ପେଭର ପରିବେଶ ପାଇଁ ଅନୁକୂଳ କି?

ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ସୌନ୍ଦର୍ଯ୍ୟକରଣ ଏବଂ ରାସ୍ତା ଗୁଡ଼ିକର ଉନ୍ନତୀକରଣ ନାମରେ ମୁକ୍ତାକାଶ ବ୍ୟାୟାମଶାଳା ନିର୍ମାଣ ସହିତ ଫୁଟ୍ପାଥ୍ ଏବଂ କିଛି ରାସ୍ତାରେ ପେଭର ଟାଇଲ୍ ବିଛାଯାଉଛି । ଏହା ଫଳରେ ରାସ୍ତା ଗୁଡ଼ିକ ସୁନ୍ଦର ଦିଶୁଛି ସତ; କିନ୍ତୁ ଏସବୁ ପରିବେଶ ପାଇଁ କେତେଦୂର ଅନୁକୂଳ ତାହା ଉପରେ ପରିବେଶବିତ୍ମାନେ ପ୍ରଶ୍ନ ଉଠାଇଲେଣି । ରାଜଧାନୀର ବିଭିନ୍ନ ଗଳିକନ୍ଦୀରେ ମଧ୍ୟ ପେଭର ଟାଇଲ୍ ବ୍ୟବହାର କରାଯାଉଛି । ବର୍ଷା ହେଲେ ଗଳିକନ୍ଦିର ରାସ୍ତା ଗୁଡିକ ଆଗରୁ କାଦୁଅ ପଚ୍ ପଚ୍ ହେଉଥିଲା । ବର୍ତ୍ତମାନ ପେଭର୍ ବ୍ଲକ୍ ଏବଂ ଟାଇଲ୍ ବ୍ୟବହାର ହେବା ଫଳରେ ସେସବୁ ପରିଷ୍କାର, ସୁନ୍ଦର ଏବଂ ଚକାଚକ୍ ଦେଖାଯାଉଛି । ପରିବେଶବିତ୍ମାନଙ୍କର କହିବା କଥା ହେଲା ଖୋଲା ମାଟି ସୂର୍ଯ୍ୟକିରଣରେ ଯେତିକି ଖରାଦିନେ ଉତ୍ତପ୍ତ ହେବ ପେଭର ଟାଇଲ୍ ତାହା ତୁଳନାରେ ବହୁ ଗଣରେ ଅଧିକ ଉତ୍ତପ୍ତ ହେବ । ଏ ଗୁଡିକର ମୋଟେଇ ପାଖାପାଖି ୩-୪ ଇଞ୍ଚ ରହୁଥିବାରୁ ଏସବୁ ଥରେ ତାତିଗଲେ ଥଣ୍ଡା ହେବାକୁ ୮-୧୦ ଘଣ୍ଟା ସମୟ ଲାଗିବ । ସୂର୍ଯ୍ୟକିରଣରୁ ଉତ୍ତାପ ଗ୍ରହଣ କରିବା ପରେ ଦୀର୍ଘ ସମୟ ଧରି ଏହି ଟାଇଲ୍ ଗୁଡ଼ିକ ଉତ୍ତାପ ବିକିରଣ କରିବ । 
ବର୍ତ୍ତମାନ ରାଜଧାନୀର ସବୁ ମୁଖ୍ୟ ରାସ୍ତା କଡରେ ପେଭର ବ୍ଲକ୍ ଏବଂ ଟାଇଲ୍ ପକାଯାଉଛି । ରାସ୍ତା ଗୁଡ଼ିକର ମଧ୍ୟ ପୂର୍ବରୁ ଅନାବଶ୍ୟକ ଭାବରେ ଚଉଡ଼ା ବୃଦ୍ଧି କରିଦିଆଯାଇଛି । ଏହା ଫଳରେ କଳା ପିଚୁ ମିଶ୍ରିତ ଗୋଡ଼ି ସାମାନ୍ୟ ଖରାରେ ମଧ୍ୟ ତାତି ଯାଉଛି । ଏପରିକି ଶୀତଦିନର ଖରାରେ କଳା ପିଚୁ ରାସ୍ତା ଏତେ ତାତି ଯାଉଛି ଯେ ଦିନ ଦୁଇଟା ବେଳେ ଖାଲି ପାଦରେ ରାସ୍ତା ଉପରେ ଛିଡ଼ା ହେବା ସମ୍ଭବ ହେଉନାହିଁ । ରାସ୍ତାକଡ଼ରେ ପ୍ରାୟ ୫-୬ ଫୁଟ୍ ଚଉଡ଼ାର ପେଭର ବ୍ଲକ୍ ବିଛାଇବା ଦ୍ୱାରା ସୂର୍ଯ୍ୟକିରଣର ଉତ୍ତାପକୁ ଏ ଗୁଡ଼ିକ ଅତିମାତ୍ରାରେ ଆହରଣ କରିନେବ । ସୂର୍ଯ୍ୟାସ୍ତର ପ୍ରାୟ ୭-୮ ଘଣ୍ଟା ପର୍ଯ୍ୟନ୍ତ ଏ ଗୁଡିକ ଶୀତଳ ଅବସ୍ଥାକୁ ଆସିବ ନାହିଁ । ସେହିପରି ବର୍ଷାଦିନରେ ବର୍ଷାଜଳ ଖାଲି ମାଟି ଉପରେ ପଡ଼ି ଭୂଗର୍ଭକୁ କିଛି ଅଂଶରେ ଚାଲିଯାଏ । ଏହା ଫଳରେ ଭୂଗର୍ଭସ୍ଥ ଜଳ ସ୍ତର ପ୍ରାକୃତିକ ଭାବରେ ରିଚାର୍ଜ୍ ହୋଇ ସ୍ଥିର ଭାବରେ ରୁହେ । ହେଲେ ପେଭର୍ ବ୍ଲକ୍ ବିଛାଇ ଦିଆଯିବା ଦ୍ୱାରା ବର୍ଷାଜଳ ଭୂଗର୍ଭକୁ ଯିବା କ୍ଷେତ୍ରରେ ଅନେକ ପ୍ରତିବନ୍ଧକ ସୃଷ୍ଟି ହେବ । ଜନବସତି ଗୁଡ଼ିକରେ ପାଚେରୀ ଘେରା ଘର ଏବଂ ରାସ୍ତାରେ ପେଭର୍ ବ୍ଲକ୍ ବର୍ଷାଜଳକୁ ସିଧାସଳଖ ଡ୍ରେନ୍କୁ ନେଇଯିବ, କିନ୍ତୁ ବର୍ଷାଜଳ ମାଟି ଭିତରକୁ ପଶି ହେବ ନାହିଁ । ଏହା ଫଳରେ ଖରାଦିନେ ପେଭର୍ ଟାଇଲ୍ ବିସ୍ତୃତ ଭାବରେ ରହିଥିବା ଅଞ୍ଚଳରେ ଭୂଗର୍ଭସ୍ଥ ଜଳସ୍ତର ନିମ୍ନମୁଖୀ ହୋଇଯିବ । ମାଟିର ଅଳ୍ପ ଗଭୀରତାରେ ଥିବା ଜଳସ୍ତର ଶୁଖିଯିବ । 
ସହରାଞ୍ଚଳର ଆଧୁନିକୀକରଣ ଏବଂ ସୌନ୍ଦର୍ଯ୍ୟକରଣ ନାଁରେ ପ୍ରାକୃତିକ ପରିବେଶ ବିରୋଧୀ କୌଣସି ବି କାର୍ଯ୍ୟ କରିଲେ ତାହାର ସୁଦୂର ପ୍ରସାରୀ କୁଫଳ ସମସ୍ତଙ୍କୁ ଭୋଗିବାକୁ ପଡ଼ିବ । ପେଭର୍ ବ୍ଲକ୍ ଗୁଡ଼ିକ ପରସ୍ପର ସହିତ ଲାଗି ଖାପୁଳିରେ ଖାପି ହୋଇ ରହିଯାଉଥିବାରୁ ଦୁଇ ବ୍ଲକ୍ ମଝିରେ ଫାଙ୍କ ରହୁନାହିଁ । ତେଣୁ ଭୂଗର୍ଭସ୍ଥ ଜଳ ରିଚାର୍ଜ୍ ହେବା କ୍ଷେତ୍ରରେ ଅସୁବିଧା ସୃଷ୍ଟି ହେବା କ୍ରମେ ଦୃଢ଼ୀଭୂତ ହେଉଛି । ବଡ଼ ବଡ଼ ଚଉଡ଼ା ରାସ୍ତା ଗୁଡ଼ିକ ନିକଟରେ ଏ ସମସ୍ୟା ହଠାତ୍ ଅନୁଭବ କରିହେବ ନାହିଁ । ଅଥଚ ଗଳିକନ୍ଦୀ ଏବଂ ଜନବସତି ଭିତରେ ବର୍ଷାଦିନେ କାଦୁଅ ପଚ୍ ପଚ୍ ଅବସ୍ଥାରୁ ରକ୍ଷା ପାଇବା ପାଇଁ ଏସବୁ ଖୁବ୍ ଭଲ ହୋଇଥିବା ବେଳେ ଖରାଦିନେ ଏସବୁ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହେବ । ଏହା ଉପରେ ବର୍ତ୍ତମାନ ବିଚାର କରିବାର ସମୟ ଆସିଯାଇଛି ।