ସାମୂହିକ ପ୍ରଚେଷ୍ଟାରେ ସ୍ୱାସ୍ଥ୍ୟସେବା ଯୋଗାଣ ସଫଳ: ଜିରୋ କାଜୁଆଲିଟି ଲକ୍ଷ୍ୟ ହାସଲ
 ଭୁବନେଶ୍ୱର:  ଚତୁର୍ଦ୍ଧାମୂରତିଙ୍କ ମାନବୀୟ ଲୀଳାର ନିଦର୍ଶନ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ ସାମୁହିକ ପ୍ରଚେଷ୍ଟାରେ ସ୍ୱାସ୍ଥ୍ୟବିଭାଗର ସ୍ୱାସ୍ଥ୍ୟ ଜନିତ ଜିରୋ କେଜୁଆଲଟି ଲକ୍ଷ୍ୟ ହାସଲ କରିଛି । ସେଥିପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପୁରୀଠାରେ ନିୟୋଜିତ ସମସ୍ତ ଅଧିକାରୀ, କର୍ମଚାରୀ ଓ ସ୍ୱେଚ୍ଛାସେବୀଙ୍କୁ ସାଧୁବାଦ ଜଣାଇଛନ୍ତି । 
ରଥଯାତ୍ରା-୨୦୨୫ ଅବସରରେ ସମନ୍ୱିତ ଓ ସୁବ୍ୟବସ୍ଥିତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି । ପୁରୀଠାରେ ବିଭାଗର କ୍ୟାମ୍ପ୍ ଅଫିସ୍ କାର୍ଯ୍ୟ କରୁଛି । ଏହି ବର୍ଷ ଅତିରିକ୍ତ ବେଡ ସଂଖ୍ୟା ଗତ ବର୍ଷର ୧୪୦ରୁ ୨୬୫କୁ ବୃଦ୍ଧି କରାଯାଇଛି । ସ୍ୱାସ୍ଥ୍ୟସେବାକୁ ବ୍ୟାପକ ଏବଂ ତ୍ୱରିତ କରିବା ଉଦେ୍ଦଶ୍ୟରେ ଅନ୍ୟ ଜିଲ୍ଲାରୁ ୩୭୮ ଜଣ ଅତିରିକ୍ତ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ନିୟୋଜିତ କରାଯାଇଛି । ଅତିରିକ୍ତ ସହାୟତା ପ୍ରଦାନ କରିବା ଉଦେ୍ଦଶ୍ୟରେ ପ୍ରଥମ ଥର ପାଇଁ ଏଏମ୍ସ୍, ଭୁବନେଶ୍ୱର ପକ୍ଷରୁ ଚିକିତ୍ସା କେନ୍ଦ୍ରରେ ଏକ ବିଶେଷ ଡାକ୍ତର ଟିମ୍ ନିୟୋଜିତ ହୋଇ କାର୍ଯ୍ୟ କରୁଛନ୍ତି । ଜରୁରୀକାଳୀନ ଚିକିତ୍ସା ପରିବହନ ପାଇଁ ବ୍ୟାପକ ଆମ୍ବୁଲାନ୍ସ ନେଟୱାର୍କ ସୁନିଶ୍ଚିତ କରାଯାଇଛି । ୩୧ଟି ସରକାରୀ ଆମ୍ବୁଲାନ୍ସ ଏବଂ ସ୍ୱେଚ୍ଛାସେସେବୀ ସହାୟତାରେ ୪୩ଟି ଆମ୍ବୁଲାନ୍ସକୁ ମିଶାଇ ମୋଟ ୭୪ଟି ଆମ୍ବୁଲାନ୍ସ ସେବାରେ ଅଛନ୍ତି । ରଥଯାତ୍ରା ସମୟରେ ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ସମନ୍ୱୟ କରିବା ଏବଂ ଜରୁରୀକାଳୀନ ପରିସ୍ଥିତି ପାଇଁ ଏକ ନିର୍ଦ୍ଦିଷ୍ଟ ରଥଯାତ୍ରା କଣ୍ଟ୍ରୋଲ୍ ରୁମ୍ ୨୪ ଘଣ୍ଟା କାର୍ଯ୍ୟ କରୁଛି । ବିଭାଗର ଏହି ସମସ୍ତ କାର୍ଯ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ତତ୍ତ୍ୱାବଧାନରେ ଜାରିରହିଛି ।                        
 
 Rasmita Behera
                                    Rasmita Behera                                 
    
             
    
             
    
             
    
             
    
             
    
 
    
 
 
 
