ସଂକ୍ଷିପ୍ତ ହେଉ ନିର୍ବାଚନ
ଗଣତନ୍ତ୍ରର ବଡ଼ ପର୍ବ ହେଉଛି ନିର୍ବାଚନ । ନିର୍ବାଚନରେ ଅନେକ ନିଜ ନିଜ ମତଦାତାଙ୍କୁ ନିଜ ଦଳ ପ୍ରତି ଆକୃଷ୍ଟ କରି ସେମାନଙ୍କ ଭୋଟ ବ୍ୟବସ୍ଥାକୁ ବଢ଼ାଇଥାନ୍ତି । ତେବେ ଅନେକ ସମୟରେ ଲମ୍ବା ଅବଧିର ନିର୍ବାଚନ ପ୍ରକ୍ରିୟାକୁ ନେଇ ଅନେକଙ୍କ ଭିତରେ ତର୍କବିତର୍କ ସୃଷ୍ଟି ହୋଇଥାଏ ଓ କିଛି ରାଜନୈତିକ ଦଳ ଏହି ପ୍ରକ୍ରିୟା ବ୍ୟବସ୍ଥାକୁ ଗ୍ରହଣ ନକରି ବିରୋଧ କରିଥାନ୍ତି । ବର୍ତ୍ତମାନ ସମଗ୍ର ଦେଶରେ ଲୋକସଭା ନିର୍ବାଚନ ଏବଂ ଓଡ଼ିଶା ସମେତ ୪ଟି ରାଜ୍ୟରେ ନିର୍ବାଚନର ତାରିଖ ଘୋଷଣା ହୋଇଯାଇଛି । ଏଥିରେ ସାତଟି ପର୍ଯ୍ୟାୟରେ ଅପ୍ରେଲ ୧୯ ତାରିଖଠାରୁ ଜୁନ୍ ୧ ତାରିଖ ମଧ୍ୟରେ ମତଦାନ ହେଉଛି । ଜୁନ୍ ୪ ତାରିଖ ଦିନ ମତଦାନର ଫଳାଫଳ ପ୍ରକାଶ କରାଯିବା ପର୍ଯ୍ୟନ୍ତ ଦେଶର ରାଜନୀତିକ ପରିସ୍ଥିତି ସରଗରମ ରହିବ ଏବଂ ଏହାକୁ ନେଇ ଅନେକ ପ୍ରକାରର ସାମାଜିକ ଅଶାନ୍ତି ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ଉପୁଜୁଛି । ତେବେ ମତଦାନର ପ୍ରକିୟାକୁ ଏତେ ଲମ୍ବା ନ କରି ସଂକ୍ଷିପ୍ତ କରାଗଲେ ଏହା ଭୋଟରମାନଙ୍କ ପାଇଁ ଯେଭଳି ସୁବିଧାଜନକ ହେବ, ସରକାର ତଥା ନିର୍ବାଚନ କମିଶନଙ୍କ ପାଇଁ ମଧ୍ୟ ସେହିଭଳି ସୁବିଧାଜନକ ହୋଇପାରନ୍ତା । ନିର୍ବାଚନ ପ୍ରକି୍ରୟାରେ ବିପୁଳ ପରିମାଣର ଅର୍ଥ ସରକାରଙ୍କ ପକ୍ଷରୁ ବ୍ୟୟ କରାଯାଉ ଥିବାରୁ ନିର୍ବାଚନ ପ୍ରକି୍ରୟାର ଅବଧିକୁ ସଂକ୍ଷିପ୍ତ କରାଗଲେ ଏହି ଖର୍ଚ୍ଚ ମଧ୍ୟ କମି ଯାଆନ୍ତା । ଗତ ୨୦୧୯ ମସିହା ସାଧାରଣ ନିର୍ବାଚନ ସମୟରେ ନିର୍ବାଚନ ପ୍ରକି୍ରୟାରେ ମୋଟ୍ ଅବଧି ଥିଲା ୩୬ ଦିନ । ୨୦୨୪ରେ ଏହି ଅବଧି ବଢ଼ି ୪୬ ଦିନ ହୋଇଯାଇଛି । ୨୦୦୪ ମସିହାରେ ଲୋକସଭା ନିର୍ବାଚନ ପ୍ରକି୍ରୟାରେ ୨୧ ଦିନ ଧରି ଲାଗି ରହିଥିଲା । ୨୦୦୯ ମସିହାରେ ଏହା ୨୮ ଦିନ, ୨୦୧୪ରେ ୩୭ ଦିନ ଧରି ଲାଗି ରହିଥିଲା । ଅତୀତର ବିଭିନ୍ନ ନିର୍ବାଚନକୁ ଲକ୍ଷ୍ୟ କରାଯାଇଛି ଯେ, ନିର୍ବାଚନର କାର୍ଯ୍ୟସୂଚୀ ଯଦି ଦୀର୍ଘ ହେଉଛି, ତାହାହେଲେ ସେଥିରେ ବିଶେଷ ଭାବରେ ଶାସକ ଦଳଗୁଡ଼ିକ ହିଁ ଲାଭବାନ ହେଉଛନ୍ତି । ଶାସକ ଦଳ ନିକଟରେ ଅଧିକ ସମ୍ବଳ ରହିଥିବାରୁ ନିର୍ବାଚନ ପ୍ରକି୍ରୟା ସମୟରେ ମତଦାନୀମାନଙ୍କୁ ପ୍ରଭାବିତ କରିବାପାଇଁ ସେମାନଙ୍କ ନିକଟରେ ଅଧିକ ସମୟ ଏବଂ ସୁଯୋଗ ମିଳୁଛି । ଅଳ୍ପ ସମ୍ବଳ ଏବଂ ଛୋଟ ଦଳଗୁଡ଼ିକ ପକ୍ଷରେ ନିର୍ବାଚନ ପ୍ରକି୍ରୟାକୁ ଦୀର୍ଘ କରାଗଲେ ଏହାର ଖର୍ଚ୍ଚ ତୁଲାଇବା ସେମାନଙ୍କ ପକ୍ଷରେ କଷ୍ଟକର ହୋଇପଡ଼ୁଛି । ନିର୍ବାଚନ ପ୍ରକି୍ରୟାକୁ ସ୍ୱଚ୍ଛ ଏବଂ ନିରପେକ୍ଷ କରିବା ପାଇଁ ଆହ୍ୱାନ ଦିଆଯାଉଥିଲେ ମଧ୍ୟ ନିର୍ବାଚନ ପ୍ରକି୍ରୟାରେ ଅଂଶଗ୍ରହଣ କରୁଥିବା ଦଳ ଓ ବ୍ୟକ୍ତିବିଶେଷାଙ୍କ ପ୍ରତି ସମାନ ସୁଯୋଗ ଦିଆଯାଇଛି ବୋଲି କୁହାଯାଇ ପାରିବ ନାହିଁ । ଦୀର୍ଘ ଦିନ ଧରି ନିର୍ବାଚନ ପ୍ରକିୟା ଯଦି ଲାଗି ରହୁଛି, ସେଥିରେ ବିଭିନ୍ନ ପ୍ରକାରର ଜନସ୍ୱାର୍ଥ ସମ୍ବଳିତ ତଥା ଜନମଙ୍ଗଳକାରୀ କାର୍ଯ୍ୟକ୍ରମ ବନ୍ଦ ରହୁଛି । ଆଚରଣବିଧିର ଉଲ୍ଲଙ୍ଘନ ଭଳି କାର୍ଯ୍ୟଗୁଡ଼ିକ ଦେଖିବା ନିମିତ୍ତ ହେଉଥିବା ଖର୍ଚ୍ଚ ବଢ଼ି ବଢ଼ି ଚାଲୁଛି । ଦିନକୁ ଦିନ ନିର୍ବାଚନ ପ୍ରକି୍ରୟାର ଅବଧି ବଢ଼ୁଥିବାର ଲକ୍ଷ୍ୟ କରାଯାଉଛି । ଏହାକୁ କମାଇବା ଦେଶ ପକ୍ଷରେ ହିତକାରକ । ଲମ୍ବା ସମୟ ରହିବା ଦ୍ୱାରା ସରକାରୀ କଳ ମଧ୍ୟ ଏହି ସମୟ ପାଇଁ ବ୍ୟସ୍ତ ରହିବା ସହ ରାଜସ୍ୱ ଖର୍ଚ୍ଚ ଅଧିକ ହୋଇଥାଏ । ସ୍ୱଳ୍ପ ସମୟରେ ମତଦାନ ହେବା ଏକ ସୁସ୍ଥ ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ବରଦାନ ସଦୃଶ ।
ଡ.ଅରୁନ୍ଧତୀ ଦେବୀ,ମୋ:୯୯୩୭୧୭୨୮୧୦