ବିଶ୍ୱତ୍ରାଣ ସତ୍ୟସାଇ
ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଚରଣ କମଳରେ ଯେତେ କୋଟି ପ୍ରଣାମ ଜ୍ଞାପନ କଲେ ବି ତାହା ଯଥେଷ୍ଟ ମନେ ହୁଏନାହିଁ, କାରଣ ତାଙ୍କ କୃପାକଟାକ୍ଷ ଲାଭ କରି କୋଟି କୋଟି ନିଃସନ୍ତାନ ସନ୍ତାନ ଲାଭ କରିଛନ୍ତି, କୋଟି କୋଟି ଅପୁତ୍ରିକ ପୁତ୍ର ଲାଭ କରିଛନ୍ତି, କୋଟି କୋଟି ବାସହୀନ ବାସସ୍ଥାନ ପାଇଛନ୍ତି, କୋଟି କୋଟି ସମସ୍ୟା ବହୁଳ ଜୀବନର ସହଜ ସମାଧାନ ହୋଇପାରିଛି, କୋଟି କୋଟି ଅଶ୍ରୁଆର୍ଦ୍ର ନୟନରୁ ଦୁଃଖ ଦୂର ହୋଇ ଆନନ୍ଦର ବନ୍ୟା ଦେଖାଦେଇଛି । ସବୁଠାରୁ ବଡ଼ କଥା ତାଙ୍କ ନିର୍ଦ୍ଧାରିତ ପଥ ଅବଲମ୍ବନ କରି କଷ୍ଟକର ଜୀବନ ଇଷ୍ଟନିଷ୍ଠ ଜୀବନରେ ପରିଣତ ହୋଇଛି । ନୈତିକତା ହୀନ ପରିବାର ଉଚ୍ଛନ୍ନ ହୋଇଯିବାକୁ ବସିଥିଲାବେଳେ ସାଇ ଶିକ୍ଷାର ଚମକ୍ରାରିତା ସେ ପରିବାର ଗୁଡ଼ିକୁ ପୁର୍ନବାର ନୀତି ଓ ପ୍ରୀତି ପରିପୂର୍ଣ୍ଣ କରିଦେଇଛି । ସାଧାରଣ ଘର ଗୁଡ଼ିକ ମର୍ତ୍ତ୍ୟ ବୈକୁଣ୍ଠରେ ପରିଣତ ହୋଇପାରିଛି । ଏଭଳି ବ୍ୟକ୍ତିଗତ ଉପକାର ସଙ୍ଗେ ସଙ୍ଗେ ସାମାଜିକ, ପ୍ରାଦେଶିକ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଏପରିକି ଜାତିସଂଘ ମାଧ୍ୟମରେ ବି ସାଇ ତାଙ୍କ ଶିକ୍ଷାର ଚମକ୍ରାରିତା ପ୍ରଦର୍ଶନ କରି ସମଗ୍ର ବିଶ୍ୱରେ ଶାନ୍ତି ଓ ମୈତ୍ରୀ ପ୍ରତିଷ୍ଠା ପୂର୍ବକ ପୃଥିବୀର ଅଶେଷ ଉପକାର କରିପାରିଛନ୍ତି । ପ୍ରତି ପାଞ୍ଚ ବର୍ଷରେ ଥରେ ଲେଖାଏଁ ସାଇ ସେବା ସଂଗଠନର ବିଶ୍ୱ ସମ୍ମିଳନୀ ଆୟୋଜନ କରି ବିଶ୍ୱର ପାଖାପାଖି ୧୪୦ ଦେଶର ଭକ୍ତମାନଙ୍କୁ ନିଜ ଚିନ୍ତାଧାରା, ନିଜ ଆଧ୍ୟାତ୍ମିକ ପ୍ରଭାବ ତଥା ପ୍ରଭାବଶାଳୀ ବ୍ୟକ୍ତିତ୍ୱ ମାଧ୍ୟମରେ ରୂପାନ୍ତରିତ କରି ସେମାନଙ୍କ ବ୍ୟକ୍ତିଗତ ସାମୂହିକ ତଥା ପାରିବାରିକ ଉନ୍ନତି, ଆନ୍ତରିକ ଶାନ୍ତି ଓ ସଂହତି ବୃଦ୍ଧି କରିବା ସହିତ ଆଧ୍ୟାତ୍ମିକତାର ଅଭିବୃଦ୍ଧି ଘଟାଇ କୋଟି କୋଟି ଆତ୍ମାର ଉନ୍ମେଷ ବିଧାନ କରି ଯେଉଁ ପରମ ମଙ୍ଗଳ ସାଧି ପାରିଛନ୍ତି ସେଥିପାଇଁ ସେ ସମଗ୍ର ବିଶ୍ୱର ଚିର ସ୍ମରଣୀୟ, ଚିର ବନ୍ଦନୀୟ ତଥା ଚିର ପୂଜନୀୟ ହୋଇ ରହିଥିବେ ।ଶିକ୍ଷାକ୍ଷେତ୍ରରେ ସଂସ୍କାର, ସେବା କ୍ଷେତ୍ରରେ ସଂସ୍କାର, ସାମାଜିକ ଉନ୍ନତି ଦିଗରେ ସଂସ୍କାର, ସାଧାରଣ ଲୋକଙ୍କର ସାଧାରଣ ଆବଶ୍ୟକତା ପୂରଣ କରିବା ପାଇଁ ସେ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସମସ୍ତଙ୍କର ଅନୁକରଣୀୟ । କେବଳ କଥାରେ ଉପଦେଶ ନଦେଇ କାମରେ ଦେଖାଇ ଯେଉଁ ଉଦାହରଣ ଉପସ୍ଥାପନ କରିଦେଇଛନ୍ତି ତାହା କାଳ କାଳକୁ କେବଳ ଲୋକମାନଙ୍କୁ ନୁହେଁ ସରକାର ମାନଙ୍କୁ ମଧ୍ୟ ମାର୍ଗ ପ୍ରଦର୍ଶନ କରୁଥିବ । ଅଷ୍ଟମ ଶ୍ରେଣୀ ଯାଏ ପାଠ ତାହା ପୁଣି ଆନ୍ଧ୍ରପ୍ରଦେଶର ଉପାନ୍ତ ଅଞ୍ଚଳର ଅନ୍ଧାରୀମୂଲକର ଏକ ଅନାମଧ୍ୟେୟ ବିଦ୍ୟାଳୟରେ । ସେଭଳି ବ୍ୟକ୍ତିର କଥାରେ, ଭାଷଣରେ ଓ ଉପଦେଶରେ କି ଶକ୍ତି ଥିଲା ଯେ ତାହା ଦେଖୁ ଦେଖୁ ବିଶ୍ୱ ସାରା ପ୍ରସରି ଗଲା । ପୃଥିବୀର ସମସ୍ତ ଭାଷାରେ ଅନୁଦିତ ହୋଇଗଲା, ସବୁଠାରୁ ଆଶ୍ଚର୍ଯ୍ୟର କଥା ଦୃଷ୍ଟିଶକ୍ତି ବାଧିତ ମାନଙ୍କ ପାଇଁ ବ୍ରେଲ୍ରେ ମଧ୍ୟ ବହି ଛପା ହୋଇଗଲା ।
ଅଭାବୀ ଲୋକଙ୍କର ଅଭାବ ଦୂର କରିବା (ମାନସିକ ସ୍ତର, ଆର୍ଥିକ ସ୍ତର, ସାମାଜିକ ସ୍ତର)ର ଶିକ୍ଷାର ଆଲୋକ ପାଉନଥିବା ଅଞ୍ଚଳରେ ତାହା ଉପଲବ୍ଧ କରାଇବା, ସ୍ୱାସ୍ଥ୍ୟ ବ୍ୟବସ୍ଥା କରିବା, ଅସୁସ୍ଥତାରେ ଔଷଧ ଯୋଗାଇବା, ଶୁଶ୍ରୁଷା କରିବା, ଅନୁକମ୍ପା ଓ ଆଶ୍ୱାସନା ମାଧ୍ୟମରେ ମଣିଷର ଯେ ଉଧାର ସମ୍ଭବ ଏହା ମଧ୍ୟ କୋଟି କୋଟି ଲୋକ ଉପଲବ୍ଧି କଲେଣି । ସତ୍ୟସାଇଙ୍କ ପ୍ରଦତ୍ତ ବାଣୀ "ମାନବ ସେବା ହିଁ ମାଧବ ସେବା'କୁ ଆଧାର କରି ସେବା କରୁ କରୁ ଦିନେ ମଣିଷ ଉପଲବ୍ଧି କରିବ ଯେ ମାନବ ହିଁ ମାଧବ, ମଣିଷ ହିଁ ଭଗବାନ । ଛୋଟିଆ ଛୋଟିଆ ସେବା କରୁ କରୁ ସ୍ୱର୍ଗ ଆସି ହାତପାହାନ୍ତାରେ ମିଳିଯିବ ଏହା ହିଁ ସତ୍ୟସାଇଙ୍କ ବାଣୀ ଓ ଉପଦେଶରେ ଅନ୍ତର୍ନିହିତ ତାତ୍ପର୍ଯ୍ୟ । ମଣିଷ ଜନ୍ମ ହୋଇପଡ଼ିଲା ମାତ୍ରେ ପରିବାର ପ୍ରତି ଋଣୀ ହୋଇପଡ଼େ । ବହୁ ଲୋକଙ୍କ ବହୁ ପ୍ରକାର ସେବା ଓ ସାହାଯ୍ୟ ଲାଭ କରି ବଢ଼େ, ନିଜ ପରିଚୟ ସୃଷ୍ଟି କରେ, ନିଜ ଗୋଡରେ ନିଜ ଦଣ୍ଡାୟମାନ ହୁଏ, ଜୀବନର ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ ସେ ସମସ୍ତଙ୍କ ଠାରୁ କିଛି ନା କିଛି ପ୍ରକାର ସାହାଯ୍ୟ ଓ ସେବା ପାଇଥାଏ । ସାଧାରଣ ନିୟମ ଅନୁସାରେ ସେ ଋଣମୁକ୍ତ ହେବା ପାଇଁ ସମାଜର ଓ ପରିବାରର ସେବା କରିବା ଉଚିତ । ଯଦି ଜଣେ ଆଧ୍ୟାତ୍ମିକ ପାରଦର୍ଶିତା ଆଶା କରୁଥାଏ ତାହାକୁ ଅଧିକରୁ ଅଧିକ, ଅଧିକ ପ୍ରେମର ସହିତ, ଅଧିକ ଆନନ୍ଦଦାୟକ, ଅଧିକ କାଳ ପାଇଁ ସ୍ଥାୟୀ ସେବା ପ୍ରଦାନ କରିବାକୁ ହୁଏ । ଅଳ୍ପରୁ ଆରମ୍ଭ କରି ଅଧିକରେ ପହଞ୍ଚôବା ସମ୍ଭବ । ଧୈର୍ଯ୍ୟ ଓ ପ୍ରାର୍ଥନା ଏଥିପାଇଁ ଆମକୁ ଶକ୍ତି ଓ ସାମର୍ଥ୍ୟ ଯୋଗାଇବ । ଭଗବାନ ବାବାଙ୍କର ଏହି ବାଣୀ ଉପରେ ଆସ୍ଥା ଓ ବିଶ୍ୱାସ ରଖି ଚରୈବେତି ଚରୈବେତି ନୀତିରେ ଅଗ୍ରସର ହେବା ବିଜ୍ଞତାର ପରିଚୟ ହେବ । ସର୍ବୋପରି ପ୍ରଭୁ କୃପା ଆମର ସହାୟ ହେଉ, ବାଟ କଢ଼ାଇ ନେଉ ।
ଇଂ.ସଚ୍ଚିଦାନନ୍ଦ ନନ୍ଦ
ଅଲିଶା ବଜାର, କଟକ, ଦୂରଭାଷ : ୯୩୩୭୨୪୨୯୫୫