ଆତଙ୍କବାଦ ବିରୋଧରେ ଭାରତର ବଡ଼ ବିଜୟ ; ପହଲ୍ଗାମ ଆକ୍ରମଣକୁ ଏସ୍ସିଓର ନିନ୍ଦା
ବେଜିଂ: ଆତଙ୍କବାଦ ବିରୋଧ ଲଢେଇରେ ଭାରତକୁ ମିଳିଛି ବଡ଼ ସଫଳତା । ଚୀନର ତିଆନଜିନରେ ଆୟୋଜିତ ବହୁ ପ୍ରତୀକ୍ଷିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମିଳନୀରେ ମିଳିତ ବିବୃତିରେ ଜମ୍ମୁ ଓ କାଶ୍ଚୀର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଢ ନିନ୍ଦା କରାଯାଇଛି । ଯାହା ଭାରତର ପାଇଁ ଏକ ପ୍ରମୁଖ କୂଟନୈତିକ ବିଜୟ ଆଣିଦେଇଛି । ଘୋଷଣାପତ୍ରରେ କୁହାଯାଇଛି, ସଦସ୍ୟ ରାଷ୍ଟ୍ରଗୁଡ଼ିକ ଏପ୍ରିଲ ୨୨ ତାରିଖରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛନ୍ତି । ସଦସ୍ୟ ରାଷ୍ଟ୍ରଗୁଡ଼ିକ ପୀଡିତ ଓ ଆହତଙ୍କ ପରିବାର ପ୍ରତି ଗଭୀର ସମବେଦନା ଏବଂ ସମବେଦନା ପ୍ରକାଶ କରିଛନ୍ତି । ସେମାନେ ଆହୁରି ଜୋର ଦେଇଛନ୍ତି ଯେ ଏପରି ଆକ୍ରମଣର ଅପରାଧୀ, ଆୟୋଜକ ଏବଂ ପ୍ରାୟୋଜକଙ୍କୁ ନ୍ୟାୟର ସାମ୍ନାକୁ ଆଣିବା ଆବଶ୍ୟକ । ଆତଙ୍କବାଦ, ବିଚ୍ଛିନ୍ନତାବାଦ ଓ ଉଗ୍ରବାଦ ବିରୁଦ୍ଧରେ ଲଢେଇ ପ୍ରତି ସେମାନଙ୍କର ଦୃଢ଼ ପ୍ରତିବଦ୍ଧତାକୁ ପୁନଃ ଦୃଢ଼ କରି ଏସସିଓ ସଦସ୍ୟମାନେ ଭଡାଟିଆ ଉଦ୍ଦେଶ୍ୟ ପାଇଁ ଆତଙ୍କବାଦୀ, ବିଚ୍ଛିନ୍ନତାବାଦୀ କିମ୍ବା ଉଗ୍ରବାଦୀ ଗୋଷ୍ଠୀଗୁଡ଼ିକୁ ବ୍ୟବହାର କରିବାର ଯେକୌଣସି ପ୍ରୟାସ ବିରୋଧରେ ଏକାଠି ହେବାକୁ ଜୋର ଦେଇଛନ୍ତି । ଘୋଷଣାପତ୍ରରେ ଆତଙ୍କବାଦ ଓ ଉଗ୍ରବାଦ ବିପଦର ମୁକାବିଲା କରୁଥିବା ଦେଶ ଓ ସକ୍ଷମ କର୍ତ୍ତୃପକ୍ଷଙ୍କ ନେତୃତ୍ୱମୂଳକ ଭୂମିକାକୁ ମଧ୍ୟ ପ୍ରଶଂସାଦ୍ଭ ରାଯାଇଛି । ଆତଙ୍କବାଦ ବିରୁଦ୍ଧ ଲଢେଇରେ ଦ୍ୱୈତ ମାନଦଣ୍ଡ ଗ୍ରହଣୀୟ ନୁହେଁ ବୋଲି ଗୁରୁତ୍ୱାରୋପ କରାଯାଇଛି । ଆତଙ୍କବାଦୀଙ୍କ ସୀମାପାର ଗତିବିଧି ସମେତ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ଅନ୍ତର୍ଜାତୀୟ ସମ୍ପ୍ରଦାୟକୁ ଆହ୍ୱାନ ଦିଆଯାଇଛି । ଏପରି ପଦକ୍ଷେପ ଆତଙ୍କବାଦର ଅନ୍ତୁଡିଶା ପାଲଟିଥିବା ପାକିସ୍ତାନକୁ ବଡ ଝଟକା ଦେଇଛି । ଆଉ ପାକିସ୍ତାନକୁ ଏକ ଘରକିଆ କରିଦେଇଛି । ଦୁଇ ମାସ ତଳେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ବାଦ ଦେବା ଯୋଗୁଁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏସସିଓ ମିଳିତ ବିବୃତ୍ତିରେ ସ୍ୱାକ୍ଷର କରିନଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସସିଓ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏହି ଶିଖର ସମ୍ମିଳନୀରେ ଏସସିଓ ବିକାଶ ରଣନୀତି, ବିଶ୍ୱ ଶାସନ ସଂସ୍କାର, ଆତଙ୍କବାଦ ବିରୋଧୀ ପ୍ରୟାସ, ଶାନ୍ତି ଓ ସୁରକ୍ଷା, ଆର୍ଥିକ ଓ ବିତ୍ତୀୟ ସହଯୋଗ ଏବଂ ନିରନ୍ତର ବିକାଶ ଉପରେ ଫଳପ୍ରଦ ଆଲୋଚନା ହୋଇଛି । ଶିଖର ସମ୍ମିଳନୀରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଏସସିଓ ଢାଞ୍ଚା ଅଧୀନରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ଭାରତର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ଉଲ୍ଲେଖ କରିଥିଲେ ଯେ ଭାରତ ତିନୋଟି ସ୍ତମ୍ଭ ସୁରକ୍ଷା, ସମ୍ପର୍କ ଏବଂ ସୁଯୋଗ ଅଧୀନରେ ବ୍ୟାପକ କାର୍ଯ୍ୟ କରିବାକୁ ଚାହୁଁଛି । ଶାନ୍ତି, ସୁରକ୍ଷା ଓ ସ୍ଥିରତାକୁ ପ୍ରଗତି ଓ ସମୃଦ୍ଧିର ଆଧାର ରୂପେ ଅଭିହିତ କରି ସେ ସଦସ୍ୟ ଦେଶଗୁଡ଼ିକୁ ଆତଙ୍କବାଦର ସମସ୍ତ ସ୍ୱରୂପକୁ ମୁକାବିଲା କରିବା ପାଇଁ ଦୃଢ଼ ଓ ନିର୍ଣ୍ଣାୟକ ପଦକ୍ଷେପ ନେବାକୁ ଆହ୍ୱାନ କରିଥିଲେ । ପ୍ରଧାନମନ୍ତ୍ରୀ ଆତଙ୍କବାଦକୁ ପାଣ୍ଠି ଯୋଗାଣ ଏବଂ ମୌଳବାଦ ବିରୋଧରେ ମିଳିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସଦସ୍ୟ ଦେଶମାନଙ୍କୁ ଦୃଢ଼ ଏକତା ପାଇଁ ଧନ୍ୟବାଦ ଜଣାଇ ସେ ଆତଙ୍କବାଦ ମୁକାବିଲା କରିବାରେ କୌଣସି ଦ୍ୱୈତ ମାନଦଣ୍ଡ ରହିବା ଉଚିତ୍ ନୁହେଁ ବୋଲି ଗୁରୁତ୍ୱାରୋପ କରିଥିଲେ । ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଏବଂ ସମର୍ଥନ କରୁଥିବା ଦେଶଗୁଡିକୁ ଉତ୍ତରଦାୟୀ କରିବା ଲାଗି ସେ ଜୋର ଦେଇଥିଲେ । ବିକାଶ ଓ ବିଶ୍ୱାସକୁ ପ୍ରୋତ୍ସାହିତ କରିବାରେ ଯୋଗାଯୋଗର ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଚାବାହାର ବନ୍ଦର ଓ ଅନ୍ତର୍ଜାତୀୟ ଉତ୍ତର-ଦକ୍ଷିଣ ପରିବହନ କରିଡର ଭଳି ପ୍ରକଳ୍ପଗୁଡ଼ିକୁ ଦୃଢ଼ ଭାବରେ ସମର୍ଥନ କରେ । ପ୍ରଧାନମନ୍ତ୍ରୀ ଗୋଷ୍ଠୀର ସଂସ୍କାର-ମୁଖୀ ଏଜେଣ୍ଡା ପ୍ରତି ସମର୍ଥନ ପ୍ରକାଶ କରିଥିଲେ । ସେ ଜାତିସଂଘ ସମେତ ବହୁପାକ୍ଷିକ ପ୍ରତିଷ୍ଠାନଗୁଡ଼ିକୁ ସଂସ୍କାର ଆଣିବା ପାଇଁ ରାଷ୍ଟ୍ରଗୋଷ୍ଠୀ ଦ୍ୱାରା ସମାନ ଆଭିମୁଖ୍ୟ ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ । ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ତାଙ୍କର ଉଦାର ଆତିଥ୍ୟ ପାଇଁ ଧନ୍ୟବାଦ ଜଣାଇଥିଲେ ଓ ଶିଖର ସମ୍ମିଳନୀର ସଫଳ ଆୟୋଜନ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ ଏସସିଓର ପରବର୍ତ୍ତୀ ସଭାପତିତ୍ୱ ଗ୍ରହଣ କରିବା ପାଇଁ କିର୍ଗିଜସ୍ତାନକୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ । ଶିଖର ସମ୍ମିଳନୀର ଶେଷରେ ଏସସିଓ ସଦସ୍ୟ ଦେଶଗୁଡ଼ିକ ତିଆନଜିନ୍ ଘୋଷଣାନାମାକୁ ଗ୍ରହଣ କରିଥିଲେ ।