ଓଡ଼ିଆ ପରମ୍ପରାରେ ସତ୍ୟବାନ୍ ଓ ସାବିତ୍ରୀ 

ଡକ୍ଟର ଅମୂଲ୍ୟ କୁମାର ପଣ୍ଡା  : ପବିତ୍ର ସାବିତ୍ରୀ ବ୍ରତ ଜ୍ୟେଷ୍ଠ ଅମାବାସ୍ୟା ଦିନ ପାଳନ କରାଯାଇଥାଏ । ଓଡ଼ିଶାର ଐତିହ୍ୟ, ସଂସ୍କୃତି, ପରମ୍ପରା ବିଶ୍ୱବିଦିତ ।କଥାରେ ଅଛି ଓଡ଼ିଆ ଘରେ ବାର ମାସରେ ପାଳନ ହୋଇଥାଏ ତେର ପରବ । ଏକ ଧର୍ମପରାୟଣ ରାଜ୍ୟ ଭାବେ ଓଡ଼ିଶାର ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଓଡ଼ିଆଙ୍କ ଭାଇଚାରା, ଚାଲିଚଳନ,ଆଦର୍ଶ ଓ ସଂସ୍କୃତିକୁ ବଜାୟ ରଖିବା ଦିଗରେ ଏହି ପର୍ବପର୍ବାଣିଗୁଡ଼ିକର ମହତ୍ୱ ବେଶ୍ ଅଧିକ । ପ୍ରତ୍ୟେକ ଓଷା,ବ୍ରତ ଓ ପର୍ବ ପାଳନ ପଛରେ ରହିଛି ଏକ ଆଦର୍ଶବାନ ଚରିତ୍ର ଓ ତା’ର ପାରିପାର୍ଶ୍ୱିକ ସ୍ଥିତିର ବର୍ଣ୍ଣନା,ଯାହା ତକôାଳୀନ ପିଢ଼ି ଓ ପର ପିଢ଼ିକୁ ଆଦର୍ଶର ମାର୍ଗ ଦେଖାଇବା ସହ ଓଡ଼ିଆଙ୍କ ସଭ୍ୟତା,ସଂସ୍କୃତି,ପରମ୍ପରା ସହ ପରିଚିତ କରାଇଥାଏ ।ଏହି ଧାରା ଆବାହମାନ କାଳରୁ ଚାଲି ଆସିଛି ଏବଂ ଆଗକୁ ମଧ୍ୟ ବଜାୟ ରହିବ ।ଆଉ ସେହି ସବୁ ପର୍ବ ଭିତରୁ ପ୍ରାୟ ଅଧିକାଂଶ ପର୍ବ କେବଳ ଝିଅ ମାନଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥାଏ ।କୁଆଁରୀ ବେଳଠୁ ବୋହୂ ହେବା ଯାଏଁ ନିଜ ପରିବାରର ମଙ୍ଗଳ କାମନା ପାଇଁ ନାରୀଟିଏ କରିଥାଏ ଅନେକ ଓଷା,ବ୍ରତ ଆଦି ।ସେଥିମଧ୍ୟରୁ ସାବିତ୍ରୀ ବ୍ରତ ଅନ୍ୟତମ ।ଯେଉଁ ଓଷାରେ ନାରୀଟିଏ ତାର ଇହକାଳ ପରକାଳର ଦେବତା ପାଇଁ ଶୁଭ ମନାସି ଏବଂ ଦୀର୍ଘ ଜୀବନ କାମନା କରି ଏ ବ୍ରତ ପାଳନ କରିଥାଏ ।ଆମେମାନେ ପାଳନ କରୁଥିବା ସମସ୍ତ ଓଷା ବ୍ରତ ପଛରେ ରହିଥାଏ କୌଣସି ନାଁ କୌଣସି ପୌରାଣିକ ଓ ଐତିହାସିକ କାହାଣୀ ।ପୌରାଣିକ ତଥ୍ୟ ଅନୁଯାୟୀ ସାବିତ୍ରୀ ନିଜର ସତୀତ୍ୱ ଯୋଗୁଁ ଯମଙ୍କ ପାଖରୁ ସ୍ୱାମୀ ସତ୍ୟବାନଙ୍କୁ ଫେରେଇ ଆଣିଥିଲେ ।ସେବେଠାରୁ ସେହି ଅମର ଗାଥାକୁ ମନେ ରଖିବା ଉଦେ୍ଦଶ୍ୟରେ ବିବାହିତା ସଧବା ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ପାଳନ କରିଥାଆନ୍ତି ସାବିତ୍ରୀ ବ୍ରତ ।ହିନ୍ଦୁ ସଧବା ନାରୀ ପାଇଁ ଏହି ଦିନଟି ଏକ ମହାନ ଦିନ କହିଲେ ଅତୁ୍ୟକ୍ତି ହେବ ନାହିଁ ।ନିଜ ଶଙ୍ଖା ସିନ୍ଦୁର ବଜ୍ର ରଖିବା ପାଇଁ ବିବାହିତା ନାରୀଟି ତା’ର କାୟା ମନ ବାକ୍ୟରେ ନିଜର ଚଳନ୍ତି ଦେବତାଙ୍କ ଦୀର୍ଘ ଜୀବନ କାମନା କରି ଏହି ବ୍ରତ ରଖିଥାଏ ।ସ୍ୱାମୀଙ୍କୁ ଦେବତାର ଆସନରେ ବସେଇ ଦିନ ସାରା ନିର୍ଜଳ ଉପବାସ କରି ପୂଜା ପରେ ସ୍ୱାମୀଙ୍କ ହାତରୁ ଭୋଗ ଖାଇ ବ୍ରତ ଉଜ୍ଜାପନ କରିଥାଏ ଗୋଟେ ଓଡ଼ିଆ ବିବାହିତା ନାରୀ ।
ସାବିତ୍ରୀ ବ୍ରତ ହେଉଛି ଓଡ଼ିଶାର ସଧବା ମହିଳା ମାନଙ୍କର ଏକ ବ୍ରତ ଯାହା ସ୍ୱାମୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା ପାଇଁ କରାଯାଇଥାଏ ।ଓଡ଼ିଆ ନାରୀଟି ଯେଉଁ ଦେଶରେ ଥାଉ ବା କେଉଁ ରାଜ୍ୟରେ ଥାଉ କିନ୍ତୁ ସାବିତ୍ରୀ ବ୍ରତ ପାଳନ କରିବା ପାଇଁ କେବେ ଭୁଲିଯାଇନଥାଏ ।ଏହି ପୂଜାରେ ଦେବୀ ସାବିତ୍ରୀ,ସତ୍ୟବାନ,ଯମରାଜାଙ୍କ ସହ ପରୋକ୍ଷରେ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରାଯାଇଥାଏ ।ସାବିତ୍ରୀ ବ୍ରତ ପାଳନର ସ୍ୱତନ୍ତ୍ରତା ହେଲା ଏହି ପୂଜାରେ ଅଗ୍ନି ଦ୍ୱାରା ସିଦ୍ଧ କୌଣସି ଦ୍ରବ୍ୟ ଠାକୁରଙ୍କୁ ନୈବେଦ୍ୟ ରୂପେ ଅର୍ପଣ କରାଯାଇନଥାଏ । ତେଣୁ ବିଭିନ୍ନ ଫଳ,ଧୁଆ ମୁଗ ହିଁ ଏହି ପୂଜାରେ ଆବଶ୍ୟକତା ପଡିଥାଏ । ସେଥିପାଇଁ ଆମ୍ବ, ପଣସ, ଖଜୁରୀ, ତାଳ, ନଡିଆ, ବତୁରା ମୁଗ, ସପୁରୀ ଆଦି ପୂଜା କରାଯାଇଥାଏ ।ଓଷାଧାରୀ ସଧବାମାନେ ଏହି ଦିନ ନବ ବଧୂ ଭଳି ସଜବାଜ ହୋଇ ନୂଆ ଲୁଗା,ଶଙ୍ଖା,ସିନ୍ଦୁର ପିନ୍ଧି ବ୍ରତ ଧାରଣ କରିବା ସହ ଉପବାସ ରଖିଥାନ୍ତି । କିମ୍ବଦନ୍ତୀ ଅନୁଯାୟୀ ମଦ୍ର ଦେଶରେ ଅଶ୍ୱପତି ନାମକ ଜଣେ ଅତି ଧାର୍ମିକ ରାଜା ଥିଲେ ଯାହାଙ୍କର କୌଣସି ସନ୍ତାନ ସନ୍ତତି ନଥିଲେ ।ଏଣୁ ଉଭୟ ରାଜା ଅଶ୍ୱପତି ଓ ରାଣୀ କୌଶଲ୍ୟା ଖୁସିରେ ନଥିଲେ ।ଦେବର୍ଷି ନାରଦଙ୍କ ନିଦେ୍ର୍ଦଶ କ୍ରମେ ରାଜା ଏକ ଯଜ୍ଞର ଆୟୋଜନ କଲେ ।ଯାହା ଦୀର୍ଘ ଅଠର ବର୍ଷ ପର୍ଯ୍ୟନ୍ତ ଅବିରତ ଚାଲିଥିଲା ।ତାହାର ଫଳ ସ୍ୱରୂପ ରାଣୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଲେ ।ଯେଉଁ ଝିଅର ନାମ ଗେହ୍ଲାରେ ଦେଲେ‘ସାବିତ୍ରୀ’ ।ଯିଏକି ପରବର୍ତ୍ତୀ ସମୟରେ ଅପରୂପ ସୌନ୍ଦର୍ଯ୍ୟର ଅଧିକାରିଣୀ ହେଲେ ।କେବଳ ରୂପରେ ନୁହେଁ ବରଂ ଜ୍ଞାନ ଓ ଗୁଣରେ ମଧ୍ୟ ପରିପୂର୍ଣ୍ଣ ଥିଲେ ।ଭାରତୀୟ ପରମ୍ପରାରେ ଦୁଇ ଶ୍ରେଷ୍ଟ କନ୍ୟା ହେଉଛନ୍ତି ସତୀ ଏବଂ ସାବିତ୍ରୀ ।ଦୁହେଁ ମାତୃ ଦେବୀଙ୍କ ଦୁଇ ଭିନ୍ନ ଭିନ୍ନ ମରଣଶୀଳ ବା ପାର୍ଥିବ ଅବତାର ।ମାଦ୍ର ଦେଶର ରାଜା ଅଶ୍ୱପତି ସାବିତ୍ରୀ ଦେବୀଙ୍କୁ ପ୍ରାର୍ଥନା କରି ତାଙ୍କୁ ପାଇଥିଲେ କନ୍ୟା ରୂପରେ ଓ ଦକ୍ଷରାଜା ଦେବମାତା ଅଦିତିଙ୍କୁ ତପସ୍ୟା କରି ପାଇଥିଲେ ସତୀଙ୍କୁ ।ଉଭୟେ ଥିଲେ ରାଜକନ୍ୟା ।ଦୁହେଁ ବିବାହ କରିଥିଲେ ସ୍ୱ-ଇଛାରେ ।ବରଘରକୁ ଗମନ କରିଥିଲେ ବିନା ଯାନି ଯୌତୁକରେ ।ମହାଭାରତରେ ସାବିତ୍ରୀଙ୍କୁ ବର୍ଣ୍ଣନା କରାଯାଇଛି ତେଜସ୍ୱନୀ କନ୍ୟା ଭାବେ ।ତାଙ୍କ ତେଜସ୍ୱୀ ବ୍ୟକ୍ତିତ୍ୱ ଆଗରେ ସେ ସମୟର କୌଣସି ପୁରୁଷ ଛିଡା ହୋଇପାରୁନଥିଲେ ।ସାବିତ୍ରୀଙ୍କ ବିବାହ ସମୟ ଉପସ୍ଥିତ ହୁଅନ୍ତେ ଅଶ୍ୱପତି ତାଙ୍କ ପାଇଁ କିଭଳି ପାତ୍ର ଚୟନ କରିବେ ସ୍ଥିର କରି ନ ପାରି ତାହା ସାବିତ୍ରୀଙ୍କ ଉପରେ ଛାଡିଦେଲେ ।ପିତାଙ୍କ ମାନସିକ ଅବସ୍ଥାକୁ ଅନୁଭବ କରି ସାବିତ୍ରୀ ନିଜେ ବାହାରିଥିଲେ ବର ସନ୍ଧାନରେ ।
ଦିନେ ସାବିତ୍ରୀ ରଥାରୂଢ ହୋଇ ବନସ୍ତରେ ଭ୍ରମଣ ସମୟରେ ଭେଟିଥିଲେ ଶାଲ୍ୱ ରାଜପୁତ୍ର ସତ୍ୟବାନଙ୍କୁ । ସେତେବେଳେ ଶାଲ୍ୱ ନରପତି ଦୁ୍ୟମତସେନ ଷଡଯନ୍ତ୍ରର ଶିକାର ହୋଇ ରାଜ୍ୟରୁ ବିତାଡିତ ହୋଇ ସପରିବାରେ ବାସ କରୁଥାନ୍ତି ନିଘଞ୍ଚ ଅରଣ୍ୟ ମଧ୍ୟରେ ।ପର୍ଣ୍ଣ କୁଟୀର ଭିତରେ ଅତି ସାଧାରଣ ଭାବେ ଜୀବନଯାପନ କରୁଥାନ୍ତି ।ସତ୍ୟବାନଙ୍କ ରୂପ ଗୁଣ ଦ୍ୱାରା ସାବିତ୍ରୀ ମୁଗ୍ଧ ହୋଇ କେବଳ ତାଙ୍କୁ ହିଁ ବିବାହ କରିବେ ବୋଲି ହୃଦୟ ଭିତରେ ସଂକଳ୍ପ ନେଲେ ।ସତ୍ୟବାନଙ୍କ ଜୀବନ ଅତି ସଂକ୍ଷିପ୍ତ ବୋଲି ନାରଦଙ୍କ ଠାରୁ ଜାଣିବା ପରେ ମଧ୍ୟ ସତ୍ୟବାନ ବିବାହ କରି ରହିଥିଲେ ସେହି ଅରଣ୍ୟରେ ।ପତିପ୍ରାଣା ସାବିତ୍ରୀ ସ୍ୱାମୀ ଓ ଶ୍ୱଶୁରଙ୍କ ସେବାରେ ନିଜକୁ ନିୟୋଜିତ କରିବାର କାମନା ରଖି ହୋଇ ଯାଇଥିଲେ ବନବାସୀ ।ଅଶ୍ୱପତି ଚାହିଁଥିଲେ ନିଜ କନ୍ୟାର ଖୁସି ପାଇଁ ଅନେକ କିଛି ଦେଇପାରିଥାନ୍ତେ କିନ୍ତୁ ସାବିତ୍ରୀ କିଛି ବି ଚାହିଁ ନ ଥିଲେ ତାଙ୍କ ପିତାଙ୍କଠାରୁ ।
ଏକଦା ରନ୍ଧନ କାର୍ଯ୍ୟ ପାଇଁ ଜାଳେଣି କାଷ୍ଠର ଆବଶ୍ୟକତା ପଡ଼ିଲା ।ସତ୍ୟବାନ ଏକ ବୃକ୍ଷ ଆରୋହଣ କରି କାଷ୍ଠ ସଂଗ୍ରହ କରୁ କରୁ ହଠାତ୍ ଅସୁସ୍ଥ ହୋଇ ବୃକ୍ଷରୁ ପଡ଼ି ଯିବାରୁ ତାଙ୍କର ପ୍ରାଣବାୟୁ ଉଡିଗଲା ।ମୃତୁ୍ୟ ଦେବତା ଯମରାଜ ସତ୍ୟବାନଙ୍କର ଆତ୍ମାକୁ ନେବାକୁ ଉଦ୍ୟତ ହୁଅନ୍ତେ ସାବିତ୍ରୀ ତାଙ୍କୁ ସ୍ୱାମୀଙ୍କ ଜୀବନ ଫେରାଇ ଦେବା ପାଇଁ ବହୁ ଅନୁନୟ ବିନୟ ହୋଇ ଅନୁରୋଧ କଲେ ।ଯମରାଜ ସମସ୍ତ ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲେ ।ସତ୍ୟବାନ୍ଙ୍କ ଆତ୍ମାକୁ ନେବା ସମୟରେ ସାବିତ୍ରୀ ଯମରାଜାଙ୍କର ପଶ୍ଚାତ୍ଧାବନ କଲେ ।ଯମରାଜ ସାବିତ୍ରୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କାଳର ନିୟମକୁ ଉଲ୍ଲଙ୍ଘନ ନ କରି ସ୍ୱାମୀଙ୍କ ଜୀବନ ପ୍ରାପ୍ତି ବ୍ୟତୀତ ତିନୋଟି ବର ମାଗିବାକୁ କହିଥିଲେ ।ସାବିତ୍ରୀ ପ୍ରଥମ ବର ଭାବେ ଶ୍ୱଶୁରଙ୍କ ଶସ୍ୟ ଶ୍ୟାମଳ ପୂର୍ଣ୍ଣ ରାଜ୍ୟ ଫେରସ୍ତ ଓ ଶ୍ୱଶୁରଙ୍କ ଦୃଷ୍ଟି ଶକ୍ତି ମାଗି ନେଇଥିଲେ ।ଦ୍ୱିତୀୟ ବର ଭାବେ ନିଜ ପିତାମାତାଙ୍କୁ ପୁତ୍ର ଦାନ ଓ ତୃତୀୟ ବର ଭାବେ ନିଜ ଗର୍ଭରୁ ଶତ ପୁତ୍ର ହେବାର ସୌଭାଗ୍ୟ ଅର୍ଜନ ନିମନ୍ତେ ବର ପ୍ରାର୍ଥନା କରିଥିଲେ ।ଯମରାଜା ତାଙ୍କୁ ତଥାସ୍ତୁ ପ୍ରଦାନ କଲେ ।ତତ୍ପରେ ସାବିତ୍ରୀ ଯମରାଜାଙ୍କୁ ପ୍ରଶ୍ନ କରିଥିଲେ ସ୍ୱାମୀଙ୍କ ଅନୁପସ୍ଥିତିରେ ଜଣେ ସତୀନାରୀ ପୁତ୍ରବତୀ ହେବ ଭଲା କିପରି ?ସେତେବେଳେ ଯମରାଜାଙ୍କର ଚୈତନ୍ୟ ଉଦୟ ହୋଇଥିଲା ।ରାଜା ଅଶ୍ୱପତୀଙ୍କର ସୁକନ୍ୟା,ରାଜା ଦ୍ୱିମତସେନଙ୍କର ପୁତ୍ରବଧୂ ତଥା ସତ୍ୟବାନଙ୍କର ପନôୀ ସାବିତ୍ରୀଙ୍କର ଏକାଗ୍ରତା,ପବିତ୍ରତା,ଧର୍ମ ଆଗରେ ସ୍ୱୟଂ ଯମରାଜା ମଧ୍ୟ ପରାସ୍ତ ହୋଇଥିଲେ ଏଣୁ ନିରୁପାୟ ହୋଇ ସେ ସତ୍ୟବାନଙ୍କୁ ଜୀବନଦାନ ଦେଇ ଫେରିଯାଇଥିଲେ ।ସତୀ ସାବିତ୍ରୀ ନିଜର ସତୀତ୍ୱ ବଳରେ ତାଙ୍କ ସ୍ୱାମୀ ସତ୍ୟବାନଙ୍କୁ ଯମରାଜଙ୍କ ଠାରୁ ଜୀବନ୍ତ ଫେରିପାଇଥିଲେ ।ସେଥିପାଇଁ ସାବିତ୍ରୀ ହେଉଛନ୍ତି ପ୍ରତ୍ୟେକ ହିନ୍ଦୁ ନାରୀ ପାଇଁ ଜଣେ ଆଦର୍ଶ ।ସେହିଦିନଠାରୁ ବିବାହିତା ମହିଳାମାନେ ଏହି ବ୍ରତକୁ ସାବିତ୍ରୀ ବ୍ରତ ଭାବେ ପାଳନ କରନ୍ତି ।ଏହି ବ୍ରତ କରିବା ଫଳରେ ସ୍ୱାମୀ ଦୀର୍ଘାୟୁ ହୁଏ ଏବଂ ସମସ୍ତ ଦୁଃଖ କ୍ଳେଶ ଦୂର ହୁଏ ବୋଲି ବିଶ୍ୱାସ ରହିଅଛି ।
ସାଧାରଣତଃ ସାବିତ୍ରୀ ବ୍ରତ ବା ସାବିତ୍ରୀ ଅମାବାସ୍ୟା ଏପରି ଏକ ପର୍ବ ଯାହା ଓଡ଼ିଆ ମାନଙ୍କ ମଧ୍ୟରେ ସିମୀତ ରହିଥିଲେ ମଧ୍ୟ ପୃଥିବୀର ବିଭିନ୍ନ ସ୍ଥାନରେ ରହୁଥିବା ସଧବା ଓଡ଼ିଆ ମହିଳାମାନେ ନିରାଡମ୍ବର ଭାବରେ ପାଳନ କରିବା ପାଇଁ ଆଗ୍ରହ ପ୍ରକାଶ କରିଥାଆନ୍ତି ।କାରଣ ଓଡ଼ିଆ ନାରୀଟିଏ ସଦାସର୍ବଦା ନିଜର ସ୍ୱାମୀକୁ ନିଜର ଆରାଧ୍ୟ ଦେବତା ରୁପେ ବିବେଚନା କରେ ।ଏହି କ୍ରମରେ ସଧବା ନାରୀଟିଏ ବର୍ଷ ତମାମ ଅପେକ୍ଷା କରିଥାଏ ଜ୍ୟେଷ୍ଠ ମାସକୁ ।ଜ୍ୟେଷ୍ଠ ମାସରେ ପଡ଼େ ସାବିତ୍ରୀ ଅମାବାସ୍ୟା ।ପ୍ରତ୍ୟେକ ହିନ୍ଦୁ ନାରୀ ନିଜ ଶଙ୍ଖା,ସିନ୍ଦୂରକୁ ନିଜର ପ୍ରକୃତ ଗହଣା ମଣିଥାଏ ।ଏଣୁ ନିଜ ଶଙ୍ଖା ସିନ୍ଦୂରର ଅର୍ଥାତ୍ ସ୍ୱାମୀଙ୍କ ଦୀର୍ଘ ଆୟୁଷ କାମନା କରି ଓଡ଼ିଆ ବୋହୂଟିଏ ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ସାବିତ୍ରୀ ଓଷା ପାଳନ କରେ । ଆଜି ହେଉଛି ସେହି ପବିତ୍ର ଦିନ ।ଅଧିକାଂଶ ଓଡ଼ିଆ ହିନ୍ଦୁ ମହିଳାମାନେ ଚାହାଁନ୍ତି ଯେ ସେମାନଙ୍କ ସ୍ୱାମୀ ଓ ପିଲାମାନେ ସଦାସର୍ବଦା ନୀରୋଗ ଜୀବନଯାପନ କରନ୍ତୁ ତେଣୁ ବର୍ଷ ତମାମ ବିଭିନ୍ନ ପୂଜାପର୍ବକୁ ଭିନ୍ନ ଭିନ୍ନ ଢ଼ଙ୍ଗରେ ପାଳନ କରିଥାଆନ୍ତି ।ପ୍ରତ୍ୟେକ ପର୍ବପର୍ବାଣି ପରିବାରର ମଙ୍ଗଳ କାମନା ପାଇଁ କରିଥାଆନ୍ତି ।ଖାଲି ସେତିକି ନୁହେଁ ପ୍ରତ୍ୟେକ ସଦସ୍ୟ ମାନଙ୍କ ପାଇଁ ଅଲଗା ଅଲଗା ପୂଜା କରିଥାଏ ନାରୀଟି ।ଏଇ ଯେମିତି ପୁଅ ପାଇଁ ପୁଅ ଜିଉଁନ୍ତିଆ ଓଷା,ଉଉଣୀଟି ତା ଭାଇ ପାଇଁ ଖୁଦୁରୁକୁଣୀ ଓଷା,ସେହିପରି ସ୍ତ୍ରୀଟି ତା ସ୍ୱାମୀର ଦୀର୍ଘାୟୁ ପାଇଁ ସାବିତ୍ରୀ ବ୍ରତ ଆଦି ପାଳନ କରିଥାଆନ୍ତି ।କହିବାକୁ ଗଲେ ସାବିତ୍ରୀ ବ୍ରତ ପତିପନôୀଙ୍କ ମଧ୍ୟରେ ଏକ ନୂଆ ଉଦ୍ଦୀପନା ସୃଷ୍ଟି କରିଥାଏ ତାହା ହେଲା ବିବାହର ନବୀକରଣ ।ବିବାହ ସମୟରେ ପୁରୁଷଟିଏ ଯେପରି ନାରୀକୁ ଶଙ୍ଖା ସିନ୍ଦୂର ମଙ୍ଗଳ ସୂତ୍ର ପିନ୍ଧାଇ ଥାଏ ଠିକ୍ ସେହିପରି ସାବିତ୍ରୀ ବ୍ରତ ପାଳନ ପରେ ସ୍ୱାମୀଟି ନିଜ ସ୍ତ୍ରୀକୁ ଶଙ୍ଖା ସିନ୍ଦୂର ମଙ୍ଗଳ ସୂତ୍ର ପିନ୍ଧାଇ ଥାଏ । ଓଷା ବା ଉପବାସ ଦ୍ୱାରା ଚିତ୍ତ ଶୁଦ୍ଧି ହୋଇଥାଏ ।ଏଣୁ ଓଡ଼ିଆଙ୍କ ପରମ୍ପରାରେ ଚିତ୍ତଶୁଦ୍ଧିକୁ ବିଶେଷ ଗୁରୁତ୍ୱ ଦିଆଯାଇଅଛି ।ଜଣଙ୍କଠାରେ ପ୍ରେମ,ଶ୍ରଦ୍ଧା,ସମର୍ପଣ,ତ୍ୟାଗର ଭାବ ନଥିଲେ ସେ କେବେ ବି ଓଷା,ଉପବାସ ରକ୍ଷା କରିପାରିବ ନାହିଁ ।ଚିତ୍ତ ଶୁଦ୍ଧି ଓ ମନ ପ୍ରଫୁଲ୍ଲ ନ ଥାଇ ଓଷା,ଉପବାସ କଲେ ତା’ର କୁଫଳ ମିଳିଥାଏ ।ଏଣୁ ଆଚରଣକୁ ମାର୍ଜିତ କରିବା ଉଦେ୍ଦଶ୍ୟରେ ଓଡ଼ିଆଙ୍କ ପରମ୍ପରାରେ ରହିଛି ବାର ମାସରେ ତେର ପର୍ବପର୍ବାଣି ବା ଚିତ୍ତ ଶୁଦ୍ଧି କରିବାର ସୁଯୋଗ । ତେବେ ଏ  ପ୍ରତ୍ୟେକ ବ୍ରତ କେବଳ ଧାର୍ମିକ ଦୃଷ୍ଟିକୋଣରୁ ନୁହେଁ ବରଂ ସ୍ୱାସ୍ଥ୍ୟଗତ ଦିଗରୁ ମଧ୍ୟ ସୁଫଳ ଦେଇଥାଏ ।ଏହାବ୍ୟତୀତ ବ୍ରତ, ଉପବାସ,ପର୍ବପର୍ବାଣି ମାଧ୍ୟମରେ ଉତ୍ତର ପିଢ଼ିକୁ ଆଦର୍ଶ, ସଂସ୍କୃତି ଓ ପରମ୍ପରା ସହ ଅବଗତ କରାଇବା ହେଉଛି ଓଡ଼ିଆଙ୍କ ଏତେ ସଂଖ୍ୟକ ପର୍ବପର୍ବାଣିଗୁଡ଼ିକର ଉଦେ୍ଦଶ୍ୟ ।
ଜଣେ ସତୀ ନାରୀ ତାର ନିଷ୍ଠା ବଳରେ ମୃତୁ୍ୟଲୋକରୁ ସ୍ୱାମୀଙ୍କ ଜୀବନ ଫେରାଇ ଆଣିବା କିମ୍ବଦନ୍ତୀରୁ ହିଁ ସାବିତ୍ରୀ ବ୍ରତର ଆରମ୍ଭ ।ହିନ୍ଦୁ ନାରୀଟିଏ ନିଜ ଘର,ପରିବାର,ନିଜ ସନ୍ତାନ ପାଇଁ ଯେଉଁ କେତୋଟି ଓଷା ବ୍ରତ ପାଳନ କରିଥାଆନ୍ତି ତାହା ମଧ୍ୟରୁ ସାବିତ୍ରୀ ବ୍ରତ ନାରୀମାନଙ୍କର ଏକ ଶ୍ରେଷ୍ଠ,ପବିତ୍ର ଓ ପ୍ରିୟ ବ୍ରତ ।ଏହି ବ୍ରତ ପାଳନ କରିଲେ ନାରୀମାନେ ବୈଧବ୍ୟ ଯନ୍ତ୍ରଣା ଭୋଗନ୍ତି ନାହିଁ ବୋଲି କଥିତ ଅଛି ।ଯେଉଁ ନାରୀ ମାନେ ଶୁଦ୍ଧ ମନରେ ଏହି ବ୍ରତ କରନ୍ତି ସେମାନଙ୍କର ସର୍ବ ଶୁଭ ହେବା ସହ ସବୁ ମନୋବାଞ୍ଚା ପୂର୍ଣ୍ଣ ହୋଇଥାଏ ।ଓଡିଶାରେ ଯେଉଁ କେତୋଟି ବ୍ରତ ନିଷ୍ଠାର ସହ ପାଳନ କରାଯାଇଥାଏ ତନ୍ମଧ୍ୟରୁ ସାବିତ୍ରୀ ବ୍ରତ ହେଉଛି ପ୍ରଧାନ ।କେବଳ ବିବାହିତା ନାରୀମାନେ ଏହାକୁ ପାଳନ କରିଥାଆନ୍ତି ।ଓଡ଼ିଆ ପରମ୍ପରାର ଏହି ସୁନ୍ଦର ନିଦର୍ଶନ ଯୋଗୁଁ ଆଜି ଗଢି ଉଠିଛି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପବିତ୍ର ସମ୍ପର୍କ ।ପରସ୍ପର ମଧ୍ୟରେ ଥିବା ଶ୍ରଦ୍ଧା,ଭରସା,ବିଶ୍ୱାସକୁ ପାଥେୟ କରି ଜୀବନର ଯାତ୍ରାରେ ଦୁହେଁ ସାଥି ହୋଇ ଚାଲିଥାଆନ୍ତି ।ସେ ସୁଖ ହେଉ ଅବା ଦୁଃଖ ସବୁ ଝଡ ଝଞ୍ଜାକୁ ସାଥି ହେଇ ମୁକାବିଲା କରିଥାଆନ୍ତି ।ପୁରାତନ ହେଉ ଅବା ଆଧୁନିକ ଓଡିଆ ନାରୀଟେ ସବୁବେଳେ ଚାହେଁ ସେ ସୌଭାଗ୍ୟବତୀ ହେଇଥାଉ ।ତା ସ୍ୱାମୀଙ୍କର ଜୀବନ ଦୀର୍ଘଜୀବୀ ହେଉ ।ସ୍ୱାମୀଙ୍କ କୋଳରେ ତା ଜୀବନ ଶେଷ ହେଉ ।ସ୍ୱାମୀଙ୍କ କାନ୍ଧରେ ସେ ମଶାଣିକୁ ଯାଉ । ସାବିତ୍ରୀ ବ୍ରତ ହେଉଛି ଆସ୍ଥା,ଭରସା,ବିଶ୍ୱାସର କଥା ।ଓଡ଼ିଆ ପରମ୍ପରାରେ ସାବିତ୍ରୀ ବ୍ରତ ପିଢ଼ି ପରେ ପିଢ଼ି ପାଳିତ ହୋଇ ଆସୁଅଛି ।ଏହି ବ୍ରତ କରି ଓଡ଼ିଆ ନାରୀଟି ଖୁସି ହେବା ସହ ନିଜକୁ ଖୁବ୍ ଗର୍ବିତ ଅନୁଭବ କରେ ।ସ୍ୱାମୀ ହିଁ ନାରୀର ସର୍ବଶ୍ରେଷ୍ଠ ଭୂଷଣ,ସବୁଠାରୁ ମୂଲ୍ୟବାନ ଅଳଙ୍କାର । ସ୍ୱାମୀ ହିଁ ଇହକାଳ ଓ ପରକାଳର ସାଥୀ । ଜଣେ ନାରୀ କାୟ ମନୋବାକ୍ୟରେ ସ୍ୱାମୀର ମଙ୍ଗଳ କାମନା କଲେ କେହି ତାହାର ଅନିଷ୍ଟ କରିପାରନ୍ତି ନାହିଁ । ଗୋଟିଏ ସୁସ୍ଥ ସମାଜ ଗଠନ ପାଇଁ ଏକ ସୁଖୀ ଦାମ୍ପତ୍ୟ ଜୀବନ ଏକାନ୍ତ ଆବଶ୍ୟକ ।ପତିପନôୀ ପରସ୍ପର ମଧ୍ୟରେ ସ୍ନେହ,ସୌହାର୍ଦ୍ଦ୍ୟ,ବିଶ୍ୱାସ ବୃଦ୍ଧି ହିଁ ସାବିତ୍ରୀ ବ୍ରତ ପାଳନର ଏକମାତ୍ର ଉଦେ୍ଦଶ୍ୟ କହିଲେ ଅତୁ୍ୟକ୍ତି ହେବ ନାହିଁ ।ଏହି ବ୍ରତ ପାଳନ କରି ନାରୀ ଯୁଗେ ଯୁଗେ ସଧବା ରହିଥାଆନ୍ତି ।ନାରୀଟି ପତିବ୍ରତା ହେବା ସହ ପୁତ୍ରବତୀ,ଧନବତୀ ହେବା ସାଙ୍ଗକୁ ଅନ୍ତିମ କାଳରେ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଅଛି ।ସତ୍ୟବାନରୂପୀ ପତିଦେବଙ୍କ ସୁରକ୍ଷା ନିମିତ୍ତ ଜଣେ ପତିବ୍ରତା ନାରୀ ସାବିତ୍ରୀଙ୍କ ତ୍ୟାଗ ଆମ ସମାଜରେ ପତି ପନôୀ ମଧ୍ୟରେ ଥିବା ତ୍ୟାଗ,ପ୍ରେମ ଓ ବିଶ୍ୱାସର ଧାରାକୁ ଆଜି ବି ବଳବତ୍ତର ରଖିଛି ।
ଅରଙ୍ଗାବାଦ, ବରୀ, ଯାଜପୁର
 ମୋବାଇଲ - ୮୨୪୯୫୦୨୭୭୬