ସମ୍ପତ୍ତି ତାଲିକା ବନାମ୍ ପଦୋନ୍ନତି
ବର୍ତ୍ତମାନ କିଛି ମାସ ହେଲାଣି ରାଜ୍ୟରେ ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢ଼ାଉକୁ ଜୋରଦାର କରାଯାଉଛି । ଏହି ପରିପ୍ରେକ୍ଷୀରେ ପ୍ରଥମ ଶ୍ରେଣୀ କର୍ମଚାରୀରୁ ଆରମ୍ଭ କରି ଚୁତର୍ଥ ଶ୍ରେଣୀ କର୍ମଚାରୀମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଏକ ପ୍ରକାରର ଆତଙ୍କିତ ଅବସ୍ଥାରେ ଅଛନ୍ତି । ଅବସର ନେବାର ଦିନେ, ଦୁଇ ଦିନ ପୂର୍ବରୁ ଏଭଳି ଚଢ଼ାଉ ସବୁ କରାଯାଉଛି । ତେଣୁ ଦୁର୍ନୀତିଗ୍ରସ୍ତ କର୍ମଚାରୀମାନେ ବର୍ତ୍ତମାନ କୌଣସି ଉପାୟରେ ଚାକିରି କାଳଟିକୁ ଶେଷ କରିଦେଇ ଚାଲିଯିବା ପାଇଁ ଚେଷ୍ଟା କରଛନ୍ତିା ଏହି ଚେଷ୍ଟାର ଏକ ପଦକ୍ଷେପ ସ୍ୱରୂପ, ସର୍ଭିସ୍ ରୁଲ୍ ଅନୁସାରେ ଜଣେ ସରକାରୀ କର୍ମଚାରୀଙ୍କୁ ପ୍ରତିବର୍ଷ ସମ୍ପତ୍ତି ତାଲିକା ଦିଆଯିବା ପାଇଁ ଏକ ଆଇନ୍ ଥିଲେ ମଧ୍ୟ ଏହି ସମ୍ପତ୍ତି ତାଲିକା ଦେଉନାହାଁନ୍ତି । କାରଣ, ସମ୍ପତ୍ତି ତାଲିକା ଦେଲେ ଏବଂ ଚଢ଼ାଉର ସମ୍ମୁଖୀନ ହେଲେ ଯଦି ସମ୍ପତ୍ତି ତାଲିକା ସହିତ ଚଢ଼ାଉରେ ମିଳିଥିବା ତାଲିକା ମେଳ ନଖାଏ, ତାହା ହେଲେ ସେହି ସମ୍ପତ୍ତି ଅବୈଧ ଭାବରେ ଉପାର୍ଜିତ ଅର୍ଥରେ ହୋଇଛି ବୋଲି ପ୍ରମାଣିତ ହେବ । ବର୍ତ୍ତମାନ ଏହିଭୟ ସରକାରୀ ବାବୁମାନଙ୍କୁ ଗ୍ରାସିଛି ।
ତେବେ ଅନେକ ଘଟଣାରେ ଦେଖା ଗଲାଣି ଯେ ଚାକିରି ଚତୁର୍ଥ କିମ୍ବା ତୃତୀୟ ଶ୍ରେଣୀର, କିନ୍ତୁ ଭିଜିଲାନ୍ସ ଚଢ଼ାଉରେ ଜବ୍ତ ହେଇଥିବା ସମ୍ପତ୍ତି କୋଟି କୋଟି ଟଙ୍କାର । ଏଭଳି କ୍ଷେତ୍ରରେ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କ ପାଇଁ ପ୍ରତିବର୍ଷ ସମ୍ପତ୍ତି ତାଲିକା ସରକାରଙ୍କୁ ଦେବାର ବ୍ୟବସ୍ଥା ନାହିଁ । ଏହି ଗଳାବାଟକୁ ନେଇ ଜଣେ ବ୍ୟକ୍ତି ନିର୍ବିଘ୍ନରେ ସରକାରଙ୍କୁ ଫାଙ୍କି ଦେଇପାରିବ । ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କ ପାଇଁ ମଧ୍ୟ ବାର୍ଷିକ ସମ୍ପତ୍ତି ତାଲିକା ଦେବା ବାଧ୍ୟତାମୂଳକ କରାଯିବା ଉଚିତ୍ । ବର୍ତ୍ତମାନ ସରକାର ଏଭଳି ଏକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ତେଣୁ ସମ୍ପତ୍ତି ତାଲିକା ଦେବାକୁ ବାବୁମାନଙ୍କୁ ବାଧ୍ୟ କରିବା ପାଇଁ ଏକ ନିଦେ୍ର୍ଦଶ ଜାରି କରିଛନ୍ତି । ଏହି ନିଦେ୍ର୍ଦଶ ଅନୁସାରେ ସମ୍ପତ୍ତି ତାଲିକା ନଦେଲେ ପଦୋନ୍ନତି ମିଳିବ ନାହିଁ । ଏଭଳି ଏକ ନିଦେ୍ର୍ଦଶରେ ମଧ୍ୟ ଘଳିଆ ଅଛି । ଯେଉଁ ବାବୁମାନେ ଆଉ ପ୍ରମୋସନ୍ ପାଇବେ ନାହିଁ ବୋଲି ନିଶ୍ଚିତ ଏବଂ ସେମାନଙ୍କର ଅବସର ନେବାର ସମୟ ଆସିଗଲାଣି, ସେମାନେ ଏହି ନିଦେ୍ର୍ଦଶକୁ ଫୁଙ୍କି ଉଡ଼େଇ ଦେବେ । ସେଥିପାଇଁ ସରକାର ଜାରି କରିଥିବା ନିଦେ୍ର୍ଦଶର ଏକ ପରିବର୍ତ୍ତନ ମଧ୍ୟ ଆବଶ୍ୟକ ଅଛି ।
ସେହିପରି ଆର୍ଥôକ ତାଲିକାକୁ ଅନ୍ଲାଇନ୍ରେ ଦେବା ପାଇଁ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ପାଇଁ ଏକ ବ୍ୟବସ୍ଥା ହୋଇଛି ଏବଂ ଏହା ସରଳ ନୁହେଁ । ତେଣୁ ଜଣେ କର୍ମଚାରୀ ନିଜେ ଚାହିଁଲେ ବି ଏକୁଟିଆ କମ୍ପୁ୍ୟଟର୍ ନିକଟରେ ବସି ଏହି ସମ୍ପତ୍ତି ତାଲିକା ଦାଖଲ କରିପାରିବେ ନାହିଁ । ଏଥିପାଇଁ ଆଉ ଜଣେ, ଦୁଇ ଜଣ ବାବୁଙ୍କର ସହାୟତା ପଡୁଛି । ଏହା ମଧ୍ୟ ସରକାରୀ ବାବୁମାନଙ୍କର ସମ୍ପତ୍ତି ତାଲିକା ନ ଦେବାର ଆଉ ଏକ କାରଣ ।
ବର୍ତ୍ତମାନ ସରକାର କାଗଜବିହୀନ ଅଫିସ୍ ଦିଗରେ ଅଗ୍ରସର ହେଉଛନ୍ତି । କିନ୍ତୁ କାଗଜବିହୀନ ଅଫିସ୍ ପାଇଁ ରହିଥିବା ପ୍ରତିବନ୍ଧକଗୁଡ଼ିକ ପ୍ରତି ଦୃଷ୍ଟି ଦେଉନାହାଁନ୍ତି । ତେଣୁ ସରକାରୀ କର୍ମଚାରୀ ନିଜେ ନିଜ ଉପରେ ଭରସା କରି କିଭଳି ସବୁ କାମ କରିପାରିବ, ସମ୍ପତ୍ତି ତାଲିକା ଦାଖଲ କରିପାରିବ, ଆୟକର ଦାଖଲ କରିପାରିବ ଆଦି ବ୍ୟବସ୍ଥାକୁ ତର୍ଜମା କରାଯିବା ଉଚିତ୍ । ଏ କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକଗୁଡ଼ିକ ପାଇଁ କାଗଜକଲମରେ ଏସବୁକୁ ଦାଖଲ କରାଯିବା ପାଇଁ ମଧ୍ୟ ଏକ ବ୍ୟବସ୍ଥା ହେବା ଉଚିତ୍ । ଜଣେ ସରକାରୀ କର୍ମଚାରୀକୁ ସମ୍ପୂର୍ଣ୍ଣ ରୂପେ ଆତ୍ମନିର୍ଭର ନକରି ଅନ୍ଲାଇନ୍ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ବାଧ୍ୟ କରାଯାଉଥିବାରୁ ଏଥିରେ ଅନେକ ଅସୁବିଧା ମଧ୍ୟ ସୃଷ୍ଟି ହେଉଛି । ଏହି ଅସୁବିଧାଗୁଡ଼ିକୁ ପ୍ରଥମେ ଦୃଷ୍ଟି ଦିଆଯିବା ଉଚିତ୍ ଏବଂ ଜଣେ କର୍ମଚାରୀଙ୍କର ଗୋଟିକିଆ ଘଟଣା ଭାବରେ ହେଉଥିବା ଅସୁବିଧାକୁ ସାମଗ୍ରିକ ଅସୁବିଧା ବୋଲି ବିବେଚନା କରାଯିବା ଉଚିତ୍ । ଅନ୍ୟଥା ସବୁ ପ୍ରକାର ନିଦେ୍ର୍ଦଶନାମାରେ କିଛି ନା କିଛି ଘଳିଆ ସୃଷ୍ଟି ହେବ ।