ସବୁ ଜିଲ୍ଲାରେ ଖେଲୋ ଇଣ୍ଡିଆ ସେଣ୍ଟର ଉଦ୍ଘାଟିତ: ତୃଣମୂଳସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ କରିବ: ସୁରଜ
ଭୁବନେଶ୍ୱର : ଆଜି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଏବଂ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଓଡ଼ିଶାର ୩୦ଟି ଜିଲ୍ଲାରେ ୩୦ଟି ଖେଲୋ ଇଣ୍ଡିଆ ସେଣ୍ଟରର ଉଦ୍ଘାଟନ କରାଯାଇଛି । ରାଜ୍ୟରେ ତୃଣମୂଳ ସ୍ତରରେ କ୍ରୀଡା ଭିତ୍ତିଭୂମିର ବିକାଶ ହେବା ସହିତ ଓଡ଼ିଶାର ପ୍ରତିଟି ଜିଲ୍ଲାରେ ଯେପରି କ୍ରୀଡା ପ୍ରତିଭା ବିକଶିତ ହୋଇପାରିବ ସେ ଲକ୍ଷ୍ୟ ନେଇ ଖେଲୋ ଇଣ୍ଡିଆ ସେଣ୍ଟରର ନିର୍ମାଣ କରାଯାଇଛି । ଖେଲୋ ଇଣ୍ଡିଆ ସେଣ୍ଟରମାନଙ୍କରେ କ୍ରୀଡ଼ାବିତମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରାଯିବା ସହିତ ବିଭିନ୍ନ କ୍ରୀଡ଼ା ଯଥା ଫୁଟବଲ୍, ଭଲିବଲ୍, ହକି, ଆଥଲେଟିକ୍ସ, ଖୋଖୋ, କବାଡ଼ି ଆଦି ନିମନ୍ତେ ସୁଦୃଢ଼ ଭିତ୍ତିଭୂମି ଏବଂ ସମସ୍ତ ପ୍ରକାର ସୁବିଧା ଖେଳାଳିମାନଙ୍କୁ ପ୍ରଦାନ କରାଯିବ । ଏଥିସହିତ ଏହି ଖେଲୋ ଇଣ୍ଡିଆ ସେଣ୍ଟର ଗୁଡ଼ିକର ଉପଯୁକ୍ତ ପରିଚାଳନା ନିମନ୍ତେ ସରକାରଙ୍କ ତରଫରୁ ବାର୍ଷିକ ୫ ଲକ୍ଷ ଟଙ୍କାର ଅନୁଦାନ ରାଶି ମଧ୍ୟ ପ୍ରଦାନ କରାଯିବ । ଜିଲ୍ଲାମାନଙ୍କରେ ସ୍ଥାପିତ ହୋଇଥିବା ଏହି ଖେଲୋ ଇଣ୍ଡିଆ ସେଣ୍ଟରମାନଙ୍କରେ ପ୍ରତ୍ୟେକ ଜିଲ୍ଲାର ଆଞ୍ଚଳିକ କ୍ରୀଡ଼ାକୁ ମଧ୍ୟ ପ୍ରଧାନ୍ୟ ଦିଆଯିବ । ପୂର୍ବରୁ ଜାତୀୟସ୍ତରୀୟ ଏବଂ ରାଜ୍ୟସ୍ତରରେ ଖ୍ୟାତି ଅର୍ଜନ କରିଥିବା କ୍ରୀଡ଼ାବିତ ହିଁ ଖେଲୋ ଇଣ୍ଡିଆ ସେଣ୍ଟରର କୋଚ୍ ଭାବରେ ଆଗାମୀ ଭବିଷ୍ୟତର କ୍ରୀଡ଼ାବିତମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ । ଏଥିସହିତ ଅଧିକରୁ ଅଧିକ କ୍ରୀଡ଼ାବିତମାନେ ଯେପରି ଖେଲୋ ଇଣ୍ଡିଆ ସେଣ୍ଟରରେ ଅନ୍ତର୍ଭୁକ୍ତ ହେବେ ତାହାକୁ ମଧ୍ୟ ସୁନିଶ୍ଚିତ କରାଯିବ । କେବଳ ପ୍ରମୁଖ ସହର ନୁହେଁ ବରଂ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ କ୍ରୀଡ଼ା ପ୍ରତିଭାର ଯେପରି ବିକାଶ ହୋଇପାରିବ ସେହି ଲକ୍ଷ୍ୟରେ ଖେଲୋ ଇଣ୍ଡିଆ ସେଣ୍ଟରର ନିର୍ମାଣ କରାଯାଇଛି, ବୋଲି କହିଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
ଆଜି କଳିଙ୍ଗ ଷ୍ଟାଡିୟମ ଠାରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ଖେଲୋ ଇଣ୍ଡିଆ ସେଣ୍ଟରର ଉଦ୍ଘାଟନୀ ସମାରୋହରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ବୈଠକରେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା ଖେଲୋ ଇଣ୍ଡିଆ ସେଣ୍ଟର ସ୍ଥାପନର ଲକ୍ଷ୍ୟ ଏବଂ କାର୍ଯ୍ୟକାରିତା ସମ୍ବନ୍ଧରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ପ୍ରଶାସନର ଅଧିକାରୀ, କ୍ରୀଡ଼ାବିତ ଏବଂ ପ୍ରଶିକ୍ଷକମାନେ ଆଭାସୀ ମାଧ୍ୟମରେ ଏହି ବୈଠକରେ ଯୋଗଦେଇ କ୍ରୀଡ଼ାରେ ବିକାଶର ଲକ୍ଷ୍ୟକୁ ନେଇ ଜିଲ୍ଲାସ୍ତରରେ ଉଦ୍ଘାଟିତ ହୋଇଥିବା ଖେଲୋ ଇଣ୍ଡିଆ ସେଣ୍ଟର ନିମନ୍ତେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।