ଢେଙ୍କାନାଳରେ ମେଡିକାଲ୍ କଲେଜ ଖୁବ୍ଶୀଘ୍ର

 ଢେଙ୍କାନାଳ : ଢେଙ୍କାନାଳରେ ଖୁବ୍ଶୀଘ୍ର ମେଡିକାଲ୍ କଲେଜ ହେବ । ଏହା ବର୍ଷକରେ କାର୍ଯ୍ୟକ୍ଷମ ହେବ ।  ଏଥିପାଇଁ ଚିହ୍ନଟ ଜାଗା ଖୁବ୍ଶୀଘ୍ର ଅଧିଗ୍ରହଣ କରାଯିବ ।  ମେଡିକାଲ୍ କଲେଜ୍ ସ୍ଥାପନା ପାଇଁ ଗତ  ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି  । ଏ ଖବର ପ୍ରସାର ହେବା ମାତ୍ରେ ଢେଙ୍କାନାଳ ଜନସାଧାରଣଙ୍କର ମନରେ ଆନନ୍ଦ ଉଲ୍ଲାସ ଖେଳିଯାଇଛି । ମେଡିକାଲ କଲେଜ ହେଲେ ଜିଲ୍ଲା ସମେତ ପଡୋଶୀ ଜିଲ୍ଲା ଜନସାଧାରଣ ଉନ୍ନତମାନର ଚିକିତ୍ସାସେବା ପାଇବେ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି  ।
ଢେଙ୍କାନାଳରେ ଏକ ମେଡିକାଲ କଲେଜ ଖୋଲିବା ପାଇଁ ଦୀର୍ଘଦିନରୁ ଦାବି କରି ଆସୁଥିଲେ ଜିଲ୍ଲାବାସୀ । ଏଥିପାଇଁ ଜିଲ୍ଲାର ବିଭିନ୍ନ ସଂଗଠନ ବହୁ ସମୟରେ ଦାବିପତ୍ର କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦେଇଆସୁଥିଲେ । କେନ୍ଦ୍ ସରକାର ଜିଲ୍ଲାକୁ ଆଙ୍କାକ୍ଷୀ ଜିଲ୍ଲା ଭାବେ ଘୋଷଣା କରିବା ପରେ ଏହି ଆଶା ପୂରଣ ହେବବୋଲି ଜିଲ୍ଲାବାସୀ ଧରିନେଇଥିଲେ  । କେନ୍ଦ୍ର ସରକାର ସମଗ୍ର ଭାରତ ବର୍ଷର ୧୧୨ ଆକାଂକ୍ଷା ଜିଲା ଭିତରେ ଢେଙ୍କାନାଳକୁ ସାମିଲ କରିଛନ୍ତି, ଯାହାକି ଓଡ଼ିଶାର ୧୦ଟି ଆକାଂକ୍ଷା ଜିଲ୍ଲା ଭିତରେ ଗୋଟିଏ । ସହରର ଦକ୍ଷିଣକାଳୀ ଅଞ୍ଚଳରେ ଥିବା ୩ଶହ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମେଡିକାଲ୍ କଲେଜ ପାଇଁ ସମସ୍ତ ଭିତ୍ତିଭୂମି ରହିଥିଲା । ଆକାଂକ୍ଷା ଜିଲା ପ୍ରତି ଦୃଷ୍ଟି ଦେଇ ଢେଙ୍କାନାଳ ଜିଲାରେ ଏକ ୬୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ସ୍ଥାପନ କରିବାକୁ ରାଜ୍ୟ ସରକାରଙ୍କୁ ମଧ୍ୟ ସେତେବେଳେ ଅନୁରୋଧ କରାଯାଇଥିଲା  । ମାତ୍ର ରାଜନୈତିକ ଉଦାସୀନତାରୁ ଆଙ୍କାକ୍ଷା ଜିଲ୍ଲା ହୋଇ ମଧ୍ୟ ଢେଙ୍କାନାଳରେ ମେଡିକାଲ୍ କଲେଜ ପ୍ରତିଷ୍ଠା ହୋଇପାରିନଥିଲା । ତକ୍ରାଳୀନ ରାଜ୍ୟସରକାରଙ୍କ ଜନୈକ ତୁଙ୍ଗନେତାଙ୍କ ଚକ୍ରାନ୍ତରେ ତକ୍ରାଳୀନ ଜିଲ୍ଲାପାଳ ଜିଲ୍ଲାରେ ମେଡିକାଲ୍ କଲେଜ ପାଇଁ ଆବଶ୍ୟକୀୟ ସ୍ଥାନ ନାହିଁ ବୋଲି ଲେଖି ଜଣାଇବାପରେ ରାଜ୍ୟ ସରକାର ପ୍ରସ୍ତାବ ନଦେବାରୁ ତାହା ଅନ୍ୟ ଜିଲାକୁ ଚାଲି ଯାଇଥିଲା ବୋଲି ଏକ ଅସମର୍ଥିତ ସୂତ୍ରରୁ ଶୁଣିବାକୁ ମିଳିଥିଲା । ଏହା ଜଣାପଡିବା ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଗତ ନିର୍ବାଚନ ସମୟରେ ବିଜେପି ପକ୍ଷରୁ ଏହାକୁ ଏକ ନିର୍ବାଚନ ଇସୁ୍ୟ କରି କ୍ଷମତାକୁ ଆସିଲେ ମେଡିକାଲ କଲେଜ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା । ତେବେ ସବୁ କଳ୍ପନା କଳ୍ପନାର ଅନ୍ତ ଘଟିଛି । ମେଡିକାଲ୍ କଲେଜ୍ ସ୍ଥାପନା ପାଇଁ  ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଏମ୍ବିବିଏସ୍ ପାଠ୍ୟକ୍ରମ ଆରମ୍ଭ ହେବ । ଏଥିପାଇଁ ବଜେଟରେ ଅର୍ଥ ଘୋଷଣା କରାଯିବ । କଲେଜ ପ୍ରତିଷ୍ଠାପାଇଁ ମେଡିକାଲ ନିକଟରେ ଆଉ ଆବଶ୍ୟକୀୟ ଜମି ଅଧିଗ୍ରହଣ କରାଯିବ । ଏ ନେଇ ଢେଙ୍କାନାଳ ବିଧାୟକ ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସର୍କିଟ୍ ହାଉସ୍ ଠାରେ ସୂଚନା ଦେଇଛନ୍ତି । ମେଡିକାଲ୍ କଲେଜ ପାଇଁ ବଜେଟ୍ ପ୍ରସ୍ତୁତ ହୋଇଛି ଓ ଥିବା ବିଭିନ୍ନ ସମସ୍ୟାକୁ ଖୁବ୍ଶୀଘ୍ର ଦୂରକରାଯିବ । ଏଥିପାଇଁ  ଜିଲ୍ଲା ବିଜେପି ତରଫରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ପରଜଙ୍ଗ ବିଧାୟକ ବିଭୁତି ଭୁଷଣ ପ୍ରଧାନ, କାମାକ୍ଷାନଗର ବିଧାୟକ ଶତୃଘନ ଜେନା, ହିନେ୍ଦାଳ ବିଧାୟିକା ସୀମାରାଣୀ ନାୟକଙ୍କୁ ଜିଲ୍ଲା ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।