ଶ୍ରୀ ଅନନ୍ତ ନାରାୟଣଙ୍କ ପୂଜୋତ୍ସବ 

 ଭଦ୍ରକ :  ଭଦ୍ରକ ସହର ଅନ୍ତର୍ଗତ ଠାକୁର ଅନନ୍ତ ନାରାୟଣ ମାର୍ଗ, ନରିପୁର (ଅସ୍ତଳ) ଗ୍ରାମରେ ପ୍ରତିବର୍ଷ ପରି ଚଳିତ ବର୍ଷ ପବିତ୍ର ‘ଅନନ୍ତ ବ୍ରତ’ ଉପଲକ୍ଷେ ପ୍ରସିଦ୍ଧ ଠାକୁର ଶ୍ରୀ ଶ୍ରୀ ଅନନ୍ତ ନାରାୟଣଙ୍କ ପୂଜା ଉତ୍ସବ, ଭଜନ ଓ ବିଭିନ୍ନ କାର୍ଯ୍ୟକ୍ରମ ୩ ଦିନ ବ୍ୟାପୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବ ସାର୍ବଜନୀନ ଓ ଗଣପର୍ବ ରୂପ ନେଇ ଶହେ ବର୍ଷରୁ ଊଦ୍ଧ୍ୱର୍ଧରି ଭକ୍ତି ଓ ନିଷ୍ଠାର ସହ ପାରମ୍ପରିକ ରୀତିରେ ପୁରଷାନୁକ୍ରମେ ପାଳିତ ହୋଇ ଆସୁଛି । ସାଳନ୍ଦୀ ନଦୀରେ କଳସ ବୁଡ଼ା ଯାଇ ଜଳ ଅଣାଯିବା ପରେ ଘଟ, ପୂଜା,ପାଠ, ହୋମ ଓ ପୂଜାର୍ଚ୍ଚନା ଆଦି ପ୍ରଭୁଙ୍କ ନୀତିକାନ୍ତି ପରମ୍ପରା ଅନୁଯାୟୀ ସମ୍ପନ୍ନ ହୋଇଥିଲା । ବାଙ୍ଗାଲୋର ଓ କୋଲକାତାରୁ ଆସିଥିବା କାରିଗରଙ୍କ ଦ୍ୱାରା ବିଭିନ୍ନ କିସମର ସୁବାସିତ ପୁଷ୍ପମାଲ୍ୟରେ ବିଗ୍ରହଙ୍କୁ ସୁସଜ୍ଜିତ କରାଯାଇ ମନ୍ଦିରର ଶୋଭାବର୍ଦ୍ଧନ କରାଯାଇଥିଲା । ମହାପ୍ରଭୁଙ୍କ ‘ଅନନ୍ତ ଶୟନ’ଦୃଶ୍ୟ ଚିତ୍ତାକର୍ଷକ ହୋଇଥିବାରୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଶ୍ରଦ୍ଧାଳୁ ମାନେ ଦର୍ଶନ କରିଥିଲେ । ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପୂଜାରେ ପଣ୍ଡିତ ତଥା ଅଧ୍ୟାପକ ମୁରଲୀଧର ଶତପଥୀ, ପଣ୍ଡିତ ଗୋବର୍ଦ୍ଧନ ମିଶ୍ର, ପଣ୍ଡିତ ଭିତିକାନ୍ତ ପାଢ଼ୀ ପୂଜାପାଠ କରିଥିଲେ । ଏଠାକୁ ବିଭିନ୍ନ ଅଂଚଳରୁ ଆସିଥିବା ବ୍ରତଧାରୀ ମହିଳାମାନେ ଉପବାସ କରି ମନ୍ଦିରରେ ନାଗ ଓ ବ୍ରତପୂଜା କରିଥିଲେ । ସନ୍ଧ୍ୟାରେ ପୂଜା ମଣ୍ଡପରେ ଗ୍ରାମାଂଚଳ ଥାନା ଜଳଙ୍ଗା କୁଆପଦାର ମା’ ବାଲ୍ୟମଙ୍ଗଳା ଭଜନ ମଣ୍ଡଳୀର ଗାୟକ ସୁବାସ ମଣ୍ଡଳ, ଦୀପ୍ତିମୟୀ ମଣ୍ଡଳ, ଅକ୍ଷୟ ଜେନା, କୃଷ୍ଣଚନ୍ଦ୍ର ରାଉତ, ଲକ୍ଷ୍ମୀଧର ରାଉତ, ଗଙ୍ଗାଧର ଜେନା ପ୍ରମୁଖ ଭଜନ ପରିବେଷଣ କରିଥିଲେ ।  ପୂଜା ଉତ୍ସବରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଡେପୁଟି କଲେକ୍ଟର କାର୍ତ୍ତିକନାଥ ମଣ୍ଡଳ, ଅତିରିକ୍ତ ଏସ୍ପି ସମ୍ବିତ କୁମାର ମାଝୀ, ବିଶିଷ୍ଟ ସମାଜସେବୀ କିଶୋର ମହାପାତ୍ର, ସିଡିଏମ୍ଓ ଡାକ୍ତର ସୁଧି ରଞ୍ଜନ ନାୟକ, ବରିଷ୍ଠ ଡାକ୍ତର ଆର.କେ. ନାୟକ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଧାୟକ ସଞ୍ଜୀବ ମଲ୍ଲିକ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ପ୍ରତିନିଧି ଶେଖର ମହାପାତ୍ର, ଜନ ପ୍ରତିନିଧିଗଣ, ଜିଲ୍ଲା ପ୍ରଶାସନିକ ଅଧିକାରୀ, ଆଇନଜୀବୀ, ସାମ୍ବାଦିକ, ଡାକ୍ତର, ବିଭିନ୍ନ ସାମାଜିକ ସାଂସ୍କୃତିକ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା, ପୋଲିସ ପ୍ରଶାସନ ଅଧିକାରୀ, ଗ୍ରାମବାସୀଙ୍କ ସମେତ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।