ବରୀ ଚାଷୀଙ୍କ ଭରସାରେ ନିମାଇଁ ଚରଣ 

ବ୍ରହ୍ମବରଦାରୁ ନିରାକାର ବେହେରା :  ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ରାଜନୀତି ସରଗରମ ହେଉଥିବା ବେଳେ ଏଥିରୁ ବାଦ ପଡିନାହିଁ ଯାଜପୁର ଜିଲାର  ବରୀ ନିର୍ବାଚନ ମଣ୍ଡଳୀ । ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ବରୀ ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନଥିବା ବେଳେ କଂଗ୍ରେସରୁ ଆରତୀ ଦେଓ ଓ ନବ ନିର୍ମାଣ କୃଷକ ସଙ୍ଗଠନ ନିମାଇଁ ରାୟଙ୍କ  ନାମ ଘୋଷଣା ହୋଇଛି । ୫୯ବର୍ଷର ନିମାଇଁ ଚରଣଙ୍କ ଘର ବରୀ ନିର୍ବାଚନ ମଣ୍ଡଳୀ ଅଧିନ ଅଭିମନୁ୍ୟ ବାଲିଆ ଅଞ୍ଚଳରେ ହୋଇଥିବା ବେଳେ  ରାଜ୍ୟସ୍ତରରେ ଜଣେ ଚାଷୀ ନେତା ଭାବେ ପରିଚିତ । ମିରଟ ବିଶ୍ୱବିଦ୍ୟାଳୟରୁ ସାମାଜିକ ବିଜ୍ଞାନରେ ସ୍ନାତକୋତର କରି ଉତୀର୍ଣ୍ଣ ହେବା ପରେ କୋଣସି ସରକାରୀ ଚାକିରୀ କିମ୍ୱା ଲାଭଜନକ ବ୍ୟବସାୟରେ ଲିପ୍ତ ନ ରହି ଚାଷ ପ୍ରତି ମନ ବଳାଇଥିଲେ । ଶୈଶବରୁ ମାଙ୍କୁ ହରାଇଥିବା ନିମାଇଁ ବାଲିଆର ସୁନାମଧନ୍ୟ ଜମିଦାର ସାମନ୍ତସିଂହାର ପରିବାରର ଦାୟଦ ଅଟନ୍ତି । ହାଫ ସାର୍ଟ ପିନ୍ଧା ସରଳ ମଣିଷ ପରି କାନ୍ଧରେ ଝୁଲା ବ୍ୟାଗ ଗୋଟେ ପକାଇ ଦୀର୍ଘ ୩୬ ବର୍ଷ ହେବ ସାମାଜିକ, ସାଂସ୍କୃତିକ, ବୈଷୟିକ ଓ ସ୍ୱେଚ୍ଛାସେବୀ ଓ ଚାଷୀ ଅଧିକାରକୁ ନେଇ ବରୀ ମାଟିର ସେବା କରିବା ସହ କୃଷକ ଭାଇ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଗାଁ ଗାଁ ବୁଲି ଅହରହ ନିଜର ଲଢେଇ ଜାରି ରଖିଛନ୍ତି । ତା ସହିତ ନିଜେ ଜଣେ ସଫଳ ଚାଷୀ ଭାବେ ୧୦୦ରୁ ଊର୍ଦ୍ଧ୍ୱ ଆମ୍ଭ ଗଛର ବଗିଚା ସ୍ରୁଷ୍ଟି କରି ସ୍ୱାବଲମ୍ବୀ ହୋଇପାରିଛନ୍ତି । ୧୯୮୮ ମସିହାରୁ ସେ ସମଗ୍ର ଓଡ଼ିଶାରେ ଜଣେ ଉଦୀୟମାନ ସ୍ୱେଚ୍ଛାସେବୀ, ସତ୍ୟାଗ୍ରହୀ, ସାମାଜିକ କର୍ମୀ,ଭାବେ ପରିଚିତ । ୨୦୦୦ ମସିହା ପରଠାରୁ ଚାଷୀ ମାନଙ୍କୁ ସମ୍ମାନ ଦେବା, ତାଙ୍କୁ ସମ୍ବର୍ଦ୍ଧିତ କରିବା, କୃଷକ ମେଳା ଆୟୋଜନ କରିବା ପରି କାର୍ଯ୍ୟରେ ଲିପ୍ତ ରହିଆସିଛନ୍ତି । ୨୦୧୪ରେ ଯାଜପୁର ବାରୁଣୀ ପଡ଼ିଆରେ ପ୍ରଥମ କରି ୭ହଜାର ଲୋକଙ୍କୁ ନେଇ ସମାବେଶ, ୨୦୧୬ରେ ଜେନାପୁର ଠାରେ ସମ୍ମିଳନୀ, ୨୦୧୭ରେ ଜିଲା କୃଷକ ସମାବେଶ, ୨୦୧୮ରେ କୁଆଖିଆ ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଦୀର୍ଘ ୭ଦିନ ବ୍ୟାପୀ ପଦଯାତ୍ରା,୨୦୨୦-୨୧ରେ ଜିଲାରେ କୃଷକ ଆନେ୍ଦାଳନ ଓ ବିହାରର ଚମ୍ପାରଣରୁ ବନାରସକୁ ୧୯ଦିନ ବ୍ୟାପୀ ୩୫୮ କିଲୋମିଟର ବ୍ୟାପୀ ପଦଯାତ୍ରା, ୨୦୨୨ରେ ଧାନମଣ୍ଡଳ ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପଦଯାତ୍ରା ପରି ବହୁ ଉଲ୍ଲେଖନୀୟ କାର୍ଯ୍ୟ ସେ କରିଆସିଛନ୍ତି । ଚାଷୀ ମାନଙ୍କୁ ନିଜର ହକ ପ୍ରଦାନ ପାଇଁ ଆହୁରି ସହଜ ହୋଇଯାଏ ତାଙ୍କୁ ଯେତେ ବେଳେ ୨୦୧୦ ମସିହାରେ ଗଠିତ ନବନିର୍ମାଣ କୃଷକ ସଂଗଠନ ଯୋଗ ଦିଅନ୍ତି । ସଂଗଠନର ଜଣେ ସକ୍ରିୟ ସଭ୍ୟ ଭାବେ ଦୀର୍ଘ ୧୪ ବର୍ଷ ହେବ ସଂଗଠନ ସହିତ ଜଡ଼ିତ ରହି ବହୁ ଚାଷୀ ଆନେ୍ଦାଳନ କରିଆସିଛନ୍ତି । ତା ସହିତ ନବ ନିର୍ମାଣ କୃଷକ ସଙ୍ଗଠନର ଜିଲା ସଂଯୋଜକ ସହ ବର୍ତମାନର ରାଜ୍ୟ ସହସଂଯୋଜକ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି । ବରୀ ନିର୍ବାଚନ ମଣ୍ଡଳୀ ଅଧୀନରେ ଅବହେଳିତ ଓ ନିଷ୍ପେସିତ ହୋଇ ରହିଥିବା ୮୦ଭାଗ ଚାଷୀ ଭାଇ ମାନଙ୍କ ବିକାଶ ନିମନ୍ତେ ନବନିର୍ମାଣ କୃଷକ ସଂଗଠନ ତରଫରୁ ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କୃଷକ ନେତା ନିମାଇଁ ଦଳୀୟ ଟିକେଟ ହାସଲ କରିବା ପରେ ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାର ପ୍ରସାର ଆରମ୍ଭ କରିଦେଇଛନ୍ତି । ଶ୍ରୀ ରାୟ ନିଜ ସମର୍ଥକଙ୍କ ସହ ପ୍ରଥମେ ଅରିଲୋ ଜଗନ୍ନାଥ ମନ୍ଦିରରୁ ପୂଜାର୍ଚନା କରି ଆମର ଦରକାର ଚାଷୀ ସରକାରର ନାରା ଦେଇ ନିର୍ବାଚନୀ ପ୍ରଚାରର ଶୁଭାରମ୍ଭ କରିଛନ୍ତି । ଏହି କ୍ରମରେ ସେ ବରୀ ନିର୍ବାଚନ ମଣ୍ଡଳୀର ବାଲିଆ, ହରିପୁର ସମେତ ରସୁଲପୁର ବ୍ଲକର ବ୍ରହ୍ମବରଦା, ବନ୍ଧଢିଅ, ମହେଶ୍ୱରପୁର, ମଙ୍ଗରାଜପୁର, ଅର୍ଥଙ୍ଗା, ସାମନ୍ତରାପୁର, ରାଉତରାପୁର, ଅତଲାପୁର, ପ୍ରଥମାଖଣ୍ଡି, ରାଜେନ୍ଦ୍ରପୁର, ଆଦି ପଞ୍ଚାୟତ ମାନଙ୍କରେ ନିଜର ନିର୍ବାଚନୀ ଜୋରଦାର କରିଛନ୍ତି । ଗତ ମାର୍ଚ୍ଚ ମାସ ୧୧ତାରିଖରେ ତାଙ୍କ ନାମ ଘୋଷଣା ହେବା ପରେ ମାର୍ଚ୍ଚ ୨୨ରେ କ୍ୟାଡର ମାନଙ୍କୁ ନେଇ ନିର୍ବାଚନୀ ରଣନୀତି ପ୍ରସ୍ତୁତ, ଏପ୍ରିଲ ୨ରେ ଅଭିମନୁ୍ୟ ବାଲିଆରେ ଏକ କାର୍ଯ୍ୟାଳୟର ଶୁଭାରମ୍ଭ ସହିତ ୧୩ଟି ପଞ୍ଚାୟତରୁ ବୁଥ କମିଟି ବୈଠକ, ଏପ୍ରିଲ ୭ରେ ବରୀର ୭ ଗୋଟି ପଞ୍ଚାୟତରେ ବାଇକ ରାଲି ଓ ସଚେତନତା ଶୋଭାଯାତ୍ରା, ଏପ୍ରିଲ ୯ରେ ରସୁଲପୁର ବ୍ଲକ ଅର୍ଥଙ୍ଗା କ୍ଷେତ୍ରପାଳ ମନ୍ଦିରରେ ଚାଷୀ ସମାବେଶ ଓ ବୁଥ କମିଟି ବୈଠକ, ଏପ୍ରିଲ ୧୨ରେ ରସୁଲପୁର ବ୍ଲକର ୧୦ଗୋଟି ପଞ୍ଚାୟତରେ ବାଇକ ରାଲି ଓ ସଚେତନତା ଶୋଭାଯାତ୍ରା, ଏହିପରି ଭାବେ ସେ ବର୍ତ୍ତମାନ ସୁଦ୍ଧା ବରୀ ନିର୍ବାଚନ ମଣ୍ଡଳୀର ୨୭ ଗ୍ରାମ ଓ ରସୁଲପୁର ବ୍ଲକ ଅଧିନରେ ଥିବା ୧୦ ଗ୍ରାମକୁ ମିଶାଇ ମୋଟ ୩୭ ଟି ଗ୍ରାମରେ ପଥପ୍ରାନ୍ତ ସଭା ଓ ବାଇକ ଶୋଭାଯାତ୍ରା ମାନ ଅନୁଷ୍ଠିତ କରାଇ ବରୀ ନିର୍ବାଚନ ମଣ୍ଡଳୀରେ ଥିବା ୮୦ ଭାଗ ଚାଷୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ତାଙ୍କ ମତରେ ବରୀ ନିର୍ବାଚନ ମଣ୍ଡଳୀର ମୋଟ ୪୭ ଗୋଟି ପଞ୍ଚାୟତର ମୋଟ ଭୋଟରଙ୍କ ସଂଖ୍ୟା ୧,୮୫,୨୫୦ । ସେଥି ମଧ୍ୟରୁ ୭୦ ରୁ ୮୦ଭାଗ ହେଉଛନ୍ତି ଚାଷୀ ମୂଲିଆ । ସହ ଏହା ସହିତ ସ୍ୱାଧୀନତା ୭୭ ବର୍ଷ ପରେ ଚାଷୀ ଜମିକୁ ଜଳସେଚନ ବ୍ୟବସ୍ଥାରେ ସକାରଙ୍କର ଅସାମର୍ଥ୍ୟତା, ଗାଁ ଗାଁରେ ମଦ ଦୋକାନ ଖୋଲି ଗୋଟାଏ ବି ନୂତନ ଶୀତଳ ଭଣ୍ଡାର ସ୍ଥାପନ ନ କରିପାରିବା, ଧାନ କ୍ୱିଣ୍ଟାଲ ପ୍ରତି ବୋନସ ନଦେଇ ମଣ୍ଡିରେ କଟନୀ ଛଟନି ମାଧ୍ୟମରେ ପ୍ରଶାସନିକ ଅଧିକାରୀ ମାନଙ୍କ ଚାଷୀଙ୍କୁ ଶୋଷଣ, ଷଣ୍ଢ ମାଙ୍କଡ଼ଙ୍କ ଉପଦ୍ରବରେ ଚାଷୀ ଅତିଷ୍ଟ ହେଉଥିବା ବେଳେ ଆଜିଯାଏଁ କୋଣସି ସମାଧାନ ନ କରିପାରିବା ଭଳି ବହୁ ପ୍ରସଙ୍ଗରେ ଚାଷୀ ଭାଇ ମାନଙ୍କ ପାଇଁ ଅଣ୍ଟା ଭିଡିଛନ୍ତି । କୃଷକ ପ୍ରାର୍ଥୀ ନିମାଇଁ କହିଛନ୍ତି କି ସଂଗଠନ ଦୀର୍ଘ ୧୪ ବର୍ଷ ଆନେ୍ଦାଳନ ପରେ ବରୀ ନିର୍ବାଚନ ମଣ୍ଡଳୀର ୮୦ଭାଗ ଚାଷୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ସେ ଆଜି ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ତାଙ୍କ ମତରେ ୮୦ ଭାଗ ଚାଷୀଙ୍କ ଭୋଟକୁ ରାଜନୈତିକ ଦଳ ମାନେ ଭାଗ ଭାଗ କରିନେଇ ଶାଶନ ଗାଦିରେ ବସିଗଲାପରେ ବରୀର ବିକାଶ କଥାକୁ ପ୍ରାୟତଃ ଏକପ୍ରକାର ଭୁଲିଯାଇଥାଆନ୍ତି । ତେଣୁ ତାଙ୍କ ମତରେ ଅସଲ ବିକାଶ ରାଜନୈତିକ ଦଳ ନୁହେଁ ଚାଷୀ ସରକାର କରିପାରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଚାଷୀ ସରକାର ହେଲେ ଚାଷୀଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ପ୍ରତି ଚାଷୀ ପରିବାରକୁ ୫୦୦୦ ଟଙ୍କା ଚାଷୀ ସୁରକ୍ଷା ଭତା ଦେଇ ଓଡିଶାକୁ ଦାଦନ ମୁକ୍ତ କରିବା, ଧାନର ମୁଲ୍ୟ ଉପରେ ୧୨୦୦ ଟଙ୍କା ବୋନସ ଦେଇ କ୍ୱିଣ୍ଟାଲ ପ୍ରତି ୩୪୦୦ ଟଙ୍କାରେ ଚାଷୀଙ୍କ ସମସ୍ତ ଧାନ କ୍ରୟ କରାଯିବ । ସମସ୍ତ ଜମିକୁ ଜଳସେଚନ ବ୍ୟବସ୍ଥା ସରକାର ଗଢିବାର ୩ବର୍ଷ ମଧ୍ୟରେ କରିବା, ପ୍ରତି ବ୍ଲକରେ ଶିତଲଭଣ୍ଡାର ସ୍ଥାପନ, ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଓ ବିଧବା ଭତ୍ତା ୩୦୦୦କୁ ବୃଦ୍ଧି, କୃଷିଭିତ୍ତିକ ଶିଳ୍ପ ସ୍ଥାପନ ମାଧ୍ୟମରେ ବେକାରୀ ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ଭଳି ସଚେତନ କରାଉଛନ୍ତି । ପ୍ରଥମ କରି ନିମାଇଁ ଚାଷୀ ମାନଙ୍କୁ ଉଚିତ୍ ନ୍ୟାୟ ଓ ସବୁ ସୁବିଧା ପ୍ରଦାନ ସହ ନିଜ ଅଞ୍ଚଳରୁ ଜଣେ ଚାଷୀ ନେତା ବିଧାନସଭାକୁ ପଠାଇବା ସହ ଚାଷୀ ସରକାର ପ୍ରତିଷ୍ଠା ନେଇ ନିର୍ବାଚନୀ ପ୍ରଚାର ଚଳାଇଛନ୍ତି ।