ପୌରାଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ଆଣିଲେ ପାରିଷଦ

ବ୍ୟାସନଗର : ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ହେଲା । ବ୍ୟାସନଗର ପୈାରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ବିରୁଦ୍ଧରେ ଅନାସ୍ଥ୍ା ଆଣିଲେ ପାରିଷଦ । ଅଧ୍ୟକ୍ଷାଙ୍କ ମନମାନି, ବିକାଶରେ ବାଧକ, ପାରିଷଦଙ୍କୁ ବିଶ୍ୱାସକୁ ନନେବା ଏବଂ ସର୍ବୋପରି କାଉନସିଲ ବୈଠକରେ ପାରିତ ପ୍ରସ୍ତାବକୁ ଖାତିର ନକରିବା ଭଳି ଅଭିଯୋଗ ଆଣି ଉପନଗରପାଳ ସୁବାସ ବଳଙ୍କ ସହ ପାରିଷଦ ପାର୍ଥସାରଥୀ ନାୟକ, ବିଜୟ କୁମାର ଜେନା, ମୋନାଲିସା ସାହୁ, ସରିତା ଜେନା, ମଣିନ୍ଦ୍ର ସାହୁ, ସୁଜାତା ପ୍ରୀୟଦର୍ଶନୀ ପରିଡ଼ା, ଉର୍ମିଳା ପରିଡ଼ା, ରଶ୍ମିତା ଖୁଂଟିଆ, ଅଶୋକ କୁମାର ରାଉତ୍, ସରୋଜୀନୀ ସେଠୀ ପ୍ରମୂଖ ଲିଖିତ ଭାବେ ଜିଲାପାଳ ପି.ଅନ୍ୱେଷା ରେଡ଼ୀଙ୍କ ନିକଟରେ ଅନାସ୍ଥା ଆଗତ କରିଛନ୍ତି । ଜିଲାପାଳ ପୈାର ଆଇନ ଅନୁଯାୟୀ ପଦକ୍ଷେପ ନେବେ ବୋଲି ପାରିଷଦଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଅନାସ୍ଥା ଆଗତ ବେଳେ ପାରିଷଦ କୁନି ହାସଁଦା, ବୁଦୁନୀ ଦରାଇ, ସନ୍ତୋଷ ବରାଳ, ଅଶୋକ ଦାସ, ଶିବାନନ୍ଦ ନାୟକ, ଟୁନିଆ ନାୟକ, ସିଦ୍ଧାର୍ଥ ସାମଲ, ଦିଲୀପ ସେଠୀ ପ୍ରମୂଖ ଉପସ୍ଥିତ ରହିଥିଲେ ।ଅନାସ୍ଥାକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହୁଥିବା ବ୍ୟାସନଗର ପୈାରପାଳିକାର ଅଧ୍ୟକ୍ଷା ଭାବେ ସଙ୍ଗୀତା ପିଙ୍ଗୁଆ ବିଜୁ ଜନତା ଦଳରୁ ନିର୍ବାଚନ ଲଢି ୧୫୭୨୦ ଭୋଟ ପାଇ ବିଜୟୀ ହୋଇଥିଲେ । ୨୬ ୱାର୍ଡ ବିଶିଷ୍ଟ ବ୍ୟାସନଗର ପୈାରପାଳିକାକୁ କରାୟତ କରିଥିବା ବିଜୁ ଜନତା ଦଳରୁ୧୫ ପାରିଷଦ ବିଜୟୀ ହୋଇଥିବା ବେଳେ ବିଜେପିରୁ ୩, କଂଗ୍ରେସରୁ ୫ ଓ ୩ ଜଣ ସ୍ୱାଧୀନ ପାରିଷଦ ବିଜୟୀ ହୋଇଥିଲେ । ତେବେ ପରବର୍ତି ସମୟରେ ୩ ସ୍ୱାଧୀନ ପାରିଷଦ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ଗଲା ସାଧାରଣ ନିର୍ବାଚନ ସମୟରେ ବିଜେପିର ୩ ପାରିଷଦ ମଧ୍ୟରୁ ଦୁଇଜଣ ବିଜେଡ଼ିରେ ଯୋଗ ଦେଇଥିଲେ । ଅତଏବ ୨୬ପାରିଷଦ ମଧ୍ୟରୁ ୨୦ପାରିଷଦ ବିଜେଡ଼ିର ବୋଲି କୁହାଯାଇପାରିବ । ବିଜୁ ଜନତା ଦଳରୁ ନିର୍ବାଚିତ ଅଧ୍ୟକ୍ଷା ସଙ୍ଗୀତାଙ୍କ ବିରୁଦ୍ଧରେ ଯେଉଁ ୧୦ଜଣ ଅନାସ୍ଥା ଆଣିଛନ୍ତି ସମସ୍ତେ ହିଁ ଉକ୍ତ ଦଳର । ତେବେ ଦଳୀୟ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ଆଣିବା ପଛରେ ପାରିଷଦ ଯେଉଁ ଅଭିଯୋଗ ଆଣିଛନ୍ତି ଲିଖିତ ବାହାରେ ଅନେକ କାରଣ ଦର୍ଶାଇଛନ୍ତି । ପାରିଷଦଙ୍କ କହିବା କଥା ଅଧ୍ୟକ୍ଷା ବିଭିନ୍ନ ସମୟରେ ଆୟୋଜିତ ହେଉଥିବା ଦଳୀୟ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିନଥାନ୍ତି । ୨୦୨୩ ଡ଼ିସେମ୍ବର ୨୬ରେ ଅନୁଷ୍ଠିତ ଦଳର ପ୍ରତିଷ୍ଠା ଦିସବକୁ ଅଧ୍ୟକ୍ଷା ନଆସିବା କଥା ହେଉ କି ପୂର୍ବ କି ପରେ ଅନୁଷ୍ଠିତ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆଗ୍ରହ ଦେଖାଇ ନଥାନ୍ତି । କାଁ ଭାଁ କେତେ ବେଳେ କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତି । ଆଜିବି ଦଳ ପକ୍ଷରୁ ଆୟୋଜିତ ପ୍ରତିବାଦ ସଭା କାର୍ଯ୍ୟକ୍ରମରେ ମଧ୍ୟ ଅଧ୍ୟକ୍ଷା ଆସିବାକୁ ଉଚିତ ମଣିନଥିଲେ । ଦଳରୁ ନିର୍ବାଚିତ ହୋଇଥିଲେ ମଧ୍ୟ ତାଙ୍କର ଦଳ ପ୍ରତି ନିଷ୍ଠା ନଥିଲା । ଯିଏ ବିକାଶ ବଦଳରେ ପିସିକୁ ନୀତି କରିଛନ୍ତି, ଦଳ ପ୍ରତି ଆନ୍ତରିକତା ରଖିନାହାନ୍ତି, ସେଭଳି ଜଣେ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ଆଣିବାକୁ ବାଧ୍ୟ ହେଲୁ ବୋଲି କହିଛନ୍ତି । ପ୍ରକାଶ ଥାଉକି ଗଲା ୨ ତାରିଖରେ ଉପନଗରପାଳ ସୁବାସ ବଳଙ୍କ ନେତୃତ୍ୱରେ ଦଳୀୟ ପାରିଷଦ ଏବଂ ବିଜେଡ଼ି ନେତା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ପୈାରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ବିରୁଦ୍ଧରେ ଅଭିଯୋଗ ଆଣିବା ସହ ପୈାର ପରିଷଦରେ ଦଳର ସ୍ଥିତି ସଂପର୍କରେ ଅବଗତ କରିଥିଲେ ।