ଶହେ ପ୍ରତିଶତ ଅକ୍ଷମ; ତଥାପି ଆବାସ ହୋଇଛି ସ୍ୱପ୍ନ
ଯାଜପୁର : ଆଣ୍ଠୁ ପାଖରୁ ଗୋଡ଼ ଦୁଇଟି ନାହିଁ । ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ଶହେ ପ୍ରତିଶତ ଅକ୍ଷମର ପ୍ରମାଣପତ୍ର ମିଳିଛି । ହେଲେ ବର୍ଷ ପରେ ବର୍ଷ ବିତି ଚାଲିଥିଲେ ହେଁ ଆବାସ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି ମନୋଜ । ପଞ୍ଚାୟତରୁ ବ୍ଲକ ହେଉ କି ଜିଲାରୁ ନ୍ୟାୟ ନପାଇ କୋରେଇ ବ୍ଲକ ଅନ୍ତର୍ଗତ ବରୁଣ୍ଡାଇ ଗ୍ରାମର ମନୋଜ ଦାସ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟରେ ନ୍ୟାୟ ନିବେଦନ କରିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ଅକ୍ଷମ ବା ଦିବ୍ୟାଙ୍ଗଙ୍କୁ ଅଗ୍ରାଧିକାର ଭିତିରେ ସରକାରୀ ଯୋଜନାରେ ସାମିଲ କରିବାକୁ ବିଧେୟ ରହିଥିଲେ ହେଁ ଯାଜପୁର ଜିଲାରେ ଏହାର ବ୍ୟତିକ୍ରମ ଘଟିଛି ତାହା ମନୋଜ ଏକ ବଡ଼ ପ୍ରମାଣ ବୋଲି କୁହାଯାଇପାରେ । ବରୁଣ୍ଡାଇ ଗ୍ରାମର ମନୋଜ ପାଠ ପଢୁଥିବା ସମୟରେ ଟ୍ରେନ ଦୁର୍ଘଟଣାରେ ତାଙ୍କ ଦୁଇଟି ଯାକ ଗୋଡ କଟି ଯାଇଥିଲା । ସେ ଦୁଇ ଗୋଟି କାଠ ଗୋଡ ଲଗେଇ ଯିବା ଆସିବା କରୁଛନ୍ତି । ଦୁଇ ଭାଇ, ମା ବଂଚିଥିବା ସମୟରେ ଗାଁ କମିଟି ଉପସ୍ଥିତିରେ ତାଙ୍କର ଜମି ଭାଗବଂଟା ମଧ୍ୟ ସରିଛି । ଥିବା ଜମିରେ ଆବାସ ଘର ଖଣ୍ଡିଏ ପାଇଁ ଦୀର୍ଘ ୧୦ବର୍ଷ ଧରି ଗ୍ରାମୀଣ ଗୃହ ନିର୍ମାଣ ଯୋଜନା ବା ପ୍ରଧାନମନ୍ତ୍ରୀ ଆବାସ ଘର ଗୋଟିଏ ପାଇବା ପାଇଁ କାକୁତି ବିନତୀ ହୋଇଥିଲେ ବି କେହି କର୍ଣ୍ଣପାତ କରିନଥିଲେ । କେବଳ ଯାହା ପ୍ରତିଶ୍ରୁତି ମିଳେ । ନାଁ ସରପଞ୍ଚ ନାଁ ଅଫିସର କେହି ମନୋଜଙ୍କୁ ଆବାସ ପାଇବାରେ ସହଯୋଗର ହାତ ବଢାଇନାହାନ୍ତି । ଯିଏବି ସହଯୋଗ କରିବାକୁ ଆଗେଇ ଆସିଛି ଟଙ୍କା ଲାଞ୍ଚ ମାଗନ୍ତି, ଯାହା ମନୋଜ ଦେଇ ପାରନ୍ତି ନାହିଁ । ନିରୁପାୟ ମନୋ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହେବାକୁ ମନସ୍ଥ କରି ଗତ ପାଂଚ ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟ ଖୋଲିବା ପରେ ମନୋଜ ଆବେଦନ କରିଥିଲେ । ତାଙ୍କୁ ମଧ୍ୟ ୧୧ ତାରିଖ ୧୨ଟା ପାଇଁ ସମୟ ମିଳିଥିଲା । ତେବେ ମନୋଜ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିବାକୁ ଯାଉଥିବାର ଖବର ଜଣାପଡ଼ିବା ପରେ କେହି ଜଣେ ଜିଲ୍ଲାପାଳ ଅଫିସର ଅଧିକାରୀ କହି ଫୋନ କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟ୍କୁ ଯାଆନ୍ତୁ ନାହି ବୋଲି ତାଗିଦ୍ କଲେ । କହିଲେ ଆପଣ ଯାଆନ୍ତୁ ନାହିଁ କାଲି ବିଇଓ ନିଜେ, ଆପଣଙ୍କର ଘରକୁ ଯିବେ ଓ କାମ କରି ଦେବେ । କିନ୍ତୁ ଶୁକ୍ରବାର କେହି ନ ଆସିବାରୁ ମନୋଜ ସେହି ଅଧିକାରୀଙ୍କ ପାଖକୁ ଶନିବାର ଫୋନ କଲେ । ତାର ଉତରରେ ସେ ଅଧିକାରୀ ଜଣଙ୍କ କହିଲେ ଆପଣ ଅଭିଯୋଗ ପ୍ରକୋଷ୍ଟକୁ ଯାଆନ୍ତୁ ନାହିଁ, ବିଇଓ ବ୍ୟସ୍ତ ଅଛନ୍ତି ଯିବେ । ଆପଣ ଅଭିଯୋଗ ପ୍ରକୋଷ୍ଠକୁ ଗଲେ କେହି ଅଫିସର ତୁମର କିଛି କରିବେ ନାହିଁ । ତେବେ କିଏ ସେ ଯିଏ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟକୁ ଯିବା ପାଇଁ ମନା କରିଥିଲେ ? ତାହା ତଦନ୍ତ ସାପେକ୍ଷ । ଦେଖାଯାଉ ମନୋଜ କଣ ନ୍ୟାୟ ମିଳୁଛି ।