ସାମ୍ବାଦିକଙ୍କ ସମସ୍ୟା ସମାଧାନ ଖୁବଶୀଘ୍ର: ମନ୍ତ୍ରୀ ବଳସାମନ୍ତ

ଯାଜପୁର : ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ରହିଛି ଏହା ସତ । ସରକାର ସାମ୍ବାଦିକ ମାନଙ୍କ ସମସ୍ୟା ସମ୍ପର୍କରେ ବିଶେଷ କରି ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାର ଅବଗତ ଅଛନ୍ତି । ଏନେଇ ଆଲୋଚନା ପର୍ଯ୍ୟାଲୋଚନା ଅବ୍ୟାହତ ରହିଛି । ଖୁବଶିଘ୍ର ସମସ୍ୟାର ସମାଧାନ କରିବା ଦିଗରେ ସରକାର ପଦକ୍ଷେପ ନେବେ ବୋଲି ସମବାୟ ମନ୍ତ୍ରୀ ଡ଼.ପ୍ରଦୀପ ବଳସାମନ୍ତ ନିର୍ଭର ପତିଶ୍ରୁତି ଦେଇଛନ୍ତି ।  ଯାଜପୁର ସ୍ଥିତ ସଂସ୍କୃତି ଭବନରେ ଉକ୍ରଳ ସାମ୍ବାଦିକ ସଂଘ ଯାଜପୁର ଜିଲା ଶାଖାର ବାର୍ଷିକୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ କହିଥିଲେ କି ସମାଜର ଉନ୍ନତି ଦିଗରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଏକଥାକୁ ସମସ୍ତେ ହୃଦୟଗମ କରିବା ଉଚିତ । ସରକାର ଓ ପ୍ରଶାସନର ଦୋଷ ଦୁର୍ବଳତାରକୁ ଲୋକ ଲୋଚନକୁ ଆଣି ଏହାର ସମାଧାନ କରିବା ଦିଗରେ ମଧ୍ୟ ଗଣମାଧ୍ୟମ ପ୍ରମୂଖ ଭୁମିକା ଗ୍ରହଣ କରିବା ଦରକାର ।
ସଂଘର ରାଜ୍ୟ ସଭାପତି ରୋଟାରିଆନ ବିଭୁତି ଭୁଷଣ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ବିଜେପିର ବରିଷ୍ଠ ନେତା ଗୌତମ ରାୟ, ବ୍ୟାସନଗର ପୌରପରିଷଦର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ ଅନ୍ୟତମ ଅତିଥି ଭାବେ ଯୋଗଦେଇ ସରକାର ସାମ୍ବାଦିକଙ୍କ ସମସ୍ୟା ସମାଧାନ କରିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ପ୍ରଗତିବାଦୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ଯୋଗଦେଇ କହିଥିଲେ କ. ସାମ୍ବାଦିକଙ୍କ ଉପସ୍ଥିତି ଯୋଗୁ ସରକାର ଏବଂ ପ୍ରଶାସନର ଭୟ ରହିଛି । ଯାହା ଫଳରେ ସାଧାରଣ ଲୋକ ଉପକୃତ ହେଉଛନ୍ତି । ସରକାର ବିଭିନ୍ନ ବର୍ଗର ଲୋକଙ୍କ ହିତପାଇଁ କାର୍ଯ୍ୟ କରୁଥିବା ବେଳେ ସାମ୍ବାଦିକଙ୍କ କଥାକୁ ଭୁଲି ଯିବା କେତେଦୂର ଠିକ୍‌ ବୋଲି ପ୍ରଶ୍ନ କରିଥିଲେ । ସାମ୍ବାଦିକ ମାନେ ସମ୍ବାଦ ପରିବେଶଣ କରିବା ବେଳେ ଉକ୍ତ ସମ୍ବାଦ ସମାଜ ଉପରେ କି ଭଳି ପ୍ରଭାବ ପଡୁଛି, ତାହା ଉପରେ ଅନୁସନ୍ଧାନ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ତ୍ରିପାଠୀ ମତବ୍ୟକ୍ତ କରିଥିଲେ । ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ, ସାଧାରଣ ସଂପାଦକ ବେଣୁଧର ପଣ୍ଡା, ସମ୍ପାଦକ ବିଶ୍ୱଜିତ ନାୟକ ପ୍ରମୂଖ ସଂଘର ବିଭିନ୍ନ କାର୍ଯ୍ୟପନ୍ଥା ସଂପର୍କରେ ଆଲୋକପାତ କରିଥିଲେ । ଜିଲାଶାଖା ସଭାପତି ହରିହର ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକାରୀ ସଭାପତି ରଙ୍ଗବଲ୍ଲଭ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ସାଧାରଣ ସମ୍ପାଦକ ପିତବାସ ଭୁୟାଁ ସମ୍ପାଦକୀୟ ପାଠ କରିଥିଲେ ।  କାର୍ଯ୍ୟକ୍ରମକୁ ରାଜ୍ୟ ସଂଘ ସଂଯୋଜକ ମଦନ ପାଣି, ଜିଲା ସଂଘର ଉପସଭାପତି ପବିତ୍ର ରଂଜନ ମହାନ୍ତି ପ୍ରମୂଖଙ୍କ ସହିତ ବହୁ ସଦସ୍ୟ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ବାଂଛାନିଧି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଯାଜପୁର ଜିଲାର ବହୁ ପ୍ରତିଭାଙ୍କୁ ଅତିଥି ସମ୍ବର୍ଦ୍ଧିତ କରିଥିଲେ ।