କମାପଲ୍ଲୀରେ ଜବରଦଖଲ ଉଚ୍ଛେଦ : ବଡ଼ ବଡିଆଙ୍କ ଉପରେ କେବେ ହେବ କାର୍ଯ୍ୟାନୁଷ୍ଠାନ?
 ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ ଏବଂ ପ୍ରଶାସନ ପକ୍ଷରୁ କମାପଲ୍ଲୀ ଠାରେ ଜବର ଦଖଲ ଉଚ୍ଛେଦ କରାଯାଇଛି ।  ବ୍ରହ୍ମପୁର ଉପ ଜିଲ୍ଲାପାଳ ଅବିନାଶ କୁମାରଙ୍କ ନେତୃତ୍ୱରେ ହୋଇଛି ଜବରଦଖଲ ଉଚ୍ଛେଦ । ପ୍ରକାଶ ଯେ, ସିଲ୍ଲକ ସିଟି ବ୍ରହ୍ମପୁରରେ ପ୍ରତି ଦୁଇ ମିନଟ୍ରେ କୋର୍ଟପେଟା ଛକ ଠାରୁ ଗେଟ୍ବଜାର, ରେଡ଼ିଓ ଷ୍ଟେସନ ସମେତ ସହରର ବିଭିନ୍ନ ୱାର୍ଡÿରେ ଟ୍ରାଫିକ୍ ସମସ୍ୟା ଲାଗି ରହିଛି । ତେବେ ପ୍ରଶାସନ ପକ୍ଷରୁ ଆଜି ତରବରିଆ ଭାବେ କମାପଲ୍ଲୀ ଅଞ୍ଚଳକୁ ଟାର୍ଗେଟ କରି ଜବରଦଖଲ ଉଚ୍ଛେଦ କରାଯାଉଛି । ସହରର ଅତି ସମ୍ବେଦନଶୀଳ ରାସ୍ତା ହେଉଛି, କୋର୍ଟପେଟା ଠାରୁ ଗେଟବଜାର ।  ବିଏମସି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ବଡିଆମାନଙ୍କ ଲାଞ୍ଜରେ ହାତ ମାରିବାକୁ ଏତେ ଭୟ କାହିଁକି ବୋଲି ଆଜି ଜବର ଦଖଲ ଉଚ୍ଛେଦ ପରେ ଚର୍ଚ୍ଚା ଜୋର ଧରିଛି । ବ୍ରହ୍ମପୁରର ଜନସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଯେଉଁଠି ଦୁଇ ଥାକିଆ ରାସ୍ତା ଜାଗାରେ ରାସ୍ତା ନିର୍ମାଣ ନ କରି ଅଣ ଓସାରିଆ ରାସ୍ତାରେ ଦୁଇ ଥାକିଆ ରାସ୍ତା ନିର୍ମାଣ କରିବାର ବିଏମସିର ଅଜବ ନୀତି ବୋଲି ଲୋକେ ଆଲୋଚନା କରୁଛନ୍ତି । 
ବିନା ମାଷ୍ଟର ପ୍ଲାନରେ ସରକାରୀ ଅର୍ଥ ହରିଲୁଟ କରିବାକୁ ଯେଉଁଠି ଚାହିଁବେ ସେଠି ଡ଼ିଭାଇଡ଼ର ନିର୍ମାଣ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ହଉଥିବା ମଧ୍ୟ ଚର୍ଚ୍ଚା ହୋଇ ଆସୁଛି । ସହରରେ ଆଜି ବୁଲଡୋଜର ବୁଲିଲା ଛୋଟ କାଟିଆ ବ୍ୟବସୟୀମାନଙ୍କ ଦୋକାନ ଉପରେ, ବଡ଼ ବଡିଆମାନଙ୍କ ଉପରେ କେବେ ବିଏମସିର ବୁଲଡଜର ଚାଲିବ ବୋଲି ସାଧାରଣରେ ପ୍ରଶ୍ନ । ଡବଲ ଇଞ୍ଜିନ ସରକାର ଆସିବା ପରେ ସରକାରୀ ଜମି ଜବରଦଖଲକାରୀଙ୍କୁଙ୍କୁ କ୍ଷମା କରାଯିବ ନାହିଁ ଆମେ ବୁଲଡୋଜରରେ ଜବାବ ଦେବୁ କହି ବାହାସ୍ପଟ ମାରିଥିବା ସରକାର ଏବେ ଗଞ୍ଜାମ ଜିଲ୍ଲାରେ କାହିଁକି ପଛଗୁଞ୍ଜା ଦେଉଥିବା ଆଲୋଚନା ହେଲାଣି ।  ଉଲ୍ଲେଖ ଯେ, ଗଞ୍ଜାମ ଜିଲ୍ଲାରେ ଗୋଚର ଓ ସରକାରୀ ଜମି ଉପରେ ମାଫିଆମାନେ ଜବରଦଖଲରେ ରହିଛନ୍ତି । କିନ୍ତୁ ଏହା ଉପରେ ଦୃଷ୍ଟି ପଡୁନାହିଁ ପ୍ରଶାସନର । ଅଭିଯୋଗ ପରେ ବି ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଛି ।                        
 
 Rasmita Behera
                                    Rasmita Behera                                 
    
 
    
 
 
 
