ପୋତାପାଲିରେ ବିଶାଳ ବୃକ୍ଷରୋପଣ ମହୋତ୍ସବ : ପରିବେଶ ସୁରକ୍ଷା ଏକମାତ୍ର ଉଦେ୍ଦଶ୍ୟ
ସମ୍ବଲପୁର : ସମ୍ବଲପୁର ପୋତାପାଲି ଠାରେ ‘ଏକ୍ ପେଡ୍ ମା’ କେ ନାମ ୨.୦’ ଅଭିଯାନ ଅଧୀନରେ ବିଶାଳ ବନ ମହୋତ୍ସବ ତଥା ବୃକ୍ଷରୋପଣ ଅଭିଯାନରେ ଆରମ୍ଭ ହୋଇଛି । ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ପ୍ରାକୃତିକ ପରିବେଶର ସୁରକ୍ଷା, ଜଙ୍ଗଲ, ହ୍ରଦ, ନଦୀ, ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସମବେତ ଜନତାଙ୍କ ସହ ଶପଥ ପାଠ କରିଥିଲେ କେନ୍ଦ୍ରମନ୍ତ୍ରୀ । ସାମାଜିକ ସଂଗଠନ, ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ, ମାତୃଶକ୍ତି ଏବଂ ଅନ୍ୟ ବ୍ୟକ୍ତିବିଶେଷଙ୍କ ସହ ସାମିଲ ହୋଇ ବୁର୍ଲା ସେକ୍ସନର ପୋତାପାଲି ବୃକ୍ଷରୋପଣ ସ୍ଥାନରେ ଗଛ ଲଗାଇ ଥିଲେ ଧର୍ମେନ୍ଦ୍ର ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ ‘ବିଶ୍ୱ ପରିବେଶ ଦିବସ’ ଅବସରରେ ‘ଏକ୍ ପେଡ୍ ମା’ କେ ନାମ ୨.୦’ ଅଭିଯାନ ଶୁଭାରମ୍ଭ ହୋଇଛି । ବୃକ୍ଷରୋପଣ ମାଧ୍ୟମରେ ପରିବେଶ ସୁରକ୍ଷା କରିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଗଛ ଲଗାଇବା ପାଇଁ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୂଳ ଉଦେ୍ଦଶ୍ୟ । ଏହି ମର୍ମରେ ସମ୍ବଲପୁରରେ ୧ ଲକ୍ଷ ଗଛ ଲଗାଇବାର ଲକ୍ଷ୍ୟକୁ ପୂରଣ କରିବା ଦିଗରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ଏବଂ ଜଙ୍ଗଲ ବିଭାଗ ପକ୍ଷରୁ ଜୁନ ୫ରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ଉଦ୍ୟମ ପ୍ରଶଂସନୀୟ । ସହରରେ ଅଗଷ୍ଟ ମାସ ଶେଷ ସୁଦ୍ଧା ୧ ଲକ୍ଷ ଗଛ ଲଗାଇବା ପାଇଁ ଜନତାଙ୍କ ସହିତ ସଂକଳ୍ପ ନେଇଥିଲେ ଧର୍ମେନ୍ଦ୍ର । ପ୍ରଶାସନ ଓ ଜଙ୍ଗଲ ବିଭାଗ ସହ ସହଯୋଗୀ ହୋଇ ବନଜଙ୍ଗଲକୁ ସମ୍ପ୍ରସାରଣ କରିବା । ଅତିଥିଙ୍କୁ ଉପହାର ସ୍ୱରୂପ ମଞ୍ଜି ଦେବା ଭଳି ଅଭିନବ ପ୍ରୟାସ ଆରମ୍ଭ କରିବା ପାଇଁ ଜିଲ୍ଲା ପ୍ରଶାସନକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।