ସାଉଦିରେ ଜଳିଗଲା ତୀର୍ଥଯାତ୍ରୀ ବସ୍ : ହାଇଦ୍ରାବାଦ୍ର ୪୫ ଜୀବନ୍ତ ଦଗ୍ଧ
- ଶେଷ ହୋଇଗଲେ ଗୋଟିଏ ପରିବାରର ତିନି ପିଢ଼ି
- ପ୍ରଧାନମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ
ନୂଆଦିଲ୍ଲୀ : ସାଉଦି ଆରବରୁ ଆସିଛି ଏକ ବଡ ଦୁଃଖଦ ଖବର । ହାଇଦ୍ରାବାଦରୁ ତୀର୍ଥଯାତ୍ରାରେ ଯାଇଥିବା ୪୫ ଜଣ ଭାରତୀୟ ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଏକ ଡିଜେଲ ଟ୍ୟାଙ୍କର ଲରି ସହିତ ତୀର୍ଥଯାତ୍ରୀ ବସ ଧକ୍କା ହେବା ପରେ ବସଟି ନିଅାଁ ଲାଗି ହୁ ତୁ ହୁ ତୁ ହୋଇ ଜଳିଯାଇଥିଲା । ଏଥିରେ ଥିବା ୪୬ଜଣ ଯାତ୍ରୀଙ୍କ ମଧ୍ୟରୁ ୪୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ରଖେ ହରି ମାରେ କିଏ ନ୍ୟାୟରେ ଜଣେ ଯାତ୍ରୀ ମୃତ୍ୟୁକୁ ମାତ ଦେଇ ବଞ୍ôଚଯାଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ୨୦ ଜଣ ମହିଳା ଓ ୧୧ ଜଣ ଶିଶୁ ରହିଛନ୍ତି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ପିଢିର ୧୮ ଜଣ ସଦସ୍ୟ ଶେଷ ହୋଇଯାଇଛନ୍ତି । ଯାହା ସମସ୍ତଙ୍କ ମନରେ ଉଦବେଗ ସୃଷ୍ଟି କରିଛି । ଏନେଇ ହାଇଦ୍ରାବାଦର ଇମିଗ୍ରେସନ୍ ଅଧିକାରୀମାନେ ନିଶ୍ଚିତ କରିଛନ୍ତି । ଦୁର୍ଘଟଣାଟି ଭାରତୀୟ ସମୟ ଅନୁସାରେ ରବିବାର ରାତି ସାଢେ ଗୋଟାଏ ସମୟରେ ବଦ୍ର ଓ ମଦିନା ମଧ୍ୟରେ ଥିବା ମୁଫ୍ରିହଟରେ ଘଟିଛି । ଦୁର୍ଘଟଣା ସମୟରେ ଅଧିକାଂଶ ଯାତ୍ରୀ ଶୋଇ ପଡ଼ିଥିଲେ । ଯାହା ଫଳରେ ନିଜ ଜୀବନ ବଞ୍ଚାଇବାକୁ ସମର୍ଥ ହୋଇ ପାରିଲେନାହିଁ । ତେବେ ଡ୍ରାଇଭର ପାଖରେ ବସିଥିବା ଜଣେ ଯୁବକ, ଯାହାଙ୍କ ନାମ ସୋହେବ ବସରୁ ଡେଇଁ ପଡିବାରୁ ମୃତ୍ୟୁର ଫାଶରୁ ବର୍ତ୍ତି ଯାଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଭାରତୀୟ ନାଗରିକଙ୍କ ସହିତ ମଦିନାରେ ଘଟିଥିବା ଦୁର୍ଘଟଣାରେ ମୁଁ ଗଭୀର ଦୁଃଖିତ । ମୋର ସମବେଦନା ସେହି ପରିବାର ସହିତ ଅଛି ଯେଉଁମାନେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି । ମୁଁ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି । ରିୟାଦରେ ଥିବା ଆମର ଦୂତାବାସ ଏବଂ ଜେଦ୍ଦାରେ ଥିବା କନସୁଲେଟ୍ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଉଛନ୍ତି । ଆମର ଅଧିକାରୀମାନେ ମଧ୍ୟ ସାଉଦି ଆରବ କର୍ତ୍ତୃପକ୍ଷଙ୍କ ସହିତ ଘନିଷ୍ଠ ଯୋଗାଯୋଗରେ ଅଛନ୍ତି ବୋଲି ସେ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ଗଭୀର ଦୁଃଖ ପ୍ରକାଶ କରି କହିଛନ୍ତି । ରିୟାଦରେ ଥିବା ଦୂତାବାସ ଓ ଜେଦ୍ଦାରେ ଥିବା କନସୁଲେଟ୍ ଭାରତୀୟ ନାଗରିକ ଏବଂ ସେମାନଙ୍କ ପରିବାରକୁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରୁଛନ୍ତି । ଶୋକସନ୍ତପ୍ତ ପରିବାର ପ୍ରତି ଆନ୍ତରିକ ସମବେଦନା । ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରନ୍ତୁ ବୋଲି ସେ କହିଛନ୍ତି ।
ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ ସେ ଏହି ଦୁଃଖଦ ଦୁର୍ଘଟଣାରେ ମର୍ମାହତ ଏବଂ ଗଭୀର ଦୁଃଖିତ । ଶୋକସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା । ହାଇଦ୍ରାବାଦ ପୁଲିସ କମିଶନର ଭିସି ସଜ୍ଜନାର ନିଶ୍ଚିତ କରିଛନ୍ତି ଯେ ଦୁର୍ଘଟଣାରେ ୪୫ ଜଣଙ୍କର ମୃତ୍ୟୁ ହୋଇଛି, ବର୍ତ୍ତମାନ କେବଳ ଜଣେ ବଞ୍ଚିଥିବା ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଠାରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ସଜ୍ଜନାର କହିଛନ୍ତି ଯେ ନଭେମ୍ବର ୯ ତାରିଖରେ ହାଇଦ୍ରାବାଦରୁ ମୋଟ ୫୪ ଜଣ ଜେଦ୍ଦା ଯାତ୍ରା କରିଥିଲେ । ସେମାନଙ୍କର ନଭେମ୍ବର ୨୩ ତାରିଖରେ ଫେରିବାର କାର୍ଯ୍ୟକ୍ରମ ଥିଲା । ୫୪ ଜଣଙ୍କ ମଧ୍ୟରୁ ରବିବାର ଦିନ ଚାରି ଜଣ ପୃଥକ ଭାବରେ କାର ଯୋଗେ ମଦିନା ଯାତ୍ରା କରିଥିଲେ, ଅନ୍ୟ ଚାରି ଜଣ ମକ୍କାରେ ରହିଥିଲେ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏହି ଭୟଙ୍କର ଦୁର୍ଘଟଣାରେ ଗଭୀର ମର୍ମାହତ ପ୍ରକାଶ କରିଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ ତୀର୍ଥଯାତ୍ରୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ଏହି ଦୁଃଖର ମୁହୂର୍ତ୍ତରେ ଶୋକସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା । ମୁଁ ଆଶା କରୁଛି ଆହତ ତୀର୍ଥଯାତ୍ରୀ ପୂର୍ଣ୍ଣ ଚିକିତ୍ସା ପାଇବେ ଏବଂ ଶୀଘ୍ର ସୁସ୍ଥ ହେବେ । ଏହା ବ୍ୟତୀତ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ବହୁ କେନ୍ଦ୍ର ମନ୍ତ୍ରୀ ଓ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଲେଖାଏଁ ଟଙ୍କା ସହାୟତା ଘୋଷଣା କରିଛନ୍ତି । ରୀତିନୀତି ଅନୁଯାୟୀ ମୃତକଙ୍କ ଶେଷକୃତ୍ୟ ସାଉଦି ଆରବରେ ହେବ ବୋଲି ଜଣାପଡିଛି ।