ସମସ୍ୟା ଘେରରେ ବରୁଣ୍ଡେଇ ଉପ ଡାକଘର
ବୈତରଣୀ ରୋଡ଼ : ମୋବାଇଲ ଏବଂ କୋରିୟର ସେବା ଯୁଗରେ ବି ଡାକ ସେବାର ଗୁରୁତ୍ୱ କମିନି । ବିଶେଷ କରି ଗ୍ରାମାଞ୍ଚଳରେ ଡ଼ାକ ସେବା ବଳପତର ରହିଛି । କିନ୍ତୁ ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିବା ଡ଼ାକ ସେବା ଗୁଡ଼ିକର ସମସ୍ୟା ଦୂର କରିବା ଦିଗରେ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉନି । ବରୁଣ୍ଡେଇ ଉପ ଡ଼ାକଘର ହେଉଛି ଏଥିମଧ୍ୟରୁ ଅନ୍ୟତମ । କୋରେଇ ବ୍ଲକ ବରୁଣ୍ଡେଇରେ ରହିଛି ପୁରାତନ ଉପ ଡାକଘର । ଯାହା ସମସ୍ୟାରେ ଭୁରପୁର ରହିଛି । ବହୁ ପୁରାତନ ଡାକକେନ୍ଦ୍ର ଗୃହଟି ଧୀରେ ଧୀରେ ନଷ୍ଟ ହେବାକୁ ବସିଲାଣି । ଛାତ ସିଲିଂ ଉପରୁ ଫଡା ଫଡା ସିମେଂଟ ପ୍ଲାଷ୍ଟର ଖସିବାରେ ଲାଗିଛି । ଡାକ ଘରର ସମ୍ମୁଖ ରାସ୍ତା ସାମାନ୍ୟ ବର୍ଷା ଜଳରେ କାଦୁଅ ପାଣିରେ ରାସ୍ତା ବୁଡ଼ି ରହୁଛି । କହିବାକୁ ଗଲେ ବର୍ଷା ହେଲେ ଡାକଘରଟି ଜଳବନ୍ଦି ହୋଇପଡିଥାଏ । ରାସ୍ତା ପାଖରୁ ଡାକଘରକୁ ଏହି ଏକମାତ୍ର ରାସ୍ତା ଥିବାରୁ ଉପାୟଶୂନ୍ୟ ଲୋକ ହଇରାଣ ହୋଇଥାନ୍ତି । ଗ୍ରାହକଙ୍କୁ ଡାକଘର ସେବା ଦେବାରେ କମ୍ପୁ୍ୟଟର ବ୍ୟାକଅପ୍ ରଖୁନାହିଁ । ସେଥିପାଇଁ ଲୋକେ ଅଧିକ ସମୟ ଧରି ଅପେକ୍ଷା କରି ରହିଥାନ୍ତି । ବିଦୁ୍ୟତ୍ ଗଲେ କିମ୍ବା ପାୱାର କଟ ରହିଲେ ସମସ୍ତ ସେବାଗୁଡ଼ିକ ଠପ୍ ହୋଇଯାଇଥାଏ । ବର୍ଷା ହେବା କ୍ଷଣି ଛାତ ଉପରୁ ଝରକା ଦେଇ ପାଣି ଘର ଭିତରେ ପଶୁଛି । ଆବଶ୍ୟକୀୟ ନଥିପତ୍ର ନଷ୍ଟ ହୋଇଯାଉଛି । ଯାହା ଫଳରେ ଏହି ଡାକଘର ଉପରେ ନିର୍ଭରଶୀଳ ଜନସାଧାରଣ ନାନାଦି ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନେଇ ବାରମ୍ବାର କର୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଆସୁଛି । ହେଲେ ଅବସ୍ତାରେ ସୁଧାର ଆସୁନି । ଏହି କାରଣରୁ ଡ଼ାକଘର ଭଳି ସରକାରୀ ସଂସ୍ଥା ଲୋକଙ୍କ ବିଶ୍ୱାସଭାଜନ ହରାଇ ବସୁଛି । ଉକ୍ତ ଡାକଘର ସମେତ ରାସ୍ତାର ଉନ୍ନତି କରଣ ନିମନ୍ତେ ଅଞ୍ଚଳବାସୀ ଦାବି କରିଛନ୍ତି ।