ଶିଶୁ ଭବନରେ ଶିଶୁକୁ ମିଳୁନି ସ୍ୱାସ୍ଥ୍ୟସେବା

ଯାଜପୁର : ଜନ୍ମରୁ ପେଟବାଟେ କଣା କରାଯାଇ ମଳ ବାହର କରାଯାଉଛି । ଏଭଳି ଅଦ୍ଭୁତ ଯନ୍ତ୍ରଣା ଦାୟକ ଜୀବନ ବିତାଉଛନ୍ତି ୧ ବର୍ଷର ୬ମାସର ଶିଶୁପୁତ୍ର । ହେଲେ ଦୀର୍ଘଦିନ ହେଲା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ନାତୋକତର ଶିଶୁରୋଗ ଚିକିତ୍ସା ପ୍ରତିଷ୍ଠାନ (ଶିଶୁ ଭବନ)ରେ ଶିଶୁରଅସ୍ତ୍ରୋପଚାର କରାଯାଉ ନାହିଁ । ଗରୀବ ଦିନ ମଜୁରିଆ ଅନୁସୂଚିତ ଜାତିର ପରିବାର ଏଥିପାଇଁ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଥିବା ବେଳେ ଶିଶୁଟି ମଧ୍ୟ ଯନ୍ତ୍ରଣା ପାଉଛି । ଧର୍ମଶାଳାର ଯୁବନେତା ସତୀଶ ବିଶ୍ୱାଳ ଘଟଣାରେ ଆଜି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ତୁରନ୍ତ ୨୪ ଘଣ୍ଟା ମଧ୍ୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ନିବେଦନ କରିଛନ୍ତି । ଖବର ମତେ ରସୁଲପୁର ବ୍ଳକ ଓଡିଶୋ ପଞ୍ଚାୟତ ଅର୍ତିଆକୁସୁନପୁର ଗ୍ରାମର ଜଗନ୍ନାଥ ମଳିକଙ୍କ ପୁଅ ଓମପ୍ରକାଶ ଜନ୍ମ ହେବାପରେ ତାର ମଳଦ୍ୱାରରେ ମଳତ୍ୟାଗ ସମ୍ଭବ ହୋଇନଥିଲା । ପରେ ଓମପ୍ରକାଶଙ୍କୁ କଟକ ଶିଶୁ ଭବନ ନିଆଯିବା ପରେ ତାଙ୍କର ପେଟରେ ଗୋଟିଏ ଛୋଟିଆ କଣା କରାଯାଇ ସେହି ବାଟରେ ମଳତ୍ୟାଗ ବ୍ୟବସ୍ଥା କରାଯାଇ ଥିଲା । କିଛିଦିନ ପରେ ତାଙ୍କର ମଳଦ୍ୱାରରେ ମଳ ତ୍ୟାଗ ପାଇଁ ଆବଶ୍ୟକ ଅସ୍ତ୍ରୋପଚାର କରାଯିବ ବୋଲି ଶିଶୁ ଭବନ ତରଫରୁ କୁହା ଯାଇଥିଲା । ବାପା ଜଗନ୍ନାଥ ବହୁବାର ଶିଶୁପୁତ୍ରକୁ ନେଇ ଶିଶୁ ଭବନ ଯିବା ପରେ ବି ତାଙ୍କର ଅସ୍ତ୍ରୋପଚାର କରାଗଲା ନାହିଁ । ସେ ସତୀଶ ବିଶ୍ୱାଳଙ୍କୁ ସାକ୍ଷାତ ପରେ ସେ ଏଥିନେଇ ମୁଖ୍ୟମନ୍ତ୍ରୀ, ସାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ଗତ ୧୬ ମେରେ ତାଙ୍କ ପୁଅର ଅସ୍ତ୍ରୋପଚାର ପାଇଁ ଶିଶୁ ଭବନରେ ଆଡମିଶନ ପାଇଁ ପରାମର୍ଶ ଦିଆଯାଇଥିଲା । ତଦନୁସାରେ ଅଦ୍ୟାବଧି ତାଙ୍କର ଅସ୍ତ୍ରୋପଚାର କରାଯାଉ ନଥିବା ବେଳେ ଆବଶ୍ୟକ ଚିକିତ୍ସା ସେବା ମଧ୍ୟ ମିଳୁନାହିଁ । ଦେଢବର୍ଷର ଶିଶୁ ନାହିଁ ନଥିବା ଯନ୍ତ୍ରଣା ଭୋଗୁଛି । ଅପର ପକ୍ଷରେ ତାଙ୍କର ବାପା ଜଣେ ଦିନ ମଜୁରିଆ ହୋଇଥିବା ବେଳେ ପୁଅ ପାଖରେ ଦୀର୍ଘଦିନ ହେଲା ରହି ମୁଲ ମଜୁରୀ ଲାଗି ନପାରି ଅଭାବ ଅନାଟନରେ ଜୀବନ ବିତାଉଛନ୍ତି । ଏଥିପ୍ରତି ଶିଶୁ ଭବନ କର୍ତୁପକ୍ଷ ଏବଂ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ପରିବାର ପକ୍ଷରୁ ଦାବି କରାଯାଇଛି ।