ସହାୟତା ଅପେକ୍ଷାରେ ବେସାହାରା ପୁଅ

 ବନ୍ତ : ପ୍ରଥମେ ବାପା ଚାଲିଯାଇଥିଲେ । ଏବେ ଦୁର୍ଘଟଣା ମା’ଙ୍କ ଜୀବନ ନେଇଗଲା । ଚାଲିଯିବା ପରେ ବେସାହାରା ହୋଇଯାଇଛନ୍ତି ବନ୍ତ ଅଧୀନ ଛୟାଳସିଂହ ପଞ୍ଚାୟତ ପଳସା ଗ୍ରାମର ସୌଭାଗ୍ୟ ରଣା (୨୩) । ବାପା ଥିବାବେଳେ ହୋଟେଲ କରି ପରିବାର ଚଳାଉଥିଲେ । ବାପାଙ୍କ ଅକାଳ ବିୟୋଗ ପରେ ହୋଟେଲ ଦାୟିତ୍ୱ ମା’ ନେଇ ପରିବାର ପ୍ରତିପୋଷଣ କରୁଥିଲେ । ବାପା ଓ ମା’ଙ୍କୁ ମା ହରାଇବା ପରେ ଏବେ ସେ କେମିତି ଚଳିବେ, ଭଉଣୀଙ୍କ ବିବାହ ସମୟରେ ବାପା କରିଯାଇଥିବା ଧାରକରଜ କିପରି ଶୁଝିବେ ସେହି ଚିନ୍ତାରେ ସୌଭାଗ୍ୟ । ୨୦ ବର୍ଷ ତଳେ ସୌଭାଗ୍ୟଙ୍କ ବାପା କୃଭିବାସ ରଣା କେନ୍ଦୁଝର ଜିଲ୍ଲା ରୁଗୁଡି ଥାନା ଅଧୀନ ଗୁଆଲି ନଦୀଡିହି ଛକରେ ଏକ ହୋଟେଲ ଆରମ୍ଭ କରିଥିଲେ । ସେଠାରେ ସ୍ତ୍ରୀ ସୁଷମା, ଦୁଇ ଝିଅ ଓ ଏକମାତ୍ର ପୁଅକୁ ନେଇ ରହିଆସୁଥିଲେ । ହୋଟେଲରୁ ଯାହା ରୋଜଗାର ହେଉଥିଲା, ସେଥ୍ରେ ସେ ବହୁ କଷ୍ଟରେ ପରିବାର ଚଳାଇ ଆସୁଥିଲେ । ଧାର କରଜ କରି ଦୁଇ ଝିଅଙ୍କୁ ବିବାହ ଦେବା ସହ ପୁଅକୁ ଫାର୍ମାସୀ ପଢାଉଥିଲେ । ୪ ବର୍ଷ ତଳେ କୃଭିବାସଙ୍କର ଅକାଳ ବିୟୋଗ ଘଟିଥିଲା । ସ୍ୱାମୀଙ୍କ ମୃତୁ୍ୟ ପରେ ସୁଷମା ହୋଟେଲ ଚଳାଇବା ସହ ପରିବାର ପ୍ରତିପୋଷଣ କରିଆସୁଥିଲେ । ଏଥିସହ ଦୁଇ ଝିଅଙ୍କ ବାହାଘର ଓ ପୁଅ ପାଠପଢାରେ ହୋଇଥିବା ଋଣ କିପରି ଶୁଝିବେ ସେହି ଚିନ୍ତାରେ ରହୁଥିଲେ ସୁଷମା । ଏହାରି ଭିତରେ ଚଳିତ ମାସ ୨୦ ତାରିଖରେ ଏକ ହାଇୱା ଗୁଆଲି ନଦୀଡିହି ଛକ ନିକଟ ରାସ୍ତାପାର୍ଶ୍ୱରେ ଥିବା ତାଙ୍କ ହୋଟେଲ ଉପରକୁ ମାଡ଼ିଯାଇଥିଲା । ଫଳରେ ସୁଷମା (୪୭)ଙ୍କର ମୃତୁ୍ୟ ଘଟିଥିଲା । ମା’ଙ୍କୁ ହରାଇ ସୋଭାଗ୍ୟ ଏବେ ସମ୍ପୂର୍ଣ ବେସାହାରା ହୋଇପଡିଛନ୍ତି । କେନ୍ଦୁଝରସ୍ଥିତ ଏକ ଫାର୍ମାସୀ କଲେଜରୁ ସେ ଗତ ବର୍ଷ ବର୍ଷ ପାସ୍ କରି ଘରେ ବସିଥିବାବେଳେ, ମା’ଙ୍କ ମୃତୁ୍ୟରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଧାରକରଜ କିପରି ସୁଝିବେ ଏବଂ ସେ ନିଜେ କିପରି ଚଳିବେ, ସେହି ଚିନ୍ତା ତାଙ୍କୁ ଘାରିଛି । ତାଙ୍କର କୌଣସି ଜମିବାଡି ନ ଥିବାବେଳେ, ସେ ମଧ୍ୟ ରୋଜଗାରକ୍ଷମ ହୋଇ ନ ଥିବାରୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ତାଙ୍କୁ ସହାୟତା ସହ ଯୋଗ୍ୟତା ଭିଭିରେ ନିଯୁକ୍ତି ପ୍ରଦାନ କରିବାକୁ ସେ ନିବେଦନ କରିଛନ୍ତି ।