ବର୍ଷା ପାଇଁ ଚାଷୀଙ୍କ ଇନ୍ଦ୍ର ମହାଯଜ୍ଞ
କାକଟପୁର : ବର୍ତ୍ତମାନ ଖରିଫ ଋତୁ ଧାନ ଚାଷର ସମୟ, କିନ୍ତୁ ଚଳିତ ବର୍ଷ ଏହି ଋତୁରେ ଚାଷୀଙ୍କ ପାଇଁ ଦାଉ ସାଜିଛି ବର୍ଷା । କଥାରେ ଅଛି ଶ୍ରାବଣ ମାସରେ ଅସରାଏ ବର୍ଷା ନହେଲେ ଚାଷୀଙ୍କର ଲକ୍ଷେ ଭରଣ ଧାନ ନଷ୍ଟ ହୁଏ । କିନ୍ତୁ ବାସ୍ତବରେ ଆଜି ଉପକୂଳ ଚାଷୀଙ୍କ କ୍ଷେତ୍ରରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି, ଗତ ଲଘୁଚାପରେ ଉପର ମୁଣ୍ଡରେ ବର୍ଷା ହୋଇଛି କିନ୍ତୁ ଉପକୂଳ ଜିଲ୍ଲାରେ ସେହିଭଳି ବର୍ଷା ନାହିଁ । ଯେଉଁମାନେ ଅଳ୍ପ ବୃଷ୍ଟିକୁ ଆଖିରେ ଦେଖି ତଳି ଓପାଡି ରୁଇଁଛନ୍ତି ବର୍ତ୍ତମାନ କ୍ଷେତକୁ ପାଣି ନଥିବାରୁ ସେହି ଚାଷୀ ମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡିଛି । ଅନ୍ୟ ପଟେ ବର୍ଷା ଅଭାବରୁ ତଳି ଅନେକ ସ୍ଥାନରେ ଓପଡା ଯାଇନି । ଚାଷ ଜମି ସବୁ ଫାଟି ମେଲା ହେଇଛି । ଅସ୍ତରଙ୍ଗ ଅଞ୍ଚଳରେ ଜଳସେଚନ କଥା ସମ୍ପୂର୍ଣ୍ଣ ବିପର୍ଯୟ, ଏହି ସବୁ ଘଟଣାକୁ ଆଖିରେ ରଖି ଅସ୍ତରଙ୍ଗ ବ୍ଲକ ଝାଡଲିଙ୍ଗ ପଞ୍ଚାୟତ ସରପଞ୍ଚ ବୃନ୍ଦାବନ ନାୟକଙ୍କ ନେତୃତ୍ୱରେ ନାନପୁର ଓ ଆଖପାଖ ଗ୍ରାମବାସୀ ଏକତ୍ରିତ ହୋଈ ଆଜି ନାନପୁର ଆର୍ତ୍ତତ୍ରାଣ ଗାଦିରେ ଇନ୍ଦ୍ର ମହାଯଜ୍ଞ ଆରମ୍ଭ କରିଛନ୍ତି । ଅନେକ ମହିଳା ଓ ପୁରୁଷ ମାନେ ଏକତ୍ରିତ ହୋଈ ପାଣି ତୋଳିବା ସହ ଯଜ୍ଞ ବେଦୀରେ ଘଟ ସ୍ଥାପନ କରିଛନ୍ତି । ଇନ୍ଦ୍ର ଦେବଙ୍କ ଘଟକୁ ଶୋଭାଯାତ୍ରାରେ ନେଇ ପଡିଆ ଚାଷ ବିଲରେ ଇନ୍ଦ୍ରଙ୍କୁ ପାର୍ଥନା କରିଛନ୍ତି ଗ୍ରାମବାସୀ, ତତ୍ପରେ ଗାଦି ଗୋସେଇଁଙ୍କ ପୀଠରେ ଅଭିଜ୍ଞ ବ୍ରାହ୍ମଣଙ୍କ ଦ୍ୱାରା ଘୃତାହୂତି କରାଯାଇ ପୂର୍ଣ୍ଣାହୁତି ଦିଆଯାଇଛି । ଗ୍ରାମବାସୀଙ୍କ ବିଶ୍ୱାସ ଯେ ଯେଉଁଠି ପ୍ରକୃତି ଆଜି ବର୍ଷା ଜଳ ଦେଉନି ସେଠି ଇନ୍ଦ୍ରଙ୍କ ଉଦେ୍ଧଶ୍ୟରେ ହେଇଥିବା ଯଜ୍ଞର ପ୍ରଭାବରେ ନିଶ୍ଚିନ୍ତ ବର୍ଷା ହେବ । ଘଣ୍ଟା ଘଣ୍ଟ ଶଙ୍ଖ ଧୋନିରେ ଏହି ଅଞ୍ଚଳ ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।