ସମ୍ବଲପୁରରେ ପହଞ୍ଚଲେ ସିଆରପିଏଫ

 ସମ୍ବଲପୁର : ସମ୍ବଲପୁରରେ ରାମନବମୀ ଓ ହନୁମାନ ଜନ୍ମୋତ୍ସବ ଶୋଭାଯାତ୍ରା ଆସନ୍ତା ୬ ତାରିଖରେ ବାଇକ ର୍ୟାଲି ପାଇଁ ଜିଲ୍ଲା ପୁଲିସ ଓ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ଏହି କାର୍ଯ୍ୟକ୍ରମମାନଙ୍କରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସହରର ବିଭିନ୍ନ ସ୍ଥାନରେ ଏବେ ଠାରୁ ପୁଲିସ ଶିବିର ଆରମ୍ଭ ହୋଇଛି । ସେହିଭଳି ସାମାଜିକ ଗଣମାଧ୍ୟମରେ ନକରାତ୍ମକ ମନ୍ତବ୍ୟ ଉପରେ ତୀକ୍ଷ୍ଣ ନଜର ରଖାଯିବ । ଶାନ୍ତି ଶୃଙ୍ଖଳା ବ୍ୟାହତ ହେଲା ଭଳି ମନ୍ତବ୍ୟ ଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପୁଲିସ ପକ୍ଷରୁ କୁହାଯାଇଛି । ରବିବାର ଠାରୁ ସହରରେ ଦୁଇ କମ୍ପାନୀ ସିଆରପିଏଫ୍, ଗୋଟିଏ କମ୍ପାନୀ ରେପିଡ଼ ଏକ୍ସନ୍ ଫୋର୍ସ (ଆରଏଏଫ) ଓ ୧୨ ପ୍ଲାଟୁନ୍ ପୁଲିସ ମୁତୟନ ହେବେ । ବିଭିନ୍ନ ରାସ୍ତା ଓ ସ୍ପର୍ଶକାତର ସ୍ଥାନଗୁଡ଼ିକରେ ସିସିଟିଭି କ୍ୟାମେରା ଓ ଡ୍ରୋନ୍ କ୍ୟାମେରା ଜରିଆରେ ନଜର ରଖାଯିବ । ସହରର ବିଭିନ୍ନ ପ୍ରବେଶ ପଥରେ ପୁଲିସ ପକ୍ଷରୁ ତନଖି ଫାଟକ ରହିବ । ଗତକାଲି ଜିଲ୍ଲା ପୁଲିସ ପକ୍ଷରୁ ସୁନାପାଲି ଅଞ୍ଚଚଳରେ ଫ୍ଲାଗ୍ମାର୍ଚ୍ଚ କରାଯାଇଥିଲା । ଏହା ଆଗକୁ ମଧ୍ୟ ଜାରି ରହିବ । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ହିନ୍ଦୁ ଜାଗରଣ ପକ୍ଷ ପାଳନ କରାଯିବ । ୬ ତାରିଖରେ ରାମନବମୀ ଓ ୧୪ ତାରିଖରେ ହନୁମାନ ଜନ୍ମୋତ୍ସବ ପାଳନ ହେବ । ଏହି ପରିପ୍ରେକ୍ଷୀରେ ଆସନ୍ତା ମାସ ୧୫ ତାରିଖ ପର୍ଯ୍ୟନ୍ତ ପୁଲିସ ସୁରକ୍ଷା ବ୍ୟବସ୍ଥା ବଳବତ୍ତର ରହିବ । ଏଥିପାଇଁ ସନ୍ଦିଗ୍ଧ ତତ୍ତ୍ୱଙ୍କ ଉପରେ ଆଗୁଆ ସୂଚନା ସଂଗ୍ରହ କରାଯାଉଛି । ବିଭ୍ରାନ୍ତିକର, ମିଥ୍ୟା ଓ ଶାନ୍ତିଭଙ୍ଗ ପ୍ରଣୋଦିତ ସାମାଜିକ ଗଣମାଧ୍ୟମ ପୋଷ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  ।