ଦୁନିଆରୁ ଚାଲିଯିବି, ନଥିବ ମୋ ଛାଇ... : ଆରପାରିରେ ହ୍ୟୁମାନ୍‌ ସାଗର

ଦୁନିଆରୁ ଚାଲିଯିବି, ନଥିବ ମୋ ଛାଇ...  :  ଆରପାରିରେ ହ୍ୟୁମାନ୍‌ ସାଗର

ରାଜ୍ୟପାଳ, ମୋହନ, ଧର୍ମେନ୍ଦ୍ର ଓ ନବୀନଙ୍କ ଶୋକ

ଭୁବନେଶ୍ୱର : ‘ଆଜି ରାତିଗଲେ ପାହି, ଜଳିବ ମୋ ଜୂଇ, ଦୁନିଆରୁ ଚାଲିଯିବି, ନଥିବ ମୋ ଛାଇ...’ । ଦିନେ ଏମିତି ଗୀତଟେ ଗାଇଥିଲେ ହ୍ୟୁମାନ । ସତକୁ ସତ ଦୁନିଆରୁ ସେ ଚାଲିଗଲେ । ଆଉ ତାଙ୍କର ଛାଇ ବି ନଥିବ  । ଆଉ ହ୍ୟୁମାନଙ୍କ ସଂଗୀତ ସାଗରରେ ଉଠିବନି ଗୀତର ଲହରୀ । ଓଡ଼ିଆ ସଂଗୀତ ଶିଳ୍ପକୁ ରୋମାଣ୍ଟିକ ହେଉକି ପାଥସ, ଅନେକ ହିଟ୍‌ ଗୀତ ଭେଟି ଦେଇଥିବା ହ୍ୟୁମାନ୍‌ ସବୁଦିନ ପାଇଁ ଆରପାରିକୁ ଚାଲି ଯାଇଛନ୍ତି । ୨୦୦୨ ନଭେମ୍ବର ୧୭ । ସେଦିନ ଚାଲି ଯାଇଥିଲେ ଓଡ଼ିଆ ସଂଗୀତର ବାଦଶାହା ଅକ୍ଷୟ ମହାନ୍ତି । ଆଜି ଠିକ୍‌ ସମାନ ଦିନରେ ଆଜିକା ଦିନର ମ୍ୟୁଜିକ ସେନସେସନ୍‌ ହ୍ୟୁମାନ ସାଗର ଆରପାରିକୁ ଚାଲି ଯାଇଛନ୍ତି । ସତେଯେମିତି ନଭେମ୍ବର ୧୭ ଓଡ଼ିଆ ସଂଗୀତ ଶିଳ୍ପ ପାଇଁ ଏଭ ଅଶୁଭ ଦିନ କହିଲେ ଭୁଲ୍‌ ହେବନାହିଁ । ହ୍ୟୁମାନଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି । 


    ‘ନିଃଶ୍ୱାସ ତୋ ବିନା ମୋର ଚାଲେନା’, ‘ଭାସିଯିବ ଖୁସି ତୋର’, ‘କେମିତି ଭୁଲିବି ସେ ଅଭୂଲା ଦିନ’, ‘ତୋ ମନରେ ଥିଲା ଯଦି ଆଉଲୋ କେହି’, ‘ଧିରେଧିରେ ଭଲ ପାଇଗଲି’, ‘ଗଜଲ ଗଜଲ’, ‘ଦିଲ୍‌ ଦିୱାନା ହୋଇଗଲା’, ‘ଚିପୁଡ଼ି ଦେଲୁ ଦିଲ୍‌ଟା’, ‘କେରେକେରା’ ଭଳି ଅନେକ ସୁପରହିଟ୍‌ ସଂଗୀତରେ ତାଙ୍କର ସ୍ୱର ଅନେକଙ୍କୁ ଦିୱାନା କରି ଦେଇଥିଲା ।


        ଗତ କିଛିଦିନ ଧରି ସେ ଏମ୍ସରେ ଚିକିତ୍ସିତ ହେଉଥିଲେ । ତାଙ୍କର ଅବସ୍ଥା ସଂକଟାପନ୍ନ ହୋଇଥିବାରୁ ସେ ଆଇସିୟୁରେ ଥିଲେ । ନଭେମ୍ବର ୧୪ରେ ସେ ଏମ୍ସରେ ଭର୍ତ୍ତି ହୋଇଥିବାବେଳେ ବାଇଲାଟେରାଲ ନିମୋନିଆ, ଏସିଏଲଏଫ, କିଡ଼ନୀ ଜନିତ ସମସ୍ୟାରେ ପୀଡ଼ିତ ଥିଲେ । ଏମିତିକି ତାଙ୍କର ଏକାଧିକ ଅଙ୍ଗ ଅଚଳ ହୋଇଯାଇଥିଲା । ଏମ୍ସର ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କର ଚିକିତ୍ସା କରୁଥିଲେବି ଆଜି ତାଙ୍କର ଶରୀର ଆହୁରି ସଂକଟାପନ୍ନ ହୋଇଯାଇଥିଲା । କୌଣସି ପ୍ରକାର ଚିକିତ୍ସା କାମ କରୁନଥିଲା । ରାତି ପ୍ରାୟ ୯ଟା ୮ ମିନିଟ୍‌ରେ ହ୍ୟୁମାନଙ୍କର ପରଲୋକ ହୋଇଥିବା ନେଇ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଶ୍ରୀକାନ୍ତ ବେହେରା ସୂଚନା ଦେଇଥିଲେ । ୧୯୯୦ ନଭେମ୍ବର ୨୫ରେ ହ୍ୟୁମାନ ସାଗର ଟିଟିଲାଗଡ଼ରେ ଜନ୍ମଗ୍ରହଣ କରିଥିଲେ । ୨୦୧୨ରେ ସେ ଭୟସ ଅଫ ଓଡ଼ିଶା ସିଜନ୍‌-୨ରେ ବିଜୟ ଲାଭ କରିଥିଲେ । ହ୍ୟୁମାନଙ୍କ ବାପା ଓ ମା’ ମଧ୍ୟ ଗୀତ ବୋଲୁଥିଲେ । ତାଙ୍କ ଜେଜେ ଆଲବମ କମ୍ପୋଜର ଥିଲେ । ତରଙ୍ଗ ସିନେ ପ୍ରଡ଼କ୍ସନର ଇସ୍କ ତୁ ହି ତୁରୁ ସେ ଓଲିଉଡ଼ ଜଗତରେ ପ୍ରବେଶ କରିଥିଲେ । ହ୍ୟୁମାନଙ୍କ କଣ୍ଠର ଯାଦୁ ତାଙ୍କୁ ସାରା ଓଡ଼ିଶାରେ ଲୋକପ୍ରିୟ କରିଥିଲା । ଅନେକ ଆଲବମ ଓ ସିନେମାରେ ସେ କଣ୍ଠଦାନ କରିଛନ୍ତି । ୨୦୧୯ରେ ସେ ବିଜେଡ଼ିରେ ଯୋଗ ଦେଇଥିଲେ । ୨୦୧୭ରେ ଶ୍ରୀୟା ମିଶ୍ରଙ୍କୁ ସେ ବିବାହ କରିଥିଲେ । ତାଙ୍କର ଗୋଟିଏ ଝିଅ ଅଛି । ପାରିବାରିକ ବିବାଦରେ ବି ସେ ଛନ୍ଦି ହୋଇଯାଇଥିଲେ ।