ସମସ୍ୟାଘେରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଲାଗି ରହିଛି ମାଳମାଳ ସମସ୍ୟା । ଆବଶ୍ୟକ ମୁତାବକ ଡାକ୍ତର, ନର୍ସ ଓ କର୍ମଚାରୀ ନଥିବାରୁ ରୋଗୀମାନେ ଠିକ୍ ଭାବେ ଚିକିତ୍ସା ସେବା ପାଉନାହାନ୍ତି । ଔଷଧ ନଥିବାରୁ ସାଧାରଣ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଖତ ଖାଉଥିବାବେଳେ ରକ୍ତ, ମଳ, ମୂତ୍ର ପରୀକ୍ଷା ପାଇଁ ବାହାରକୁ ଘରୋଇ ସଂସ୍ଥାକୁ ପଠାଯାଉଛି । ବିଭିନ୍ନ ୱାର୍ଡରେ ଲାଗିଥିବା ଏସି ଓ ଫ୍ୟାନ୍ ମଧ୍ୟରୁ ଅଧିକାଂଶ ଅଚଳ ହୋଇ ପଡିଛି । ଏହିଭଳି ଅଭିଯୋଗ ଆଣି ଆପ୍ ପକ୍ଷରୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଘେରିବା ସହ ୧୦ଦଫା ଦାବିପତ୍ର ପ୍ରଦାନ କରିଛି ।
ଢ଼େଙ୍କାନାଳ ଜିଲ୍ଲାରେ ସମୁଦାୟ ଡାକ୍ତର ପଦବୀ ସଂଖ୍ୟା ୪୪୦ରୁ ମାତ୍ର ୧୨୬ ଜଣ ଡାକ୍ତର ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ କାର୍ଯ୍ୟରତ ଅଛନ୍ତି । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନୁମୋଦିତ ଡାକ୍ତର ସଂଖ୍ୟା ୧୧୭ରୁ ମାତ୍ର ୨୫ ଜଣ କାର୍ଯ୍ୟରତଥିବାରୁ ରୋଗୀମନେ ଠିକ୍ ଭାବେ ଚିକିତ୍ସା ପାଇପାରୁନାହାନ୍ତି ବୋଲି ଆପ୍ ପକ୍ଷରୁ ଅଭିଯୋଗ କରାଯାଇଛି । ସେହିପରି ହସ୍ପିଟାଲରେ ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଖତ ଖାଉଥିବାବେଳେ ରକ୍ତ, ମଳ, ମୂତ୍ର ପରୀକ୍ଷା ପାଇଁ ବାହାରକୁ ଘରୋଇ ସଂସ୍ଥାକୁ ପଠାଯାଉଛି । କାହା ସ୍ୱାର୍ଥରେ ଏସବୁ କରାଯାଉଛି ବୋଲି ଆପ୍ ପ୍ରଶ୍ନ କରିଛି । ଆପ୍ ପକ୍ଷରୁ ପ୍ରଦାନ କରାଯାଇଥିବା ଦାବିପତ୍ରରେ ଥିବା ୧୦ଦଫା ଦାବି ଗୁଡିକ ମଧ୍ୟରୁ ଡାକ୍ତରଖାନରେ ରୋଗୀମାନଙ୍କୁ ସୁଷମ ଖାଦ୍ୟ ଦେବା, ୱାର୍ଡ ଗୁଡିକରେ ଥିବା ଏସି ଓ ସମସ୍ତ ଫ୍ୟାନ ଗୁଡିକ କାର୍ଯ୍ୟକ୍ଷମ କରିବା, ଡାକ୍ତର ଓ ଷ୍ଟାଫ୍ ନର୍ସ ପଦବୀ ଯୁଦ୍ଧକାଳୀନ ଭିତ୍ତିରେ ପୂରଣ କରିବା, ରାଜ୍ୟପାଳ ଓ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା, ଠିକା କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି କରିବା ଏବଂ ଆଉଟସୋର୍ସିଂ ବ୍ୟବସ୍ଥା ବନ୍ଦ କରିବା, ସିଟି ହସ୍ପିଟାଲରେ ଆଉ ଜଣେ ଡାକ୍ତର ସହିତ ଅନ୍ୟ କର୍ମଚାରୀ ନିଯୁକ୍ତି ଦେବା ଓ ମୁଖ୍ୟ ଚିକିତ୍ସାଳୟ ଭିତରେ ଜନଔଷଧି ଶାଖା ଖୋଲାଯାଇ କିଡ୍ନୀ, ହୃତପିଣ୍ଡ, କର୍କଟ, ଲିଭର ରୋଗୀ ମାନଙ୍କୁ ସୁଲଭ ମୂଲ୍ୟରେ ଔଷଧ ପ୍ରଦାନ କରିବା ପ୍ରମୁଖ ଦାବି କରିଥିଲେ । ଉପରୋକ୍ତ ସମସ୍ୟାଗୁଡ଼ିକ ସମାଧାନ ନ କରାଗଲେ ଦଳ ଆନେ୍ଦାଳନାତ୍ମକ ପନ୍ଥା ଆପଣାଇବ ବୋଲି ଢେଙ୍କାନାଳ ସାଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା, ଆପ୍ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା ଚେତାବନୀ ଦେଇଥିଲେ । ଅନ୍ୟପ୍ରମୁଖ ସଦସ୍ୟମାନଙ୍କ ମଧ୍ୟରେ ଆପ୍ର ନଗର ସଭାପତି ଦେବାଶିଷ ନନ୍ଦ, ମହିଳା ନେତ୍ରୀ ରୁନୁବାଳା ଚିନାରା, ସଦସ୍ୟ ଜୟନ୍ତ ଦାସ, ପ୍ରଶନ୍ନ ବରାଳ, ସୁଚିତ୍ର ସାହୁ, ଚିନ୍ମୟ ସେନାପତି, ପିତାମ୍ବର ସାମନ୍ତରାୟ, ପିତାମ୍ବର ଦାସ ଉପସ୍ଥିତ ଥିଲେ ।