ନାଳନ୍ଦା ବିଶ୍ୱବିଦ୍ୟାଳୟର ଅତୀତ ଓ ବର୍ତ୍ତମାନ

ପ୍ରଦୀପ୍ତ କୁମାର ଜେନା : ପୃଥିବୀର ସର୍ବପ୍ରାଚୀନ ଓ ବୃହତ୍ତମ ବିଶ୍ୱସ୍ତରୀୟ ଆବାସିକ ଶିକ୍ଷାନୁଷ୍ଠାନ ‘ନାଳନ୍ଦା ମହାବିହାର ବା ଅନ୍ତର୍ଜାତୀୟ ନାଳନ୍ଦା ବିଶ୍ୱବିଦ୍ୟାଳୟ, ଯାହାକୁ ଏକ ବୌଦ୍ଧ ବିହାର କୁହାଯାଇପାରେ, ପ୍ରାଚୀନ ମଗଧ ଓ ବର୍ତ୍ତମାନର ବିହାର ପ୍ରଦେଶର ପୁରାତନ ସହର ରାଜଗୃହ ଓ ବର୍ତ୍ତମାନର ନାଳନ୍ଦା ଜିଲ୍ଲା ରାଜଗିରି ସହରରେ ଖ୍ରୀଷ୍ଟାବ୍ଦ ପଞ୍ଚମ ଶତାବ୍ଦୀରେ ତକ୍ରାଳୀନ ଗୁପ୍ତ ଯୁଗର ସମ୍ରାଟ ସମୁଦ୍ରଗୁପ୍ତ ପ୍ରଥମ ପ୍ରତିଷ୍ଠା କରିଥିଲେ । କୁମାର ଗୁପ୍ତଙ୍କ ଅନ୍ୟ ନାମ ସକ୍ରାଦିତ୍ୟ ବୋଲି କୁହାଯାଏ । ଐତିହାସିକ ଏ.ବି. ସ୍ମିଥ୍‌ଙ୍କ ମତରେ ସମୁଦ୍ର ଗୁପ୍ତଙ୍କୁ ଭାରତର ନେପୋଲିଅନ ବୋନାପାଟ ବୋଲି କୁହାଯାଉଥିଲା । ଗୁପ୍ତ ଯୁଗକୁ ଇତିହାସକାରମାନେ ସୁବର୍ଣ୍ଣ ଯୁଗ ବୋଲି ନାମିତ କରିଛନ୍ତି । କାରଣ ଏହି କାଳଖଣ୍ଡରେ ଭାରତ ପ୍ରଗତିର ଶିଖର ସ୍ପର୍ଶ କରିଥିଲା । ଏପରିକି ଶିକ୍ଷା, କଳା ଓ ଭାରତୀୟ ସଂସ୍କୃତି ଅତ୍ୟନ୍ତ ଉଚ୍ଚକୋଟିର ଥିଲା । ସମଗ୍ର ପୃଥିବୀର ଇତିହାସକାରମାନେ ଗୁପ୍ତଯୁଗକୁ ଓ ସେ ସମୟର ଶାସକମାନଙ୍କୁ ଭୁୟସୀ ପ୍ରଶଂସା କରିଥିଲେ ।

     ବିହାର ପ୍ରଦେଶର ରାଜଧାନୀ ପାଟନଠାରୁ ପୂର୍ବ ଦକ୍ଷିଣ ଦିଗକୁ ପ୍ରାୟ ୯୦ କିଲୋମିଟର ଦୂରରେ ଏବେବି ସେହି ବିଶ୍ୱବିଦ୍ୟାଳୟର ଭଗ୍ନାଂଶ ଶେଷ ମୂକ ସାକ୍ଷୀ ଭାବେ ଦଣ୍ଡାୟମାନ । ଯଦିଓ ବର୍ତ୍ତମାନର ସରକାର ସେହି ପ୍ରାଚୀନ ଐତିହର ସ୍ମୃତିକୁ ପୁନଃଜୀବିତ ରଖିବା ପାଇଁ ସେହି ଭଗ୍ନାବଶେଷଠାରୁ ୧୦ କିଲୋମିଟର ଦୂରରେ ନାଳନ୍ଦା ଜିଲ୍ଲା ରାଜଗିରି ସହରରେ ଅନ୍ତର୍ଜାତୀୟ ନାଳନ୍ଦା ବିଶ୍ୱବିଦ୍ୟାଳୟର ପୁନଃସ୍ଥାପନା କରିଛନ୍ତି, ହେଲେ ସେ ପ୍ରାଚୀନ ସ୍ତୁପ ଏବେବି ବିଦ୍ୟମାନ । ସମୁଦ୍ରଗୁପ୍ତ ଜଣେ ହିନ୍ଦୁ ଧର୍ମର ସମ୍ରାଟ ଓ ବିଷ୍ଣୁ ଉପାସକ ଥିଲେ, ଏପରିକି ସେ ଅଶ୍ୱମେଧ ଯଜ୍ଞ କରିଥିଲେ ବୋଲି କୁହାଯାଏ । ବୌଦ୍ଧ ଧର୍ମ ପ୍ରତି ସେ ଅତ୍ୟନ୍ତ ସହନଶୀଳ ଥିଲେ । ଗୁପ୍ତଯୁଗ ପରେ ପୁଷ୍ୟଭୁତି ବଂଶ ଓ ତା’ପରେ ପାଲ୍‌ ସାମ୍ରାଜ୍ୟର ଶାସକମନେ ମଧ୍ୟ ନାଳନ୍ଦା ବିହାରର ବିକାଶ ପ୍ରତି ଗୁରୁତ୍ୱ ଦେଇଥିଲେ । ୮୦୦ ବର୍ଷ ବିଶ୍ୱବିଦ୍ୟାଳୟଟି କାର୍ଯ୍ୟକ୍ଷମ ଥିବା କଥା ଐତିହାସିକମାନଙ୍କ ମତ । ପଞ୍ଚମ ଶତାବ୍ଦୀରେ ଭାରତୀୟ ଶିକ୍ଷା ବ୍ୟବସ୍ଥା କେତେ ଉଚ୍ଚକୋଟିର ଥିଲା ତା’ର ଜ୍ୱଳନ୍ତ ଉଦାହରଣ ନାଳନ୍ଦା ବିହାର ବା ନାଳନ୍ଦା ବିଶ୍ୱବିଦ୍ୟାଳୟ । ସେଠାରେ ବିଶ୍ୱର ଭିଭିନ୍ନ ଦେଶର ଛାତ୍ର ଯଥା ତିବ୍ଦତ୍ତ, ମଙ୍ଗୋଲିଆ, ଇଣ୍ଡୋନେସିଆ, ଜାପାନ, ଚାଇନା, କୋରିଆ, ଇରାନ, ଗ୍ରୀସ୍‌ର ଯୋଗ୍ୟ ଛାତ୍ରମାନଙ୍କୁ ଅଧ୍ୟୟନ କରିବାର ସୁଯୋଗ ମିଳୁଥିଲା । ଛାତ୍ରମାନଙ୍କୁ ମହାବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଏକ ସ୍ୱତନ୍ତ୍ର ପରୀକ୍ଷା ଦେବାକୁ ପଡୁଥିଲା । ସେମାନଙ୍କ ରହିବା, ଖାଇବା ଓ ସମସ୍ତ ଖର୍ଚ୍ଚ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବହନ କରୁଥିଲେ । ପ୍ରାୟ ପାଖାପାଖି ୧୦ ହଜାର ଛାତ୍ର ସେଠାରେ ରହି ଅଧ୍ୟୟନ କରୁଥିଲେ ଓ ସେହି ବିଶ୍ୱବିଦ୍ୟାଳୟରେ ୨ ହଜାର ଶିକ୍ଷକ ନିଯୁକ୍ତି ପାଇଥିଲେ । ପ୍ରତ୍ୟେକଟି ନିଷ୍ପତ୍ତି ଲୋକତାନ୍ତ୍ରିକ ପ୍ରଣାଳୀରେ ଯଥା ସେଠାରେ ଥିବା ବୌଦ୍ଧ ସନ୍ୟାସୀ, ଶିକ୍ଷକ ଓ ଛାତ୍ରମାନଙ୍କ ସହମତିରେ ନିଆଯାଉଥିଲା । ସେଠାରେ ମହାଜନ ଓ ହୀନଜାନ ବୌଦ୍ଧଧର୍ମର ଛାତ୍ର ମାନଙ୍କ ସହିତ ଅନ୍ୟ ଦେଶର ଛାତ୍ରମାନେ ଅଧ୍ୟୟନ କରୁଥିଲେ । ବୌଦ୍ଧ ଦର୍ଶନ, ସାହିତ୍ୟ, ଭାରତୀୟ ସଂସ୍କୃତିର ବେଦ ବେଦାନ୍ତ  ଦର୍ଶନ, ଗଣିତ, ଜ୍ୟୋତିଷ, ଅର୍ଥଶାସ୍ତ୍ର, ବ୍ୟାକରଣ, ଆୟୁବେର୍ଦ, ରାଜନୀତି, କଳା, ଯୁଦ୍ଧ ନୀତି, ଆଧ୍ୟାତ୍ମିକ ବିଦ୍ୟା, ବ୍ରହ୍ମବିଦ୍ୟା ପ୍ରଭୃତି ପିଲାମାନଙ୍କୁ ଶିକ୍ଷା ଦିଆଯାଉଥିଲା । ସେହି ଶିକ୍ଷାନୁଷ୍ଠାନରୁ ଅନେକ ଛାତ୍ର ଯଥା ସମ୍ରାଟ ହର୍ଷବର୍ଦ୍ଧନ, ଧର୍ମପାଲ୍‌, ବସୁବନ୍ଧୁ, ଧର୍ମବିର, ଆର୍ଯ୍ୟଭଟ, ନାଗାର୍ଜୁନ ଭଳି ବ୍ୟକ୍ତିତ୍ୱ ବିଦ୍ୟା ଶିକ୍ଷା କରି ଭିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରକାଶ  କରିଥିଲେ । ଚାଇନାର ବୌଦ୍ଧ ସନ୍ୟାସୀ ହୁଏନସାଂ  ଏହି ବିଶ୍ୱ ବିଦ୍ୟାଳୟରେ ଜଣେ ଛାତ୍ର ଭାବେ ଓ ପରେ ଶିକ୍ଷକ ଭାବେ ଅନେକ ବର୍ଷ ବିତାଇଥିଲେ । ବିଦେଶୀ ଶତ୍ରୁ ଈର୍ଷାନିତ୍ୱ ହୋଇ ତିନି ଥର ନାଳନ୍ଦା ବିଶ୍ୱ ବିଦ୍ୟାଳୟକୁ ଧ୍ୱଂସ କରିବା ସହିତ ସେଠାରେ ଥିବା ବୌଦ୍ଧ ସନ୍ୟାସୀ ଓ ଶିକ୍ଷକ ମାନଙ୍କୁ ହତ୍ୟା କରିଥଲେ । ପଞ୍ଚମ ଶତାବ୍ଦୀରେ ‘ହୁନ’ ମାନେ ମିହିରକୁଳ ରାଜତ୍ୱ ସମୟରେ ଆକ୍ରମଣ କରିଥିଲେ । ପୁନର୍ବାର ସପ୍ତମ ଶତାବ୍ଦୀରେ ବେଙ୍ଗଲର ଗୌଡ଼ ରାଜା ବିଶ୍ୱବିଦ୍ୟାଳୟ ଉପରେ ଆକ୍ରମଣ କରି ଅନେକ କିଛି ସମ୍ପତ୍ତି ନଷ୍ଟ ଭ୍ରଷ୍ଟ କରିଦେଇଥିଲେ ଓ ପରବର୍ତ୍ତୀ ସମୟରେ ବୌଦ୍ଧ ଧର୍ମାବଲମ୍ବୀ ସମ୍ରାଟ ହର୍ଷର୍ବର୍ଦ୍ଧନ ବିଶ୍ୱବିଦ୍ୟାଳୟର ପୁନଃ ନିର୍ମାଣ କରିଥିଲେ । ତୃତୀୟଥର ତୁର୍କୀ ଆଫଗାନ ମିଲିଟାରୀ ଜେନେରାଲ ବକ୍ତିଆର ଖିଲିଜି ୧୧୯୧/୧୧୯୨ ମସିହାରେ ବିଶ୍ୱବିଦ୍ୟାଳୟ ଉପରେ ଆକ୍ରମଣ କରି  ଅନେକ ଶିକ୍ଷକ, ସନ୍ୟାସୀ, ବୌଦ୍ଧଭିକ୍ଷୁମାନଙ୍କୁ ହତ୍ୟା କରିବା ସହିତ ନଅ ମହଲା ବିଶିଷ୍ଟ ପୁସ୍ତକାଗାରରେ ଅଗ୍ନି ସଂଯୋଗ କରିଦେଇଥିଲେ । କୁହାଯାଏ ସେ ଅଗ୍ନି ଅନେକ ଦିନ ଧରି ଜଳିଥିଲା, ଯେଉଁଥିଲେ ୯ ମିଲିୟନ ପୋଥି ଜଳି ପୋଡି ନଷ୍ଟ ହୋଇଯାଇଥିଲା । ଆକ୍ରମଣକାରୀଙ୍କ ଉଦ୍ଦେଶ୍ୟ ଥିଲା ଭାରତୀୟ  ସଂସ୍କୃତି, ଆୟୁର୍ବେଦ ସହିତ ବୌଦ୍ଧଦର୍ଶନ ସମ୍ବନ୍ଧୀୟ ସମସ୍ତ ପାଣ୍ଡୁଲିପିକୁ ନଷ୍ଟ କରିଦେବା ଓ ସେମାନେ ମଧ୍ୟ ସେଥିରେ କୃତକାର୍ଯ୍ୟ ହୋଇପାରିଥିଲେ । ଫଳରେ ଶିକ୍ଷାର ମେରୁଦଣ୍ଡ ଭାଙ୍ଗିଯାଇଥିଲ।। ଏହାପରେ ୧୨୦୦ ଶତାବ୍ଦୀ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟଟି ଚାଲିଥିଲା ଓ ତା’ପରେ ପ୍ରୋତ୍ସାହନ ଅଭାବରୁ ବନ୍ଦ ହୋଇଯାଇ କାଳକ୍ରମେ ଭାଙ୍ଗିରୁଜି ମାଟି ତଳେ ପୋତି ହୋଇଯାଇଥିଲା ।

        ଭାରତୀୟ ପ୍ରତ୍ନତତ୍ତ୍ୱଙ୍କ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ପୋତି ହୋଇ ପଡ଼ିଥିବା ବିଶ୍ୱ ବିଦ୍ୟାଳୟଟି  ୧୯୧୫ ରୁ ୧୯୩୭ ଏବଂ ୧୯୭୪ ରୁ ୧୯୮୨ ପର୍ଯ୍ୟନ୍ତ ଖନନ କରାଯାଇଥିଲା । ବହୁ ବର୍ଷ ପରେ ୨୦୦୬ ମସିହାରେ ତକ୍ରାଳୀନ ରାଷ୍ଟ୍ରପତି ଡକ୍ଟର ଏ.ପି. ଜେ. ଅବଦୁଲ କଲାମ  ବିହାର  ବିଧାନସଭାର ଉଭୟ ଗୃହକୁ ସମ୍ବୋଧିତ କରିବା ସମୟରେ ପୁରାତନ ନାଳନ୍ଦା ବିଶ୍ୱ ବିଦ୍ୟାଳୟକୁ ପୁନର୍ଗଠନ କରିବାର ପ୍ରସ୍ତାବ ଦେଇଥିଲେ, ଯାହାକି ୨୦୦୭ ମସିହାରେ ର୍ପୂବ ଏସିଆ ଶିଖର ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ପ୍ରସ୍ତାବକୁ ୧୬ଟି ଦେଶ ଆଗ୍ରହ ପ୍ରକାଶ କରିବାରୁ ପ୍ରସ୍ତାବଟି ଆଗକୁ ଯାଇଥିଲା ଓ ଭାରତ ସରକାର ୨୦୧୦ ମସିହାରେ ନାଳନ୍ଦା ବିଶ୍ୱବିଦ୍ୟାଳୟ ବିଧେୟକ ସଂସଦରେ ପାରିତ କରିଥିଲେ । ଉକ୍ତ ବିଧେୟକଟି ୨୧ ଅଗଷ୍ଟ ୨୦୧୦ରେ ରାଜ୍ୟସଭାରେ ପାରିତ ହେବା ପରେ ୨୬ ଅଗଷ୍ଟ ୨୦୧୦ରେ ଲୋକସଭାରେ ପାରିତ ହୋଇଥିଲା ଓ ସେହି ବର୍ଷ ୨୫ ନଭେମ୍ବରଠାରୁ ବିଶ୍ୱବିଦ୍ୟାଳୟ କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା । ୨୦୧୪ ମସିହାରେ ପ୍ରଥମ ବ୍ୟାଚ ଛାତ୍ର ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିଲେ । ପ୍ରଥମେ ୧୬ଟି ଦେଶ ଏହି ବିଶ୍ୱବିଦ୍ୟାଳୟକୁ ସାହାଯ୍ୟ ପାଇଁ ଆଗେଇ ଆସିଥିବା ବେଳେ ୨୦୧୯ ମସିହାରେ ମୋଟ ୧୮ଟି ଦେଶ ଚୁକ୍ତିପତ୍ରରେ ସ୍ୱାକ୍ଷର କରିଥିଲେ ଓ ସେହିଦିନ ଠାରୁ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏକ ଅର୍ନ୍ତଜାତୀୟ ବିଶ୍ୱ ବିଦ୍ୟାଳୟ ଭାବେ ସ୍ୱୀକୃତି ପାଇଥିଲା । ୨୦୧୧ ମସିହାରେ ବିହାର ସରକାର ବିଶ୍ୱବିଦ୍ୟାଳୟ ପାଇଁ ୪୫୫.୧୯ଏକର ଜମି ଦାନ କରିଥିଲେ । ୨୦୧୭ ମସିହାରୁ ୨୦୨୩ ମସିହା ଭିତରେ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି କାର୍ଯ୍ୟ ୯୦ ଭାଗ ସମ୍ପୂର୍ଣ୍ଣହେବା ପରେ ୧୯ ଜୁନ ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦି ଉଦ୍‌ଘାଟନ କରିଥିଲେ ଓ ଏହି ସମୟରେ ବିହାର ମୁଖ୍ୟମନ୍ତ୍ର ସମେତ ୧୦ଟି ଦେଶର ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ । ନାଳନ୍ଦା ଅନ୍ତର୍ଜାତୀୟ ବିଶ୍ୱ ବିଦ୍ୟାଳୟ ‘ସେଣ୍ଟ୍ରାଲ ପୋଷ୍ଟ ଗ୍ରାଜୁଏଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ’ ଭାବେ ବିଦେଶ ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟ କରି ଆସୁଛି । ବିଶେଷ ଭାବରେ ଏହା ଏକ ସ୍ନାତକୋତ୍ତର  ବିଶ୍ୱବିଦ୍ୟାଳୟ  ସହିତ ଡକ୍ଟର ଅଫ ଫିଲୋସଫି କାର୍ଯ୍ୟକ୍ରମ ସେଠାରେ ଚାଲୁ ରହିଛି । ଏହି ଐତିହାସିକ ଅଧ୍ୟୟନ, ବୌଦ୍ଧ ଅଧ୍ୟୟନ, ପରିସ୍ଥିତି ଓ ପର୍ଯ୍ୟାବରଣ ଅଧ୍ୟୟନ, ଦର୍ଶନଶାସ୍ତ୍ର ଓ ତୁଳନାତ୍ମକ ଧର୍ମ, ଭାଷା ଓ ସାହିତ୍ୟ ଓ ମ୍ୟାନେଜମେଣ୍ଟ ଷ୍ଟଡିଜ ଇତ୍ୟାଦି ପାଠ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯାଉଛି ଓ ଭବିଷ୍ୟତରେ ଆହୁରି ଅନେକ ସମୟପଯୋଗୀ ପାଠ୍ୟକ୍ରମ ଚାଲୁ ହେବାକୁ ସ୍ଥିର କରାଯାଇଛି । ବର୍ତ୍ତମାନର ବିଶ୍ୱ ବିଦ୍ୟାଳୟଟି ପୁରାତନ ବିଶ୍ୱ ବିଦ୍ୟାଳୟ ଢାଞ୍ଚା ଓ ପୁରାତନ ପାଠ୍ୟକୁ ଗୁରୁତ୍ୱ ଦିଆଯାଇଛି । ଏହି ବିଶ୍ୱବିଦ୍ୟାଳୟଟି ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ପୃଥିବୀର ଏକ ନମ୍ବର ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଭ କରିବ ବୋଲି ଆଶା ।         

ଅବସରପ୍ରାପ୍ତ ପୋଲିସ୍‌ ଅଫିସର୍‌
 ୮୨୪୯୨୮୧୫୬୭