ସମ୍ବଲପୁରରେ ଧର୍ମେନ୍ଦ୍ରଙ୍କ ମାରାଥନ କାର୍ଯ୍ୟକ୍ରମ
ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ଆଜି ମାରାଥନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧାରୁ ପାଠ ଛାଡ଼ିଥିବା, ବିଦ୍ୟାଳୟରେ ଆଦୌ ନାମ ଲେଖାଇ ନଥିବା ତଥା ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମ୍ବଲପୁରରେ ରାଜ୍ୟବ୍ୟାପୀ ଅଭିଯାନ ଆୟୋଜିତ ‘ଆସ ସ୍କୁଲ ଯିବା’ ସଚେତନତା ପଦଯାତ୍ରାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଥିଲେ ।
ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି, ସମ୍ବଲପୁରରେ ସ୍କୁଲକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନ୍ୟ ଜିଲ୍ଲା ଅପେକ୍ଷା ବହୁତ ଭଲ ଅଛି । ବର୍ତ୍ତମାନ ସମୟରେ ସମ୍ବଲପୁର ଜିଲ୍ଲାରେ ପ୍ରାୟ ୩୦୦୦ ପିଲା ବିଭିନ୍ନ ଶ୍ରେଣୀ ଅନୁସାରେ ସ୍କୁଲ ବାହାରେ ଅଛନ୍ତି । ସେମାନଙ୍କୁ ସ୍କୁଲ ଶିକ୍ଷା ଓ ଦକ୍ଷତା ସହ ଯୋଡିବା ପାଇଁ ଆସ ସ୍କୁଲ ଯିବା ପରି ଅଭିଯାନ ରାଜ୍ୟ ସରକାରଙ୍କ ପ୍ରଶଂସନୀୟ ପଦକ୍ଷେପ । ସମସ୍ତଙ୍କୁ ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ରେ ଯୋଡ଼ିବା ଆମ ସରକାରଙ୍କ ମୂଳ ଉଦେ୍ଦଶ୍ୟ । ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା, ନିରକ୍ଷର ଲୋକଙ୍କୁ ସାକ୍ଷର କରିବା, ଭୋକାଲ୍ ଫର୍ ଲୋକାଲକୁ ପ୍ରୋସôାହନ ଦେଇ ସ୍ୱଦେଶୀ ସାମଗ୍ରୀର ବ୍ୟବହାର କଲେ ହିଁ ଆମ ଦେଶ ଶିକ୍ଷା ଓ ସାମାଜିକ ଦୃଷ୍ଟିରୁ ଉନ୍ନତ ଓ ଅଧିକ ମଜଭୁତ୍ ହେବ । ପଦଯାତ୍ରାରେ ମନ୍ତ୍ରୀ ରବି ନାଏକ ସାମିଲ ଥିଲେ ।
ସେହିପରି ସ୍ୱଚ୍ଛତାକୁ ନିଜ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବା ଓ ଆଗାମୀ ପାର୍ବଣ ଋତୁରେ ସ୍ୱଚ୍ଛତାକୁ ଅଧିକ ଦୃଷ୍ଟି ଦେବା । ପର୍ବପର୍ବାଣୀ ଭଳି ଆନନ୍ଦ ଓ ଉସôାହର ସହ ସ୍ୱଚ୍ଛତା ପର୍ବ ପାଳିବା ସହ ଆମ ସହରକୁ ସ୍ୱଚ୍ଛ ସହରରେ ପରିଣତ କରିବାର ସଂକଳ୍ପ ନେବାକୁ ସମ୍ବଲପୁରବାସୀଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରବିବାର ସମ୍ବଲପୁର କ୍ଷେତରାଜପୁରରେ ‘ସମ୍ବଲପୁର ମହାନଗର ନିଗମ’ ପକ୍ଷରୁ ଆୟୋଜିତ ‘ସ୍ୱଚ୍ଛତା ହିଁ ସେବା- ୨୦୨୫’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ସ୍ଥାନୀୟ ସ୍ୱଚ୍ଛ ସାଥୀମାନଙ୍କୁ ସମ୍ମାନିତ କରିଥିଲେ ଶ୍ରୀ ପ୍ରଧାନ ।
ସେହିପରି ଶେଷରେ ଧର୍ମେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ସମ୍ବଲପୁର ଜିଲ୍ଲା ପ୍ରଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ ‘ସମୃଦ୍ଧ ଗାଁ, ସମୃଦ୍ଧ ସମ୍ବଲପୁର’ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସମ୍ବଲପୁରର ଗ୍ରାମାଞ୍ଚଳରେ ନାଗରିକଙ୍କ ମୌଳିକ ସୁବିଧାକୁ ଗୁରୁତ୍ୱ, ସ୍ୱଚ୍ଛତା, ପାନୀୟ ଜଳ, ଜୀବନଜୀବିକାକୁ ଗୁରୁତ୍ୱ, ପ୍ରଶାସନିକ ସଂସ୍କାର ତଥା ଆନୁଷଙ୍ଗିକ ଭିତ୍ତିଭୂମି ବିକାଶ ଉପରେ ଆଲୋଚନା ହୋଇଥିଲା । ମନରେଗା ଯୋଜନାରେ ଶ୍ରମିକମାନଙ୍କୁ ସଶକ୍ତ କରିବା, ପିଏମ ସ୍ୱନିଧି ଯୋଜନାରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ଆତ୍ମନିର୍ଭର କରିବା, ଏସଏଚଜି ସଂଗଠନର ମା’ ଭଉଣୀମାନଙ୍କ ଆର୍ଥିକ କାର୍ଯ୍ୟକୁ ସୁବ୍ୟବସ୍ଥିତ ସହ ସ୍ୱାବଲମ୍ବୀ କରିବା ଆଦି ବିଭିନ୍ନ ବିଷୟରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ବୈଠକରେ ମନ୍ତ୍ରୀ ରବି ନାରାୟଣ ନାଏକ, ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ସହ ସମ୍ବଲପୁର ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ଯୋଗଦେଇଥିଲେ ।