ବ୍ଲକ ଉପାଧ୍ୟକ୍ଷ ଉପନିର୍ବାଚନ : ଦର ବିଜେପି ଓ ମାହାଙ୍ଗା ବିଜେଡ଼ି ମେଣ୍ଟ ନେଇ ଚର୍ଚ୍ଚା   

  ନିଶ୍ଚିନ୍ତକୋଇଲି:  ନିଶ୍ଚିନ୍ତକୋଇଲି ବ୍ଲକ ଉପାଧ୍ୟକ୍ଷ ପଦ ଉପନିର୍ବାଚନ ଆସନ୍ତା ୧୧ତାରିଖରେ ହେବାକୁ ଯାଉଛି । ନିର୍ବାଚନକୁ ନେଇ ୩ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦିତାର ସ୍ଥିତି ଏକ ରୋଚକ ପରିସ୍ଥିତିରେ ପହଞ୍ଚିଛି । ଏହି ବ୍ଲକ ଅଧିନରେ ମୋଟ୍ ୪୧ଗୋଟି ପଞ୍ଚାୟତ ମଧ୍ୟରୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ୨୭ଗୋଟି ଓ କଟକ ସଦର ନିର୍ବାଚନ ମଣ୍ଡଳୀରେ ୧୪ଗୋଟି ପଞ୍ଚାୟତ ରହିଛି । ବର୍ତ୍ତମାନ ମାହାଙ୍ଗାର ସ୍ୱାଧୀନ ବିଧାୟକ ଶାରଦା ପ୍ରସାଦ ପ୍ରଧାନ ରହିଥିଲେ ମଧ୍ୟ ସେ ରାଜ୍ୟ ବିଜେପିକୁ ସମର୍ଥନ ଦେଇଛନ୍ତି । ଅପରପକ୍ଷରେ କଟକ ସଦରରେ ବିଜେପି ଦଳର ବିଧାୟକ ଇଂ.ପ୍ରକାଶ ସେଠୀ ରହିଛନ୍ତି । ଆସନ୍ତା ଉପନିର୍ବାଚନରେ ସଦର ବିଧାୟକ ଶ୍ରୀ ସେଠୀ ମାହାଙ୍ଗାର ପୂର୍ବତନ ବିଜେଡ଼ି ବିଧାୟକ ପ୍ରତାପ ଜେନାଙ୍କ ସହିତ ମିଶି ଗୋଟିଏ ପ୍ରାର୍ଥୀ ଦେଇ ପ୍ରତିଦ୍ୱନ୍ଦିତା କରିବେ ବୋଲି ରାଜନୈତିକ ମହଲରେ ଜୋର ଚର୍ଚ୍ଚା ଧରିଛି । ଏହି ବ୍ଲକ ଅନ୍ତର୍ଗତ ମାହାଙ୍ଗାର ପୂର୍ବତନ ବିଜେଡ଼ି ବିଧାୟକ ଶ୍ରୀ ଜେନାଙ୍କ ସହିତ ସଦରର ବିଜେପି ବିଧାୟକ ଶ୍ରୀ ସେଠୀ ଗୁପ୍ତରେ ନିଜ ନିଜ ମଧ୍ୟରେ ବୁଝାମଣା କରି ଉପାଧ୍ୟକ୍ଷ ପଦବୀରେ ଜଣେ ପ୍ରାର୍ଥୀକୁ ପ୍ରତିଦ୍ୱନ୍ଦିତା କରାଇ ମାହାଙ୍ଗାର ବର୍ତ୍ତମାନର ସ୍ୱାଧୀନ ବିଧାୟକଙ୍କ ପ୍ରାର୍ଥୀକୁ ପରାଜିତ କରିବା ପାଇଁ ଜୋରଦାର ଲାଗି ପଡ଼ିଛନ୍ତି । ଅପରପକ୍ଷରେ ମାହାଙ୍ଗା ପୂର୍ବତନ ବିଜେଡ଼ି ବିଧାୟକ ମଧ୍ୟ ସଦରର ପୂର୍ବତନ ବିଜେଡ଼ି ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରିବା ପାଇଁ ଯୋଗାଯୋଗରେ ରହିଥିବା ରାଜନୀତି ମହଲରେ ଚର୍ଚ୍ଚା ହେଉଛି । ଉଭୟ ବିଧାୟକମାନେ ସେମାନଙ୍କର ସମର୍ଥିତ ସମିତି ସଭ୍ୟ ସଭ୍ୟାମାନଙ୍କୁ ଏକଜୁଟ କରିବା ପାଇଁ କଳ, ବଳ, କୌଶଳ କରି ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି । ଆବଶ୍ୟକ ହେଲେ ବହୁ ସମିତିସଭ୍ୟ ସଭ୍ୟାଙ୍କୁ ଘୋଡ଼ା ବେପାରରେ ସାମିଲ କରାଯାଉଥିବା ମଧ୍ୟ ଚର୍ଚ୍ଚା ହେଉଛି । ସୂଚନାଥାଉକି, ମାହାଙ୍ଗା ସ୍ୱାଧୀନ ବିଧାୟକ ଶ୍ରୀ ଶାରଦା ପ୍ରସାଦ ପ୍ରଧାନ ରାଜ୍ୟରେ ବିଜେପି ସରକାରଙ୍କୁ ନିଜର ସମର୍ଥନ ଦେଇଥିବା ବେଳେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ତାଙ୍କର ମାହାଙ୍ଗା ବିଜେପି ନେତା ସୁମନ୍ତ କୁମାର ଘଡେଇଙ୍କ ସହ କୌଣସି ସଂପର୍କ ରହୁନଥିବାରୁ ସୁମନ୍ତ ଶାରଦାଙ୍କୁ ଉପାଧ୍ୟକ୍ଷ ନିର୍ବାଚନରେ ସହଯୋଗ କରିନପାରନ୍ତି ବୋଲି ଆଲୋଚନା ହେଉଛି । ଉପାଧ୍ୟକ୍ଷ ନିର୍ବାଚନ ନେତାଙ୍କ ପାଇଁ ସମ୍ମାନ । ଏହି ଉକ୍ତି ଆଧାରରେ ମାହାଙ୍ଗାର ପୂର୍ବତନ ବିଧାୟକ ପ୍ରତାପ ଜେନା, କଟକ ସଦର ପୂର୍ବତନ ବିଧାୟକ ଚନ୍ଦ୍ରସାରଥି ବେହେରା, ବର୍ତ୍ତମାନ ର କଟକ ସଦର ବିଜେପି ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀ ଓ ମାହାଙ୍ଗା ବିଜେପି ନେତା ସୁମନ୍ତ କୁମାର ଘଡେଇ ଏକାଠି ହୋଇ ଉପାଧ୍ୟକ୍ଷ ଉପନିର୍ବାଚନରେ ସେମାନଙ୍କ ପ୍ରାର୍ଥୀଙ୍କୁ ଜିତାଇବା ଲକ୍ଷ୍ୟରେ ଜୋରଦାର ଲାଗି ପଡିଛନ୍ତି । ଶୁଣିବାକୁ ମିଳୁଛି ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ଯିଏ ଉପାଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥୀ ହେଉଛନ୍ତି ସେ ପୂର୍ବରୁ ମାହାଙ୍ଗାର ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କ ସମର୍ଥନରେ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । କେବଳ ସେ ନୁହଁନ୍ତି ଅନ୍ୟ କେତେକ ବିଜୁ ଜନତା ଦଳ ସମର୍ଥôତ ସମିତି ସଭ୍ୟସଭ୍ୟାମାନେ ମଧ୍ୟ ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କ ଠାରୁ ଅନେକ ସୁବିଧା ସୁଯୋଗ ପାଇଥିଲେ ମଧ୍ୟ ବିଧାୟକ ବଦଳିଲା ପରେ ସେମାନେ ସ୍ୱାଧୀନ ବିଧାୟକଙ୍କ ଶରଣାପନ୍ନ ହୋଇଛନ୍ତି । ଉପାଧ୍ୟକ୍ଷ ଉପ ନିର୍ବାଚନକୁ କର ବା ମର ନୀତିରେ ମାହାଙ୍ଗା ପୂର୍ବତନ ବିଧାୟକ ପ୍ରତାପ ଜେନା ପରିଚାଳନା କରୁଥିବା ଜଣାପଡିଛି । ସବୁପରେ ୧୧ ତାରିଖ ନିର୍ବାଚନ ଫଳ ପ୍ରକାଶ ପାଇଲା ପରେ ଜଣାପଡିବ କେଉଁ ନେତାଙ୍କ ଦମ୍ କେତେ? ନିର୍ବାଚନର ଫଳାଫଳ ହିଁ ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ବାଟ ଖୋଲିବ ବୋଲି ରାଜନୈତିକ ବିଶାରଦମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।