତ୍ରିତ ଭାବେ ଗୋଟିଏ ପୁସ୍ତକରେ ବର୍ଣ୍ଣିତ ସନାତନ ଧର୍ମ ଅର୍ଥାତ ତାହା ମଣିଷ ଜୀବନର ଏକ ଅବିଛେଦ୍ୟ ଅଙ୍ଗ ଭଳି କାର୍ଯ୍ୟ କରିବ ଯିଏ ତାର ପ୍ରକୃତ ମହତ୍ୱ ବୁଝିପାରିବ । ଅଥବା ତାକୁ ଏକ ସମୟ ଅତିବାହିତ କରିବା ଗଳ୍ପ ମାଳା ବୋଲି ଭାବୁଥିବା ଆଜି ସମୟର ବୈଷୟିକ ଶିକ୍ଷାଧାରୀଙ୍କ ବିଚାର ସମ୍ପୂର୍ଣ୍ଣ ଅମାନୁଷିକ । ଜଣେ ସାଧାରଣ ମଣିଷ ଜୀବନ କାଳ ମଧ୍ୟରେ ନିଜସ୍ୱ ପ୍ରଚେଷ୍ଟା ମାଧ୍ୟମରେ କିଂଚିତ ମାତ୍ର ତତ୍ୱ, ତଥ୍ୟ ପାଇପାରିବ ଯଦି ହୃଦୟର ସହିତ ଚେଷ୍ଟା କରିବ ଜାଣିବା ପାଇଁ ପ୍ରାକୃତିକ ଜୀବନ ରହସ୍ୟ ସମ୍ବନ୍ଧରେ । ସନାତନ ଧର୍ମ କିନ୍ତୁ ମନୁଷ୍ୟ ଜୀବନର ରହସ୍ୟ ଗୁଡିକର ବ୍ୟାପକ ତତ୍ତ୍ୱ, ତଥ୍ୟର ସମାହାର କେବଳ ଅନେକ ବ୍ୟକ୍ତିତ୍ୱଙ୍କ ପ୍ରରଣା ଗୁଡିକ ଏକତ୍ରିତ ଯାହା ସେମାନେ ବର୍ଷ ବର୍ଷ ଧରି ଗବେଷଣାତ୍ମକ ଭାବେ ଉଦ୍ଭାବନ କରି ଲେଖି ଯାଇଛନ୍ତି । ସେଗୁଡିକୁ ଆଜି ସମୟରେ ଅନୁକରଣ, ଅନୁସରଣ କରି ଜଣେ ମଣିଷ ସହଜରେ ନିଜ ଜୀବନର ରହସ୍ୟ ଗୁଡିକୁ ଜାଣିପାରିବ ଯାହା ଅନ୍ୟ କୌଣସି ମାଧ୍ୟମ ତଥା ଶିକ୍ଷାରେ ପ୍ରାପ୍ତି ହେବା ସମ୍ଭାବନା ନାହିଁ ! ବୈଷୟିକ ଶିକ୍ଷା ତଥା ପାର୍ଥିବ ବିଜ୍ଞାନରେ ପାରଦର୍ଶିତା ଲାଭ କରିଥିବା ମଣିଷ ନିଜକୁ ଯେଉଁ ଜ୍ଞାନୀର ପରିଚୟ ଦେଉଛି କିମ୍ବା ସମାଜ ସେମାନଙ୍କୁ ଯେଉଁ ସମ୍ମାନ ପ୍ରଦର୍ଶନ ପୂର୍ବକ ମାନ୍ୟତା ଦେଉଛି ତାହାଦ୍ୱାରା ସମାଜର କିଛି ପ୍ରୟୋଗାତ୍ମକ କାର୍ଯ୍ୟ ସମ୍ପାଦନ ହେବା ସହିତ ସେମାନଙ୍କୁ ରୋଜଗାରକ୍ଷମ କରିବାରେ ସହାୟତା ହୋଇଥାଏ ।

       ସେମାନଙ୍କୁ ଜଣେ ଶିକ୍ଷିତ ବା ଅଭିଜ୍ଞ ମଣିଷ ବୋଲି କୁହାଯାଇ ପାରିବ, କିନ୍ତୁ ଜ୍ଞାନୀ ବୋଲି କହିବା ବାହୁଲ୍ୟ ମାତ୍ର, କାରଣ ଆଜି ସମୟରେ ପ୍ରକୃତ ଜ୍ଞାନୀଙ୍କ ପରିଚୟ ଶୂନ୍ୟ ! ମଣିଷ ମସ୍ତିଷ୍କର ସୁକ୍ଷ୍ମ କୋଷ ଗୁଡିକ ପରିପକ୍ୱ ହୋଇଥାଏ କେବଳ ଧ୍ୟାନ ମାଧ୍ୟମରେ ଯାହା ବୈଷୟିକ ଶିକ୍ଷା ବା ପ୍ରୟୋଗାତ୍ମକ ପାର୍ଥିବ ଶିକ୍ଷା ମାଧ୍ୟମରେ ସମ୍ଭବ ନୁହେଁ ! ପାଶ୍ଚାତ୍ୟର କେତେକ ପାର୍ଥିବ ଶିକ୍ଷା କୌଶଳ ଆମ ଦେଶରେ ଇଂରେଜ ମାନଙ୍କ ଦ୍ୱାରା ପ୍ରଚଳନ କରାଯାଇଥିଲା ଯାହା ଏପର୍ଯ୍ୟନ୍ତ ବଳବତ୍ତର ରହି ପୁନର୍ବାର ସେଗୁଡିକୁ ଅଧିକରୁ ଅଧିକ ବ୍ୟବସାୟ କୈନ୍ଦ୍ରିକ କରାଯାଇ ସାଧାରଣ ମଣିଷଙ୍କୁ ଯେଉଁ ଶିକ୍ଷା ଦିଆଯାଉଅଛି ସେଗୁଡିକ ସନାତନ ଧର୍ମ ତୁଳନାତ୍ମକ ଜଣେ ମଣିଷକୁ ଭଲରେ ଖାଇ ପିଇ ବଂଚିବାର ସୁଯୋଗ ସୃଷ୍ଟି କରିବାରେ ସହଯୋଗୀ ହୋଇଥିଲେ ମଧ୍ୟ ନିଜ ଜୀବନର ପ୍ରକୃତ ରହସ୍ୟ ତଥା ମଣିଷ ଜୀବନର ଅନ୍ତିମ ଲକ୍ଷ ବିଷୟରେ ଆଦୌ ଜ୍ଞାନ ପ୍ରଦାନ କରିପାରିବ ନାହିଁ । ସନାତନ ଧର୍ମ କିନ୍ତୁ ମଣିଷକୁ ସମସ୍ତ ପ୍ରକାର ପ୍ରାକୃତିକ ଜ୍ଞାନ ପ୍ରଦାନ କରିବାରେ ଯଥେଷ୍ଟ ଉପଯୋଗୀ ହୋଇପାରିବ ଯାହା ଆଧୁନିକ ପାଶ୍ଚାତ୍ୟ ଶିକ୍ଷାରେ ପ୍ରାପ୍ତି କରିବା ସମ୍ପୂର୍ଣ୍ଣ ଭାବେ ଅସମ୍ଭବ । ବୈଷୟିକ / ଧନ୍ଦା ମୂଳକ ପାର୍ଥିବ ଶିକ୍ଷା ଯାହା ମଣିଷ ତଥା ସମାଜରେ କେତେକ ମଙ୍ଗଳକାରୀ କାର୍ଯ୍ୟ କରିବାରେ ସାହାଯ୍ୟ କରୁଛି ସେଗୁଡିକୁ ସମ୍ପୂର୍ଣ୍ଣ ହତାଦର, ପ୍ରତ୍ୟାଖ୍ୟାନ କରାଯାଇ ନପାରେ । କାରଣ ତାହା ଦ୍ୱାରା ମଣିଷ ଆଜି ଅନେକ ତଥ୍ୟ ପାଇବା ସହିତ ପାର୍ଥିବ ବିଜ୍ଞାନ ବିଷୟରେ ବ୍ୟାପକ ଜ୍ଞାନ ପାଇପାରିଛି ଯାହା ସନାତନ ଧର୍ମ ଗ୍ରଂଥ ମାଧ୍ୟମରେ ପାଇବା ଅସମ୍ଭବ । ପାର୍ଥିବ ପ୍ରୟୋଗାତ୍ମକ ଶିକ୍ଷା ଦ୍ୱାରା ମଣିଷ ଜୀବନର ଅନେକ ସୁଖ ସମୃଦ୍ଧି ପ୍ରାପ୍ତିକୁ ଅସ୍ୱୀକାର କରିହେବ ନାହିଁ ଯାହା ସନାତନ ଧର୍ମ ଦ୍ୱାରା ସମ୍ଭବ ହେବନାହିଁ । ଉଭୟ ଶିକ୍ଷା ମଣିଷକୁ ଆହୁରି ଉଚ୍ଚକୁ ଟାଣି ନେବାରେ ସହଯୋଗୀ ହୋଇପାରିବ ଯାହା ଆଦିମ ମନୁଷ୍ୟ ତା’ର ଉପଲବ୍ଧିରୁ ବହୁର୍ଭୁତ ଥିଲା । ପାଶ୍ଚାତ୍ୟର ବୈଷୟିକ ପାର୍ଥିବ ଶିକ୍ଷା ସହିତ ଭାରତୀୟ ସନାତନ ଶିକ୍ଷାର ସମାହାର ଆମ ଦେଶରେ କାହିଂକି ବରଂ ସମଗ୍ର ପୃଥିବୀର ମଣିଷ ସମାଜକୁ ଏକ ନୂତନ ଦିଗନ୍ତରେ ପରିଚାଳିତ କରିପାରିବ ଯାହାର ବ୍ୟାପ୍ତ ପରିସର ସମଗ୍ର ବିଶ୍ୱବାସୀଙ୍କୁ ଭ୍ରାତୃଭାବ ସମ୍ପନ୍ନ ଏକ ମଣିଷ ସମାଜ ଗଠନ ଦିଗରେ ସହାୟକ ହୋଇ ପାରିବ । ଅତଏବ ସବୁ ବର୍ଗର ସାଧାରଣ ମଣିଷକୁ ଶିକ୍ଷା ସ୍ତରରୁ ବୈଷୟିକ ପାର୍ଥିବ ଶିକ୍ଷା ସହିତ ପ୍ରକୃତ ସନାତନ ଧର୍ମର ଶିକ୍ଷା ଯୋଡ଼ିଦେଇ ପ୍ରଦାନ କରାଯିବା ବ୍ୟବସ୍ଥା ଅତ୍ୟନ୍ତ ବାଂଛନୀୟ । 

       ଅନ୍ୟାନ୍ୟ ସମ୍ପ୍ରଦାୟ ବ୍ୟତୀତ କେବଳ ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ମଧ୍ୟରେ ଗୋଟିଏ ଦୁଇଟି ନୁହେଁ ବରଂ ହଜାର ହଜାର ହିନ୍ଦୁ ମଧ୍ୟ ସନାତନ ଧର୍ମକୁ ଘୃଣା କରୁଥିବା ଦେଖିବାକୁ ମିଳୁଛି ଆଜି ସମୟରେ ! ତାହାର ପ୍ରକୃତ କାରଣ ଏହା, ଯେ ଯେହେତୁ ସନାତନ ଧର୍ମର ବାସ୍ତବ ଚରିତ୍ର ଗୁଡିକ ଆଜି ଆଉ ନାହିଁ ଆମ ସମାଜରେ ଏବଂ ତଥାକଥିତ ଅନ୍ୟାନ୍ୟ ଗ୍ରଂଥ ଗୁଡିକରେ ବର୍ଣ୍ଣିତ ଅଯୌକ୍ତିକ, ଅଲୌକିକ, ଅମାନବୀୟ ଚିନ୍ତନ ଗୁଡିକୁ ସନାତନ ଧର୍ମ ବୋଲି ପ୍ରଚାର ପ୍ରସାର ଚାଲିଛି ଆଜି ସମୟରେ । କେତେକ ନିରୋଳ ସ୍ୱଚ୍ଚ ଉଦରବାଦୀ ହିନ୍ଦୁ ମଧ୍ୟ ସେହି କାରଣରୁ ଅଯଥାରେ ସନାତନ ଧର୍ମକୁ ନିନ୍ଦା କରୁଥିବା ଅତ୍ୟନ୍ତ ଦୁଃଖ ଓ କ୍ଷୋଭର ବିଷୟ । କାରଣ ସେମାନେ ତାହାର ତାତ୍ତ୍ୱିକ ବିଷୟ ତଥା ବିଜ୍ଞାନ ସମ୍ମତ ବାସ୍ତବବାଦୀ ମାନବିକ ଚରିତ୍ର ଗୁଡିକ ଉପରେ ଅବଗତ ନାହାନ୍ତି, ବରଂ ସମୟ ସାପେକ୍ଷ ମିଥ୍ୟା ପ୍ରଚାର ଗୁଡିକୁ ଶୁଣି ତାହା ସନାତନ ଧର୍ମ ଏବଂ ସେଗୁୁଡିକ ଗ୍ରହଣୀୟ ନୁହେଁ ବୋଲି ବିଚାରି ତାକୁ ବିରୋଦ୍ଧ କରୁଛନ୍ତି । ତେଣୁ ସେମାନେ ମଧ୍ୟ ସନାତନ ଧର୍ମର ବାସ୍ତବତା ତଥା ପ୍ରକୃତ ସନାତନ ଧର୍ମକୁ ନଜାଣି ସମୟ ସାପେକ୍ଷ ପ୍ରଚାର ଜନିତ ପ୍ରରୋଚନାରେ ନପଡ଼ି ସନାତନ ଧର୍ମର ପ୍ରକୃତ ବିଜ୍ଞାନ ସମ୍ମତ ତତ୍ତ୍ୱ, ତଥ୍ୟ ଗୁଡିକୁ ଜାଣିବାକୁ ଚେଷ୍ଟା କରିବା ଅତ୍ୟନ୍ତ ଜରୁରି । ବାସ୍ତବିକ ପ୍ରକୃତ ସନାତନ  ତାତ୍ତ୍ୱିକ ଜ୍ଞାନ ଗୁଡିକୁ ଅନୁଶୀଳନ କଲେ ସେମାନେ ମଧ୍ୟ ବୁଝିପାରିବେ ଯେ ଏହା ହେଉଛି ପୃଥିବୀର ସର୍ବ ପୁରାତନ, ସର୍ବୋଚ୍ଚ ଏବଂ ସର୍ବଶେଷ ଧର୍ମ ଯାହା ଅନ୍ୟାନ୍ୟ କୌଣସି ସଂପ୍ରଦାୟରେ ଦେଖିବାକୁ ମିଳିବ ନାହିଁ ! ଏବଂ ତାହା ସମ୍ପୂର୍ଣ୍ଣ ଭାବେ ବିଜ୍ଞାନ ସମ୍ମତ ଚେତନାଯୁକ୍ତ ମାନବିକ ଚରିତ୍ର ଗୁଡିକ ଉପରେ ଆଧାରିତ ସର୍ବଜନ ଗ୍ରହଣୀୟ ପାଣ୍ଡୁଲିପି ମାତ୍ର ।

 ମୋ:୯୪୩୭୩୨୪୯୧୭