ବଲାଙ୍ଗୀରରେ କୃଷକ ଶକ୍ତି ସମାବେଶ "ତିନି ଗୁଣା ବେଗରେ ଜିଲ୍ଲାର ବିକାଶ'

ବଲାଙ୍ଗୀରରୁ ଗୋପବନ୍ଧୁ ଶତପଥି   : ବଲାଙ୍ଗୀର ଜିଲ୍ଲାରୁ ଦୁଇଜଣ ମନ୍ତ୍ରୀ ଓଡିଶା ସରକାରରେ ପ୍ରତିନିଧିତ୍ୱ କରୁଛନ୍ତି  । ଏବେ ଏଠାରେ ଡବଲ ଇଞ୍ଜିନ ନୁହେଁ, ଟ୍ରିପଲ ଇଞ୍ଜିନ ସରକାର ଚାଲିଛି  । ଜିଲ୍ଲାର ବିକାଶ ବି ତିନିଗୁଣ ବେଗରେ ଚାଲୁଛି  । ଆଗାମୀ ଦିନରେ ଏହି ପ୍ରକ୍ରିୟା ଜାରିରହିବ  । ବଲାଙ୍ଗୀର ଠାରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ କାର୍ଯ୍ୟକ୍ରମରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  । 
ସେ କହିଛନ୍ତିଯେ, ରାଜ୍ୟରେ କୃଷକମାନଙ୍କୁ ସଶକ୍ତ କରିବା ପାଇଁ ସରକାର ସମସ୍ତ ପ୍ରକାର ଯାନ୍ତ୍ରିକ ଓ ପ୍ରଯୁକ୍ତିବିଦ୍ୟା ସାହାଯ୍ୟ ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ  । ନିର୍ବାଚନ ସମୟରେ ଚାଷୀଙ୍କ କଠୋର ପରିଶ୍ରମର ପ୍ରକୃତ ମୂଲ୍ୟ ଦେବାର ପ୍ରତିଶ୍ରୁତିକୁ ଆମେ ପୂରଣ କରିଛୁ  । ମେ ମାସ ସୁଦ୍ଧା ୭୮୬୮୧ କୃଷି ଯନ୍ତ୍ରପାତି ଯୋଗାଣ କରାଯାଇ ସେ ବାବଦକୁ ଡିବିଟି ମାଧ୍ୟମରେ ୪୫୯.୬୮ କୋଟି ଟଙ୍କାର ରିହାତି ପ୍ରଦାନ କରାଯାଇଛି   । ସମସ୍ତଙ୍କୁ କୃଷି କ୍ଷେତ୍ରରେ ନିଜ ନିଜର ଅବଦାନ ଦେଇ କୃଷିକୁ ଦେଶର ମୁଖ୍ୟ ଆଧାର କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି  । ୫ ବର୍ଷ ମଧ୍ୟରେ ୧୫ ଲକ୍ଷ ହେକ୍ଟର ଅଣଜଳସେଚିତ ଜମିକୁ ଆମେ ଜଳସେଚନ ଯୋଗାଇ ଦେବାର ଲକ୍ଷ୍ୟ ରଖିଛୁ  । 
ମେ’ ୨୯ରୁ ଜୁନ ୧୨ ପର୍ଯ୍ୟନ୍ତ ପୁରୀର ସାକ୍ଷୀଗୋପାଳ ଠାରୁ ଆରମ୍ଭ ହୋଇଥିବା ‘ବିକଶିତ କୃଷି ସଂକଳ୍ପ ଅଭିଯାନ’ ଦେଶବ୍ୟାପୀ ଚାଲୁ ରହିଥିଲା  । ଶ୍ରୀଅନ୍ନ ଅଭିଯାନ ମାଧ୍ୟମରେ ବିସ୍ମୃତ ଖାଦ୍ୟର ପୁନରୁଦ୍ଧାର ଏବଂ ପୁଷ୍ଟିଶସ୍ୟ ଆଧାରିତ କୃଷି ପ୍ରଣାଳୀ ମାଧ୍ୟମରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ରୋଜଗାରରେ ଉନ୍ନତି ଅଣାଯାଇଛି  । ସିଏମ୍ କିଷାନ୍ ଯୋଜନାରେ ଚାଷୀ ଭାଇଙ୍କୁ ୪ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଉଛି  ।  ସିଏମ୍ କିଷାନ୍ ସହିତ ‘ପିଏମ-ସମ୍ମାନ ନିଧି’ ସଂଯୁକ୍ତ ହୋଇ ଚାଷୀ ଭାଇମାନଙ୍କୁ ଆର୍ଥିକ ସହଯୋଗ ପ୍ରଦାନ କରୁଛି  । ବଳଭଦ୍ର ଜୈବିକ ଚାଷ ମିଶନ ଯୋଗେ ରସାୟନମୁକ୍ତ ଜୈବିକ ଚାଷକୁ ପ୍ରୋସôାହନ ଦିଆଯାଉଛି  । ଅମୃତ ଅନ୍ନ ପ୍ରକଳ୍ପ ଅଧୀନରେ ଓଡିଶାରେ ଉତ୍ପାଦିତ ରସାୟନମୁକ୍ତ ଦେଶୀ ବାସ୍ନାଯୁକ୍ତ ଚାଉଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୋଠଭୋଗରେ ବ୍ୟବହାର ହେଉଛି  । ଆଗାମୀ ଦିନରେ ଏହା ସମ୍ପୂର୍ଣ୍ଣ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର କରାଯିବ  । କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଥିଲେଯେ, କୃଷି ଓ କୃଷକର ବିକାଶ ପାଇଁ ଆମ ସରକାର ରାଜ୍ୟ ବଜେଟରେ ଚଳିତ ବର୍ଷ ଅଧିକ ଆର୍ଥିକ ପ୍ରସ୍ତାବ ଦେଇଛନ୍ତି ଏବଂ ଆଗାମୀ ଥର ବଜେଟରେ ମଧ୍ୟ ଅଧିକ ଆର୍ଥିକ ବଜେଟର ପ୍ରାବଧାନ ରଖିଛୁ  । ଆଜି ଓଡ଼ିଶା ଭାରତ ବାହାରକୁ ମଧ୍ୟ ଫଳ ରପ୍ତାନି କରି ପାରୁଛି  । କିଛି ବର୍ଷ ମଧ୍ୟରେ ବଲାଙ୍ଗୀର ଠାରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ହେବ  । ସୋନପୁର ଠାରେ ମାଛ ଚାଷୀଙ୍କୁ ଉନ୍ନତ ଜ୍ଞାନ କୌଶଳର ଶିକ୍ଷା ଦେବା ପାଇଁ ମତ୍ସ୍ୟ ମହାବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା କରିବାର ଯୋଜନା ଅଛି ବୋଲି ଘୋଷଣା କରିଛନ୍ତି ।  ଏହି ଅବସରରେ, ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଯୋଗ ଦେଇ କହିଛନ୍ତିଯେ, ବଲାଙ୍ଗୀରର ଚାଷ ଓ ବଲାଙ୍ଗୀର ଚାଷୀ ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରଦାନ କରିବା ଆମ ରାଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ  । ଚାଷୀ ଭାଇଭଉଣୀଙ୍କ ସମସ୍ତ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ  । ପ୍ରତ୍ୟେକ ଗାଁ ହେବ କୃଷି ସଶକ୍ତ ଗାଁ  । ଆମ ରାଜ୍ୟକୁ ବିକଶିତ କରିବାକୁ ହେଲେ ପ୍ରଥମେ ଆମ ମେରୁଦଣ୍ଡ, ଆମ ଚାଷକୁ ସମୃଦ୍ଧ କରିବାକୁ ପଡିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଥିଲେ ।କାର୍ଯ୍ୟକ୍ରମରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ,  ଟିଟିଲାଗଡ ବିଧାୟକ ନବୀନ କୁମାର ଜୈନ୍ , କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ୍, ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଚିନ ରାମଚନ୍ଦ୍ର ଯାଦବ ପ୍ରମୁଖ ମଞ୍ଚାସୀନ ଥିଲେ । ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲାପାଳ ଗୌରବ ଶିବାଜୀ ଇଶାଲ୍ୱର ଧନ୍ୟବାଦ ଦେଇଥିଲେ ।