ଓଡିଆ ସାହିତ୍ୟରେ ଗଡଜାତଙ୍କ ଅବଦାନ

ଡ. ରଜତ କାନ୍ତ ଦାଶ : 
ଗଡଜାତ ରାଜ୍ୟଗୁଡିକୁ ନେଇ ଲିଖିତ ଇତିହାସର ଦୁଇଟି ଧାରା ଦେଖିବାକୁ ମିଳେ  । ଉନବିଂଶ ଏବଂ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଗଡଜାତ ରାଜ୍ୟଗୁଡିକୁ ନେଇ ଲେଖାଯାଇଥିବା ଇତିହାସରେ ସେଠାକାର ରାଜାଙ୍କ ବୀରଗାଥା, ରାଜବଂଶର ଇତିହାସ, ପରମ୍ପରା ଓ ରୀତିନୀତି ସବୁ ଦର୍ଶାଯାଇଛି  । ଯେଉଁଥିରେ ଗଡଜାତଗୁଡିକର ଗୌରବାନ୍ୱିତ ଅତୀତକୁ ଦେଖାଇବାକୁ ଚେଷ୍ଟା କରାଯାଇଛି  । ତେବେ ବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଉପନିବେଶ ଏବଂ ସ୍ଥାନୀୟ ଐତିହାସିକଙ୍କ ଦ୍ୱାରା ଲିଖିତ ଇତିହାସରେ ବିଶେଷକରି ଗଡଜାତଗୁଡିକର ଶୋଷଣକାରୀ ନୀତି ଏବଂ ଲୋକଙ୍କ ଉପରେ ଘଟୁଥିବା ଅତ୍ୟାଚାର ଏବଂ ଶୋଷଣ ବିରୁଦ୍ଧରେ ସେଠାକାର ପ୍ରଜା କରୁଥିବା ଆନେ୍ଦାଳନକୁ ଦେଖାଯାଇଛି  । ଏହି ଦୁଇ ଧାରା ଦୁଇଟି ବିଭାଜକ ବିଚାରଧାରାରେ ଗଠିତ ହୋଇଛି ଯଥା; ଗୋଟିଏ ଗୌରବାନ୍ୱିତ ଅତୀତ ଏବଂ ଏବଂ ଅନ୍ୟଟି ଗଡଜାତ ରାଜାଙ୍କ ଅତ୍ୟାଚାରରେ ପ୍ରପୀଡିତ ଲୋକଙ୍କ ଆନେ୍ଦାଳନ  । ଏହି ଦୁଇ ଇତିହାସ ଧାରାର ସଂଘର୍ଷରେ ଓଡିଶା ଭାଷା ସାହିତ୍ୟରେ ଉକ୍ତ ଅଞ୍ଚଳର ଯୋଗଦାନ ଲୋକଲୋଚନକୁ ଆସିପାରି ନାହିଁ  । ଏପରିକି ସ୍ୱାଧୀନତା ପରେ ଗଡଜାତଗୁଡିକ ଉପରେ ଲିଖିତ ଇତିହାସ ରାଜତନ୍ତ୍ରର ଅପକାରିତାକୁ ଦେଖାଇଛି  । ବେଠି, ବଗାରୀ, ରାସଦ, ମାଗଣ ଭଳି ଶୋଷଣକାରୀ ନୀତି ବୁରୁଦ୍ଧରେ ଗଡଜାତ ପ୍ରଜାଙ୍କ ଆନେ୍ଦାଳନ ଓ ରାଜତନ୍ତ୍ରର ଅନ୍ତକୁ ହିଁ ଗୁରୁତ୍ୱ ପ୍ରଦାନ କରାଯାଇଛି ଓ ଏହି ରାଜ୍ୟଗୁଡିକୁ ଅନ୍ଧାରୀମୁଲକର ଆଖ୍ୟା ଦିଆଯାଇଛି  ।
ଉଲ୍ଲେଖଯୋଗ୍ୟ ଯେ, ୧୫୬୮ରେ ଆଫଗାନ ଓ ପରେ ୧୫୯୦-୯୨ରେ ମୁଗଲମାନେ ଓଡିଶାକୁ ଅକ୍ତିଆର କରିଥିଲେ  । ସେହି ସମୟରେ ଭୌଗୋଳିକ ଦୃଷ୍ଟିରୁ ପ୍ରଶାସନର ସୁପରିଚାଳନା ପାଇଁ ଆକବରଙ୍କ ରାଜସ୍ୱ ମନ୍ତ୍ରୀ ତୋଡର ମଲ ଓଡିଶାକୁ ଦୁଇଟି ପୃଥକ ଅଞ୍ଚଳରେ ବିଭକ୍ତ କରିଥିଲେ ଯଥା; ୧- ମୁଗଲବନ୍ଦୀ, ୨- ଗଡଜାତ  । ମୁଗଲବନ୍ଦୀ କହିଲେ ସମତଳ, ଉର୍ବର ଭୂଖଣ୍ଡ ଥିବା ଓଡିଶାର ଉପକୂଳ ଅଞ୍ଚଳ, ଯାହା ସିଧାସଳଖ ଭାବେ ମୁଗଲଙ୍କ ଶାସନ ଅଧୀନରେ ଥିଲା ଏବଂ ଗଡଜାତ କହିଲେ ଅନୁର୍ବର, ପର୍ବତ ଓ ଘଞ୍ଚ ଜଙ୍ଗଲ, ଯାହା ସ୍ଥାନୀୟ ମୁଖିଆ (ପ୍ରାୟତଃ ରାଜା ବୋଲି ସମ୍ବୋଧିତ ହୁଅନ୍ତି)ଙ୍କ ଦ୍ୱାରା ଶାସିତ ହେଉଥିଲା  । ୧୭୫୧ରେ ମରାଠା ଓ ୧୮୦୩ରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଓଡିଶାକୁ ଅକ୍ତିଆର କରିଥିଲେ ମଧ୍ୟ ଏହି ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରିନଥିଲେ  । ୧୮୫୭ର ମହାନ ବିଦ୍ରୋହ ପରେ ଗଡଜାତଗୁଡିକ ବ୍ରିଟିଶ ରାଣୀଙ୍କ ସାର୍ବଭୌମତ୍ୱକୁ ସ୍ୱୀକାର କରିଥିଲେ  । ବ୍ରିଟିଶ ଶାସକମାନେ ଏହି ରାଜ୍ୟଗୁଡିକର ଆଭ୍ୟନ୍ତରୀଣ ଓ ପ୍ରଶାସନିକ ମାମଲାରେ ବହୁ କମ ମାତ୍ରାରେ ହସ୍ତକ୍ଷେପ କରୁଥିଲାବେଳେ ଗଡଜାତର ରାଜାମାନେ ନିଜ ଇଛା ଅନୁସାରେ ଶାସନ କରୁଥିଲେ ।
ବିଶେଷ କରି ମରାଠା ଶାସନ କାଳରେ (୧୭୫୧ରୁ ୧୮୦୩) ପର୍ଯ୍ୟନ୍ତ ଉପକୂଳ ଓଡିଶା ତୁଳନାରେ ଅଧିକ ମାତ୍ରାରେ ଗଡଜାତଗୁଡିକରେ ଉଭୟ ସଂସ୍କୃତ ଏବଂ ଓଡିଆ ସାହିତ୍ୟର ପ୍ରଭାବ ଦେଖିବାକୁ ମିଳିଥିଲା  । ଏହି ସମୟରେ ପୁରୀ ଏବଂ ଖୋର୍ଦ୍ଧାର ପ୍ରତୀକାତ୍ମକ ଢାଞ୍ଚାକୁ ଅନୁସରଣ କରିବା ପୂର୍ବକ ଗଡଜାତ ରାଜ୍ୟର ରାଜାମାନେ ବ୍ରାହ୍ମଣମାନଙ୍କୁ ନେଇ ଶାସନ ଗ୍ରାମ ପ୍ରତିଷ୍ଠା କରିବା ସହ ନିଜ ରାଜଧାନୀରେ ହିନ୍ଦୁ ମନ୍ଦିରମାନ ନିର୍ମାଣ କରିଥିଲେ  । ଫଳରେ ଶିକ୍ଷା ଏବଂ ସାହିତ୍ୟର କେନ୍ଦ୍ର ଭାବରେ ଏହି ରାଜ୍ୟଗୁଡିକର ଆବିର୍ଭାବ ଘଟିଥିଲା  । ବିଂଶ ଶତାବ୍ଦୀରେ ଉପନିବେଶ ବିରୋଧୀ ଜାତୀୟତା ସୃଷ୍ଟି ଏବଂ ସ୍ୱତନ୍ତ୍ର ଓଡିଶା ଗଠନରେ ଏହି ରାଜ୍ୟଗୁଡିକର ଗୁରୁତ୍ୱ ଥିଲେ ମଧ୍ୟ ଅନ୍ଧାରୀମୁଲକର ପରିଚୟ ଯୋଗୁଁ ଏହି ରାଜ୍ୟଗୁଡିକ ଇତିହାସରେ ସଠିକ ସ୍ଥାନ ପାଇବାରୁ ବଞ୍ଚôତ ହୋଇଛନ୍ତି ।
ଇଂରେଜ ଶାସନ କାଳରେ ଉନବିଂଶ ଶତାବ୍ଦୀ ଥିଲା ଓଡିଆ ଭାଷାଭାଷୀ ଅଞ୍ଚଳ (ଖଣ୍ଡ ବିଖଣ୍ଡିତ ଓଡିଶା) ପାଇଁ ଚରମ ଦୁର୍ଦ୍ଦିନର ସମୟ  । ୧୮୬୬ ନ’ଅଙ୍କ ଦୁର୍ଭିକ୍ଷର ମାତ୍ର ୨ ବର୍ଷ ପରେ ୧୮୬୮ରେ ଆରମ୍ଭ ହୋଇଥିଲା ଓଡିଆ ଭାଷା ବିଲୋପ ଆନେ୍ଦାଳନ  । ଏହି ସମୟରେ ଓଡିଶାର ବିଭିନ୍ନ ଗଡଜାତର ରାଜା, ଜମିଦାର ନିଜ ଭାଷାକୁ ବଞ୍ଚାଇବା ପାଇଁ ଆଗକୁ ଆସିଥିଲେ  । ଏହି ସମୟରେ ବ୍ୟବସାୟିକ ଭିତ୍ତିରେ ପ୍ରକାଶନ ସଂସ୍ଥା ଆରମ୍ଭ ହୋଇନଥିଲା ଓ ପାଠ୍ୟପୁସ୍ତକ ଛାପିବା ପାଇଁ ଓଡିଶାରେ ପର୍ଯ୍ୟାପ୍ତ ପ୍ରେସ୍ ବା ଛାପାଖାନା ନଥିଲା  । ଫଳରେ ଗଡଜାତଗୁଡିକର ରାଜା ଏବଂ ମହାରାଜାଙ୍କ ସହଯୋଗରେ କିଛି ପୁସ୍ତକ ଓ ଗ୍ରନ୍ଥ ପ୍ରକାଶ ପାଇଥିଲା  । ରାଧାନାଥ, ମଧୁସୂଦନ ରାଓ ପ୍ରଭୃତିଙ୍କ ଗ୍ରନ୍ଥାବଳୀ ରାଜଦରବାର ସାହାଯ୍ୟରେ ପ୍ରକାଶିତ ହେବା ସମ୍ଭବ ହୋଇଥିଲା  । ଏପରିକି ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ସଂକଳିତ ବିଶାଳ ପୂର୍ଣ୍ଣଚନ୍ଦ୍ର ଓଡିଆ ଭାଷାକୋଷ ଗଡଜାତ ରାଜାଙ୍କ ସହଯୋଗ ବିନା ପ୍ରକାଶିତ ହେବା ସମ୍ଭବ ହୋଇନଥାନ୍ତା  । ବ୍ୟବସାୟିକ ପ୍ରକାଶନ ସଂସ୍ଥାର ଆବିର୍ଭାବ ପୂର୍ବରୁ ଓଡିଶାର କେତୋଟି ଗଡଜାତ ପୁସ୍ତକ ପ୍ରକାଶନ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ  । ବାଲେଶ୍ୱର ରାଜା ବୈକୁଣ୍ଠନାଥ ଦେଙ୍କ ଦ୍ୱାରା ପ୍ରତିଷ୍ଠିତ ଦେ’ ପ୍ରେସରୁ ୧୮୭୩ରେ ‘ଉକôଳ ଦର୍ପଣ’ ପ୍ରକାଶ ପାଇଥିଲା  । ସେହିପରି ଏହି ପ୍ରେସରୁ ରାଧାନାଥ ରାୟଙ୍କ ଭୂଗୋଳ, ଗୌରୀଶଙ୍କର ରାୟଙ୍କ ଭୂଗୋଳ ତତ୍ତ୍ୱ ୧ମ, ୨ୟ, ଫକିରମୋହନଙ୍କ ସାତକାଣ୍ଡ ରାମାୟଣ ଓ ବୌଦ୍ଧାବତାର କାବ୍ୟ ପ୍ରକାଶ ପାଇଥିଲା  । ଯେତେବେଳେ ଓଡିଆ ଭାଷା ନାନା ସଂକଟର ସମ୍ମୁଖୀନ ଥିଲା ଓ ଓଡିଶାରେ ବିଶ୍ୱବିଦ୍ୟାଳୟ ନଥିଲା, ସେହି ସମୟରେ ସୋନପୁର ରାଜା ବୀରମିତ୍ରୋଦୟ ସିଂହଦେଓ ୫୧୦୦୦ ଟଙ୍କା ଦାନ କରି କଲିକତା ବିଶ୍ୱବିଦ୍ୟାଳୟରେ ଓଡିଆ ସାହିତ୍ୟରେ ସ୍ନାତକୋତ୍ତର ଶ୍ରେଣୀ ଖୋଲିଥିଲେ  । ଓଡିଶାର ଗଡଜାତ ରାଜ୍ୟମାନଙ୍କ ମଧ୍ୟରେ ବାମଣ୍ଡା ଥିଲା ସାହିତ୍ୟସେବୀମାନଙ୍କର ଏକ ତୀର୍ଥକ୍ଷେତ୍ର  । ବାମଣ୍ଡା ରାଜା ସୁଢଳ ଦେବ ୧୮୮୫ ମସିହାରେ କଟକରେ ସୁଢଳ ପ୍ରେସ ପ୍ରତିଷ୍ଠା କରିଥିଲେ  । ଏହି ପ୍ରେସରୁ ଚତୁର୍ଭୁଜ ପଟ୍ଟନାୟକଙ୍କ ସଂପାଦନରେ ‘ସଂସ୍କାରକ’ ଓ ‘ସେବକ’ ପ୍ରକାଶ ପାଇଥିଲା  । ପରେ ୧୮୮୬ରେ ସୁଢଳ ପ୍ରେସକୁ ବାମଣ୍ଡା ରାଜଧାନୀ ଦେବଗଡକୁ ସ୍ଥାନାନ୍ତର କରାଗଲା ଓ ଏହାର ନାମକରଣ ହେଲା ଜଗନ୍ନାଥ ବଲ୍ଲଭ ପ୍ରେସ  । ଏହାସହ ସେ କାଳିକା ପ୍ରେସ ନାମରେ ଆଉ ଏକ ପ୍ରେସ ପ୍ରତିଷ୍ଠା କରିଥିଲେ  । ଜଗନ୍ନାଥ ବଲ୍ଲଭ ପ୍ରେସରୁ ୧୮୮୯ ମେ ମାସ ୩୦ ତାରିଖରେ ପଣ୍ଡିତ ନୀଳମଣି ବିଦ୍ୟାରନôଙ୍କ ସଂପାଦନାରେ ଜନ୍ମଗ୍ରହଣ କରିଥିଲା ସମ୍ବଲପୁର ହିତୈଷିଣୀ ପତିକ୍ରା  । ଏହି ପ୍ରେସରୁ ୧୮୯୩ରେ ‘ବିଜୁଳି’ ଓ ୧୯୦୦ରେ ‘ଉକôଳ ମଧୁପ’ ଓ ‘ଆଲୋଚନା’ ସାହିତ୍ୟ ପତ୍ରିକା ପ୍ରକାଶ ଲାଭ କରିଥିଲା  । ବାମଣ୍ଡା ଦରବାର ପକ୍ଷରୁ ରାଧାନାଥ ରାୟଙ୍କୁ ‘କବିବର’ ଉପାଧି ପ୍ରଦାନ କରାଯାଇଥିଲା  । ବାମଣ୍ଡା ରାଜଦରବାର ପକ୍ଷରୁ ଦେବଗଡଠାରେ ଆୟୋଜିତ ଏକ ସାରସ୍ୱତ ସମାରୋହରେ ୧୯୧୬ରେ ବ୍ୟାସକବି ଫକିର ମୋହନ ସେନାପତିଙ୍କୁ ‘ସରସ୍ୱତୀ’ ଉପାଧି, ଭୁବନେଶ୍ୱର ବଡପଣ୍ଡାଙ୍କୁ ‘ବକୁଳ କବି’, ଦାମୋଦର ମିଶ୍ରଙ୍କୁ ‘ପଦ୍ୟାଳଙ୍କାର’ ଓ ପଦ୍ମଲୋଚନ ଦାଶଙ୍କୁ ‘କଥକ ଶିରୋମଣି’ ଉପାଧି ପ୍ରଦାନ କରାଯାଇଥିଲା  । ଅନୁରୂପ ଭାବେ ବଲାଙ୍ଗିର ରାଜାଙ୍କ ଉଦ୍ୟମରେ ଦଳ ଗଂଜନ ପ୍ରେସ, କୋଶଳ କଳାମଣ୍ଡଳ ପ୍ରେସ ଓ ରାଜବାଟି ପ୍ରେସ୍ ପ୍ରତିଷ୍ଠା ହୋଇଥିଲା  । କୋଶଳ କଳାମଣ୍ଡଳ ପ୍ରେସରୁ  ୧୯୪୬ରେ ‘ଚତୁରଙ୍ଗ’ ସାହତ୍ୟ ମାସିକ ପତ୍ରିକା ପ୍ରକାଶ ପାଇଥିଲା । ଖଡିଆଳର ରାଜା ବ୍ରଜରାଜ ସିଂହଦେଓ ଜଣେ ପ୍ରସିଦ୍ଧ କବିଥିଲେ ଓ ତାଙ୍କର ଦୁଇଟି କାବ୍ୟ ‘ବ୍ରଜବନ୍ଧୁ ବିଳାସ’ ଓ ‘ରୂପମଞ୍ଜରୀ’ ବିଶେଷ ପ୍ରସିଦ୍ଧି ଅର୍ଜନ କରିଥିଲା  । ଓଡିଶାର ସବୁଠୁ ବଡ ଗଡଜାତ ରାଜ୍ୟ ମଧ୍ୟରେ ମୟୁରଭଞ୍ଜ ରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ଦାନରେ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଲିଖିତ ‘ପୂର୍ଣ୍ଣଚନ୍ଦ୍ର ଓଡିଆ ଭାଷାକୋଷ’ ପ୍ରକାଶ ପାଇଥିଲା  ।‘ଉକôଳ ସାହିତ୍ୟ ସମାଜ’ ଗଠନରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ  ।
ବଣାଇ ରାଜା ଧରଣୀଧର ଇନ୍ଦ୍ର ଦେଓଙ୍କ ଆର୍ଥିକ ସହାୟତାରେ ଶଶିଭୂଷଣ ରଥ ୧୯୧୩ରେ ‘ଆଶା’ ସାହିତ୍ୟ ପତ୍ରିକା ପ୍ରକାଶ କରିଥିଲେ । ଖଲିକୋଟ ରାଜା ହରିହର ମର୍ଦ୍ଦରାଜ, ଧରାକୋଟ ରାଜା ମଦନ ମୋହନ ସିଂହଦେଓ ଏବଂ ପାରଳାଖେମୁଣ୍ଡି ମହାରାଜା ଗୌରଚନ୍ଦ୍ର ଗଜପତି ନାରାୟଣ ଦେଓଙ୍କ ସହଯୋଗରେ ୧୮୯୫ରେ ଗଞ୍ଜାମ ସମ୍ମିଳନୀ ଆୟୋଜିତ ହୋଇଥିଲା  । ଗଞ୍ଜାମ ସମ୍ମିଳନୀର ପ୍ରସ୍ତାବ ଓ ଉକôଳ ଗୌରବ ମଧୁସୂଦନଙ୍କ ପରାମର୍ଶ ଅନୁସାରେ କଟକଠାରେ ୧୯୦୩ ଡିସେମ୍ବର ଉକôଳ ସମ୍ମିଳନୀ ଆରମ୍ଭ ହୋଇଥିଲା ଓ ଏହାର ପ୍ରଥମ ଅଧିବେଶନରେ ମୟୁରଭଞ୍ଜ ରାଜା ରାମଚନ୍ଦ୍ର ଭଞ୍ଜ ଦେଓଙ୍କ ସଭାପତିତ୍ୱ କରିଥିଲେ  । ୧୯୦୪ରେ କଟକଠାରେ ଆୟୋଜିତ ଏହାର ଦ୍ୱିତୀୟ ସମ୍ମିଳନୀରେ ଧରାକୋଟ ରାଜା ମଦନମୋହନ ସିଂହ ଦେଓ ସଭାପତିତ୍ୱ କରିଥିଲେ  । ରାଜା ମଦମୋହନ ସିଂହଙ୍କ ଦ୍ୱାରା ପ୍ରତିଷ୍ଠିତ ‘କେଶରୀ ପ୍ରେସ’ରୁ ୧୯୦୬ରେ ‘କେଶରୀ’ ଓ ୧୯୦୯ରେ ‘ଜ୍ଞାନଦର୍ପଣ’ ଓ ୧୯୧୭ରେ ‘ସମ୍ବାଦମିତ୍ର’ ନାମକ ପତ୍ରିକା ପ୍ରକାଶ ପାଇଥିଲା  । ଧରାକୋଟ ରାଜା କୃଷ୍ଣସିଂହ ସଂସ୍କୃତ ମହାଭାରତକୁ ଓଡିଆରେ ଅନୁବାଦ କରିଥିଲେ  । ଏହି କ୍ରମରେ ଖଣ୍ଡପଡା ରାଜା ନାରାୟଣ ସିଂହ ମଙ୍ଗରାଜଙ୍କ ପୃଷ୍ଠପୋଷକତାରେ ଦୀନବନ୍ଧୁ ମିଶ୍ର ସଂସ୍କୃତ ଭାଗବତକୁ ଓଡିଆରେ ଅନୁବାଦ କରିଥିଲାବେଳେ କବି ଅନାଦି ମିଶ୍ର ‘ମଣିମାଳା’ କାବ୍ୟ ରଚନା କରିଥିଲେ  । ଖଣ୍ଡପଡା ରାଜା କିଶୋର ଚନ୍ଦ୍ରଙ୍କ ଅନୁଦାନରେ ସାମନ୍ତ ଚନ୍ଦ୍ରଶେଖରଙ୍କ ‘ସିଦ୍ଧାନ୍ତ ଦର୍ପଣ’ ପ୍ରକାଶ ପାଇଥିଲା  । ତାଳଚେର ରାଜା କିଶୋର ଚନ୍ଦ୍ର ୧୮୯୧ରେ କିଶୋର ପ୍ରେସ ସ୍ଥାପନ କରିଥିଲେ ଓ ଏହି ପ୍ରେସରୁ ‘ଗଡଜାତ ବାସିନୀ’ ନାମକ ଏକ ପତ୍ରିକା ପ୍ରକାଶ ପାଉଥିଲା  । ରାଜାଙ୍କ ପୁତ୍ର ପ୍ରମୋଦ ଚନ୍ଦ୍ର ବାହାଦୁରଙ୍କ ପୃଷ୍ଠପୋଷକତାରେ ରାଜପୁରୋହିତ କପିଳେଶ୍ୱର ପାଟ୍ଟଯୋଶୀ, ପଣ୍ଡିତ ମାଗୁଣି ମିଶ୍ର ଏବଂ ପଣ୍ଡିତ ଦାମୋଦର ମିଶ୍ରଙ୍କ ଦ୍ୱାରା ଲିଖିତ ଓଡିଆ ଅଭିଧାନ ‘ପ୍ରମୋଦ ଅଭିଧାନ’ ୧୯୪୨ରେ ପ୍ରକାଶ ପାଇଥିଲା  ।
ମହୁରୀ ଜମିଦାର କୃପାସିନ୍ଧୁ ନରେନ୍ଦ୍ର ଦେବ ବ୍ରହ୍ମପୁର ସହରରେ ‘ରୟାଲ ପ୍ରେସ’ ପ୍ରତିଷ୍ଠା କରିଥିଲେ  । ତାଙ୍କ ସଂପାଦନାରେ ସେଠାରୁ ୧୯୩୦ରେ ‘ନବୀନ’  ଓ ୧୯୪୫ ମସିହାରେ ‘ପ୍ରଭାତ’ ଏବଂ ମାସିକ ସାହିତ୍ୟ ପତ୍ରିକା ‘ଶିଶିର’ ପ୍ରକାଶ ପାଇଥିଲା  । ମୁଦ୍ରଣଯନ୍ତ୍ର ଆସିବା ପରେ କେନ୍ଦୁଝର ଦରବାର ଆନୁକଲ୍ୟରେ ଗୋବିନ୍ଦ ଭଞ୍ଜଙ୍କ ଲିଖିତ ଭକ୍ତ ବିନୋଦ, ଚରଣ ସୁଧାନିଧି, ରାମଗାଥା ଓ ବଉଳା ଚରିତ ପ୍ରକାଶ ପାଇଥିଲା  । ଢେଙ୍କାନାଳ ରାଜ୍ୟ ଅଧୀନରେ ଥିବା ହଦଗଡ ରାଜ୍ୟର ରାଜା ବଳରାମ ସାମନ୍ତ ସିଂହାରଙ୍କ ପୃଷ୍ଠପୋଷକତାରେ କବି ଦୀନକୃଷ୍ଣ ଦାସ ‘ରସବିନୋଦ, ରସକଲ୍ଲୋଳ, ଗୁଣସାଗର, ଅମୃତସାଗର, ମୁକ୍ତିସାଗର, ପ୍ରସ୍ତାବ ସିନ୍ଧୁ, ରସ ସମୁଦ୍ର, ସଂସାର ବୋଧନ, ଜଗମୋହନ ଛାନ୍ଦ, ଆର୍ତ୍ତତ୍ରାଣ ଚଉତିଶା ପ୍ରଭୃତି କାବ୍ୟ ରଚନା କରିଥିଲେ  । ସେହିପରି ଢେଙ୍କାନାଳ ରାଜା ନୃସିଂହ ଭ୍ରମରବର ରାୟଙ୍କ ରଚିତ ‘ଦଶବୋଲି’, ରାଜା କୁଞ୍ଜବିହାରୀ ଭ୍ରମରବର ରାୟଙ୍କ ରଚିତ ‘ପ୍ରେମଶୀଳା’, ରାଜା ବ୍ରଜବିହାରୀ ଭ୍ରମରବର ରାୟଙ୍କ ରଚିତ ‘ବ୍ରଜବିହାରୀ ପଦ୍ୟାବଳୀ’ ଓଡିଆ ସାହିତ୍ୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରନ୍ତି  । ଢେଙ୍କାନାଳ ରାଜାଙ୍କ ପୃଷ୍ଠପୋଷକତାରେ କବି ବଜ୍ରନାଥ ବଡଜେନା ଗୋପ ବିଳାପ, ଅମ୍ବିକାବିଳାସ, ଚତୁର ବିନୋଦ, କେଳକଳାନିଧି, ଦେଶପୋଇ ଓ ସମରତରଙ୍ଗ ରଚନା କରିଥିଲେ  ।
ତେଣୁ ଓଡିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିବାରେ ଅନ୍ଧାରୀମୁଲକ କୁହାଯାଉଥିବା ଗଡଜାତଗୁଡିକର ଅବଦାନ ଅତୁଳନୀୟ  ।
ବ୍ୟାସନଗର ସ୍ୱଂୟଶାସିତ ମହାବିଦ୍ୟାଳୟ, 
ଯାଜପୁର ରୋଡ, ଯାଜପୁର