ସାମ୍ବାଦିକଙ୍କୁ ମାଡ଼: ସସ୍ପେଣ୍ଡ୍ ହୋଇ ଜେଲ୍ ଗଲେ ୨ ଯନ୍ତ୍ରୀ
ବଲାଙ୍ଗୀର: ମଦ ନିଶାରେ ସାମ୍ବାଦିକଙ୍କୁ ମାଡ଼ ମାରିଲେ । ଖାଲି ମାଡ଼ ନୁହେଁ ତଣ୍ଟି ଚିପି ହତ୍ୟା ଉଦ୍ୟମ ବି କରିଥିଲେ । ବିଦୁ୍ୟତ ବିଭାଗରେ କାର୍ଯ୍ୟରତ ୨ ଯନ୍ତ୍ରୀଙ୍କ ଏପରି କର୍ତ୍ତୃତ୍ୱ ପାଇଁ ଆଜି ସେମାନଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି ଏବଂ ଗିରଫ କରାଯାଇଛି । ଗିରଫ ଯନ୍ତ୍ରୀମାନେ ହେଲେ କଣ୍ଟାବାଂଜି ଇଲେକ୍ଟ୍ରିକାଲ ଏସ୍ଡିଓ ଜଗନ୍ନାଥ ପତି ଓ ମୁରିବାହାଲ ବିଦୁ୍ୟତ ଯନ୍ତ୍ରୀ ଚିନ୍ମୟ ସାହୁ । ଟିଟିଲାଗଡ ଥାନା ଟିମନଭାଡି ଗାଁରେ ବିଦୁ୍ୟତ ତାର ସଂସ୍ପର୍ଶରେ ଆସି ଉଦ୍ଧବ ପୋଢ (୨୨)ଙ୍କ ମୃତୁ୍ୟ ଘଟଣାରେ ସାମ୍ବାଦିକମାନେ ସୂଚନା ସଂଗ୍ରହ କରିବାକୁ ଯାଇଥିବା ବେଳେ ଏହି ଦୁଇ ଯନ୍ତ୍ରୀ ମଦ ନିଶାରେ ସେମାନଙ୍କୁ ଗାଳିଗୁଲଜ କରିଥିଲେ । ଏହାସହ ସେମାନଙ୍କୁ ହତ୍ୟା ଉଦ୍ୟମ କରିଥିବାରୁ ସେମାନଙ୍କୁ ଗିରଫ କରାଯାଇଛି ।
ବୁଧବାର ଟିମନଭାଡି ଗାଁରେ ଅତି ନିଚ୍ଚରେ ଝୁଲୁଥିବା ୧୧ କେଭି ବିଦୁ୍ୟତ ତାର ସଂସ୍ପର୍ଶରେ ଆସି ଉଦ୍ଧବଙ୍କ ମୃତୁ୍ୟ ହୋଇଥିଲା ଏବଂ ଆଉ ଜଣେ ଗୁରୁତର ହୋଇଥିଲେ । ଘଟଣା ନେଇ ସ୍ଥାନୀୟ ଲୋକେ ବାରମ୍ବାର ବିଦୁ୍ୟତ ବିଭାଗକୁ ଫୋନ କରିଥିଲେ ମଧ୍ୟ ଅଫିସ୍ରେ କେହି ଫୋନ୍ ଉଠାଇ ନ ଥିଲେ । ସେପଟେ ଯୁବକଙ୍କ ମୃତୁ୍ୟ ପରେ ସାମ୍ବାଦିକମାନେ ବିଦୁ୍ୟତ ଅଧିକାରୀଙ୍କମାନଙ୍କ ପ୍ରତିକ୍ରିୟା ନେବାକୁ ବିଦୁ୍ୟତ କାର୍ଯ୍ୟାଳୟ ଆସିଥିବା ବେଳେ ଯନ୍ତ୍ରୀ ଓ କର୍ମଚାରୀମାନେ ଅଫିସ୍ ଠାରୁ କିଛି ଦୂରରେ ଭୋଜିଭାତର ଆସର ଜମାଇଥିବା ଜାଣିବାକୁ ପାଇଥିଲେ । ତେଣୁ ସାମ୍ବାଦିକମାନେ ଭୋଜି କରୁଥିବା ସ୍ଥାନକୁ ଯାଇଥିଲେ । ସେତେବେଳକୁ ମଦ ନିଶାରେ ଚୁର ଥିବା ଏସ୍ଡିଓ ଜଗନ୍ନାଥ ପତି ଓ ମୁରିବାହାଲ ବିଦୁ୍ୟତ ଯନ୍ତ୍ରୀ ଚିନ୍ମୟ ସାହୁ ସାମ୍ବାଦିକଙ୍କୁ ଦେଖି ଉତ୍ତ୍ୟକ୍ତ ହୋଇଥିଲେ । ସାମ୍ବାଦିକଙ୍କୁ ଦୁଇ ଯନ୍ତ୍ରୀ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଅବିନାଶ ନନ୍ଦ (ସାମ୍ବାଦିକ)ଙ୍କୁ ଆକ୍ରମଣ କରିଥିଲେ । ଏହାସହ ଆଉ ଜଣେ ସାମ୍ବାଦିକ ସଂଜୟ ବେହେରାଙ୍କ ତଣ୍ଟିଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଖାଲି ସେତିକି ନୁହେଁ ଗାଡି ମଡାଇ ସାମ୍ବାଦିକଙ୍କୁ ହତ୍ୟା ପାଇଁ ଉଦ୍ୟମ କରିଥିଲେ ମାତାଲ ଯନ୍ତ୍ରୀ ଓ ସେମାନଙ୍କ ସହକର୍ମୀ । ଜୀବନ ବିକଳରେ ସେମାନଙ୍କ କବଳରୁ ସାମ୍ୱାଦିକମାନେ ଖସିଆସି ଟିଟିଲାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସ୍ଥାନୀୟ ସାମ୍ବାଦିକ ଓ ଜିଲ୍ଲା ସାମ୍ବାଦିକ ସଂଘର ଆହ୍ୱାନ କ୍ରମେ ମାତାଲ ଯନ୍ତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଉଠିଥିଲା । ଅଭିଯୋଗକୁ ଭିତ୍ତିକରି ପୁଲିସ୍ ସମ୍ପୃକ୍ତ ଦୁଇ ଯନ୍ତ୍ରୀଙ୍କୁ ଆଜି ଗିରଫ କରି କୋର୍ଟଚାଲାଣ କରିଛି । ସେହିପରି ବିଦୁ୍ୟତ ବିଭାଗ ପକ୍ଷରୁ ଉଭୟଙ୍କୁ ନିଲମ୍ବିତ କରାଯାଇଛି ।