ଶିବ'ଙ୍କ କାନ୍ଧରେ ମହାକାଳପଡ଼ା ବ୍ଲକ ପ୍ରଶାସନର ଭାର


ଶୀର୍ଷକ ପଢ଼ି ଆପଣମାନଙ୍କୁ ଆଶର୍ଯ୍ୟ ଲାଗୁଥିବ କିନ୍ତୁ ବାସ୍ତବ ପ୍ରସଙ୍ଗ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ତହସିଲଦାର ଭାବରେ ନବ ନିଯୁକ୍ତ ପାଇଥିବା ଶିବପ୍ରସାଦ ମଲ୍ଲିକଙ୍କ କାନ୍ଧରେ ୪ଟି ପଦବୀର ଗୁରୁ ଦାୟିତ୍ୱ । ମହାକାଳପଡ଼ା ବ୍ଲକ ପ୍ରଶାସନର ଅତି ଗୁରୁତ୍ୱପୂର୍ଣ୍ଣ ତିନୋଟି ବିଭାଗର ମୁଖ୍ୟ ଦାୟିତ୍ୱ ଶିବପ୍ରସାଦ ତୁଲାଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ଦରିଆ ରାମଚଣ୍ଡୀ ମନ୍ଦିରର ଟ୍ରଷ୍ଟ ବୋର୍ଡର ଟ୍ରଷ୍ଟି ଭାବରେ ମଧ୍ୟ ଶିବପ୍ରସାଦଙ୍କୁ ଦାୟିତ୍ୱ ଦେଇଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ । ବ୍ଲକର ପୂର୍ବତନ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ବଦଳିପରେ ତାଙ୍କ ସ୍ଥାନରେ ପଦବୀ ପୂରଣ ପାଇଁ ନବ ନିଯୁକ୍ତି ପାଇଥିଲେ ଶିବପ୍ରସାଦ ମଲ୍ଲିକ । ସେ ନୂତନ ତହସିଲଦାର ଭାବେ କାର୍ଯ୍ୟରେ ଯୋଗଦେବା ପରେ ବ୍ଲକର ଉନ୍ନୟନ ଅଧିକାରୀ ପଦ ଖାଲି ପଡ଼ିଥିବା କାରଣରୁ ରାଜ୍ୟ ସରକାର ସେ ଦାୟିତ୍ୱ ମଧ୍ୟ ଅସ୍ଥାୟୀ ଭାବେ ଶିବପ୍ରସାଦଙ୍କୁ ସମର୍ପି ଦେଇଛନ୍ତି । କେବଳ ସେତିକି ନୁହେଁ , ବ୍ଲକରେ ନୂଆକରି ଉଦଘାଟିତ ହୋଇଥିବା ସବରେଜିଷ୍ଟର କାର୍ଯ୍ୟାଳୟରେ କେହି ରେଜିଷ୍ଟର ଭାବେ ନିଯୁକ୍ତି ପାଇନଥିବାରୁ ଏହି ଦାୟିତ୍ୱ ମଧ୍ୟ ଶିବପ୍ରସାଦଙ୍କ କାନ୍ଧରେ ଅସ୍ଥାୟୀ ଭାବେ ଲଦି ଦିଆଯାଇଛି । ଏହିପରି ଭାବେ ମହାକାଳପଡ଼ା ବ୍ଲକର ଚାରି ଚାରିଟି ଗୁରୁତ୍ୱପୂର୍ଣ୍ଣ ପଦବୀର ଦାୟିତ୍ୱ ଶିବପ୍ରସାଦଙ୍କ କାନ୍ଧରେ ଲଦିଦେବାର କି ଗୁଢ଼ ରହସ୍ୟ ରହିଛି ତାହା ବୁଝିବା ମୁସ୍କିଲ । ବାସ୍ତବରେ ଜଣେ ଅଧିକାରୀ ଚାର ଚାରୋଟି ପଦବୀର ଦାୟିତ୍ୱ ସମ୍ଭାଳିବା ପାଇଁ ଶାରିରୀକ ଓ ମାନସିକ ସ୍ତରରେ କେତେ ସକ୍ଷମ ତାହା ଆଲୋଚନା ଯୋଗ୍ୟ ବୋଲି ଜିଲ୍ଲାର ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ବ୍ଲକ ପ୍ରଶାସନର ତିନିଟି ଅତି ସମ୍ବେଦନଶୀଳ ଓ ଗୁରୁତ୍ୱପୁର୍ଣ୍ଣ ପଦବୀରେ ପୃଥକ ପୃଥକ ଭାବେ ତିନିଜଣ ଅଧିକାରୀଙ୍କୁ ନିଯୁକ୍ତି ଦେବା ବଦଳରେ ଜଣେ ଅଧିକାରୀଙ୍କ କାନ୍ଧରେ ସମସ୍ତ ଦାୟିତ୍ୱ ଲଦିଦେବା ଦ୍ୱାରା କାହାର କେଉଁ ହିତ ସାଧନ ହେଉଛି ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । ଜଣେ ଅଧିକାରୀଙ୍କ କାନ୍ଧରେ ତିନି ତିନୋଟି କାର୍ଯ୍ୟାଳୟର ଗୁରୁ ଦାୟିତ୍ୱ ରହିବା ଦ୍ୱାରା ସେ ଜଣଙ୍କ କିପରି ଭାବେ ନିଜକୁ ପରିଚାଳନା କରୁଛନ୍ତି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଥିବ ନିଶ୍ଚୟ । ସବୁଠୁ ବଡ଼ ଆଶ୍ଚର୍ଯ୍ୟ କଥା ହେଉଛି ବ୍ଲକର ପୂର୍ବତନ ଉନ୍ନୟନ ଅଧିକାରୀ ବଦଳି ହେବାପରେ ରାଜ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ଦୁଇ ଦୁଇ ଥର ଅଦଳ ବଦଳ ପ୍ରକ୍ରିୟା ସମାପନ ହୋଇଯାଇଥିଲେ ମଧ୍ୟ ମହାକାଳପଡ଼ା ବ୍ଲକରେ ନୂତନ ସ୍ଥାୟୀ ବ୍ଲକ ଉନ୍ନୟନ ଅଧିକାରୀ ନିଯୁକ୍ତି ନପାଇବା ବ୍ଲକ ବାସିନ୍ଦାଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ତିନି ତିନୋଟି କାର୍ଯ୍ୟାଳୟର କାର୍ଯ୍ୟ, ଲୋକଙ୍କ ଅଭିଯୋଗ ଶୁଣିବା ଠାରୁ ଆରମ୍ଭ କରି ବ୍ଲକର ବିଭିନ୍ନ ଅଞ୍ଚଳ ସରକାରୀ କାର୍ଯ୍ୟରେ ପରିଦର୍ଶନ ନିମନ୍ତେ ଯିବା ଏବଂ ପୃଥକ ପୃଥକ ବିଭାଗର ଏକାଧିକ କାର୍ଯ୍ୟ ଜଣେ ଅଧିକାରୀ ସୁଚାରୁ ରୂପେ କିପରି ସମ୍ପାଦନ କରୁଛନ୍ତି ତାହା ଅନେକ ପ୍ରଶ୍ନ ଛିଡା କରୁଛି । ତେବେ ତୁରନ୍ତ ଏ ଦିଗରେ ସରକାର କିମ୍ବା କେନ୍ଦ୍ରାପଡ଼ା ଜିଲ୍ଲାପ୍ରଶାସନ ଧ୍ୟାନ କେନ୍ଦ୍ରୀଭୂତ କରି ଚାରିଟି ପଦବୀର ଦାୟିତ୍ୱ ଜଣେ ଅଧିକାରୀ ଶିବପ୍ରସାଦ'ଙ୍କ କାନ୍ଧରେ ଆଉ ଅଧିକ ଦିନ ଲଦି ନଦେଇ ପୃଥକ ପୃଥକ ଭାବେ ଅଧିକାରୀମାନଙ୍କୁ ନିଯୁକ୍ତି ଦେଲେ ଜଣଙ୍କ ଉପରୁ କାର୍ଯ୍ୟ ଭାର କମିବା ସହିତ ଜନସାଧାରଣଙ୍କ କାର୍ଯ୍ୟରେ ବାଧା ଉପୁଜିବାର ଆଶଙ୍କା କି ଏଡ଼ାଇ ଦିଆଯାଇ ପାରନ୍ତା ବୋଲି ମତ ପ୍ରକାଶ ପାଉଛି । ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି ।