ଅବକ୍ଷୟରୁ ମୁକ୍ତି ଦେବ ଭାଗବତ

ଅବକ୍ଷୟରୁ ମୁକ୍ତି ଦେବ ଭାଗବତ


ଭଗବାନ ବିଷ୍ଣୁଙ୍କ ଅଂଶାବତାର କୃଷ୍ଣ ଦ୍ୱୈପାୟନ ବ୍ୟାସ ଦେବ ସତର ଖଣ୍ଡ ପୁରାଣ ଓ ଉପପୁରାଣ ରଚନା କରିସାରିବା ପରେ ସେ, ଖୁସି ନଥିଲେ କିମ୍ବା ତାଙ୍କର ଆତ୍ମତୃପ୍ତି ନଥିଲା । ସେ ଅନୁଭବ କରୁଥିଲେ ସତେ ଯେପରି ତାଙ୍କର ସମସ୍ତ ସୃଷ୍ଟି ନିଷ୍ଫଳ । ଦିନେ ହଠାତ ନାରଦ ମହର୍ଷି ତାଙ୍କ ନିକଟରେ ଆବିର୍ଭାବ ହୋଇ ତାଙ୍କ ମନର ଅବସ୍ଥା ଜାଣିବାକୁ ଚାହିଁଲେ । ବ୍ୟାସଦେବଙ୍କ କଥା ଶୁଣିବା ପରେ ମହର୍ଷି ନାରଦ ଭଗବାନ କୃଷ୍ଣଙ୍କ ଲୀଳା ସମ୍ପର୍କୀୟ ଏକ ପୁସ୍ତକ ଭାଗବତମ୍ ରଚନା କରିବାକୁ ଉପଦେଶ ଦେଲେ । ସ୍ୱୟଂ ନାରଦ ମୁନି ତାଙ୍କ ପିତା ବ୍ରହ୍ମ ଦେବଙ୍କଠାରୁ ଭାଗବତର ଦଶଗୋଟି ଶ୍ଳୋକ ଶୁଣିଥିଲେ । ସେହି ଦଶଗୋଟି ଶ୍ଳୋକକୁ ମହର୍ଷି ଏକଶହ ଶ୍ଳୋକରେ ବ୍ୟାସ ଦେବଙ୍କୁ କହିଲେ । ବ୍ରହ୍ମଦେବଙ୍କୁ ସ୍ୱୟଂ ଭଗବାନ ଭାଗବତର ଚାରୋଟି ଶ୍ଳୋକ କହିଥିବା କଥା ନାରଦ ମହର୍ଷି ପ୍ରକାଶ କରିଥିଲେ । ମୁନିଙ୍କ ଠାରୁ ଏକଶହ ଶ୍ଳୋକ ଶୁଣିବା ପରେ ବ୍ୟାସଦେବ ଅତ୍ୟନ୍ତ ଆନନ୍ଦିତ ହେଲେ ଓ ସଂସ୍କୃତ ଭାଗବତମ୍ ରଚନା କରିବା ପାଇଁ ଆଗ୍ରହ ପ୍ରକାଶ କଲେ । 
ପରବର୍ତ୍ତୀ  ଅବସ୍ଥାରେ ବ୍ୟାସଦେବ ଅଠର ହଜାର ଶ୍ଳୋକରେ ଭଗବାନ କୃଷ୍ଣଙ୍କ ଲୀଳା ସମ୍ବନ୍ଧୀୟ ସଂସ୍କୃତ ଭାଗବତମ୍ ରଚନା କଲେ । ଏହି କାର୍ଯ୍ୟରେ ଗଣେଶ ଦେବ ତାଙ୍କୁ ସହାୟତା କରିଥିବା କଥା ଆମ ଶାସ୍ତ୍ରରେ ଉଲ୍ଲେଖ ଅଛି । ଭାଗବତମ୍ ରଚନା କରି ବ୍ୟାସଦେବ ଅତ୍ୟନ୍ତ ଆନନ୍ଦିତ ହେଲେ ଓ ଏହି ଗ୍ରନ୍ଥକୁ ପ୍ରଚାର ପ୍ରସାର କରିବ ପାଇଁ ତାଙ୍କର ପୁତ୍ର ଆଜନ୍ମ ବ୍ରହ୍ମଚାରୀ ବିଶିଷ୍ଟ ଯୋଗୀ ଓ ପରମହଂସ ଶୁକମୁନିଙ୍କ ଉପରେ ଦାୟିତ୍ୱ ଅର୍ପଣ କଲେ । 
ପାଣ୍ଡବମନେ ସ୍ୱର୍ଗାରୋହଣ କରିବା ପରେ ସମଗ୍ର ହସ୍ତିନାପୁରର ଦାୟିତ୍ୱ ରାଜା ପରୀକ୍ଷିତଙ୍କ ଉପରେ ରହିଲା । ତାଙ୍କ ରାଜତ୍ୱ କାଳରେ କଳିର ପ୍ରବେଶ ହୋଇସାରିଥିଲା । ରାଜା ଦିନେ ମୃଗୟା ନିମିତ୍ତ ଜଙ୍ଗଲକୁ ଯାଇଥିବା ଅବସ୍ଥାରେ ତାଙ୍କୁ ପ୍ରବଳ ତୃଷା ହେବାରୁ ସେ ନିକଟସ୍ଥ ସମୀକ ରୁଷିଙ୍କ କୁଟୀରକୁ ଯାଇ ନିଜର ତୃଷା ମେଣ୍ଟାଇବାକୁ  ଧ୍ୟାନରତ ମୁନିଙ୍କୁ ଜଳ ପାଇଁ ଆହ୍ୱାନ କରିଥିଲେ । ତପସ୍ୱୀ ରାଜାଙ୍କ କଥାକୁ କର୍ଣ୍ଣପାତ ନକରିବାରୁ ରାଜା କ୍ରୋଧିତ ହୋଇ ଏକ ମୃତ ସର୍ପ ମୁନିଙ୍କ ଗଳାରେ ଝୁଲାଇ ଦେଇଥିଲେ । ମୁନିଙ୍କ ପୁଅ ଶୃଙ୍ଗୀ ନିଜ ପିତାଙ୍କ ଗଳାରେ ଏକ ମୃତ ସର୍ପକୁ ଦେଖିବାପରେ କ୍ରୋଧିତ ହୋଇ ରାଜା ପରୀକ୍ଷିତଙ୍କୁ ସାତ ଦିନ ଭିତରେ ତକ୍ଷକ ଦଂଶନ କରିବାର ଅଭିଶାପ ଦେଇଥିଲେ । ମୁନିଙ୍କ ଅଭିଶାପ ପରେ ରାଜା ବିଚଳିତ ହୋଇପଡ଼ିଥିଲେ ଓ କିଭଳି ବ୍ରହ୍ମ ଶାପ୍ୟରୁ ନିଜକୁ ରକ୍ଷା କରିବେ ଚିନ୍ତା କରି ଗୁରୁ ଓ ମୁନି ରୁଷିମାନଙ୍କ ପରାମର୍ଶ ଲୋଡ଼ିଥିଲେ । 
ପରାମର୍ଶ ଅନୁଯାୟୀ ରାଜା ନିଜର ସିଂହାସନ ତ୍ୟାଗ କରି ଗଙ୍ଗା ନଦୀକୂଳକୁ ଆସି ତପସ୍ୟା କରିଥିଲେ ଓ ଭଗବାନଙ୍କୁ ଆରାଧନା କରିଥିଲେ । ଭଗବାନଙ୍କ ନିର୍ଦେଶ କ୍ରମେ ଶୁକ ମୁନି ଯେ କି କୁରୁଜଙ୍ଗଳ ନାମକ ସ୍ଥାନରେ ବୁଲୁଥିଲେ ସେ ଆସି ଗଙ୍ଗା କୂଳରେ ପହଞ୍ଚô ରାଜା ପରୀକ୍ଷିତଙ୍କୁ ସାତ ଦିନ ବ୍ୟାପି ଭାଗବତ ଶ୍ରବଣ କରାଇଥିଲେ । ଏହି ଭାଗବତ ଶୁଣିବା ପାଇଁ ବ୍ୟାସଦେବ ସମେତେ ହଜାର ହଜାର ମୁନିଋଷି ଓ ସ୍ୱର୍ଗର ଦେବତାମାନେ ସେଠାରେ ସମବେତ ହୋଇଥିଲେ । ରାଜା ପରିକ୍ଷିତ ଏକନିଷ୍ଠ ଚିତ୍ତରେ ଶୁକମୁନିଙ୍କଠାରୁ ଭାଗବତ ଶ୍ରବଣ କରି ବ୍ରହ୍ମ ଶ୍ୟାପରୁ ମୁକ୍ତି ପାଇଥିଲେ ଓ ତାଙ୍କୁ ନେବା ପାଇଁ ସ୍ୱର୍ଗରୁ ବିମାନ ଆସିଥିଲା । 
କୁହାଯାଏ ତାଙ୍କର ଜଡ଼ ଶରୀରକୁ ତକ୍ଷକ ଦଂଶନ କରିଥିଲା । କେବଳ ପରୀକ୍ଷିତ ଯେ ଭାଗବତ ଶ୍ରବଣ କରି ମୋକ୍ଷ ଲାଭ କରିଥିଲେ ତାହା ନୁହେଁ; ଦୁନ୍ଦୁକାରୀ ଯେକି ଜଣେ ଜଘନ୍ୟ ପାପୀ ଥିଲା ଓ ତା’ର ଦେହାନ୍ତ ହେବା ପରେ ତାର ଆତ୍ମା ମୋକ୍ଷ ପାଇପାରୁନଥିଲା ପ୍ରେତ ହୋଇ ଘୂରିବୁଲୁଥିଲା, ତା’ର ଭାଇ ଗୋକର୍ଣ୍ଣ ଭାଗବତ ସପ୍ତାହ କରିବା ସହିତ ଦୁନ୍ଦୁକାରୀ ଏକନିଷ୍ଠ ଚିତ୍ତରେ ଶ୍ରବଣ କରିବା ଫଳରେ ତାର ଆତ୍ମା ମୋକ୍ଷ ଲାଭ କରିଥିଲା, ଯାହାକି ଭାଗବତ ମହାତ୍ମ୍ୟରେ ଉଲ୍ଲେଖ ଅଛି । ଭାଗବତମ୍ ଏକ ମୋକ୍ଷ ପ୍ରଦାୟିନୀ ଗ୍ରନ୍ଥ । ଏହା ସ୍ୱୟଂ ଭଗବାନ କୃଷ୍ଣଙ୍କ ବାଙ୍ମୟ ରୂପ । ଭଗବାନ ଯେତେବେଳେ ନିଜର ଲୀଳାଖେଳା ସାରି ସ୍ୱଧାମକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚିନ୍ତା କଲେ ଉଦ୍ଧବ ଭଗବାନଙ୍କୁ ପ୍ରଶ୍ନ କଲେ କହିଲେ, “ପ୍ରଭୁ ଆପଣଙ୍କ ଆବର୍ତ୍ତନରେ ମଣିଷ ସମାଜ ଜୀବ ଜଗତ କିପରି ବଞ୍ଚôବେ ?” ଏହି ସମୟରେ ଉଦ୍ଧବ ଦେଖିବାକୁ ପାଇଲେ ଯେ ଭଗବାନଙ୍କ ଗୋଟିଏ ରୂପ ଭାଗବତ ଭିତରେ ପ୍ରବେଶ କରିଗଲେ । ତେଣୁ ଏହି କଳିଯୁଗରେ ଭାଗବତ ହିଁ ମଣିଷକୁ ମୁକ୍ତିର ରାସ୍ତା ଦେଖାଇପାରିବ ବୋଲି ଉଦ୍ଧବ ଓ ବିଦୁର କଥୋପକଥନ ଭିତରେ ଉଲ୍ଲେଖ କରାଯାଇଛି । ଭଗବତମ୍ ଅତ୍ୟନ୍ତ ପବିତ୍ର ଗ୍ରନ୍ଥ ଯେଉଁଥିରେ ଭଗବାନଙ୍କ ବାଲ୍ୟ ଲୀଳାଠାରୁ ଆରମ୍ଭ କରି ଶେଷ ଜୀବନ ପର୍ଯ୍ୟନ୍ତ ବର୍ଣ୍ଣନା କରାଯାଇଛି । ଏଥିରେ ଭକ୍ତି ଜ୍ଞାନ, ବୈରାଗ୍ୟ ଓ ତତ୍ତ୍ୱର ମଧୁର ସମ୍ମିଶ୍ରଣ ରହିଛି । 
ମୂଳ ସଂସ୍କୃତ ଭାଗବତରୁ ବିଭିନ୍ନ ଭାଷାରେ ପରବର୍ତ୍ତୀ ଅବସ୍ଥାରେ ଅନୁବାଦ କରାଯାଇଛି । ଷଷ୍ଟଦଶ ଶତାବ୍ଦୀ ବେଳକୁ ଭକ୍ତ କବି ଜଗନ୍ନାଥ ଦାସ ସଂସ୍କୃତ ଭାଗବତକୁ ସହଜ ସରଳ ଓଡ଼ିଆ ଭାଷାରେ ଓ ନବାକ୍ଷରୀ ଛନ୍ଦରେ ଅନୁବାଦ କରି ପ୍ରତ୍ୟେକ ଓଡ଼ିଆର ହୃଦୟକୁ ସ୍ପର୍ଶ କରିଥିଲେ । ଓଡ଼ିଆ ଭାଗବତ ପ୍ରତ୍ୟେକ ଓଡ଼ିଆ ଘରେ ପୂଜା ପାଉଥିଲା ଓ ଗାଁ ଗାଁ ରେ ଭାଗବତ ଟୁଙ୍ଗିମାନ ଗଠନ ହୋଇ ପ୍ରତ୍ୟେକ ସନ୍ଧ୍ୟାରେ ଭାଗବତ ପରାୟଣ କରାଯାଉଥିଲା । ପଣ୍ଡିତ ଶ୍ରୀଧର ସ୍ୱାମୀ ଭଳି ଆହୁରି ଅନେକ ପଣ୍ଡିତ ସଂସ୍କୃତ ଭାଗବତକୁ ଓଡ଼ିଆରେ ଅନୁବାଦ କରି ପାଠକମାନଙ୍କୁ ଖୋରାକ ଯୋଗାଇଥିଲେ । ଷଷ୍ଠଦଶ ଶତାବ୍ଦୀରେ ପ୍ରାୟ ୯୯ଭାଗ ଲୋକ ନିରକ୍ଷର ଥିଲେ । ଭାଗବତ ଲୋକଲୋଚନକୁ ଆସିବ ପରେ ଭାଗବତ ପାଠ କରିବା ପାଇଁ ଯେତିକି ଜ୍ଞାନ ଆବଶ୍ୟକ ହେଉଥିଲ ଲୋକମନେ ଗ୍ରାମ ଚାଟଶାଳୀରେ ସେତିକି ଶିକ୍ଷା କରୁଥିଲେ । ଝିଅ ବିଭାଘର ସମୟରେ ବର ଘର ତରଫରୁ ଝିଅ ଭାଗବତ ପଢ଼ି ଜାଣିଛି କି ନାହିଁ ପଚରା ଯାଉଥିଲା । ଝିଅ ଯଦି ଭାଗବତ ଦୁଇ ଅକ୍ଷର ପଢ଼ି ଜାଣୁଥିଲା ବର ପକ୍ଷ ତରଫରୁ ବିଭାଘର ପାଇଁ ଅନୁମତି ମିଳିଯାଉଥିଲା । 
ମଣିଷର ଶେଷ ସମୟରେ ମୃତୁ୍ୟଶଯ୍ୟା ନିକଟରେ ଭାଗବତ ପରାୟଣ କରାଯାଉଥିଲା । ଅମର ଭାଗବତ ଓ ଭଗବଦ୍ ଗୀତା କହନ୍ତି ଯେ ମଣିଷ ତା’ର ଶେଷ ନିଃଶ୍ୱାସ ତ୍ୟାଗ କରିବା ସମୟରେ ଯଦି ସେ ଭଗବାନଙ୍କୁ ସ୍ମରଣ କରେ ବା ତାଙ୍କର ରୂପକୁ ମନେ ପକେଇ ଦେହତ୍ୟାଗ କରେ ସେ ମୋକ୍ଷ ଲାଭ କରେ । ସେଥିପାଇଁ ଭାଗବତ ଓ ଗୀତା କୁ ମୋକ୍ଷ ପ୍ରଦାୟିନୀ ଗ୍ରନ୍ଥ ବୋଲି କୁହାଯାଏ । କୁହାଯାଏ ପରମଶାସ୍ତ୍ର ଭାଗବତ ଅଭ୍ୟାସ କରୁଥିବ ନିତ୍ୟ ଭଗବଦ୍ ଗୀତାରେ ଉଲ୍ଲେଖ ଅଛି “ଯଂ ଯଂ ବାପି ସ୍ମରାନ୍ଭବଂ ତ୍ୟପତ୍ୟନ୍ତେ କଳେବରମ୍ ଚଂ ତମେବୈତି କୌନ୍ତେୟ ସଦାତତ୍ ରାବଭାବିତଃ ।” (ଅଷ୍ଟମ ଅ୍ମାୟ ଶ୍ଲୋକ-୬) ଆଜି ଭାଗବତ ଟୁଙ୍ଗି ଓ ଭାଗବତ ସଂସ୍କୃତି ଅବକ୍ଷୟମୁଖୀ । ଆଜିର ଯୁବପିଢ଼ି ଗୀତା ଓ ଭାଗବତ ପଢିବା ତ ଦୂରର କଥା ଆସ୍ତେ ଆସ୍ତେ ସେମାନେ ଆମର ଧର୍ମ ଓ ସଂସ୍କୃତି ଠାରୁ ଦୂରେଇଯିବାର ଦେଖା ଯାଉଛି । ପରିବାରରେ ପିତା ମାତା ନାଁ ବିଦ୍ୟାଳୟରେ ଗୁରୁ ମାନେ କେହି ହେଲେ ପିଲାମାନଙ୍କୁ ଗୀତା ଭାଗବତ ପଢିବା ପାଇଁ ପ୍ରୋତ୍ସାହନ ଦେଉନାହାନ୍ତି । ଫଳରେ ଆମ ଧର୍ମ ସଂସ୍କୃତିଠାରୁ ସେମାନେ ଦୁରେଇ ଯାଉଛନ୍ତି । ବାବା ବୈକୁଣ୍ଠ ନାଥ ବ୍ରହ୍ମଚାରୀ କହିଥିଲେ “ନିତି ଭାଗବତ ପଢ । ସେଇ ଭାବରେ ମନକୁ କର ତୁ ଦୃଢ ।’ ଭାଗବତ ଖାଲି ପଢିଲେ ହେବ ନି, ସେହି ଆଧ୍ୟାତ୍ମିକ ରସକୁ ଆକଣ୍ଠ ପାନ କରିବା ଉଚିତ । ଇଂରେଜମନେ ଭାରତ ବର୍ଷର ଶାସନ ହାତକୁ ନେବା ପରେ ଅମର ଗୁରୁକୁଳ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିଦେଇ ପାଶ୍ଚାତ୍ୟ ଶିକ୍ଷାକୁ ପ୍ରୋତ୍ସାହନ ଦେଲେ, ଯେଉଁଥିପାଇଁ ଆଜି ସାମାଜିକ ସ୍ଖଳନ ଦେଖିବାକୁ ମିଳୁଛି ।
ଆସନ୍ତୁ ଏହି ଅବକ୍ଷୟମୁଖୀ ସଂସ୍କୃତିକୁ ରକ୍ଷା କରିବା ପାଇଁ ଆମ ପିଲାମାନଙ୍କୁ ଗୁରୁକୁଳ ପଦ୍ଧତିରେ ଶିକ୍ଷା ଦେବା ସହିତ ଆମ ଧର୍ମର ପବିତ୍ର ଗ୍ରନ୍ଥ ଭାଗବତ ଓ ଭଗବଦ ଗୀତା ସମ୍ପର୍କରେ ଶିକ୍ଷାଦାନ କରିବା ଓ ପ୍ରତି ଗାଁରେ ଭାଗବଟୁଙ୍ଗିର ପୁନଃରୁଦ୍ଧାର କରି ଲୋକ ମାନଙ୍କ ମନରେ ଆଧ୍ୟାତ୍ମିକତାର ସ୍ରୋତ ପ୍ରବାହିତ କରିବା ।
                                             ଅବସରପ୍ରାପ୍ତ ପୋଲିସ୍ ଅଫିସର୍
ମୋ : ୮୨୪୯୨୮୧୫୬୭