ଅବ୍ୟବସ୍ଥାକୁ ମାନିଲେନି ଆଇନ୍ ମନ୍ତ୍ରୀ
ଭୁବନେଶ୍ୱର: ଆଶା ଠାରୁ ଦେଢ଼ଗୁଣା ଭକ୍ତଙ୍କ ସମାଗମ ହୋଇଥିଲା । କଡର଼୍ନରେ ବି ପରିଲକ୍ଷିତ ହୋଇଥିଲା ପ୍ରବଳ ଭିଡ଼ । ମହାପ୍ରଭୁ ବଳଭଦ୍ରଙ୍କ ରଥ ବି ବାରବାର ମୋଡ଼ ବଦଳାଇବାରୁ ରଥଟଣା ବିଳମ୍ବିତ ହୋଇଛି । ଆଜି ବିଧି ପାଇଁ ନନ୍ଦିଘୋଷ ରଥ କିଛି ବାଟ ଗଡ଼ିଛି । ଆସନ୍ତାକାଲି ରଥଟଣା ହେବ । ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ରଥଯାତ୍ରାରେ ସାମ୍ବାଦିକଙ୍କୁ ମାଡ଼ ଘଟଣା ହେଉ କି ପାନୀୟ ଜଳର ସମସ୍ୟା ହେଉ, ଟ୍ରାଫିକ୍ ନିୟନ୍ତ୍ରଣ ଭଳି ଅନେକ ଅଘଟଣ ଘଟିଥିଲେବି ଆଇନ୍ ମନ୍ତ୍ରୀ କିନ୍ତୁ ଅବ୍ୟବସ୍ଥାକୁ ସ୍ୱୀକାର କରିନାହାନ୍ତି ।
- ଆଶାଠାରୁ ଦେଢ଼ଗୁଣା ଅଧିକ ସମାଗମ
- ‘ଅତୀତରେ ବି ରାତିରେ ଟଣାହୋଇଛି’
ସେ କହିଛନ୍ତିଯେ, ଚଳିତ ବର୍ଷ ସମସ୍ତ ନୀତିକାନ୍ତି ଧାର୍ଯ୍ୟ ସମୟ ଅନୁସାରେ ସରିଛି । ଅପରାହ୍ନ ୪ଟା ସୁଦ୍ଧା ରଥଟଣା ବି ଆରମ୍ଭ ହୋଇଥିଲା । ହେଲେ ମହାପ୍ରଭୁ ବଳଭଦ୍ରଙ୍କ ରଥ ଟାଣିବା ପାଇଁ ସମୟ ଲାଗିଲା । ତାଳଧ୍ୱଜ ରଥ ବାରବାର ମୋଡ଼ ବଦଳାଇଥିଲା । ତେଣୁ ଦର୍ପଦଳନ ଓ ନନ୍ଦିଘୋଷ ରଥ ଟଣା ବିଳମ୍ବିତ ହୋଇଥିଲା । ଅପରପକ୍ଷରେ ଭଲ ପାଗ ଥିବାରୁ ଭକ୍ତମାନଙ୍କର ବହୁତ ସମାଗମ ହୋଇଥିଲା । ପ୍ରଭୁଙ୍କ ଦର୍ଶନ ସହ ନନ୍ଦିଘୋଷ ଟାଣିବା ପାଇଁ ସମସ୍ତଙ୍କର ଆଗ୍ରହ ଥିଲା । ଆଜି କେବଳ ବିଧିପାଇଁ ନନ୍ଦିଘୋଷ ରଥ ଟଣା ହୋଇଥିଲା । ଆସନ୍ତାକାଲି ରଥଟଣା ହେବ । ଭକ୍ତମାନେ ପ୍ରଭୁଙ୍କ ରଥ ଟାଣିବା ଓ ଦର୍ଶନର ସୁଯୋଗ ପାଇବେ । ଏବର୍ଷ ରଥଯାତ୍ରା ଘଟଣାଶୂନ୍ୟ ଭାବେ ହୋଇଛି । ସେମିତି କିଛି ଅସୁବିଧା ହୋଇନାହିଁ । ଭକ୍ତଙ୍କର ବି ଅସୁବିଧା ହୋଇନି । ଯଦି କେଉଁଠି ଛୋଟ ମୋଟ ଅଭାବ ଅସୁବିଧା ହୋଇଥିବ ତାହେଲେ ଅଲଗା କଥା ବୋଲି ସେ କହିଥିଲେ । ରାତିରେ ରଥଟଣା ନେଇ ପୃଥ୍ୱୀରାଜ କହିଥିଲେଯେ, ଅତୀତରେ ବି ଅନେକ ଥର ଏମିତି ଘଟଣା ଘଟିଛି । ରଥଟଣାରେ ବିଳମ୍ବ ହେଲେ ଲାଇଟ୍ ଲାଗି ରଥଟଣା ହୋଇଛି । ଗହଳି ନିୟନ୍ତ୍ରଣର ଗୋଟିଏ ସୀମା ଥାଏ । ଆଶା ଠାରୁ ଦେଢ଼ଗୁଣା ଭକ୍ତଙ୍କ ସମାଗମ ହୋଇଥିଲା ବୋଲି ସେ କହିଛନ୍ତି ।