ମନ୍ଦିରରୁ ଲୁଟିଲେ ଅଳଙ୍କାର


 ବ୍ୟାସନଗର/ପାଣିକୋଇଲି : ଯାଜପୁର ରୋଡ଼ ଓ ଯାଜପୁର ସଦର ଥାନା ଅଞ୍ଚଳର ପାଞ୍ଚଟି ମନ୍ଦିରରୁ ଦୁର୍ବୃତ ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଖବର ମତେ ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ପୌରାଞ୍ଚଳ କୋପଣ୍ଡ ଛକ ହନୁମାନ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ସୁନା ଅଳଙ୍କାର ଚୋରି ହୋଇଛି । ପ୍ରତେକ ଦିନ ପରି ଆଜି ସକାଳୁ ମନ୍ଦିରର ପୂଜକ ପ୍ରଶାନ୍ତ ପଣ୍ଡା ପୂଜା କରିବାକୁ ଆସି ଫାଟକ ତାଲା ଭାଙ୍ଗିଥିବା ଦେଖିବାକୁ ପାଇଥିଲେ । ମନ୍ଦିର ଭିତରକୁ ଯାଇ ଦେଖନ୍ତି ତ ହନୁମାନଙ୍କ ସବୁ ଅଳଙ୍କାର କେହି ଦୁର୍ବୁତ ଲୁଟି ନେଇଛି । ଅଳଙ୍କାର ଭିତରେ ହନୁମାନଙ୍କର ମୁଣ୍ଡର ମୁକୁଟ, ହାର, ପଇତା, ଖଡୁ ଓ ବଳା ଓ ଠାକୁରଙ୍କ ଅନେକ ଆସବାବପାତ୍ର ମନ୍ଦିରରେ ନଥିଲା । ବିଳମ୍ବିତ ରାତିରେ ଦୁର୍ବୁତ ମନ୍ଦିର ଫାଟକ ଭାଙ୍ଗି ଚୋରି କରିନେଇଥିବା ମନ୍ଦିର କମିଟିକୁ ଜଣାଇଥିଲେ । କମିଟିର ସଭାପତି ମାରୁତି କୁମାର ଥାନାରେ ଏତଲା ଦେବା ପରେ ଯାଜପୁର ରୋଡ ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ସେହିପରି ଯାଜପୁର ସଦର ଥାନା ଭୁବନେଶ୍ୱରପୁର ପଞ୍ଚାୟତର ଦୁଇଟି ସ୍ଥାନରୁ୪ଟି ଶିବ ଓ ହନୁମାନ ମନ୍ଦିରରୁ ଚୋରି ହୋଇଛି । ଭଗତପୁର ଲକ୍ଷ୍ମୀ ଛକ ଓ ନୂଆପଡା ଗ୍ରାମରେରେ ଥିବା ଶିବ ଓ ହନୁମାନ ମନ୍ଦିରରୁ ଚୋରି ହୋଇଛି । ରୂପା ମୁକଟ ସମେତ ପିତଳ ନାଗ ଓ ମନ୍ଦିରରେ ପୂଜା ପାଇଁ ଥିବା ସମସ୍ତ ଆସବାସପତ୍ର ଚୋରି ହୋଇଛି । ସକାଳୁ ପୂଜକ ମନ୍ଦିରକୁ ଆସିବାରୁ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ଏନେଇ ସଦର ପୁଲିସ ଘଟଣାସ୍ଥଳେ ପହଁଚି ତଦନ୍ତ ଜାରି ରଖିଛି ।