ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉଦଘାଟିତ

 ଭୁବନେଶ୍ୱର: ବୋଲଗଡ ଏବଂ ବେଗୁନିଆରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ  । ଡାବରଧୁଆ ପଞ୍ଚାୟତରେ ୪୬ ଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ଉଦଘାଟନ କରିଛନ୍ତି ସାଂସଦ  । ଦୀର୍ଘଦିନ ଧରି ପଞ୍ଚାୟତବାସୀ ଭଲ ସ୍ୱାସ୍ଥ୍ୟ ସେବା ପାଇଁ ଦୂରଦୂରାନ୍ତକୁ ଯିବାକୁ ପଡୁଥିଲା । ବିଶେଷ କରି ଭୁବନେଶ୍ୱରରେ ଥିବା ଡାକ୍ତରଖାନା ଉପରେ ପଞ୍ଚାୟତବାସୀ ନିର୍ଭର କରୁଥିଲେ  । ତେବେ ନୂତନ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦ୍ୱାରା ସମସ୍ୟାର ସମାଧାନ ହୋଇଛି  । ୯ଟି ଗାଁ ପାଖାପାଖି ୧୦ ହଜାର ଏହା ଦ୍ୱାରା ଉପକୃତ ହେବେ  । ଏକ ହଜାର ଘରକୁ ଜଳ ଯୋଗାଣ ଫଳରେ ଅଞ୍ଚଳର ୭ ହଜାର ଲୋକ ଉପକୃତ ହେବେ  । ଅନେକ ଦିନ ଧରି ଲୋକମାନେ ପାନୀୟ ଜଳ କଷ୍ଟ ଭୋଗୁଥିଲେ  । ଏ ବିଷୟରେ ସାଂସଦ ଅବଗତ ହେବା ପରେ ଜଳ କଷ୍ଟ ଦୂର ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ବାହାର କରିଥିଲେ  ।  ତେବେ ଆଗକୁ ୨୬୭ କୋଟି ଟଙ୍କା ବ୍ୟୟରେ ୩୩୭ଟି ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦିଆଯିବା ପାଇଁ ଲକ୍ଷ୍ୟ ରଖାଯାଇଛି  । ଆହୁରି ମଧ୍ୟ ବୋଲଗଡ ଏବଂ ବେଗୁନିଆରେ ଜଳ ଯୋଗାଣ ପାଇଁ ୭ଟି ମେଗା ପ୍ରକଳ୍ପର ଯୋଜନା ରହିଛି  । ଏଥିପାଇଁ ୧୦୯୩ କୋଟି ଟଙ୍କା ଖର୍ଚ୍ଚ ହେବ  । ତେବେ ପ୍ରକଳ୍ପ ନେଇ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଛନ୍ତି ଭୁବନେଶ୍ୱର ସାଂସଦ  ।  ଏଥିସହିତ ବେଗୁନିଆରେ ଏକ ସାମୁହିକ ପାଠାଗାର ଏବଂ କୋଚିଂ ସେଣ୍ଟରର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ଅପରାଜିତା ଷଡଙ୍ଗୀ  । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ସାଂସଦଙ୍କ ପ୍ରତିନିଧୀ ବିଦୁ୍ୟତ କାଣ୍ଡି, ଅଧିକ୍ଷଣ ଯନ୍ତ୍ରୀ ରଶ୍ମିତା ଦାଶ, ବୋଲଗଡ ଏବଂ ବେଗୁନିଆର ବିଡିଓ ପ୍ରମୁଖ ଉପସ୍ଥିତ ଥିଲେ  ।