୨୦ରେ ଶପଥ ନେବେ ନୀତୀଶ

୨୦ରେ ଶପଥ ନେବେ ନୀତୀଶ

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜଭବନରେ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ଭେଟିଛନ୍ତି । ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ନୂତନ ସରକାରଙ୍କ ଶପଥ ଗ୍ରହଣ ଉତ୍ସବର ଗୋଟିଏ ଦିନ ପୂର୍ବରୁ ଆସନ୍ତା ୧୯ରେ ବର୍ତ୍ତମାନର ବିଧାନସଭାକୁ ଭାଙ୍ଗିବାକୁ ଅନୁରୋଧ କରିଛନ୍ତି ।


     ନୀତୀଶ ୨୦୦୫ ପରେ ରେକର୍ଡ ଦଶମ ଥର ପାଇଁ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଆସନ୍ତା ୨୦ରେ ଗାନ୍ଧି ମଇଦାନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଶାସିତ ରାଜ୍ୟର ଅନେକ କେନ୍ଦ୍ର ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ସମେତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ । 


     ଆଜି ସକାଳେ ନୀତୀଶ ରାଜ୍ୟ କ୍ୟାବିନେଟର ବୈଠକର ଅଧ୍ୟକ୍ଷତା କରିଥିଲେ । ଯାହା ତାଙ୍କୁ ୧୯ ତାରିଖରେ ବର୍ତ୍ତମାନର ବିଧାନସଭାକୁ ଭାଙ୍ଗିବା ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ କରିବାକୁ ଅଧିକାର ଦେଇଥିଲା । ବିଧାନସଭା ଭଙ୍ଗ ହେବା ପରେ ନୀତୀଶ ବିଦାୟୀ ସରକାରଙ୍କ ମୁଖ୍ୟ ଭାବରେ ରାଜ୍ୟପାଳଙ୍କୁ ଇସ୍ତଫା ପ୍ରଦାନ କରିବେ । ତାଙ୍କ ନେତୃତ୍ୱରେ ନୂତନ ସରକାର ଗଠନ ପାଇଁ ଦାବି କରିବେ ବୋଲି ଆଶା କରାଯାଉଛି । ଏହା ପୂର୍ବରୁ ନୀତୀଶଙ୍କୁ ଏନଡିଏ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ କରାଯିବ । ରାଜ୍ୟରେ ନୂତନ ଏନଡିଏ ସରକାର ଗଠନ ପାଇଁ ପଥ ପ୍ରଶସ୍ତ କରିବା ପାଇଁ ଭାରତୀୟ ଜନତା ଦଳ ଏବଂ ଜନତା ଦଳ (ୟୁନାଇଟେଡ୍‌) ଉଭୟ ସେମାନଙ୍କର ବିଧାୟକ ଦଳ ବୈଠକ ଡାକିଛନ୍ତି । ବିହାର ବିଜେପି ସଭାପତି ଦିଲୀପ ଜୟସୱାଲ କହିଛନ୍ତି ଯେ ନୀତୀଶ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ତାରକିଶୋର ପ୍ରସାଦ ଗଣମାଧ୍ୟମକୁ କହିଛନ୍ତି ଯେ ନୀତୀଶ କୁମାରଙ୍କୁ ନେତା ଭାବରେ ଚୟନ କରିବା ପାଇଁ ମଙ୍ଗଳବାର ବିଜେପିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ସେ ସ୍ପଷ୍ଟ କରିଛନ୍ତି ଯେ ନୀତୀଶ ମୁଖ୍ୟମନ୍ତ୍ରୀ ହେବେ । ସେ ଉପମୁଖ୍ୟମନ୍ତ୍ରୀଙ୍କ ନାମ ନେଇ ଗୁଜବକୁ ମଧ୍ୟ ଖାରଜ କରିଛନ୍ତି ।


     ମେଣ୍ଟ ଅଂଶୀଦାରମାନଙ୍କ ଦ୍ୱାରା ସହମତ ହୋଇଥିବା କ୍ୟାବିନେଟ-ବଣ୍ଟନ ଫର୍ମୁଲା ଅନୁସାରେ, ବିଜେପି ଓ ଜେଡି(ୟୁ) ପ୍ରତ୍ୟେକଙ୍କୁ ୧୬ଟି, ଏଲଜେପି (ଆରଭି) ତିନୋଟି ଏବଂ ଜିତନ ରାମ ମାଞ୍ଝିଙ୍କ ଏଚ୍‌ଏଏମ୍‌ ଓ ଉପେନ୍ଦ୍ର କୁଶୱାହାଙ୍କ ଆରଏଲଏମ୍‌ ଗୋଟିଏ ଲେଖାଏଁ ମନ୍ତ୍ରୀ ପଦ ପାଇବାର ଆଶା କରାଯାଉଛି । ଜେଡି(ୟୁ) ମୁଖ୍ୟମନ୍ତ୍ରୀ ପଦ ପାଇବ, ବିଜେପି ଏବଂ ଏଲଜେପି (ଆରଭି) ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବାର ସମ୍ଭାବନା ଅଛି ।