ବ୍ଲକସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ଉଦ୍ୟାନକୃଷି ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ଉଦ୍ୟାନକୃଷି କର୍ମଶାଳା ଅଗେଇବେହେରା ଗ୍ରାମ ବରକୋଳିପଦି ଭାଗବତଟୁଙ୍ଗୀ ପ୍ରାଙ୍ଗଣରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ରାଜେନ୍ଦ୍ରପୁର ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ ନେରଡା, ଝୁଟୁଣା, ତେସିଙ୍ଗା, ନାଆମୀ, ରାଜେନ୍ଦ୍ରପୁର, ବନ୍ଦାଳୋ-ମଢିଆଳି, ଦକ୍ଷିଣବାଡ ଆଦି ପଞ୍ଚାୟତର ବହୁ ଅଗ୍ରଣୀ କୃଷକ ଯୋଗଦେଇ ଉଦ୍ୟାନକୃଷି ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିରେ ବ୍ଲକ ଉଦ୍ୟାନକୃଷି ଅଧିକାରିଣୀ ଶୁଭଦର୍ଶନୀ ରଥ, ବନ୍ତବ୍ଲକ ଉଦ୍ୟାନକୃଷି ଅଧିକାରିଣୀ ପାୟଲ ଚୌଧୁରୀ, ଚାନ୍ଦବାଲି ଅଧିକାରିଣୀ ସାଧନା ପଣ୍ଡା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଜିଲ୍ଲା ସଂଯୋଜକ ଅବିନାଶ ଦାଶ, ଉଦ୍ୟାନକୃଷି ପରିଦର୍ଶକ କଲ୍ୟାଣ କୁମାର ପାଣିଗ୍ରାହୀ, ସମ୍ପ୍ରସାରଣ କର୍ମଚାରୀ ଅବକାଶ ନାୟକ, ଚିତ୍ତରଞ୍ଜନ କର ଯୋଗଦେଇ ଛତୁ, ଆମ୍ବ, କଦଳୀ, ନଡିଆ, ଲେମ୍ବୁ, ଅମୃତଭଣ୍ଡା, ଥାଇଲ୍ୟାଣ୍ଡ ବରକୋଳି, ପିଜୁଳି ଆଦି ଚାଷ ପ୍ରଣାଳୀ, ବିକ୍ରିବଟା, ରୋଜଗାର ଆଦି ସମ୍ପର୍କରେ ଅଗ୍ରଣୀଚାଷୀମାନଙ୍କୁ ଅବଗତ କରାଇ ଏହିଭଳି ଚାଷ କରିବାକୁ ପ୍ରବର୍ତ୍ତାଇଥିଲେ । ଏଥିପାଇଁ ଥିବା ସରକାରୀ ଯୋଜନାର ସୁଯୋଗ ନେବାକୁ ପରାମର୍ଶ ଦିଆଯାଇଥିଲା । ଅଗ୍ରଣୀ ଚାଷୀ ପ୍ରଶାନ୍ତ ସାହୁ ଅତିଥି ପରିଚୟ, ଜଗନ୍ନାଥ ରାଉତ ସ୍ୱାଗତ ଭାଷଣ ଓ ନବଘନ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।