ଡକାୟତି ଓ ଗାଡ଼ି ଚୋରି ଘଟଣାରେ ୪ ଗିରଫ

 ବଲାଙ୍ଗିର  : ବଲାଙ୍ଗୀର ଜିଲ୍ଲା ତଥା ଜିଲ୍ଲା ବାହାରେ ଡକାୟତି ଓ ଗାଡି ଚୋରି ଘଟଣାରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିଛି ବଲାଙ୍ଗୀର ପୁଲିସ  । ସୂଚନା ଅନୁଯାୟୀ, ଗତ ଜୁନ ୨ତାରିଖ ଦିନ ୧୦ ଟା ୫୬ ମିନିଟ୍ ସମୟରେ ପାଟଣାଗଡ଼ର ପର୍ଶୁରାମ ପନସାରୀଙ୍କ ଠାରୁ କିଛି ଦୁର୍ବୃତ୍ତ ୪ ଲକ୍ଷ ଟଙ୍କା ଲୁଟ୍ କରି ଫେରାର୍ ହୋଇଯାଇଥିଲେ  । ପର୍ଶୁରାମ ପାଟଣାଗଡ଼ ଏସ୍ବିଆଇରୁ ଏକ ବେଗ୍ରେ ୪ଲକ୍ଷ ଟଙ୍କା ୱିଥଡ୍ର କରି ଆଣୁଥିବା ବେଳେ ତାଙ୍କ ଦୋକାନ ସମ୍ମୁଖରେ  ଲୁଟ୍ ହୋଇ ଥିବା  ନେଇ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ  । ଘଟଣା ପରେ ପାଟଣାଗଡ଼ ପୁଲିସ ଡକାୟତ ଦଳକୁ ଧରିବା ପାଇଁ ତନାଘନା ଆରମ୍ଭ କରିଥିଲା  । ସହରର ବିଭିନ୍ନ ରାସ୍ତାରେ ଲାଗିଥିବା ସିସିଟିଭି କ୍ୟାମେରା, ଏଏନ୍ପିଆର  କେମେରା  ଓ ଏ. ଆଇ ର ସାହାଯ୍ୟ ନେଇ ପୋଲିସ ଘଟଣାରେ ୪ଜଣ ଦୁର୍ବୃତ୍ତଙ୍କୁ ଗିରଫ୍ କରିବାରେ ସଫଳ ହୋଇଛି  । ଏମାନେ ହେଲେ ଗଞ୍ଜାମ ଜିଲ୍ଲା ଆସିକା ଥାନା ପକଲା ପାଲି ଗାଁର  ଡି. ରାହୁଲ(୨୦), ଏମ୍ ଶ୍ରୀକାନ୍ତ(୨୪), ଆସିକା ଥାନା ନୂଆପାଲିର ପି. ଶିବା ଓ ଛତିଶଗଡ଼ ରାଜଖଳାରି ଥାନା ମହାସମୁନ୍ଦର କରନ ନେତମ(୨୭) ଏବଂ ଏମାନଙ୍କ ନାମରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଥାନାରେ ପ୍ରାୟ ୧୯ ଟି କେଶ୍ ରହିଥିବା ପୁଲିସ କହିଛି  । ଏମାନଙ୍କ ଠାରୁ ୩ ଲକ୍ଷ ୧୫ହଜାର ଟଙ୍କା, ଦୁଇଟି ଚୋରି ବାଇକ, ତିନୋଟି ମୋବାଇଲ ଓ ଡିକି ଭାଙ୍ଗିବା ଅସ୍ତ୍ର ଜବତ କରିଛି ପୁଲିସ  । ଏହି ୪ ଦୁର୍ବୃତ୍ତଙ୍କ ନାମରେ ପାଟଣାଗଡ଼ ଥାନାରେ ୨ଟି ଓ ଟିଟିଲାଗଡ଼ ଥାନାରେ ୩ ଟି କେଶ୍ ବିଚାରାଧୀନ ଅଛି  । ଗତକାଲି ଏମାନଙ୍କୁ ପାଟଣାଗଡ଼ ଖପ୍ରାଖୋଲ ରାସ୍ତାରେ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ନେଇ ପୁଲିସ ସୂଚନା ଦେଇଛି  । ପାଟଣାଗଡ଼ ପିଏସ୍ କେଶ୍ ନମ୍ବର ୧୬୪, ଦଫା ୩୦୯(୪) ବିଏନ୍ଏସ୍  ଆକ୍ଟରେ ଏହି ଚାରି ଜଣଙ୍କୁ ଗିରଫ୍ କରାଯିବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ବଲାଙ୍ଗୀର ଏସ୍ପି ଅଭିଳାଷ ଜୀ  ।