ଶ୍ରୀମନ୍ଦିରରେ ପୂଜା ପାଇଲେ ପଟିଦିଅଁ ଅଲାରନାଥ ପୀଠ ଚଳଚଞ୍ଚଳ


 ପୁରୀ, : ସ୍ନାନ ପୂର୍ଣ୍ଣମୀରେ ଶ୍ରୀ ବିଗ୍ରହମାନେ ୧୦୮ଗଡ଼ୁ ଅଭିମନ୍ତ୍ରିତ ଜଳରେ ସ୍ନାନ କରିବା ପରେ ଅନବସର ପିଣ୍ଡିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଜ୍ୱରାକ୍ରାନ୍ତ ହୋଇପଡ଼ିଥିବା ଠାକୁରମାନେ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ଅନବସରରେ ରହିବେ । ଚଳିତ ବର୍ଷ ୧୩ଦିନ ମହାପ୍ରଭୁ ଅନବସରରେ ରହିବା ପରେ ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଗୋଟିଏ ଦିନରେ ଅନୁଷ୍ଠିତ ହେବାକୁ ଯାଉଛି । ଅନବସର ସମୟରେ ପତି ମହାପାତ୍ର ଓ ଦଇତା ସେବକମାନେ ଅନବସର ଘରେ ବିବିଧ ଉପଚାର ଓ ବିବିଧ ନୀତି ସମ୍ପାଦନ କରିବେ । ଏହି ସମୟରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟି ଦିଅଁ । ଅନବସର ଅବସରରେ ପୁରୀ ଠାରୁ ୨୦କିଲୋମିଟର ଦୂରବର୍ତ୍ତୀ ବ୍ରହ୍ମଗିରି ସ୍ଥିତ ପ୍ରସିଦ୍ଧ ବିଷ୍ଣୁ ପୀଠ ଅଲାରନାଥ ମନ୍ଦିରରେ ଭକ୍ତମାନେ ଅଲାରନାଥଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ । ଅଲାରନାଥ ଦେବଙ୍କ ଦର୍ଶନ ଦ୍ୱାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନର ପୂଣ୍ୟ ଫଳପ୍ରାପ୍ତି ହୋଇଥାଏ ବୋଲି ଭକ୍ତମାନଙ୍କ ମଧ୍ୟରେ ଅଟଳ ବିଶ୍ୱାସ ରହିଛି । ତେଣୁ ଅନବସର ସମୟରେ ଅଲାରନାଥ ମନ୍ଦିରରେ ଭକ୍ତମାନଙ୍କ ଭିଡ଼ ଜମିଥାଏ । ଭଜନ, କୀର୍ତ୍ତନ, ଯଜ୍ଞ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଫଳରେ ଅଲାରନାଥ ଦେବଙ୍କ ପୀଠ ହୋଇଥାଏ ଉସôବ ମୁଖର । ଜଣାଯାଏ ଅଲାରନାଥ ଦେବଙ୍କ ପୀଠ ଶ୍ରୀମନ୍ଦିର ଠାରୁ ଅଧିକ ପ୍ରାଚୀନ । ବର୍ଷ ତମାମ୍ ସେଠାରେ ଶ୍ରୀମନ୍ଦିର ଭଳି ବିଭିନ୍ନ ନୀତିକାନ୍ତି ସଂପର୍ଣ୍ଣ ହୋଇଥାଏ । ଶ୍ରୀମନ୍ଦିର ଭଳି ଅଲାରନାଥ ପୀଠରେ ମଧ୍ୟ ନୀତିକାନ୍ତି ସଂପାଦିତ ହୋଇଥାଏ । ସେଠାରେ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ସେବାୟତ ନିଯୁକ୍ତ ରହିଛନ୍ତି । କିମ୍ବଦନ୍ତୀ ଅନୁଯାୟୀ ୧୫୧୦ ଖ୍ରୀଷ୍ଟାଦ୍ଧରେ ଗୌଡ଼ିୟ ବୈଷ୍ଣବ ଧର୍ମର ପ୍ରବର୍ତ୍ତକ ଶ୍ରୀ ଚୈତନ୍ୟ ମହାପ୍ରଭୁ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ । ସେ ସମୟରେ ଚତୁର୍ଦ୍ଧାମୂର୍ତ୍ତି ଅନବସରରେ ଥିବାରୁ ଜଗନ୍ନାଥ ଦର୍ଶନର ସୁଯୋଗ ମିଳିନଥିଲା । ଶୂନ୍ୟବାଣୀ ଶ୍ରବଣ କରି ଶ୍ରୀ ଚୈତନ୍ୟ ମହାପ୍ରଭୁ ଅଲାରନାଥ ଦେବଙ୍କ ମନ୍ଦିରକୁ ଯାଇ ଅଲାରନାଥଙ୍କ ରୂପରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । ଏବେ ବି ସେହି ମନ୍ଦିର ପରିସରରେ ଥିବା ଏକ ଶିଳା  ଖଣ୍ଡରେ ଉକôୀନ୍ନ ରହିଛି ଶ୍ରୀ ଚୈତନ୍ୟଙ୍କ ଅଲାରନାଥ ଦର୍ଶନର ସ୍ମୃତି । ଏହି କାରଣରୁ ଭକ୍ତମାନେ ଅଲାରନାଥ ପୀଠକୁ ଯାଇଥାନ୍ତି ।