ସମସ୍ୟାରେ ଉବୁଟୁବୁ ବୈତରଣୀ ରୋଡ ବଜାର

 ବୈତରଣୀ ରୋଡ଼ : କୋରେଇ ବ୍ଲକର ବୈତରଣୀ ରୋଡ୍, ଜିଲ୍ଲାର ବହୁ ପୁରାତନ ବଜାର ଅଟେ । ବ୍ଲକ୍ର ଏକ ପ୍ରମୂଖ ବ୍ୟବସାୟୀକ  ସ୍ଥଳ କହିଲେ ଭୁଲ ହେବନି । ବୈତରଣୀ ରୋଡ୍ ରେଳ ଷ୍ଟେସନକୁ ଲାଗି ବଜାର ଉପରେ ବ୍ଲକର ୧୦ଗୋଟି ପଞ୍ଚାୟତ ସହ ଭଦ୍ରକ ଏବଂ କେନ୍ଦୁଝର ଜିଲାର ୮ପଞ୍ଚାୟତର ଲୋକେ ବଜାର ଉପରେ ନିର୍ଭରଶୀଳ । ବଜାରକୁ ଲାଗି ସ୍କୁଲ, କଲେଜ, ମେଡିକାଲ, ଦମକଳ କେନ୍ଦ୍ର, ବ୍ୟାଙ୍କ, ପୋଷ୍ଟ ଅଫିସ ରେଳ ଷ୍ଟେସନ ରହିଛି । କିନ୍ତୁ ବୈତରଣୀ ବଜାର ଯାବତୀୟ ସମସ୍ୟା ଦେଇ ଗତି କରୁଛି । ବିଭିନ୍ନ ସ୍ଥାନରୁ ଆସୁଥିବା ଲୋକ ସମେତ ସ୍କୁଲ, କଲେଜକୁ ଆସୁଥିବା ଛାତ୍ରଛାତ୍ରୀ, ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀ, ରେଳଷ୍ଟେସନକୁ ଆସୁଥିବା ଯାତ୍ରୀ, ବ୍ୟାଙ୍କ ବା ପୋଷ୍ଟାଲକୁ ଆସୁଥିବା ହିତାଧିକାରୀ ଏବଂ ସର୍ବୋପରି ବଜାରକୁ କାରବାର କରିବାକୁ ଆସୁଥିବା ଗ୍ରାହକ ଏବଂ ପ୍ରତିଷ୍ଠାନ ଖୋଲିଥିବା ବେପାରୀ ସମସ୍ୟାକୁ ନେଇ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି ।
ଶହଶହ ସଂଖ୍ୟାର ପ୍ରତିଷ୍ଠାନ ଥିବା ବୈତରଣୀ ବଜାର ସାମାନ୍ୟ ବର୍ଷାରେ ତାର ପ୍ରକୃତ ଚେହେରା ବାରି ହୋଇପଡୁଛି । ରାସ୍ତାର ଦୁଇପାଶ୍ୱର୍ରେ ପ୍ରତିଷ୍ଠାନ ମାନ ରହିଥିବା ବେଳେ , ଡ଼୍ରେନେଜର କୌଣସି ସୁ ବନେ୍ଦାବସ୍ତ ହୋଇପାରିନି । ବଜାରର ଗୋଟିଏ ପାଖ ରାସ୍ତା ନିର୍ମାଣ ବେଳେ ପୂର୍ତ ବିଭାଗ ପକ୍ଷରୁ ଡ୍ରେନେଜ ବ୍ୟବସ୍ତା କରାଯାଇଥିଲା ସତ ହେଲେ ତାହା ପୋତା ପଡ଼ିଗଲାଣି । ଫଳରେ ବର୍ଷା ହେଲେ ରାସ୍ତା ଉପରେ ବର୍ଷା ପାଣି ଜମି ରହୁଛି ଯାହା ଦ୍ୱାରା ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ଯାହାଫଳରେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ରୋଗୀ ଏବଂ ଯାତ୍ରୀ ହିନସ୍ତା ଭୋଗିଥାନ୍ତି । ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାର ଯାତ୍ରୀ ବିଭିନ୍ନ ସ୍ଥାନକୁ ବସ୍ ଓ ଟ୍ରେନ ଯୋଗେ ଯିବା ଆସିବା କରୁଥିଲେ ହେଁ ଯାତ୍ରୀ ବିଶ୍ରାମଗାରଟିଏ ନିର୍ମାଣ ହେଇପାରୁନି । ଆଲୋକିକରଣ ବ୍ୟବସ୍ଥା ହେଉ କି ପାନୀୟ ଜଳ  କଥା ନକହିବା ଭଲ ।  ବଜାରରେ ପାନୀୟ ଜଳ ବ୍ୟବସ୍ଥା ନ ଥିବାରୁ ଆସୁଥିବା ଲୋକେ ବହୁ ହଇରାଣ ହରକତ ହେଉଛନ୍ତି । ଶୌଚାଳୟ ନ ଥିବାରୁ ଯାତ୍ରୀ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ସନ୍ଧ୍ୟା ସମୟରେ ପ୍ରବଳ ଟ୍ରାଫିକ ସମସ୍ୟା ଦେଖାଯାଉଛି । ବାଲିଗାଡ଼ି ଏହାର ଏକ କାରଣ ବୋଲି କୁହାଯାଉଛି । ଯାହା ଫଳରେ ବଜାରକୁ ଆସୁଥିବା ଲୋକମାନେ କିଣାବିକାରେ ଘୋର ସମସ୍ୟାର ସମ୍ମୁଖିନ ହେଉଛନ୍ତି । ତୁରନ୍ତ ବଜାରର ସମସ୍ୟା ଦୂର କରିବା ପାଇଁ ଅଞ୍ଚଳବାସୀ ସରକାର ଏବଂ ପ୍ରଶାସନ ନିକଟରେ ଦାବି କରିଛନ୍ତି ।