ପାରିବାରିକ ଜୀବନ

ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର : ସଂସାର ଏକ ଧର୍ମଶାଳା ଏବଂ ସଂସାରରେ ପାରିବାରିକ ଜୀବନଯାପନ ଶ୍ରେଷ୍ଠ ସାଧନା ବୋଲି ମୁଁ ମନେ କରେ  । ସରଳ, ନିଷ୍କପଟ, ସୃଜନଶୀଳ ଓ ଶାନ୍ତିର ପାରିବାରିକ ଜୀବନ ସଂସାରକୁ ସ୍ୱର୍ଗରେ ପରିଣତ କରିଥାଏ  । ପୂଜ୍ୟ ଗୁରୁଦେବ, ଅନ୍ୟାନ୍ୟ ସାଧୁସନ୍ଥ ଓ ପିତାମାତାଙ୍କୁ ଆଶୀର୍ବାଦରୁ ମୋର ପାରିବାରିକ ଜୀବନ ସୁଖରେ କଟିଛି  । ଆମ ପରିବାରର କେନ୍ଦ୍ରବିନ୍ଦୁ ଥିଲେ ଶ୍ରୀଜଗନ୍ନାଥ  । ପ୍ରତ୍ୟେହ ତାଙ୍କ ଉପାସନାରୁ ଆମ ପରିବାରର ଦୈନନ୍ଦିନ ଜୀବନଯାତ୍ରା ଆରମ୍ଭ ହୁଏ  । ଏହି ଉପାସନା ମାଧ୍ୟମରେ ସମଗ୍ର ପରିବାରଟି ଶ୍ରୀଜଗନ୍ନାଥଙ୍କ  ନିକଟତର ହୋଇଯାଏ ତଥା ଏହାଦ୍ୱାରା ସନ୍ତାନସନ୍ତତିମାନେ ସୁଶିକ୍ଷା ଲାଭ କରନ୍ତି  । ବଡକଥା ହେଉଛି, ଆମ ସ୍ୱାମୀ-ସ୍ତ୍ରୀ ସବୁବେଳେ ଆଦର୍ଶ ଜୀବନଯାପନ କରୁଥିବାରୁ ତାହାର ପ୍ରଭାବ ପିଲାଙ୍କ ଉପରେ ପଡିଥାଏ  । ସେମାନେ ଆମକୁ ଅନୁକରଣ କରନ୍ତି  । ସେମାନଙ୍କୁ ବ୍ରାହ୍ମ ମୁହୂର୍ତ୍ତରୁ ଉଠାଇବା, ବିଭିନ୍ନ ସ୍ତବସ୍ତୋତ୍ର ମୁଖ୍ୟସ୍ଥ କରାଇବା, ପ୍ରାର୍ଥନା ସମୟରେ ପାଖରେ ବସାଇ ପ୍ରାର୍ଥନା ଶିକ୍ଷା ଦେବା, ବିଭିନ୍ନ ସଦ୍ଗ୍ରନ୍ଥ ପଢାଇବା, ନୈତିକ ଶିକ୍ଷା ଦେବା, ସାଧୁସନ୍ଥ ଓ ଗୁରୁଜନମାନଙ୍କୁ ସମ୍ମାନ କରିବା ତଥା ସର୍ବଦା ସତ୍ୟପଥ ଅନୁସରଣ କରିବାକୁ ଉପଦେଶ ଦେବାକୁ ଆମେ ପରମକର୍ତ୍ତବ୍ୟ ବୋଲି ବିବେଚନା କରିଥିଲୁ  । ଏହାଦ୍ୱାରା ସେମାନଙ୍କ ଭିତରେ ଦିବ୍ୟଭାବ ଜାଗ୍ରତ ହୋଇ ମନ ପବିତ୍ର ରହୁଥିଲା ଏବଂ ଆଧ୍ୟାତ୍ମିକ ସଂସ୍କାର ବୃଦ୍ଧି ହେଉଥିଲା  । ମୁଁ କର୍ମକ୍ଷେତ୍ରକୁ ଗଲା ପରେ ମୋ ସହଧର୍ମିଣୀ ପିଲାଙ୍କୁ ସତ୍ ପଥରେ ଚାଳିତ କରିବାକୁ ଶିକ୍ଷା ଦେଉଥିଲେ  ।
ଶ୍ରୀଜଗନ୍ନାଥଙ୍କ କରୁଣାରୁ ଆମର ଚାରିଗୋଟି କନ୍ୟା ଓ ଦୁଇଗୋଟି ପୁତ୍ର ହେଲେ  । ଏହି ଛଅଜଣ ଆମ ପ୍ରତି ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ବୋଲି ଆମେ ଭାବୁଥିଲୁ  । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଜୀବାତ୍ମା  ଭାବରେ ଆମ କୋଳରେ ଜନ୍ମିଛନ୍ତି ଏବଂ ଏହି ଜୀବାତ୍ମାମାନଙ୍କ ସେବାରେ ଜୀବନକୁ ନିୟୋଜିତ କରି ଆମେ ଆନନ୍ଦ ଲାଭ କରୁଥିଲୁ  । ଆମେ ସନ୍ତାନସନ୍ତତିଙ୍କ ପ୍ରତି ଭୋ÷ତିକ ଦୃଷ୍ଟି ନଦେଇ ଦିବ୍ୟ ଦୃଷ୍ଟି ଦେଇଥିଲୁ  । ଆମ ପିଲାଙ୍କ ଭିତରେ ବଡ ଝିଅ ପ୍ରଥମ ଥିଲା  । ସେ ଅଁଳାନବମୀ ତିଥିରେ ଜଗଦ୍ଧାତ୍ରୀଙ୍କ ପୂଜାବେଳେ ଜନ୍ମ ଦେଇଥିଲା  । ତା ନାଁ ରଖାଯାଇଛି ପ୍ରଜ୍ଞାପାରମିତା, ଡାକ ନାଁ ମମି  । ପ୍ରଜ୍ଞା ପାରମିତା ହେଉଛି ବୋ÷ଦ୍ଧ ଦେବୀ ଓ ଶାସ୍ତ୍ରର ନାମ  । ଜଗଦ୍ଧାତ୍ରୀ ପୂଜାରେ ଜନ୍ମ ନେଇଥିବାରୁ ତା’ର ନାମ ପ୍ରଜ୍ଞା ପାରମିତା ରଖାଗଲା  । ତାର ବିବାହ କାମାକ୍ଷାନଗରର ସୋ÷ଭାଗ୍ୟଙ୍କ ସହିତ ହୋଇଅଛି  । ତା’ର ଦୁଇଗୋଟି କନ୍ୟା  । ପ୍ରଥମଟି ଶ୍ରୀପର୍ଣ୍ଣା, ଡାକ ନାଁ ହରିଣୀ, ଦ୍ୱିତୀୟଟି ଶ୍ୱେତପର୍ଣ୍ଣା  । ମୋର ଦ୍ୱିତୀୟ କନ୍ୟା ପବିତ୍ର ଶ୍ରୀରାଧାଷ୍ଟମୀରେ ଜନ୍ମ ନେଇଥିଲା  । ବାପା ତା ନାଁ ରାଧା ରଖିଥିଲେ  । ପ୍ରକୃତରେ ତା ନାଁ ସୁଶ୍ରୀ ଶୁଭଶ୍ମିତା, ଡାକ ନାଁ ନିନା  । ଆଠଗଡ଼ର ରଞ୍ଜନଙ୍କ ସହିତ ତା’ର ବିବାହ ହୋଇଛି  । ତା’ର ଗୋଟିଏ ପୁଅ, ନାଁ ଶ୍ରଦ୍ଧାର୍ପିତ, ଡାକ ନାଁ ଆରୁଣି  । ତୃତୀୟ କନ୍ୟା ଆଷାଢ କୃଷ୍ଣ ପଞ୍ଚମୀ ଶ୍ରବଣା ନକ୍ଷତ୍ରରେ ଜନ୍ମ ନେଇଥିଲା  । ତା ନାଁ ସ୍ମୃତି ସୂଚୀସ୍ମିତା, ଡାକ ନାଁ ରିନା  । ଇଛାବତୀପୁର ଶାସନର ପୀୟୁଷଙ୍କ ସହିତ ତା’ର ବିବାହ ହୋଇଛି  । ତା’ର ଏକମାତ୍ର ପୁତ୍ରର ନାମ ଶୁଭ୍ରଜ୍ୟୋତି, ଡାକ ନାଁ ବିଟୁ  । ମୋର ବଡପୁଅ ଆଷାଢ ଶୁକ୍ଳ ଦ୍ୱାଦଶୀ ଜ୍ୟେଷ୍ଠା ନକ୍ଷତ୍ରରେ ଜନ୍ମ  । ତା ନାଁ ଅଜିତ, ଡାକ ନାଁ ବୁଲୁ  । ମୋର ଶ୍ୱଶୁର ଯମେଶ୍ୱର ଦାଶ ତାକୁ ପୋଷ୍ୟ ପୁତ୍ର କରି ତାଙ୍କ ଗୋତ୍ରରେ ଉପନୟନ କରିବାରୁ ତା’ର ସଂଜ୍ଞା ‘ମିଶ୍ର’ ପରିବର୍ତ୍ତେ ‘ଦାଶ’ ହୋଇଅଛି  । ଅନୁଗୁଳର (ବର୍ତ୍ତମାନ ଢେଙ୍କାନାଳ) ବାସିନ୍ଦା ରବୀନ୍ଦ୍ର କୁମାର ଷଡଙ୍ଗୀଙ୍କ କନ୍ୟା ରଶ୍ମି (ଜିନା) ସହିତ ତା’ର ବିବାହ ସଂପନ୍ନ ହୋଇଛି  । ଅଜିତ ବର୍ତ୍ତମାନ ଗୋଟିଏ ବିଦେଶୀ କମ୍ପାନୀରେ ପଦାଧିକାରୀ ଭାବରେ କାର୍ଯ୍ୟରତ  । ତା’ର ଦୁଇଗୋଟି କନ୍ୟା, ବଡ ନାଁ ଶ୍ରଦ୍ଧାଶରବ୍ୟା, ଡାକ ନାଁ ଗୁଗୁଲି, ସାନ ନାଁ ସଂପ୍ରୀକ୍ତୀ । ମୋର ସାନ ପୁଅ ମାଘପଞ୍ଚମୀ ପୂର୍ବ ଫାଲଗୁନୀ ନକ୍ଷତ୍ରରେ ଜନ୍ମ  । ତା’ର ନାଁ ଅସିତ୍, ଡାକ ନାଁ ଚିକୁଲୁ  । ସେ ବର୍ତ୍ତମାନ ବ୍ୟାଙ୍କ ଅଫ ବରୋଦାର କୋଲକାତା ପାର୍କଷ୍ଟ୍ରୀଟ୍ ଶାଖା କାର୍ଯ୍ୟାଳୟରେ ପଦାଧିକାରୀ ଭାବରେ କାର୍ଯ୍ୟରତ  । ଠାକୁରଙ୍କ କୃପାରୁ ଝିଅ ଓ ପୁଅ ଭଲରେ ଅଛନ୍ତି  । ମା ମଙ୍ଗଳା ତାଙ୍କୁ ଘଣ୍ଟ ଘୋଡାଇ ରଖିବେ ବୋଲି ମୋର ଦୃଢ ବିଶ୍ୱାସ  । ମୋର ବଡନାନୀ ରତ୍ନପ୍ରଭା ଗହ୍ମାରିଆର ଦୟାନିଧି ମହାପାତ୍ରଙ୍କୁ ବିଭା ହୋଇଥିଲା  । ସେ ବର୍ତ୍ତମାନ ଯାଜପୁରରୋଡ ନିକଟସ୍ଥ ଦାନିଆବର ଗ୍ରାମରେ ଘର କରି ରହୁଅଛି  । ତା’ର ତିନିଗୋଟି କନ୍ୟା ଯଥା- ଦମୟନ୍ତୀ, ନିରୂପମା ଓ ସୁଷମା  । ସଭିଁଏ ବାହାହୋଇ ସୁଖରେ ଘରସଂସାର କରୁଛନ୍ତି  । ବନମାଳୀ ତା’ର ବଡଝିଅ ଦମୟନ୍ତୀର ଜ୍ୟେଷ୍ଠ ପୁତ୍ର ଅଜିତକୁ ପୁଅ କରିଛି  । ସେ ତା ସ୍ତ୍ରୀ ଓ ପୁଅଝିଅଙ୍କ ସହ ନାନୀ ଘରେ ରହୁଛି  । ମୋର ସାନନାନୀ ଅମୀୟ ଯାଜପୁର ରୁଢିଆ ଗ୍ରାମର ନୃସିଂହ ଚରଣ ମିଶ୍ରଙ୍କୁ ବିଭା ହୋଇଥିଲା  । ନାନୀ ଓ ଭିଣୋଇ ପରଲୋକଗମନ କଲେଣି  । ଗୋଟିଏ ଭଣଜା ରହିଛି, ତାର ନାଁ ଚିତ୍ତରଞ୍ଜନ  ।
ମୁଁ ବ୍ରାହ୍ମଣୀ ନଦୀ ତଟସ୍ଥ ମାର୍ଥାପୁର ଶାସନରେ ଜନ୍ମ  । ଏହା ଓଡ଼ିଶା କାହିଁକି, ଭାରତର ଏକା ପ୍ରାଚୀନ ଶାସନ  । ପ୍ରଶସ୍ତ ବଡଦାଣ୍ଡ, ସୁବିଶାଳ ଓ ସୁବିସ୍ତୃତ ଆମ୍ବତୋଟା, ତିନି ପାଶ୍ୱର୍ରେ ନଦୀ ତଥା ପ୍ରାକୃତିକ ପରିବେଶରେ ଗ୍ରାମଟି ଅବସ୍ଥିତ  । ଗ୍ରାମଟି ବହୁ ବିଦ୍ୱାନ, ଶିକ୍ଷାବିତ୍, ଇଞ୍ଜିନିୟର, ଡାକ୍ତର, ସରକାରୀ ପଦାଧିକାରୀଙ୍କ ବସତି ସ୍ଥଳ  । ସେହି ଗ୍ରାମରେ ମୋ ଘର ଓ ଶ୍ୱଶୁର ଘର ଅବସ୍ଥିତ  । ମୋ ଘରଟି ପୂର୍ବରୁ ଚାଳଘର ଥିଲା  । ମୁଁ ନରହିଲେ ମଧ୍ୟ ଅଗ୍ନି ଭୟରେ ସେହି ଘରକୁ ଭାଙ୍ଗି କୋଠାଘର କରିଛି  । ଶ୍ୱଶୁର ଓ ଶାଶୂ ପରଲୋକ ଗମନ କରିବା ପରେ ବଡ ପୁଅ ଅଜିତ ତାଙ୍କ ଘରକୁ ଭାଙ୍ଗି ଦ୍ୱିତଳ କୋଠାଘର ତିଆରି କରିଛି  । ମାର୍ଥାପୁର ଓ ସନ୍ନିକଟ ଗୋବିନ୍ଦବିଦ୍ୟାଧରପୁର, ଆଦିପୁରା, ଅଁଳାପାଳ, ଗୋବିନ୍ଦପୁର, ଦୀଘୀ, ଜିରାଳ, ସରଦେଇପୁର, ବେଢାପାଳ, ଜନେଇଲୋ, ମଠକରଖୋଳ, ଯମୁନାକୋଟ, କୃଷ୍ଣପୁର, ଓଢଣୀ ଓ ମାଳପୁରା ପ୍ରଭୃତିର ବ୍ୟକ୍ତି ତଥା ବ୍ରାହ୍ମଣୀର ଅପରପାଶ୍ୱର୍ରେ ଥିବା ଗୋରଡ଼ାପାଳ, ଆମ୍ବପଡା, କରମୂଳ, ମୁକୁଳପୁର, ବଲ୍ଲଭ ଓ ବାଇଁଶିଆ ପ୍ରଭୃତି ଗ୍ରାମର ଲୋକମାନେ ମୋତେ ଭଲ ପାଆନ୍ତି  । ମୋ ଦୁର୍ଭାଗ୍ୟ ଯେ ୧୯୭୧ ରୁ ୨୦୦୮ ପର୍ଯ୍ୟନ୍ତ ସରକାରୀ ଚାକିରି କରି ମୁଁ ଢେଙ୍କାନାଳରେ ରହିଛି  । ଢେଙ୍କାନାଳ ସହରର ରାଜପ୍ରାସାଦ ପୂର୍ବ ଉତ୍ତର ଦିଗସ୍ଥ ବଡପଣ୍ଡା ସାହିରେ ମୁଁ ୨୦୦୮ ପର୍ଯ୍ୟନ୍ତ ନିବାସ କଲି  । ଢେଙ୍କାନାଳର ଘରେ ଘରେ ମୁଁ ପରିଚିତ  । ଅସୁସ୍ଥତା ଯୋଗୁ ଚାଲିବାର ଶକ୍ତି ହରାଇ ମୁଁ ସମସ୍ତଙ୍କ ନିକଟକୁ ନଯାଇପାରିଲେ ମଧ୍ୟ ସମସ୍ତେ ମୋତେ ସ୍ନେହ, ଶ୍ରଦ୍ଧା ଓ ସମ୍ମାନ କରନ୍ତି  । ଏହି ସହରର ସାମାଜିକ, ସାଂସ୍କୃତିକ, ସାରସ୍ୱତ ଓ ଆଧ୍ୟାତ୍ମିକ ପରମ୍ପରା ସହିତ ମୁଁ ଅଙ୍ଗାଙ୍ଗୀ ଭାବରେ ଜଡିତ  । ଚାକିରିରୁ ଅବସର ଗ୍ରହଣ କରିବା ପରେ ମାର୍ଥାପୁର  ପ୍ରତ୍ୟାବର୍ତ୍ତନ କରିବାର ଇଛା ଥିଲେ ହେଁ ଢେଙ୍କାନାଳବାସୀଙ୍କର  ସ୍ନେହ, ଶ୍ରଦ୍ଧା ଓ ସଦିଚ୍ଛାରେ  ମୁଁ ବାନ୍ଧି ହୋଇଗଲି  । ଢେଙ୍କାନାଳ ସହରର ପୂର୍ବଦିଗସ୍ଥ କାଠଗଡା ଆନନ୍ଦନଗରରେ ଜମି କ୍ରୟ ପୂର୍ବକ ବାସଭବନ ନିର୍ମାଣ କରି ମୁଁ ରହୁଛି  । ମୋ ନିବାସସ୍ଥଳିଟି ପ୍ରାକୃତିକ ପରିବେଶରେ ତଥା ସମ୍ବଲପୁର କଟକ ଜାତୀୟ ରାଜପଥ ନିକଟରେ  । ଆଧ୍ୟାତ୍ମିକ ଓ ସାରସ୍ୱତ ସାଧନା ନିମିତ୍ତ ମୋ ବାସସ୍ଥାନଟି ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଶୀର୍ବାଦ ବୋଲି ମୁଁ ହୃଦ୍ବୋଧ କରୁଛି  । ଏଠାରେ ନିବାସ କରି କଟକ, ଭୁବନେଶ୍ୱର, ପୁରୀ, ଜଗତ୍ସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରଖ, କେନ୍ଦୁଝର, ଆନନ୍ଦପୁର, କାମାକ୍ଷାନଗର, ତାଳଚେର, ଅନୁଗୁଳ ପ୍ରଭୃତି ସ୍ଥଳକୁ ମୁଁ କାର ଯୋଗେ ଅନାୟାସରେ ଯାଇପାରୁଛି  । ପ୍ରତି ମାସରେ ବିଭିନ୍ନ ମହାବିଦ୍ୟାଳୟ, ସାହିତ୍ୟାନୁଷ୍ଠାନ ଓ ସାଂସ୍କୃତିକ ଅନୁଷ୍ଠାନର କାର୍ଯ୍ୟକ୍ରମରେ ମୁଁ ଯୋଗଦେଇ ପାରୁଛି  । ଅବଶ୍ୟ ବୟାସାଧିକ୍ୟ ହେତୁ ପୂର୍ବାପେକ୍ଷା କମ୍ କାର୍ଯ୍ୟକ୍ରମରେ ଯୋଗ ଦେଉଛି, କିନ୍ତୁ ଲୋକଙ୍କର ସ୍ନେହ ଭାଙ୍ଗି ପାରୁନାହିଁ  । ମୁଁଁ  କାରରେ ଯାଉଛି ଏବଂ ଲୋକମାନେ ମୋତେ ଧରି ମଞ୍ଚକୁ ନେଉଛନ୍ତି ତଥା ବକ୍ତବ୍ୟ ଶେଷ କରିବା ପରେ ପୁନର୍ବାର ଆଣି କାରରେ ବସାଇ ଦେଉଛନ୍ତି  । ଆଧ୍ୟାତ୍ମିକ, ସାରସ୍ୱତ ଓ ସାଂସ୍କୃତିକ ଅନୁଷ୍ଠାନରେ ମୁଁ ଯୋଗ ଦେଉଛି, କିନ୍ତୁ କୋ÷ଣସି ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଉନାହିଁ  । ସୁଦୀର୍ଘ ୫୮ ବର୍ଷ ଧରି ମୁଁ ଓଡ଼ିଶା ଓ ଓଡ଼ିଶା ବାହାରେ ପ୍ରବଚନ ଓ ବକ୍ତବ୍ୟ ପ୍ରଦାନ କଲଣି  । ସବୁ ମାଆ ଶାରଳାଙ୍କ କୃପା   ।
ଢେଙ୍କାନାଳ ସହରରେ ନିବାସ କରୁଥିଲେ ମଧ୍ୟ ସାଧୁସନ୍ଥଙ୍କର କୃପା ମୋ ଉପରେ ଅଛି  । ଋଷିକେଶ, ହରଦ୍ୱାର, ଉଜ୍ଜୟିନୀ, ଚିତ୍ରକୂଟ, ପ୍ରୟାଗ, ବାରାଣାସୀ, ଅଯୋଧ୍ୟା, ପୁରୀ, କପିଳାସ ଓ ସପ୍ତଶଯ୍ୟା ପ୍ରଭୃତି ତୀର୍ଥ ସ୍ଥାନର ସାଧୁସନ୍ଥଗଣ ସର୍ବଦା ଢେଙ୍କାନାଳ ସ୍ଥିତ ବାସଭବନରେ ପଦାର୍ପଣ କରି ମୋତେ ଦର୍ଶନ ଦେଉଛନ୍ତି  । ସେମାନଙ୍କ ସତ୍ସଙ୍ଗ ଲାଭ କରି ମୁଁ କୃତ୍ୱ କୃତ୍ୱ  । ମାଦୃଶ ଚଳତ୍ ଶକ୍ତିବିହୀନ ବ୍ୟକ୍ତି ସେମାନଙ୍କ ନିକଟକୁ ଯିବାକୁ ଅସମର୍ଥ  । ଶ୍ରୀଜଗନ୍ନାଥଙ୍କ କରୁଣାରୁ ସେମାନେ ମୋତେ ଦର୍ଶନ ଓ ଆଶୀର୍ବଚନ ପ୍ରଦାନ କରୁଛନ୍ତି  । ଏହା ଜନ୍ମଜନ୍ମାର୍ଜିତ ପୁଣ୍ୟର ଫଳ ବୋଲି ମୁଁ ବିବେଚନା କରୁଛି  । ସେମାନଙ୍କର ଆଗମନ ଓ ସତ୍ସଙ୍ଗ ମୋର ସକଳ ମଙ୍ଗଳର ମୂଳ  । ସେମାନଙ୍କ ଆଶୀର୍ବାଦ, ସ୍ନେହ, ଶ୍ରଦ୍ଧା ମୋ ବିବେକକୁ ଜାଗ୍ରତ ରଖିଛି  । ଗୋସ୍ୱାମୀ ତୁଳସୀ ଦାସଙ୍କ ଭାଷାରେ:-
ବିନୁ ସତସଙ୍ଗ ବିବେକ ନହୋଇ, ରାମ କୃପା ବିନୁ ସୁଲଭ ନ ସୋଇ  ।
ସତସଙ୍ଗତ ମୁଦ ମଙ୍ଗଳ ମୂଲା, ସୋଇ ଫଲ ସିଧି ସବ ସାଧନ ଫୁଲା  ।
ପୂଜ୍ୟ ଗୁରୁଦେବଙ୍କ କୃପାରୁ ମୋ ନିକଟକୁ ଯେଉଁ ମହାତ୍ମାଗଣ ଆସନ୍ତି ସେମାନେ ଉଚ୍ଚକୋଟୀର ସାଧକ ତଥା ପ୍ରଚାର ବିମୁଖ  । ସେମାନେ ଦିବ୍ୟଶକ୍ତିର ଅଧିକାରୀ  । ସେମାନଙ୍କ ଆଚରଣ ଓ ଉଚ୍ଚାରଣରେ ମାନବ ଧର୍ମର ବ୍ୟବହାରିକ ଶିକ୍ଷା ନୀତି ପ୍ରଚ୍ଛନ୍ନ ଭାବରେ ବିଦ୍ୟମାନ  । ସେମାନଙ୍କ ଦର୍ଶନରେ ମୁଁ ଓ ମୋର ପରିବାର ଧର୍ମର ମୂର୍ତ୍ତିମନ୍ତ ସ୍ୱରୂପକୁ ହିଁ ଦର୍ଶନ କରୁ  । ଆମକୁ ନୀତିନିଷ୍ଠ ଓ ଆତ୍ମନିଷ୍ଠ କରାଇ ଲୋ÷କିକ ଜୀବନର ସୁଖଶାନ୍ତି ତଥା ପାରଲୋ÷କିକ ଜୀବନର ଆନନ୍ଦରେ ଜୀବନମୁକ୍ତି ପ୍ରଦାନ କରିବା ନିମିତ୍ତ ସେମାନେ ଆଗମନ କରିଥାନ୍ତି  । ସକଳ ମହାତ୍ମାଙ୍କ ନାଁ ଏଠାରେ ପ୍ରକାଶ କରିପାରୁନଥିଲେ ହେଁ ସଭିଏଁ ଦୁର୍ଲଭ ଦର୍ଶନ ବ୍ରହ୍ମନିଷ୍ଠ ମହାତ୍ମା  ।
ବିଦ୍ୱାନମାନଙ୍କର ମୋ ପ୍ରତି ଶ୍ରଦ୍ଧା ରହିଛି  । ବହୁ ସମୟରେ କଟକ, ଭୁବନେଶ୍ୱର, କୋଲକାତା, ଚେନ୍ନାଇ, ପୁନେ, ପ୍ରୟାଗ, ଉଜ୍ଜୟିନୀ, ବାରାଣାସୀ ପ୍ରଭୃତି ସ୍ଥାନରୁ ଅନେକ ବିଦ୍ୱାନ ମୋ ନିକଟକୁ ଆସୁଛନ୍ତି  ।  ସେମାନଙ୍କର ଆଗମନ ମୋ ଭିତରେ ଅହେତୁକୀ ଆନନ୍ଦ ସୃଷ୍ଟି କରିଥାଏ  । ମୋ ନିକଟକୁ ଆସୁଥିବା କୁଳପତି, ପ୍ରଫେସର, ଗବେଷକ, ସାହିତି୍ୟକ, ସମାଲୋଚକ, କବିକୋବିଦ, ପ୍ରବକ୍ତା, ଭାଷ୍ୟକାର ସଭିଁଏ ବିଜ୍ଞ, ପ୍ରାଜ୍ଞ ଓ ସୁଜ୍ଞ  । ସେମାନଙ୍କ ଠାରୁ ମୁଁ ଜ୍ଞାନ ଲାଭ କରେ, ମୋ ଭିତରେ ଜାଗି ଉଠିଥିବା ସକଳ ପ୍ରଶ୍ନର ସୂକ୍ଷ୍ମ ସମାଧାନ ସେମାନେ କରି ଦେଇଥାନ୍ତି  । ଅନେକ ସମୟରେ ବିଭିନ୍ନ ଗ୍ରନ୍ଥ ଅଧ୍ୟୟନ କରୁ କରୁ ମୁଁ ବୁଝିପାରେ ନାହିଁ  । ସେମାନେ ମୋତେ ବୁଝାଇ ଦେଇ ମୋ ମନକୁ ଶାନ୍ତ କରିଥାନ୍ତି  । ମୁଁ ଜଣେ ସାହିତି୍ୟକ  । ସାହିତ୍ୟ ଏକ ଚିରସ୍ରୋତା ସ୍ରୋତସ୍ୱନୀ  । ପୂର୍ଣ୍ଣଗର୍ଭା ନଦୀସଦୃଶ ଉଚ୍ଚାଙ୍ଗ ଲହରୀମାଳା ପରିଶୋଭିତ ହୋଇ ପ୍ରବହମାନ ହେବାବେଳେ ଏହାର ବିପୁଳାୟତ ବିସ୍ତାର ଓ ଶୋଭାରାଶି ମୋ ମନରେ ବିସ୍ମୟ ସୃଷ୍ଟି କରିଥାଏ  । ମୋ ନିକଟକୁ ଆସୁଥିବା ବିଦ୍ୱାନବୃନ୍ଦ ସେହି ବିସ୍ମୟର ଗୁଢତତ୍ତ୍ୱ ବଖାଣିଥାନ୍ତି  । ସାହିତ୍ୟ ଏକ ନିରବଚ୍ଛିନ୍ନ ଗତିଧାରା  । ଏହା ଆଦିମ ମଣିଷ ଠାରୁ ଆଜିର ବିଜ୍ଞାନବାଦୀ ତଥା ରାଜନୈତିକ ମଣିଷ ମନ, ହୃଦୟ ଓ ବୁଦ୍ଧିର ଯୁଗ ଯୁଗର ସଞ୍ଚôତ ଧନ  । ବୈଷୟିକ ଧନସଂପତ୍ତି ପରି ଏହାର ଦୋଷ ହୁଏ ନାହିଁ  । କିନ୍ତୁ କାଳକାଳର ଚିନ୍ତା ଚେତନାର ଧାରା ନୂତନ ରୂପରଙ୍ଗରେ ଏହା ବିଭାସିତ ହୋଇଥାଏ  । ସେଥିନିମିତ୍ତ ସାହିତ୍ୟକୁ ଜୀବନ ଓ ଜଗତର ବ୍ୟାଖ୍ୟା ବୋଲି କୁହାଯାଉଛି  । ମୋର ପାରିବାରିକ ଜୀବନ ହେଉଛି ସାହିତ୍ୟର ଜୀବନ ଏବଂ ତହିଁର ଦିଗଦର୍ଶକ ହେଉଛନ୍ତି ଏହି ବିଦ୍ୱାନବୃନ୍ଦ  । ଆମ ଘର ଭିତରେ ବହିମାନଙ୍କର ରାଜତ୍ୱ, ବୈଠକଖାନା, ଶୟନ କକ୍ଷ, ଏପରିକି ମଝିରେ ଥିବା ଭୋଜନ କକ୍ଷରେ ମଧ୍ୟ ବହି ଗଦା ହୋଇଛି  । ସଜାଡି ରଖିବାକୁ ମୋର ଶକ୍ତି ନାହିଁ  । ଆମ ଘରେ ପ୍ରାୟ ଦଶହଜାର ବହି ଥିଲେ ହେଁ ଖଣ୍ଡିଏ ବହି ମୁଁ କ୍ରୟ କରିନାହିଁ  । ବହିର ଲେଖକ ଓ ଅନ୍ୟାନ୍ୟ ସହୃଦୟ ବ୍ୟକ୍ତି ମୋତେ ଶ୍ରଦ୍ଧାରେ ପ୍ରାୟ କୋଡିଏ ହଜାର ପୁସ୍ତକ ପ୍ରଦାନ କରିଛନ୍ତି  । ତନ୍ମଧ୍ୟରୁ ପ୍ରାୟ ଦଶହଜାର ପୁସ୍ତକ ମୁଁ ବିଭିନ୍ନ  ସାହିତ୍ୟାନୁଷ୍ଠାନ, ମହାବିଦ୍ୟାଳୟ ଓ ପାଠାଗାରକୁ ଦେଇଛି  । ଏହି ବହିଗୁଡିକ ପଢିବାକୁ ସମୟ ନଥିଲେ ହେଁ ଦେଖିଲେ ପେଟ ପୁରି ଉଠୁଛି  ।
ପ୍ରତ୍ୟେହ ବ୍ରାହ୍ମ ମୁହୂର୍ତ୍ତରୁ ମୋର ଦିନଚର୍ଯ୍ୟା ଆରମ୍ଭ ହୁଏ  । ପ୍ରଥମେ ଧ୍ୟାନ ଓ ଜପ ପ୍ରାୟ ଦୁଇଘଣ୍ଟା  । ତାପରେ ଆଗମନ କରିଥିବା ଅତିଥିମାନଙ୍କ ସହିତ ସାକ୍ଷାତ ଓ ଆଲୋଚନା  । ସମସ୍ତଙ୍କୁ ମୁଁ ଅନୁରୋଧ କରିଛିଯେ ସକାଳବେଳା ମୋତେ ସାକ୍ଷାତ ବା ଫୋନ କରିବା ନିମିତ୍ତ  । ଅନ୍ୟ ସମୟରେ ମୁଁ କାର୍ଯ୍ୟବ୍ୟସ୍ତ ରହୁଛି, ତେଣୁ ସାକ୍ଷାତ କରିପାରୁନାହିଁ ବା ଫୋନରେ ଯୋଗାଯୋଗ କରିପାରୁନାହିଁ  । ଯଦି କୋ÷ଣସି ସ୍ଥାନରେ କାର୍ଯ୍ୟକ୍ରମ ଥାଏ, ତେବେ ମୁଁ ସକାଳ ୮ଟାରୁ ୯ଟା ମଧ୍ୟରେ ବାହାରି ପଡେ, ନଚେତ ଅଧ୍ୟୟନ ଓ ଲେଖାରେ ମନୋନିବେଶ କରେ  । ମାସରେ ଦଶଟି କାର୍ଯ୍ୟକ୍ରମରୁ ମୁଁ ଅଧିକ ରଖୁନାହିଁ  । ତାହା ମଧ୍ୟ କମାଇବାକୁ ଚେଷ୍ଟା କରୁଛି  । ଦ୍ୱିପ୍ରହରରେ କିଛି ସଦଗ୍ରନ୍ଥ ସ୍ୱାଧ୍ୟାୟ କରେ  । ସନ୍ଧ୍ୟାରେ ଠାକୁରଙ୍କ ଆଳତି, ଭାଗବତ ପାଠ ଓ ମନ୍ତ୍ର ଜପ ପରେ ଲେଖାଲେଖି କରିଥାଏ  । ରାତି ୧୦ଟା ପୂର୍ବରୁ ମୁଁ ଶୟନ କରେ  । ଖାଦ୍ୟ ଭିତରେ ସକାଳେ ମାଣ୍ଡିଆ କ୍ଷୀରୀ, ଦ୍ୱିପ୍ରହରରେ ଅନ୍ନ, ପାଞ୍ଚଟା ବେଳକୁ ଫଳ  ଓ ରାତିରେ ଦୁଇଖଣ୍ଡ ରୁଟି ଓ କ୍ଷୀର ମୋର ପ୍ରିୟ  । ଅଧିକ ଖାଦ୍ୟ ହିଁ ରୋଗର କାରଣ  । ଏକାଦଶୀ ଓ ଅନ୍ୟାନ୍ୟ ବ୍ରତରେ ଫଳାହାର, ଯଥାସମ୍ଭବ ମୋ÷ନ ରହିବା, ନିଜର ଭୁଲ ବିଷୟରେ ଚିନ୍ତା କରିବା ତଥା  ସରଳ ଜୀବନ ଓ ଉଚ୍ଚବିଚାର ମୋର ବ୍ରତ  । ପ୍ରତ୍ୟେକ ଆଧ୍ୟାତ୍ମିକ ଦିନଲିପି ଲେଖିବା ମୋର ନିତ୍ୟାଭ୍ୟାସ  । ଏହି ଅଭ୍ୟାସ ବାପା ମୋର କରାଇଥିଲେ ଏବଂ କହିଥିଲେ ଯେ ଏହା ଚାବୁକ ସ୍ୱରୂପ ଅଟେ  । ଏହାଦ୍ୱାରା ମାନସିକ ଶାନ୍ତି ଓ ଆଧ୍ୟାତ୍ମିକ ପଥରେ ଉନ୍ନତି ନିମିତ୍ତ ଶ୍ରେଷ୍ଠ ସହାୟକ  । ପୂଜ୍ୟ ଗୁରୁଦେବଙ୍କ କୃପାରୁ ଭଗବତ ଚିନ୍ତନରେ ଦିନଗୁଡିକ କଟିଯାଉଛି, ତାହାହିଁ ମୋର ସୋ÷ଭାଗ୍ୟ  ।
ଆନନ୍ଦନଗର , କାଠଗଡା, ଢେଙ୍କାନାଳ, ୮୮୯୫୨୩୦୭୨୨