ସହିଦ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀ
ମାଲକାନଗିରି: ରାକ୍ଷୀର ମହତ୍ୱ ଅନେକ । ଭାଇ ଭଉଣୀଙ୍କୁ ଏକ ନିଆରା ସମ୍ପର୍କରେ ବାନ୍ଧି ରଖିଥିବା ଏହି ରାକ୍ଷୀ କାହିଁ କେଉଁ ଦୂରରୁ ଭାଇ ଭଉଣୀଙ୍କୁ ଟାଣି ଆଣିଥାଏ । ତେବେ ଆଜିର ଦିନରେ ଦେଶ ମାତୃକା ପାଇଁ ଜୀବନ ଦେଇଥିବା ଭାଇକୁ ରାକ୍ଷୀ ବାନ୍ଧିବା ପାଇଁ ଅନେକ ଭଉଣୀ ମନେ ମନେ ଖୋଜୁଥିବାବେଳେ କିଛି ଏମିତି ଭଉଣୀ ଅଛନ୍ତି ଯେଉଁମାନେ ନିଜ ସହିଦ ଭାଇଙ୍କ ହାତରେ ଆଜି ରାକ୍ଷୀ ବାନ୍ଧିଛନ୍ତି । ଏମିତି କିଛି ଚିତ୍ର ଆସିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଏରାବୋର ଅଞ୍ଚଳରୁ । ଯେଉଁଠି ସହିଦ ଭାଇର ନିର୍ମିତ ପ୍ରତିମୂର୍ତ୍ତିର ହାତରେ ରାକ୍ଷୀ ବାନ୍ଧିଛନ୍ତି ଅନେକ ଭଉଣୀ । ଦେଶକୁ ସୁରକ୍ଷା ଦେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ୧୨ଜଣ ସହିଦ ଭାଇଙ୍କ ପ୍ରତିମୂର୍ତ୍ତିରେ ରାକ୍ଷୀ ବାନ୍ଧି ଏହି ପବିତ୍ର ସମ୍ପର୍କ ବଜାୟ ରଖିଛନ୍ତି ତାଙ୍କର ଭଉଣୀମାନେ । ଏହି ଯବାନ ମାନେ ଦେଶ ମାତୃକାକୁ ସୁରକ୍ଷା ଦେବା ପାଇଁ ବିଗତ ୧୫ ବର୍ଷ ତଳେ ମାଓବାଦୀଙ୍କ ସହ ଲଢେଇ କରି ନିଜର ଜୀବନକୁ ବଳିଦାନ ଦେଇଥିଲେ । ତାଙ୍କ ସ୍ମୃତିକୁ ମନେ ପକାଇ ପ୍ରତିମୂର୍ତ୍ତିିରେ ରାକ୍ଷୀ ବାନ୍ଧୁଥିବା ଭଉଣୀ ସାୟାମ୍ ସାଙ୍କାରୀ, କମଲା ସୋୟାମ୍ ପ୍ରମୁଖ ଙ୍କ ଆଖି ଲୁହରେ ଭିଜି ଯାଇଛି ।