ଅବ୍ୟବସ୍ଥା ଘେରରେ ଇନ୍ଡୋର୍ ଷ୍ଟାଡିୟମ୍ 

ହିଞ୍ଜିଳିକାଟୁ : ଅବ୍ୟବସ୍ଥା ଘେରରେ ଇନ୍ଡୋର ଷ୍ଟାଡିୟମ । ବାହାରୁ ଦେଖିବାକୁ ଚକାଚକ । ହେଲେ ଭିତରେ ଫମ୍ଫା । ୨୦୨୦ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏହାର ଶୁଭ ଉଦ୍ଘାଟନ କରିଥିଲେ । ୮ କୋଟି ଟଙ୍କାରେ ନିର୍ମିତ ଏହି ଷ୍ଟାଡ଼ିୟମକୁ ୫ବର୍ଷ ପୁରିନି । ହେଲେ ଏହାର  ଚର୍ତ୍ତୁପାର୍ଶ୍ୱରେ ଥିବା ଗ୍ରାନାଇଟ ଖସି ପଡ଼ି ପୁଣି ନିର୍ମାଣ ହୋଇଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଛି  ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମିନି ଷ୍ଟାଡିୟମ ପରିସରରେ ଥିବା ଇଣ୍ଡୋର ଷ୍ଟାଡିୟମରେ । ବର୍ତ୍ତମାନ ତାହା ଅବ୍ୟବସ୍ଥାରେ ଘରେରେ ରହିଛି । ରକ୍ଷଣାବେକ୍ଷଣ ବାବଦରେ ସରକାରି ଅର୍ଥ ଆସୁଥିବା ବେଳେ ଏହାର ପରିଷ୍କାର ପରିଚ୍ଛନ୍ନତା କେହି ଧ୍ୟାନ ଦେଉନାହାନ୍ତି । ଭିତରେ ପିଇପା ପାଣି ମିଳିବା ଅସମ୍ଭବ । ସେଠାରେ କାର୍ଯ୍ୟ କରୁଥିବା ସିକୁରିଟି ଗାର୍ଡ ଓ ମହିଳା ହାଉସ ଘରୁ ପାଣି ଆଣି ପିଇବା ପାଇଁ ବ୍ୟବହାର କରୁଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠେ ଷ୍ଟାଡିୟମର ଏଭଳି ଅବସ୍ଥା ପାଇଁ ଦାୟୀ କିଏ? ତେବେ ଏବାବଦରେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଇଣ୍ଡୋର ଷ୍ଟାଡିୟମର ପ୍ରଶିକ୍ଷକ ଦିଲିପ କୁମାର ମିଶ୍ର ମୋଟର ପୋଡି ଯାଇଥିବା ଓ ଏସି ୬ ମାସ ହେବ କାମ କରୁନଥିବା କହିଛନ୍ତି । ଏନେଇ ଜିଲ୍ଲା କ୍ରିଡା ଅଧିକାରୀ ଓ ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଇଛନ୍ତି ବୋଲି ସେ କହିଛନ୍ତି । ସୂଚନାଥାଉକି, ଏହି ଷ୍ଟାଡିୟମରେ କୁନି କୁନି ପିଲାଙ୍କ ସହ ଯୁବକ, ଯୁବତୀ ଖେଳିବାକୁ ଆସୁଛନ୍ତି । ବର୍ତ୍ତମାନ ଖରାଦିନ । ଗରମ ସାଙ୍ଗକୁ ଗୁଳିଗୁଳି ହେଉଥିବାରୁ କୌଣସି ଅଘଟଣ ଘଟିଲେ ଏଥିପାଇଁ କିଏ ଦାୟୀ ହେବେ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ ପାଇଛି । ଅତିଶୀଘ୍ର ଉକ୍ତ ଷ୍ଟାଡିୟମ୍ ର ଏସି ମରାମତି କରିବା ସହ ପାଣି ସମସ୍ୟା ସମାଧାନ ପାଇଁ ଦାବି ହୋଇଛି ।