ପୂର୍ତ୍ତ ବିଭାଗ ରାସ୍ତା ପାଲଟିଛି ମରଣଯନ୍ତା, ଲୋକେ ହିନସ୍ତା
ରାଜନଗର: ରାଜନଗର ବ୍ଲକରେ ପୂର୍ତ୍ତ ବିଭାଗ ସବ-ଡିଭିଜନ କାର୍ଯ୍ୟାଳୟ ଶ୍ରୀହିନ ହୋଇଥିବା ବେଳେ ବିଭାଗୀୟ ରାସ୍ତା ଅବସ୍ଥା ବି ଶୋଚନୀୟ ହୋଇପଡିଛି । ସବ-ଡିଭିଜନ କାର୍ଯ୍ୟାଳୟକୁ ସହକାରୀ ନିର୍ବାହୀ ଯନ୍ତ୍ରୀ କାଁ ଭାଁ ଆସୁଥିବା ସମୟରେ କନିଷ୍ଠ ଯନ୍ତ୍ରୀ ଶୂନ୍ୟ ହୋଇପଡିଛି । କିରାଣୀ ଓ ଖଲାସୀଙ୍କ ଦୟାରେ ପୂର୍ତ୍ତ ବିଭାଗ ଚାଲିଥିବା ବେଳେ ଗୋପାଳପୁର ଭାୟା କେରଡାଗଡ-ମଦନପୁର ୧୩କିଲୋମିଟର ରାସ୍ତା ଅବସ୍ଥା ବେହାଲ ହେବାରେ ଲାଗିଛି । ଏହି ରାସ୍ତାର ଗୋପାଳପୁରଠାରୁ କେରଡାଗଡ ହେଉ କିମ୍ବା କେରଡାଗଡଠାରୁ ମଦନପୁର ପର୍ଯ୍ୟନ୍ତ ରାସ୍ତାର ବହୁ ସ୍ଥାନରେ ଗାଢ ସୃଷ୍ଟି ହୋଇ ମରଣଯନ୍ତା ପାଲଟିଛି । ବିଶେଷକରି ବର୍ଷାଦିନେ ବର୍ଷାଜଳ ଖାଲରେ ଜମି ରହିବା ଫଳରେ ବାଇକ ଆରୋହୀମାନେ ଖାଲଖମା ଜାଣି ନପାରି ଦୁର୍ଘଟଣାର ଶିକାର ହେଉଛନ୍ତି । ଏହି ରାସ୍ତା ଉପରେ ସାନବଡଗୋପାଳପୁର, ବାଲିସାହିପାଟଣା, କେରଡାଗଡ, ରାଜପୁର, ବେଲପାଳ, ଓସ୍ତିଆ ଓ ବନ୍ଧପଡା ପଞ୍ଚାୟତର ପ୍ରାୟ ୬୦ହଜାର ଲୋକ ଯିବା ଆସିବା ପାଇଁ ନିର୍ଭର କରିଥାନ୍ତି । ଖାଲି ସେତିକି ନୁହେଁ, ଆଳି ବ୍ଲକ ଏକମାଣିଆ ପଞ୍ଚାୟତ ଲୋକମାନେ ମଧ୍ୟ ନିର୍ଭର କରିଥାନ୍ତି । ବ୍ଲକ ସଦର ମହକୁମାକୁ ଯିବା ଆସିବା ସହ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ରୋଗୀମାନେ ଚିକିସôା ପାଇଁ ଆସିଥାନ୍ତି । ଗର୍ଭବତୀ, ପ୍ରସୂତୀ ମହିଳା ଓ ଗୁରୁତର ରୋଗୀ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି । ଶ୍ରୀଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ରାଜନଗର ଓ ୟୁକେ ମହାବୀର ମହାବିଦ୍ୟାଳୟ ମଦନପୁରକୁ ପ୍ରତିଦିନ ଶତାଧିକ ଛାତ୍ରଛାତ୍ରୀ ଯିବା ଆସିବା କରିଥାନ୍ତି । ଏପରି ଏକ ସମ୍ବେଦନଶୀଳ ରାସ୍ତାକୁ ପୂର୍ତ୍ତ ବିଭାଗ ଅଣଦେଖା କରିବା ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।