ଜିଲ୍ଲାସ୍ତରୀୟ ଖରିଫ୍ ଧାନ ସଂଗ୍ରହ କମିଟି ବୈଠକ

 କଟକ: କଟକ ଜିଲ୍ଲାରେ ଖରିଫ୍ ଧାନ ସଂଗ୍ରହ ନିମନ୍ତେ ସାଂସଦ ଓ ବିଧାୟକଙ୍କ ଉପସ୍ଥିତିରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରୟ ଭାଉସାହେବ ଶିନେ୍ଦଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି ।  କୃଷକମାନଙ୍କର ସମସ୍ତ ସୁବିଧା ନିମନ୍ତେ ଆଗାମୀ ଦିନମାନଙ୍କରେ ଧାନ ମଣ୍ଡି ଗୁଡିକର ଭିତ୍ତିଭୂମିର ଉନ୍ନତିକରଣ କରାଯିବା ନେଇ ବୈଠକରେ ଆଲୋଚନା ହେବା ସହ ଧାନ ସଂଗ୍ରହ ନିମନ୍ତେ ମଣ୍ଡିମାନଙ୍କରେ ବ୍ୟବସ୍ଥାକୁ ସୁଦୃଢ଼ କରିବା ତଥା ସମାନତା ରକ୍ଷା ପୂର୍ବକ ସମସ୍ତଙ୍କ ଠାରୁ ଧାନ ସଂଗ୍ରହ ନିମନ୍ତେ ବିଭାଗୀୟ ଅଧିକାରୀମାନେ ପ୍ରଚଳିତ ବ୍ୟବସ୍ଥାରେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ହୋଇ କାର୍ଯ୍ୟ କରିବା ପାଇଁ ଆଜିର ବୈଠକରେ ସାଂସଦ ଭର୍ତ୍ତୃହରି ମହତାବ ମତବ୍ୟକ୍ତ କରିଥିଲେ । ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନେ୍ଦ ସ୍ୱାଗତ ପୂର୍ବକ ବୈଠକ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବା ସହ ଜିଲ୍ଲାରେ ସ୍ୱଚ୍ଛତାର ସହ ଧାନ ସଂଗ୍ରହ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଥିବା ତଥା ମଣ୍ଡିମାନଙ୍କରେ ଏବଂ ଜିଲ୍ଲାରେ ଆବଶ୍ୟକ ନୋଡାଲ ଅଧିକାରୀ ନିୟୋଜିତ ହେବା ସମ୍ୱନ୍ଧରେ ସୂଚନା ପ୍ରଦାନ କରିଥିଲେ । ଏଥିସହ ଧାନର ଗୁଣାତ୍ମକମାନ ବାବଦରେ ଏଫ୍ଏକ୍ଲୁ୍ୟ ଜରିଆରେ ଚାଷୀମାନଙ୍କୁ ଅବଗତ କରାଯିବା ନେଇ ଜିଲ୍ଲାପାଳ ସୂଚନା ଦେଇଥିଲେ । ଜିଲ୍ଲାରେ ଧାନ ସଂଗ୍ରହ ବ୍ୟବସ୍ଥାରେ ସ୍ୱଚ୍ଛତା ଅବଲମ୍ବନ ସହ ଧାନମଣ୍ଡିମାନଙ୍କରେ ସୁବ୍ୟବସ୍ଥା, ଚାଷୀମାନଙ୍କର ସମସ୍ତ ସୁବିଧା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ସମ୍ବନ୍ଧରେ ବୈଠକରେ ମତପ୍ରକାଶ ପାଇଥିଲା । ମୁଖ୍ୟ ଜିଲ୍ଲା ଯୋଗାଣ ଅଧକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟ ଜିଲ୍ଲାର ଧାନ ସଂଗ୍ରହ ସମ୍ବନ୍ଧରେ ସୂଚନା ପ୍ରଦାନ କରିବା ସହ ୧୨ ଜଣ ମିଲରଙ୍କ ମାଧ୍ୟମରେ ୧୧୩ଟି ପ୍ରାଥମିକ କୃଷି ସମବାୟ ସମିତି ଓ ୩ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଧାନ ସଂଗ୍ରହ କରାଯିବା ନେଇ ସୂଚନା ପ୍ରଦାନ କରିଥିଲେ । ଆଜିର ଏହି ବୈଠକରେ ସମସ୍ତ ଉପଜିଲ୍ଲାପାଳଙ୍କ ସହ କୃଷିଅଧିକାରୀ ଓ କର୍ମଚାରୀଙ୍କ ସମେତ ସମସ୍ତ ଉପଖଣ୍ଡର ଡିଆରସିଏସ, ଏଆରସିଏସ, ନିୟନ୍ତ୍ରଣ ବଜାର କମିଟି ସମ୍ପାଦକମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।